Unknown

 

 

 

 

 

 

 

 

 

 

ସବା ମୂଳରେ ମଣିଷ

ଚିତ୍ତରଞ୍ଜନ ଦାସ

 

–୧–

 

ଏହି ପୃଥିବୀକୁ ଭଗବାନ ତିଆରି କରିଛନ୍ତି ବୋଲି ଯେଉଁସବୁ ଶାସ୍ତ୍ରରେ ଲେଖା ହୋଇଛି, ସେଗୁଡ଼ିକୁ ମଣିଷ ଲେଖିଛି । ମଣିଷ ନଥିଲେ ଶାସ୍ତ୍ରମାନେ ଆଉ କୁଆଡ଼ୁ ଆସିଥାନ୍ତେ ? ଏହି ପୃଥିବୀ ଅନେକ ନିୟମ ଦ୍ଵାରା ଚାଲିଛି । ବିଶ୍ଵବ୍ରହ୍ମାଣ୍ଡର ସୂର୍ଯ୍ୟ, ନକ୍ଷତ୍ର, ଗ୍ରହ ଓ ତାରାମାନେ ଏକ ନିୟମରେ ବନ୍ଧା ହୋଇ ଚାଲୁଛନ୍ତି । ନିୟମ ଅନୁସାରେ ମାସ ମାସ ମିଶି ବର୍ଷ ହେଉଛି । ନିୟମ ଅନୁସାରେ ଋତୁଟିଏ ଯାଉଛି, ପୁଣି ଋତୁଟିଏ ଆସୁଛି । ଖରା ଯାଉଛି, ବର୍ଷା ଆସୁଛି, ଶୀତ ଯାଇ ବସନ୍ତ ଆସୁଛି । ମଣିଷର ନିଜ ଜୀବନରେ ବି କେତେ ନିୟମ । ଯେଉଁ ସମାଜରେ ମଣିଷ ବାସ କରୁଛି, ସେଥିରେ ମଧ୍ୟ କେତେ ନିୟମ । ଦେହ ପାଇଁ ନିୟମ, ମନ ପାଇଁ ନିୟମ । ଘର ପାଇଁ ନିୟମ, ବଜାର ପାଇଁ ନିୟମ । ବଡ଼ ବରଗଛ ଠାରୁ ଆରମ୍ଭ କରି ସାନ ଦୂବଘାସ ପର୍ଯ୍ୟନ୍ତ ସମସ୍ତେ ନିୟମରେ ଅଛନ୍ତି । ଗୋଟିଏ ମଞ୍ଜିରୁ ଗଛ ହେଉଛି, ଗଛରେ ଡାଳପତର ଖଞ୍ଜିହୋଇ ଯାଉଛି । ଡାଳରେ କଢ଼ ଧରୁଛି, କଢ଼ରୁ ଫୁଲ, ପୁଣି ଫୁଲରୁ ଫଳ । ଫଳରୁ ପୁଣି ମଞ୍ଜି । ନିୟମ ଅନୁସାରେ ପବନ ବୋହୁଛି । ଶୀତଦିନେ ଉତ୍ତରରୁ ବୋହୁଛି, ବସନ୍ତ ଋତୁରେ ଦକ୍ଷିଣ ଦିଗରୁ ବୋହୁଛି । ପାଣି ଢାଲୁ ପାଇଲେ ତଳକୁ ତଳକୁ ବୋହି ଯାଉଛି, ଢିପ ପାଇଲେ ଅଟକି ରହିଯାଉଛି । ପାଣି ଢାଲୁ ପାଇଲେ ତଳକୁ ତଳକୁ ବୋହିଯାଉଛି, ଢିପ ପାଇଲେ ଅଟକି ରହିଯାଉଛି । ସୂର୍ଯ୍ୟ ସକାଳେ ପୂର୍ବଦିଗରୁ ଉଇଁ ଆସୁଛନ୍ତି, ସଂଜ ହେଲେ ଅସ୍ତ ହୋଇ ଚାଲି ଯାଉଛନ୍ତି । ଏସବୁ ଅନନ୍ତ କାଳରୁ ଚାଲିଛି । ଏଗୁଡ଼ିକୁ ଦେଖି ଦେଖି ମଣିଷ ଭାବୁଛି ଯେ ଏସବୁ ଅନନ୍ତ କାଳଯାଏ ଅବଶ୍ୟ ଚାଲିଥିବ । କିଛି ସରିବ ନାହିଁ, କିଛି ଲୁପ୍ତ ହୋଇ ଯିବ ନାହିଁ । ଏ ଗଛଟା ମରିଯିବ, ସେ ଗଛଟା ମଧ୍ୟ ଦିନେ ମରିଯିବ, ମାତ୍ର ତଥାପି ଗଛ ରହିଥିବ, କଦାପି ଲୁପ୍ତ ହୋଇ ଯିବ ନାହିଁ । ଏ ସନ ଏହି ଜମି ଖଣ୍ଡକରେ ଧାନ ହେବ, ଧାନ କଟା ହୋଇଗଲେ ମୁଗ ହେବ । ଫସଲ ବଦଳୁଥିବ, ମାତ୍ର ଜମି ରହିଥିବ । ସୃଷ୍ଟି କହିଲେ ସମ୍ଭବତଃ ଏହାକୁ ହିଁ ବୁଝାଏ । ଉପରେ ଉପରେ କେତେ କ’ଣ ବଦଳୁଥାଏ, ଚେହେରା ବଦଳି ଯାଉଥାଏ, ପ୍ରକାର ବଦଳି ଯାଉଥାଏ, ତଥାପି ସବୁ ବଦଳୁଥିବାର ପଛରେ ଗୋଟାଏ କ’ଣ ସ୍ଥାୟୀ ହୋଇ ରହିଥାଏ । ମୋଟେ ବଦଳି ଯାଏ ନାହିଁ ।

 

ମଣିଷର ଦୈନନ୍ଦିନ ଜୀବନରେ ହଜାର ହଜାର ନିୟମ, ଥାକ ଥାକ ନିୟମ । ନିୟମଗୁଡ଼ିକୁ ସିଏ ସତ୍ୟ ବୋଲି ମାନି ଆସୁଛି । ପୁରୁଣା ନିୟମ ଯାଇ ନୂଆ ନିୟମ ଆସୁଛି । ଅନେକ ନିୟମକୁ ମଣିଷମାନେ ଭାରି ସହଜରେ ବୁଝି ପାରୁଛନ୍ତି । ପେଟକୁ ଖାଇବା ନଗଲେ ଭୋକ କରେ ବୋଲି ଖାଲି ମଣିଷ ନୁହେଁ, ଇତର ଜୀବମାନେ ବି ବୁଝି ପାରୁଛନ୍ତି । ବିଶ୍ରାମ ନ ମିଳିଲେ ଶରୀରକୁ ହାଲିଆ ଲାଗେ ବୋଲି କିଏ ନ ଜାଣୁଛି ? ମାତ୍ର ତଥାପି ସବୁ ନିୟମକୁ କ’ଣ ଆମେ ପ୍ରକୃତରେ ବୁଝୁଛୁ ? ଆମେ ଏପରି ଅନେକ ନିୟମର ପାଳନ କରୁଛୁ, ମାତ୍ର ସେଗୁଡ଼ିକୁ ତଥାପି ବୁଝି ପାରୁନାହୁଁ । ଆମେ ସେ ଗୁଡ଼ିକରେ ବିଶ୍ଵାସ କରୁଛୁ । ମଣିଷର ଆଖିମାନେ ଅଧିକରୁ ଅଧିକ ସତ୍ୟଗୁଡ଼ିକୁ ବୁଝିପାରିବା ସଙ୍ଗେ ସଙ୍ଗେ ମଣିଷ ଜ୍ଞାନରେ ବଢ଼ୁଛି । ପୃଥିବୀର ଇତିହାସ ହେଉଛି ଏହି ଜ୍ଞାନ ଓ ବିଜ୍ଞାନ ବୃଦ୍ଧି ପାଇବାର ଇତିହାସ । ଆଗକାଳରେ ମଣିଷ କମ୍ ଜାଣିଥିଲା, ତେଣୁ ବେଶି ବିଶ୍ଵାସ କରୁଥିଲା । ଏବେ ଅଧିକ ଜାଣୁଛି, ତେଣୁ ଅନ୍ଧ ଭାବରେ ବିଶ୍ଵାସ କରିବାକୁ ମୋଟେ ରାଜି ହେଉନାହିଁ । ତା’ ଭିତରେ ସଂଶୟ ଜାତ ହେଉଛି । ସଂଶୟ ବଢ଼ିବାରୁ ସିଏ ଅଧିକ ଖୋଜିବାକୁ ମନ କରୁଛି । ଖୋଜିବାର ଆଗ୍ରହ ବଢ଼ୁଥିବା ସଙ୍ଗେ ସଙ୍ଗେ ଖୋଜିବା ନିମନ୍ତେ ମଣିଷମାନେ ନୂଆ ନୂଆ କାଠି ବାହାର କରୁଛନ୍ତି । ମାପିବା ପାଇଁ ନୂଆ ନୂଆ କାଠି, କଳନା କରିବା ପାଇଁ ନୂଆ ନୂଆ କାଠି । ପୁଣି ଅନୁଭବ କରିବାର ବି ନୂଆ ନୂଆ କାଠି । ନୂଆ ନୂଆ କାଠିର ସାହାଯ୍ୟରେ ନୂଆ ନୂଆ ପ୍ରୟୋଗ କରି ଦେଖିବା ନିମନ୍ତେ ମଣିଷ ଭିତରେ ଅଧିକ ପ୍ରତ୍ୟୟ ଆସୁଛି-। ପ୍ରୟୋଗ ଗୁଡ଼ିକରୁ ସେ ଯେତେବେଳେ ଯାହା ପାଇଛି, ତାହାକୁ ବିଜ୍ଞାନ ବୋଲି କହିଛି । ନୂଆ ନୂଆ ପ୍ରୟୋଗରୁ ନୂଆ ନୂଆ ବିଜ୍ଞାନ ବାହାରୁଛି । ଖୋଜିବା ଅଟକି ଯାଇନାହିଁ, ପ୍ରୟୋଗ ସରୁନାହିଁ, ତେଣୁ ମଣିଷ କ୍ରମେ ଜ୍ଞାନ ଆଉ ବିଜ୍ଞାନରେ ଧନୀ ହୋଇ ଚାଲିଛି । ଅଗ୍ରଗତି କରୁଛି । ସଭ୍ୟ ହେଉଛି । ଅଧିକ ବିସ୍ତାର ଯାଏ, ଅଧିକ ଗଭୀରଯାଏ ଯାଇ ପାରୁଛି ।

 

ଅଜ୍ଞାତମାନେ ଜ୍ଞାତ ହୋଇ ଆସୁଛନ୍ତି । ମଣିଷ ସତେ ଅବା ସାନ ପିଲାଟିଏ ପରି ସେହି ଖେଳରେ ମାତିଛି । ଦୂରମାନେ ନିକଟ ହୋଇ ଆସୁଛନ୍ତି । ଅଚିହ୍ନାମାନେ ଚିହ୍ନା ହୋଇ ଆସୁଛନ୍ତି । ପୃଥିବୀ ଚିହ୍ନା ହୋଇ ଆସୁଛନ୍ତି, ଏକାବେଳେକେ ତା’ ନିଜ ଘରଭଳି ଲାଗୁଛି । ତେଣୁ ଭୟ କମିଯାଉଛି, ଭାବ ବଢ଼ୁଛି । ଅଭାବ ଗୁଡ଼ାକର ସ୍ତରପରିବର୍ତ୍ତନ ଘଟୁଛି । ଆଗେ ମଣିଷମାନଙ୍କର କେବଳ ପେଟର ଅଭାବ ଥିଲା । ଠିକ୍ ଇତର ପ୍ରାଣୀମାନଙ୍କର ଯେମିତି, ମଣିଷମାନଙ୍କର ମଧ୍ୟ ସେମିତି । ସକାଳୁ ସଂଜଯାଏ ଆହାର ଯୋଗାଡ଼ କରି କରି କଟି ଯାଉଥିଲା । ନିଜର ବୁଦ୍ଧିବଳରେ ସିଏ କ୍ରମେ ଅନ୍ୟପ୍ରକାରେ ଜୀବନଟିଏ ବଞ୍ଚିଲା । ଆଜିର ଆହାରକୁ ସିଏ କାଲି ପାଇଁ ସାଇତି ରଖିପାରିଲା । କାଲିକି ହୁଏତ ଉପାସରେ କଟିବ ବୋଲି ତା’ ମନରେ ଆଉ ସେତେ ବେଶି ଦକ ରହିଲାନାହିଁ । ତେଣୁ ଚିନ୍ତା କରିବାକୁ ଅଧିକ ସମୟ ପାଇଲା । ଖାଲି ନିଜ ବିଷୟରେ ନୁହେଁ, ଅନ୍ୟ ମଣିଷମାନଙ୍କ ବିଷୟରେ ଚିନ୍ତା ବି କଲା । ଏହି ସମସ୍ତଙ୍କୁ ନେଇ ସମାଜ ଗଢ଼ି ଉଠିଲା । ସମାଜ ପୋଖତ ହେଉ ହେଉ ପରିବାର ବୋଲି ସଂସ୍ଥାଟିଏ ଆସିଲା । ପେଟ ପୂରିବା ପରେ ମଣିଷ ଅନୁରାଗ ନାମକ ସେହି ଆର କଥାଟି ଭିତରକୁ ଆସିବାକୁ ସମର୍ଥ ହେଲା । ସ୍ନେହ, ମମତା, ପ୍ରେମ, କାହା ଆଡ଼କୁ ଆଦୌ କୌଣସି କାରଣ ନଥାଇ ଆକର୍ଷିତ ହୋଇଯିବା, କାହାକୁ ସ୍ନେହବଳରେ ନିଜ ଆଡ଼କୁ ଆକର୍ଷିତ କରି ଆଣିବା, ମଣିଷର ଇତିହାସରେ ଏହି କଥାଟି ବହୁତ ପରେ ଆସିଥିବ । ସ୍ଵାର୍ଥ ଭିତରୁ ନିଃସ୍ଵାର୍ଥ ବୋଲି ଆର କଥାଟି ମଧ୍ୟ ବାହାରିଲା । ଖାଲି ନିଜ ପାଇଁ ବଞ୍ଚୁ ବଞ୍ଚୁ ମଣିଷମାନେ ପରସ୍ପର ପାଇଁ ବଞ୍ଚି ଶିଖିଲେ । ଭୟରେ ବଞ୍ଚୁ ବଞ୍ଚୁ ଭାବରେ ବଞ୍ଚି ଶିଖିଲେ । ଖାଲି ନିଜ ପାଇଁ ବଞ୍ଚିବା ଠାରୁ ଅନ୍ୟ ପାଇଁ, ଅର୍ଥାତ୍ ପରସ୍ପର ପାଇଁ ବଞ୍ଚି ପାରିବାରେ ଯେ ଅଧିକ ଆନନ୍ଦ ମିଳେ ଏବଂ ଅଧିକ ହାଲୁକା ଲାଗେ, ମଣିଷ ସେହି କଥାଟିକୁ ନିଜର ଅନୁଭବରୁ ଶିଖିଲା । ଆଗେ, ପେଟ ନ ପୂରିଥିବା ପର୍ଯ୍ୟନ୍ତ ତାକୁ ଦୁଃଖ ଲାଗୁଥିଲା ପେଟଟା ପୂରିଯିବା ପରେ କିଛି ସମୟ ଲାଗି ତାକୁ ଯେଉଁ ଉଶ୍ଵାସ ଲାଗୁଥିଲା, ସିଏ ତାକୁ ସୁଖ ବୋଲି କହୁଥିଲା । ଦୁଃଖକୁ ଏଡ଼ି ଅଧିକରୁ ଅଧିକ ସୁଖ ପାଇଁ ସର୍ବଦା ଚିନ୍ତା କରୁଥିଲା । ତା’ ଭିତରେ ଏଇ ଅନୁରାଗ କଥାଟି ପଶିବା ପରେ ତା’ପାଇ ସୁଖର ସଂଜ୍ଞା ମଧ୍ୟ ବଦଳିଗଲା । ଏକାଠି ଦୁଃଖ ସହିଲେ ଅର୍ଥାତ୍ ଦୁଃଖର ସାମନା କଲେ, ନିଜର ଭାଗଟିକୁ ନିଜେ ମାଡ଼ି ବସି ଆଉଜଣଙ୍କ ପାଇଁ ସାଇତି ରଖିଲେ ସେଥିରୁ ଯେ କେତେ ଆନନ୍ଦ ମିଳେ, ମଣିଷ ସେହି କଥାଟିକୁ ଅଙ୍ଗେ ନିଭାଇଲା । ଏହିପରି ସୁଆଦ ପାଉ ପାଉ ତାକୁ ସଂସାରଟା ଭଲ ଲାଗିଲା । ସଂସାରଟା ତାକୁ ନିଜର ଘର ପରି ଲାଗିଲା ।
 

ଏହିପରି ଭାବରେ ନିଜକୁ ସନ୍ଦର୍ଭରେ ରଖି ମଣିଷ ପୃଥିବୀ ବିଷୟରେ ଭାବି ପାରିଲା ଏବଂ ଏହି ପୃଥିବୀକୁ ସନ୍ଦର୍ଭରେ ରଖି ନିଜ ବିଷୟରେ ମଧ୍ୟ ଭାବିଲା । ଏହିପରି ଭାବି ତାକୁ ଆହୁରି ଭଲ ଲାଗିଲା । ଗୋଟାଏ ଘର ଭିତରେ କିଳି ହୋଇ ରହିଥିବା ପର୍ଯ୍ୟନ୍ତ ଯେମିତି ଭାରି ଅମୁହାଁ ଏବଂ ଅଣନିଃଶ୍ଵାସୀ ଲାଗେ,ଆଗେ ମଣିଷକୁ ହୁଏତ ଭାରି ସେହିଭଳି ଲାଗୁଥିଲା । କ୍ରମେ ତା’ ଚେତନାର ଘରେ ଝରକା ଏବଂ କବାଟମାନ ଲାଗିଗଲା । ତଦ୍ଦ୍ଵାରା ସିଏ ଏକାବେଳେକେ ଘର ଭିତରଟାକୁ ଦେଖିଲା, ଘରର ବାହାରଟାକୁ ବି ଦେଖିଲା । ନିଜର ଭିତରଟାକୁ ଦେଖିଲା, ଆଉମାନଙ୍କର ଭିତରଟାକୁ ବି ଦେଖିଲା । ଏହିପରି ଦେଖୁ ଦେଖୁ ସିଏ ତା’ ପ୍ରାଣୀଜୀବନର ଅନେକ ଅନେକ ବାଡ଼ ଓ କାନ୍ଥକୁ ଅତିକ୍ରମ କରିଗଲା । ଘରଟା ଭିତରେ, ନିଜର ପେଟଟାକୁ ହିଁ ଏକମାତ୍ର କେନ୍ଦ୍ର ଓ ଏକମାତ୍ର ଗଣ୍ଠି କରି ଧରିଥିବାର ଅତି ସାନ ଜୀବନଟା ଭିତରେ ରହିବାକୁ ତାକୁ ଆଉ ମୋଟେ ଭଲ ଲାଗିଲା ନାହିଁ । ତା’ ପରେ ଗଣ୍ଠିଗୁଡ଼ାକ ଧଡ଼ ଧଡ଼ ଫିଟିଗଲେ । ମୁଣ୍ଡ ଉପରେ ରହିଥିବା ଆକାଶଟି ଏଣିକି ଆହୁରି ପରିଷ୍କାର ହୋଇ ଦେଖାଗଲା । ଇଏ ତ ଆକାଶ ନୁହେଁ, ସତେଯେପରି କାହାର ଅଭୟଭରା ଡେଣା ତା’ର ଏହି ପୃଥିବୀକୁ ବିଶ୍ଵାସ ଦେଇ ଆବୋରି ଧରିଛି । ଏଣିକି ତାକୁ ଆକାଶ ବି ଭଲ ଲାଗିଲା । ଆକାଶର ଆଲୁଅ ପରି ଆକାଶର ଅନ୍ଧାର ବି ଭଲ ଲାଗିଲା । ଦିନ ଭଲ ଲାଗୁଥିଲା, ଏଣିକି ରାତି ବି ଭଲ ଲାଗିଲା । ରାତିରେ ସେହି ଆକାଶର ବକ୍ଷରେ କେତେ କେତେ ତାରା ବିଞ୍ଚି ହୋଇ ଯାଉଥିଲେ । ସିଏ ସେମାନଙ୍କର ବି ପରିଚୟ ଖୋଜି ବାହାରିଲା । ଏମାନେ ସବୁ କିଏ ? ଦିନବେଳା କୁଆଡ଼େ ଚାଲି ଯାଉଛନ୍ତି ଓ ରାତିକୁ ଆସି ଜଳି ଉଠୁଛନ୍ତି ? ଏମାନଙ୍କୁ କିଏ ତିଆରି କରିଛି ? ସୂର୍ଯ୍ୟ ଆଉ ଚନ୍ଦ୍ରକୁ ବି କିଏ ତିଆରି କରିଛି ? ଗଛ,ବୃଚ୍ଛ, ମାଟି, ପଥର, ପଶୁ ଓ ପକ୍ଷୀ ଏମାନେ କାହାର ସୃଷ୍ଟି ? ହଁ, ସିଏ ନିଜେ ମଧ୍ୟ ତ କାହାରି ସୃଷ୍ଟି ହୋଇଥିବ ! ସିଏ କଦାପି ଅକସ୍ମାତ୍ ଏହି ପୃଥିବୀ ଉପରେ ଆସି ଗଳି ପଡ଼ି ନଥିବ । ନିଶ୍ଚୟ କୌଣସି କାରଣ ଥିବ, ନିଶ୍ଚୟ କିଏ ଜଣେ କାରଣ ହୋଇ ରହିଥିବେ । ସମଗ୍ର ସୃଷ୍ଟିଟା ପଛରେ ମଧ୍ୟ ଅବଶ୍ୟ କାରଣ ଥିବ । କୁମ୍ଭାର ହାଣ୍ଡି ଗଢ଼ୁଛି, ସିଏ ତାହାର କାରଣ । ଚକ ଆଉ ମାଟି, ଏମାନେ ଉପାଦାନ । ତେବେ କୋଉ କୁମ୍ଭାର ତାକୁ ଗଢ଼ିଛି ? କୋଉ କୁମ୍ଭାର ଏହି ପୃଥିବୀଟାକୁ ବି ଗଢ଼ିଛି ? ସିଏ କ’ଣ ଅତୀତରେ କେବେ ସେଇ ଉପରୁ ଆକାଶରୁ ଆସି ଏହି ପୃଥିବୀକୁ ସୃଷ୍ଟି କରିଛି ଓ ତା’ପରେ ପୁଣି ସେହି ଆକାଶକୁ ଫେରିଯାଇ ସେଇଠି ରହିଛି କି ? ଆକାଶଟା ତାକୁ ରହସ୍ୟ ବୋଲି ଲାଗୁଥିଲା । ତେଣୁ ଏଠି ସବୁକିଛିର କାରଣକୁ ସିଏ ସର୍ବ ପ୍ରଥମେ ଆକାଶ ଭିତରେ ହିଁ ଠାବ କଲା ।

 

ପୃଥିବୀ ସତକୁ ସତ ମାଆ ପରି । ମାଆ ଜନ୍ମ ଦେଉଛି, ପାଳୁଛି, ଆହାର ଯୋଗାଇ ଦେଉଛି ସାନରୁ ବଡ଼ କରୁଛି, ମଣିଷର ଆଖିଟିକୁ କେତେ କୁଆଡ଼େ ଏବଂ କେତେ କ’ଣ ଦେଖିବାର ଯୋଗ୍ୟ କରି ନେଉଛି ।-ଏକାବେଳକେ ଆଗକାଳରେ ମଣିଷଟିଏ ଜନ୍ମ ହେବା ପରେ ତା’ ବାପାକୁ ସିନା ଚିହ୍ନୁ ନଥିଲା, ମାତ୍ର ମାଆକୁ ଅବଶ୍ୟ ଚିହ୍ନୁ ଥିଲା । ମଞ୍ଜିଟିଏ ମାଟିରେ ପଡ଼ିଲେ ସିନା ଗଛ ହୋଇପାରୁଛି । ଗାଈଟି ନଥିଲେ ବାଛୁରୀଟିଏ କଦାପି ବଞ୍ଚି ପାରନ୍ତା ନାହିଁ । ତେଣୁ, ଯିଏ ଆମକୁ ଗର୍ଭରେ ଧରିଲା, ଜନ୍ମ ଦେଲା, ଏଡ଼ୁଟିରୁ ଏଡ଼ୁଟିଏ କଲା, ସିଏ ହେଉଛି ମାଆ । ସାରା ସୃଷ୍ଟିର ମୂଳ କାରଣ ହେଉଛି ମାଆ । ପୃଥିବୀରେ ଆମେ ଯେଉଁ ଦେଶକୁ ଯିବା ପଛକେ, ସେଠାରେ ମଧ୍ୟ ସୃଷ୍ଟିର ମୂଳକାରଣ ରୂପେ ସେହି ମାଆର ଉପାସନା, ମାତୃଉପାସନାରୁ ଆଉ ଯାବତୀୟ ଉପାସନା ଆରମ୍ଭ ହୋଇଥିବାର ଦେଖିବାକୁ ପାଇବା । ଓଡ଼ିଶାର ଆଦିବାସୀ ସମାଜରେ ଧରତୀ ଯେନୁଙ୍କର ପୂଜା ରହିଛି । ସେହି ମାତୃପୂଜା ହେଉଛି ପୃଥିବୀରେ ଆଦିମତମ ପୂଜା । ମାତୃପୂଜା ହେଉଚି ପୃଥିବୀକୁ ଆସିଥିବା ନିମନ୍ତେ କୃତଜ୍ଞତା ପ୍ରକାଶ କରିବାର ପୂଜା । ମଞ୍ଜିଟିରୁ ଗଛଟିଏ ହେବାପାଇଁ ଶକ୍ତି ଦରକାର । ସେହି ସୂତ୍ରରେ ମାତୃପୂଜା ହେଉଛି ଶକ୍ତିର ପୂଜା । ଭାରତବର୍ଷରେ ଶକ୍ତି ନାମକ ଗୋଟିଏ ଅଲଗା ସମ୍ପ୍ରଦାୟ ଗଢ଼ା ହେବାର ହୁଏତ କେତେ ହଜାର ବର୍ଷ ପୂର୍ବରୁ ହିଁ ଏଠାରେ ଶକ୍ତିପୂଜାର ପ୍ରଚଳନ ହୋଇଥିଲା । ସମଗ୍ର ପୃଥିବୀ ବିଷୟରେ ଠିକ୍ ସେହି କଥାଟି କୁହାଯାଇ ପାରିବ । ମାଆ ହେଉଚି ଶକ୍ତିର ଆଧାର,ଉତ୍ସ; ତେଣୁ ସେହିଠାରେ ଶକ୍ତି ନିମନ୍ତେ ପ୍ରାର୍ଥନା କରାଯାଇ ପାରିବ । ଆମ ଦେଶର ତନ୍ତ୍ରଉପାସନାର ମାର୍ଗଟି ସେହି ଭାବନାରୁ ଆସିଛି । ମଣିଷ ଭିତରେ କବିଟିଏ ରହିଛି ଏବଂ କବିଟି ଭିତରେ ଜଣେ ଉପାସକ ରହିଛି । ସେହି କବି ହିଁ ଉପାସନା ନିମନ୍ତେ ମାତୃକଳ୍ପନା ଭିତରୁ କେତେ କେତେ ମୂର୍ତ୍ତିକୁ ଗଢ଼ି ଥୋଇଦେଇଛି ଓ ସେହି ରୂପଗୁଡ଼ିକ ଅନୁସାରେ ଉପାସନାର ବିଭିନ୍ନ ମାର୍ଗରେ ବିଭକ୍ତ ହୋଇଯାଇଛି । ଶକ୍ତିର ସଞ୍ଚାର ବିନା ଶିବ ଗୋଟିଏ ଶକ୍ତିହୀନ ଶବ ଭଳି ପଡ଼ି ରହିଥିବେ ବୋଲି ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ଗୋଟିଏ କାବ୍ୟରେ ବର୍ଣ୍ଣନା କରିଛନ୍ତି । ଏହି ଶକ୍ତିକୁ ହିଁ ଆମ ପୃଥିବୀର ମୂଳ କାରଣ ବୋଲି ମାନୁଥିବା ମଣିଷମନ ହିଁ ସମ୍ଭବତଃ ଆହୁରି ଆଗକୁ ଯାଇ ବିଜ୍ଞାନ ଭିତରେ ପଶିଛି । ଆଧୁନିକ ବିଜ୍ଞାନରେ ଯାବତୀୟ ଖେଳ, ତାହାକୁ ଶକ୍ତିର ଖେଳ ବ୍ୟତୀତ ପ୍ରକୃତରେ ଆଉ କ’ଣ ବୋଲି କୁହାଯାଇ ପାରିବ-? ଉପାସକମାନେ ସେହି ଶକ୍ତିକୁ ଦେବୀ ବୋଲି କହିଛନ୍ତି ।

 

ରାମଚନ୍ଦ୍ର ରାବଣକୁ ମାରିବା ସକାଶେ ସେହି ଦେବୀଙ୍କର ପୂଜା କରିଥିଲେ । ଭାରତବର୍ଷର ଏକ ପ୍ରାଚୀନ ଉପନିଷଦରେ ବର୍ଣ୍ଣିତ ରହିଛି ଯେ, ଅଗ୍ନି, ବାୟୁ, ସୂର୍ଯ୍ୟ ଓ ଇନ୍ଦ୍ର ପ୍ରଭୃତି ଦେବତାମାନେ ଥରେ ନିଜ ନିଜ ଭିତରେ କଳହ କରୁଥିଲେ । ପ୍ରତ୍ୟେକେ ନିଜକୁ ହିଁ ସବୁଠାରୁ ବଡ଼ ବୋଲି କହୁଥିଲେ ଓ ସେଥିରୁ ବହୁତ ଗର୍ବ ଅନୁଭବ କରୁଥିଲେ । ସେମାନଙ୍କର ଗର୍ବକୁ ଖର୍ବ କରିବା ପାଇଁ ଦେବୀଙ୍କର ଆବିର୍ଭାବ ହେଲା । ଦେବୀ ପରୀକ୍ଷା କରାଇ ପ୍ରମାଣ କରିଦେଲେ ଯେ ଦେବତାମାନଙ୍କର ଶକ୍ତିଗୁଡ଼ିକ ପ୍ରକୃତରେ ସେମାନଙ୍କର ନିଜ ଶକ୍ତି ନୁହେଁ । ଦେବୀ ହେଉଛନ୍ତି ସକଳ ଶକ୍ତିର ଭଣ୍ଡାର । ସେଇଥିରୁ ଧାରେ ବା ଗାରେ ପାଇଥିବାରୁ ହିଁ ଦେବତାମାନେ ଶକ୍ତିମାନ୍ ହୋଇପାରିଛନ୍ତି । ସବୁ ଶକ୍ତିର ଭଣ୍ଡାର ସେଇ ଗୋଟିଏ, ପ୍ରକାଶିତ ହେବାର କ୍ଷେତ୍ରରେ ତାହା ଅନେକ ପ୍ରକାରର, ଭିନ୍ନ ଭିନ୍ନ । ଆମ ସମସ୍ତଙ୍କ ଶକ୍ତିର ଉତ୍ସ ଏକ, ଆମ ସମସ୍ତଙ୍କର ସେହି ଗୋଟିଏ ଶକ୍ତି, ଏତିକି ଜାଣିବା, ଅନୁଭବ କରିବା ଏବଂ ସେହି ଅନୁସାରେ ବଞ୍ଚିବା ମଧ୍ୟ ଆଦୌ କମ୍ ବଡ଼ କଥା ନୁହେଁ । ତା’ହେଲେ, ମଣିଷ ମଣିଷ ଭିତରେ ଆଉ ବାଦ ଲାଗନ୍ତା ନାହିଁ, ଦେଶ ଦେଶ ଭିତରେ ଲଢ଼ାଇ ଲାଗନ୍ତା ନାହିଁ । ଆମ ମଣିଷଙ୍କ ଭିତରେ ଯେଉଁ ଶକ୍ତି, ଏହି ଗଛ ଭିତରେ ସେହି ଶକ୍ତି, ଇତର ଜୀବଙ୍କ ଭିତରେ ମଧ୍ୟ ସେହି ଶକ୍ତି । ଏତିକି ବୁଝିଥିଲେ ମଣିଷ ସତେଅବା ସେଇ ଏକା ବୁଦ୍ଧିଆ ବୋଲି ଧରିନେଇ ପୃଥିବୀଟାକୁ କଦାପି ଜୁର ଓ ଛାରଖାର କରିବାକୁ ବାହାରନ୍ତା ନାହିଁ । ନିଜର ପ୍ରୟୋଜନକୁ ହୁ’ ହୁ’ କରି ବଢ଼ାଇ ସିଏ ଜଙ୍ଗଲଗୁଡ଼ାକୁ କାଟି ପକାନ୍ତାନାହିଁ, ନିଜେ ସବୁକିଛିକୁ ଭୁଞ୍ଜିବ ବୋଲି ପୃଥିବୀଟାକୁ ଏକାବେଳେ ତାଡ଼ି ପକାଇବା ସକାଶେ ମୋଟେ ବାହାରନ୍ତା ନାହିଁ ।

 

ଆଦିବାସୀ, ସାରା ପୃଥିବୀର ଆଦିବାସୀମାନଙ୍କ ମଧ୍ୟରେ ଯେଉଁ ବୃକ୍ଷପୂଜା, ପକ୍ଷୀପୂଜା ଏବଂ ଆଉ ଆଉ ପଶୁମାନଙ୍କର ପୂଜା ପ୍ରଚଳିତ ହୋଇ ଆସିଛି, ତାହାର ମୂଳରେ ସମ୍ଭବତଃ ସେହିପରି ବିଚାରଟିଏ ରହିଛି । ଶକ୍ତି ଶକ୍ତିକୁ ଗିଳି ପକାଇବ ନାହିଁ, ଶକ୍ତି ଶକ୍ତିର ସହଯୋଗୀ ହୋଇ ରହିବ । ଯଦି ସୃଷ୍ଟିଯାକର ସମସ୍ତଙ୍କୁ ହିଁ ସେହି ଗୋଟିଏ ଶକ୍ତି ସଚଳ କରି ରଖିଚି, ତେବେ ଆମେ ପରସ୍ପରର ବନ୍ଧୁ, ସହୋଦର ଏବଂ ସହଚାରୀ । ଆମେ ସେହିପରି ଗୋଟିଏ ଚେତନାରେ ସଂସାରରେ ପ୍ରକୃତରେ ବଞ୍ଚିପାରୁଥିଲେ ଗଛ ପାଖରୁ, ଚଢ଼େଇ ପାଖରୁ ଏବଂ ଇତର ପଶୁଙ୍କ ପାଖରୁ ମଧ୍ୟ ଶକ୍ତି ମାଗିପାରିବା । ସୂର୍ଯ୍ୟ ଠାରୁ, ଚନ୍ଦ୍ର ଠାରୁ, ପବନ ଠାରୁ ଓ ଅଗ୍ନି ଠାରୁ ମଧ୍ୟ ଶକ୍ତି ଆହରଣ କରି ନିଜର ଶକ୍ତିରେ ବୃଦ୍ଧି ଘଟାଇ ପାରିବା । ଭାରତବର୍ଷ ସମେତ ପୃଥିବୀର କେତେ କେତେ ସମାଜରେ କୋଉ ଆଦିକାଳରୁ ସର୍ପ ପୂଜାର ପ୍ରଥାଟି ଚଳିଆସିଥିଲା । ଦେବତାମାନେ ନାଗସାପ ହୋଇ ପୃଥିବୀରେ ବୁଲୁଥାନ୍ତି ବୋଲି ବହୁ ଦେଶରେ ଲୋକ ଗଳ୍ପ ମାନଙ୍କରେ ବହୁ ଆଖ୍ୟାନ ରହିଛି । ମହାଦେବଙ୍କର ମୁଣ୍ଡରେ ଭାରତବର୍ଷରେ ଯିଏ ସାପମାନଙ୍କର କଳ୍ପନା କରିଥିବ, ତାକୁ ସାପମାନେ କେବଳ ସେହି ଶକ୍ତିର ପ୍ରତୀକ ବୋଲି ହିଁ ମନେ ହୋଇଥିବେ । ଏବର ବିଜ୍ଞାନ ମଧ୍ୟ କହୁଛି ଯେ, ପୃଥିବୀଯାକ ଶକ୍ତିର ଭଣ୍ଡାର ହେଉଛି ଗୋଟିଏ । ସେହି ଶକ୍ତିର ବିନାଶ ନାହିଁ । ଶକ୍ତି ହିଁ ଗଢ଼ୁଛି ଏବଂ ଶକ୍ତି ହିଁ ଭାଙ୍ଗୁଛି । ପୁରୁଣାଗୁଡ଼ାକୁ ଭାଙ୍ଗି କେତେ କେତେ ନୂଆ ଭାଙ୍ଗ ଓ ନୂଆ ମୋଡ଼ ଦେଇ ଗଢ଼ୁଛି । ମଣିଷମାନେ ଯହୁଁ ଯହୁଁ ସେହି ଶକ୍ତିର ସୂତ୍ରଗୁଡ଼ିକୁ ବୁଝୁଛନ୍ତି, ସେତେବେଳେ ସେମାନେ ତାହାକୁ କେତେ କାମରେ ଲଗାଇ ପାରୁଛନ୍ତି । ଏହିପରି ଭାବରେ ମଣିଷର ସଭ୍ୟତା ଆଗକୁ ଯିବାରେ ଲାଗିଛି । କେତେ ମଣିଷ ଏହାକୁ ଶକ୍ତି ବା ପ୍ରକୃତି ଉପରେ ମନୁଷ୍ୟର ବିଜୟ ବୋଲି କହିଛନ୍ତି । କୌଣସି ଶତ୍ରୁର ଦୁର୍ଗକୁ ଜୟ କରି ନିଜ ଅଧୀନକୁ ଆଣିଲା ପରି ମନୁଷ୍ୟ ପ୍ରକୃତିକୁ ଜୟ କରିନାହିଁ ମଣିଷ ପ୍ରକୃତିକୁ ଜାଣିଛି, ତେଣୁ ନିଜର କାମରେ ଅର୍ଥାତ୍ କଲ୍ୟାଣରେ ଲଗାଇ ପାରିଛି ।

 

ପ୍ରକୃତିର ନିୟମକୁ ଜାଣି ତାକୁ ଅଧିକରୁ ଅଧିକ ପରିମାଣରେ ନିଜର କାମରେ ଅର୍ଥାତ୍ କଲ୍ୟାଣରେ ଲଗାଇବା, ଏହାହିଁ ବିଜ୍ଞାନ । ଆଗେ ମଣିଷ ପ୍ରକୃତିକୁ ବୁଝିପାରୁନଥିଲା, ତେଣୁ ପ୍ରକୃତିକୁ ଡରୁଥିଲା । ମଣିଷ ଯାହାକୁ ଡରେ, ତା’ଠାରୁ ଦୂରକୁ ପଳାଇଯିବା ପାଇଁ ସର୍ବଦା ଚେଷ୍ଟା କରୁଥାଏ । ଯୋଉ ଦିନଠାରୁ ସିଏ ପ୍ରକୃତିକୁ ନଡ଼ରି ପ୍ରକୃତିର ପାଖକୁ ଆସିଲା, ସମ୍ଭବତଃ ସେହି ଦିନଠାରୁ ବିଜ୍ଞାନୀ ହେଲା । ପ୍ରକୃତିକୁ ନିଜର କଲା । ବାହାର ପ୍ରକୃତି ଯେଉଁପରି ନିୟମରେ ଚାଲୁଛି, ମଣିଷର ଭିତରେ ମଧ୍ୟ ସେହିପରି ଗୋଟିଏ ପ୍ରକୃତି ରହିଥିବ, ଯାହାକି ଅବଶ୍ୟ କୌଣସି ନା କୌଣସି ନିୟମରେ ଚାଲୁଥିବା ସେହି ନିୟମକୁ ମଧ୍ୟ ମନୁଷ୍ୟ, ଅନ୍ତତଃ କେତେକ ମନୁଷ୍ୟ ବୁଝିବାକୁ ଚେଷ୍ଟା କଲେ । ମଣିଷ ମଣିଷ ବୋଲି ଏପରି କରିପାରିଲା । ମଣିଷ ଭିତରେ ଏପରି କୌଣସି ଉପାଦାନ ରହିଛି, ଯାହାକି ଇତର ପ୍ରାଣୀମାନଙ୍କ ଭିତରେ ରହିଛି ବୋଲି ଆଦୌ ଅନୁମାନ କରାଯାଇ ପାରିବ ନାହିଁ । ଅନ୍ୟ ପ୍ରାଣୀମାନେ ସତେ ଅବା କେତେଟା ଅଭ୍ୟାସ ବା ଆଚରଣ ନେଇ ଜନ୍ମ ହୋଇଥାନ୍ତି ଏବଂ ସେହି ଅଭ୍ୟାସ ବା ଆଚରଣ ନେଇ ମରନ୍ତି । ହଜାର ହଜାର ବର୍ଷ ପୂର୍ବେ ଅମୁକ ଚଢ଼େଇଟିଏ ବା ସମୁକ ଜନ୍ତୁଟିଏ ଯେମିତି ଆଚରଣ କରୁଥିଲା ଅର୍ଥାତ୍ ଯେତିକି ଆକାରର ମୁଣ୍ଡଳାଟି ବୁଲାଇ ତାହାରି ଭିତରେ ନିଜର ଜୀବନଟିକୁ ବଞ୍ଚୁଥିଲା, ଏବେ ମଧ୍ୟ ସେତିକିରେ ନିଜ ଜୀବନଟିକୁ ବଞ୍ଚୁଛି । କିଏ ଜାଣିଛି, ହୁଏତ ହଜାର ହଜାର ବର୍ଷ ପରେ ମଧ୍ୟ ସିଏ ସେତିକି ଭିତରେ ରହିଥିବ । ଇତର ପ୍ରାଣୀମାନଙ୍କ ଭିତରେ ଚେତା ଅଛି, ମାତ୍ର ଚେତନା ନାହିଁ । କେବଳ ମନୁଷ୍ୟର ଚେତନା ଅଛି । ସେହି ଚେତନାଟି ଚାରିପାଖରେ ହୁଏତ ମୁଣ୍ଡଳାଟିଏ ରହିଛି, ମାତ୍ର ସେହି ମୁଣ୍ଡଳାଟିର ଆକାର ବଦଳି ବଦଳି ଯାଉଛି । ମଣିଷ ପଚାଶ ହଜାର ବର୍ଷ ପୂର୍ବେ ଯେଉଁଭଳି ଥିଲା, ବର୍ତ୍ତମାନ ମୋଟେ ସେପରି ନାହିଁ । ପାଞ୍ଚଶହ ବର୍ଷ ତଳେ ଯେପରି ଥିଲା, ଏବେ ମୋଟେ ସେପରି ନାହିଁ । ଏପରି ମଧ୍ୟ କେତେକ କ୍ଷେତ୍ରରେ କୁହାଯାଇ ପାରିବ ଯେ, ମୋଟେ ପଚାଶ ବର୍ଷ ତଳେ ସିଏ ଯେଉଁଠି ଥିଲା, ବର୍ତ୍ତମାନ ପଚାଶ ବର୍ଷ ପରେ ସେହିଭଳି ସେଇଠାରେ ଆଦୌ ରହିଯାଇ ନାହିଁ । ପୃଥିବୀରେ ଯେତେ ଯେଉଁଠାରେ ବେଙ୍ଗ ଅଛନ୍ତି, ମିରିଗ ଅଛନ୍ତି କି ମେଣ୍ଢା ଅଛନ୍ତି, ସେମାନେ ସବୁଠିଁ ପ୍ରାୟ ସେହି ଗୋଟିଏ ପ୍ରକାରର ଆଚରଣ କରୁଛନ୍ତି । ମାତ୍ର, ମଣିଷମାନେ କେଉଁ କାରଣରୁ ଜାଗା ଜାଗାର ଭେଦରେ ଅଲଗା ପ୍ରକାର ହୋଇ ରହିଛନ୍ତି ? ଖାଲି ବାହାର ଭେକରେ କିମ୍ବା ବେଭାରରେ ନୁହେଁ, ନିଜର ଚିନ୍ତାରେ, ନୀତି ଅନୀତିର ଜୀବନରେ ଏବଂ ଆହୁରି ସାତହଜାର ପ୍ରକାରେ ସେମାନେ କାହିଁକି ଏଭଳି ଅଲଗା ହୋଇ ରହିଛନ୍ତି ?

 

ମଣିଷ ଭିତରେ ରହିଥିବା ଚେତନା ତାକୁ ଏପରି ଅନ୍ୟ ପ୍ରକାରର କରି ରଖିଛି । ତା’ ନିଜର ଚେତନା ମଣିଷକୁ ଏପରି ଅନ୍ୟ ଭାବରେ ଦେଖିବାକୁ ଏବଂ ଅନୁମାନ କରିବାକୁ ହୁଏତ ଯୁଗ ଯୁଗ ଧରି ଶିଖାଇ ଆସିଛି ଯେ, କେତେକ ମଣିଷ ଜଡ଼ ପଦାର୍ଥ ମାନଙ୍କରେ, ଉଦ୍ଭିଦ ଏବଂ ଇତର ପ୍ରାଣୀମାନଙ୍କ ଭିତରେ ବି ସେହି ଚେତନା ରହିଛି ବୋଲି ଅନୁମାନ କରିଛନ୍ତି । ଯାହାର ଚେତନା ଯେଉଁପରି, ତା’ ଅନୁମାନ ମଧ୍ୟ ସେହିପରି । ଯାହାର ହୃଦୟ ଯେଉଁପରି, ସଂସାରକୁ ଦେଖୁଥିବା ଆଖିଗୁଡ଼ିକ ମଧ୍ୟ ହୁଏତ ସେହିପରି । ପାହାଡ଼ଟିଏ, ଗଛଟିଏ ଅଥବା ଇତର ପ୍ରାଣୀଟିଏ ମଣିଷ ବିଷୟରେ କଦାପି ଏହିଭଳି ଅନୁମାନ କରିପାରୁ ନଥିବ । ସେମାନଙ୍କୁ ସେମାନଙ୍କର ପରିବେଶ ହିଁ କାବୁ କରି ରଖିଥିବ । ମଣିଷ ମଧ୍ୟ ତା’ ପରିବେଶଟି ଦ୍ଵାରା ଅନେକ ପରିମାଣରେ ନିୟନ୍ତ୍ରିତ ହେଉଛି ସତ, ମାତ୍ର ତଥାପି ସେଇଟି ଦ୍ଵାରା ମୋଟେ କାବୁ ହୋଇ ରହିନାହିଁ । ପୃଥିବୀରେ ଅନେକ ମଣିଷ ରହିଛନ୍ତି, ଯେଉଁମାନେ କି ସେମାନଙ୍କର ଭାଗ୍ୟ ସବୁ କିଛି କରୁଛି ବୋଲି ବିଶ୍ଵାସ କରନ୍ତି । ତଥାପି ବହୁତ ମଣିଷ ଏପରି ମଧ୍ୟ ରହିଛନ୍ତି ଯେଉଁମାନେ ନିଜର ଭାଗ୍ୟକୁ ବଦଳାଇ ବି ଦିଅନ୍ତି । ଗୋଟିଏ ଗୋଟିଏ ସମାଜ ମଧ୍ୟ ନିଜର ଭାଗ୍ୟକୁ ବଦଳାଇ ଦିଅନ୍ତି ଓ ଇତିହାସ ସୃଷ୍ଟି କରନ୍ତି । ସେମାନେ ଇତିହାସକୁ ବଦଳାନ୍ତି । ଏହି ଦୃଷ୍ଟିରୁ ତଉଲି ଦେଖିଲେ ଖାଲି ମନୁଷ୍ୟମାନଙ୍କର ହିଁ ଏକ ଇତିହାସ ରହିଛି । ସେମାନଙ୍କର ଇତିହାସ ବଦଳି ବଦଳି ଯାଇଛି । ଏହି ନିତ୍ୟ ନିର୍ମିତ ହେଉଥିବା ଇତିହାସ, ତାହାର ନାମ ସଭ୍ୟତା । କେବଳ ମଣିଷମାନଙ୍କର ହିଁ ସଭ୍ୟତା ରହିଛି । ସେହି ସଭ୍ୟତାରେ ଆହୁରି କେତେ ବିଶେଷ ଉପାଦାନ ଖଞ୍ଜିଦେଇ ଆମେ ତାକୁ ସଂସ୍କୃତି ବୋଲି ବି କହିଆସିଛୁ । ପଶୁର, ଚଢ଼େଇର କିମ୍ବା ଉଦ୍ଭିଦର କୌଣସି ସଂସ୍କୃତି ନାହିଁ । ସମ୍ଭବତଃ କେତୋଟି ସଂସ୍କାର ହିଁ ରହିଛି ଏବଂ ସେହି ସଂସ୍କାରଗୁଡ଼ିକ ଉପରେ ସେମାନଙ୍କର ଆଦୌ କୌଣସି ଅକ୍ତିଆର ନାହିଁ ।

 

ମଣିଷ ବ୍ୟକ୍ତିଟିଏ, ପୁଣି ଗୋଷ୍ଠୀଟିଏ । ପଶୁ ବା ଇତର ପ୍ରାଣୀମାନଙ୍କର ପଲ ଅଛି । ଏକ ଗୋଷ୍ଠୀ କହିଲେ ମନୁଷ୍ୟମାନଙ୍କର କ୍ଷେତ୍ରରେ ଆମେ ଯାହା ବୁଝୁ ସେମାନଙ୍କର ସେହି ଗୋଷ୍ଠୀ ଆଦୌ ନାହିଁ । ଗୋଟିଏ ଗୋଟିଏ ଇତର ପ୍ରାଣୀଙ୍କୁ କେତେଦୂର ଜଣେ ଜଣେ ବ୍ୟକ୍ତି ବୋଲି କୁହାଯାଇ ପାରିବ କେଜାଣି ? ମଣିଷ ବ୍ୟକ୍ତିଟିଏ ହୋଇଥିବାରୁ ଗୋଷ୍ଠୀଟିଏ ସମ୍ଭବ କରିପାରୁଛି ଏବଂ ଗୋଷ୍ଠୀ ଭିତରେ ହିଁ ବାସ କରୁଥିବାର ଜଣେ ବ୍ୟକ୍ତି ହିସାବରେ ସଚେତନ ହୋଇପାରୁଛି, ଏକାଧିକ ଦୃଷ୍ଟିରୁ ଏପରି ମଧ୍ୟ କୁହାଯାଇ ପାରିବ । ମଣିଷ ନିଜକୁ ଦର୍ପଣ ପରି କରି ତାହାରି ଉପରେ ଅନ୍ୟମାନଙ୍କୁ ଆବିଷ୍କାର କରିପାରୁଛି ଏବଂ ଅନ୍ୟମାନଙ୍କୁ ଦର୍ପଣ ପରି କରି ନିଜକୁ ମଧ୍ୟ ଆବିଷ୍କାର କରିପାରୁଛି । ନିଜର ଅଧିକ ଅଧିକ ଗଭୀରକୁ ଯାଇ ସିଏ ତା ସହିତ ଅନ୍ୟମାନଙ୍କର ବି ଏକ ନିବିଡ଼ ସୂତ୍ର ଲାଗିଥିବା ପରି ଅନୁଭବ କରିପାରୁଛି । ସେହି ଅନୁଭବ ତା’ ଭିତରେ ହୃଦୟଟିଏ ଆଣି ଦେଉଛି । ତାକୁ ଅନ୍ୟମାନଙ୍କ ସହିତ ଏକତ୍ର ଯୋଡ଼ିକରି ରଖିଥିବା ଏହି ସୂତ୍ରଟି ପୁଣି କ’ଣ ? ଏହି ବିଷୟରେ ମଣିଷ ଯେତିକି ଅଧିକ ଭାବିଛି ଏବଂ ଅଙ୍ଗେ ନିଭାଇଛି, ସିଏ ସେତିକି ଅଧିକ ପରିମାଣରେ ଅଭିଭୂତ ହୋଇଛି, ସମ୍ଭବତଃ ଯେତିକି ବୁଝିଛି, ତା’ଠାରୁ ଅଧିକ ଅଭିଭୂତ ହୋଇଛି । ସେହି ଅଭିଭୂତ ହେବାକୁ ସିଏ ଆତ୍ମୀୟତା ବୋଲି କହିଛି । ଅଙ୍କ କଷି ବୁଝିବା, ବୁଦ୍ଧି ଦେଇ ବୁଝିବା ଏବଂ ଆତ୍ମୀୟତା ଦ୍ଵାରା ବୁଝିବା ଏହି ତିନୋଟିଯାକକୁ ମଣିଷ ମଣିଷର ପାଖକୁ ଆସିବାର ତିନୋଟି ଥାକ ବୋଲି କୁହାଯାଇ ପାରିବ । ସବୁ ମଣିଷ କଦାପି ଏହି ତିନୋଟିଯାକ ଥାକକୁ ଉଠିପାରନ୍ତି ନାହିଁ । ସାମାଜିକ ଏବଂ ରୁଚିଗତ ନାନା କାରଣରୁ ଆମ ଭିତରୁ ଅନେକ ମଝି ବାଟରେ କୋଉଠି ରହିଯାଆନ୍ତି ଓ ଆହୁରି ଉପରକୁ ଅର୍ଥାତ୍ ଆହୁରି ଗଭୀରକୁ ସାହସ କରି ପାରନ୍ତି ନାହିଁ । ତଥାପି, ମନ କରୁଥିଲେ, ସାହସ କରୁଥିଲେ ଏବଂ ଅନୁକୂଳ ପରିବେଶଟିଏ ପାଉଥିଲେ ହୁଏତ ସବୁ ମଣିଷ ଆତ୍ମୀୟତାର ସ୍ତରଯାଏ ଯାଇ ପହଞ୍ଚି ପାରୁଥାନ୍ତେ ।

 

ମଣିଷର ଭିତରେ ଅର୍ଥାତ୍ ମଣିଷର ହୃଦୟ ଭିତରେ କ’ଣ ସବୁ ଏପରି କାରଣ ରହିଛି, ଯାହାଫଳରେ କି ବାହାରକୁ ଗୋଟିଏ ପରିବେଶରେ ବଢ଼ୁଥିଲେ ଓ ରହୁଥିଲେ ମଧ୍ୟ ମଣିଷମାନେ ପରସ୍ପର ଠାରୁ ଭାରି ଅଲଗା ଅଲଗା ହୋଇ ଗଠିତ ହୁଅନ୍ତି ? ସେମାନଙ୍କ ରୁଚି ଅଲଗା ହୁଏ, ମନ ଅଲଗା ହୁଏ, ବିଚାର ଅଲଗା ହୋଇଯାଏ । ଇତର ପ୍ରାଣୀମାନଙ୍କ ଜୀବନରେ ସେପରି କିଛି ହେଉଥିବାର ଅନୁମାନ କରି ହୁଏ ନାହିଁ । ଏକ ପରିବେଶ ନଥିଲେ ମଣିଷର ଜୀବନ ଆଦୌ ସମ୍ଭବ ହୋଇପାରନ୍ତା ନାହିଁ ତଥାପି, ପ୍ରତ୍ୟେକ ମଣିଷ ଭିତରେ ଏପରି କିଛି ଗୁଣ ବା ପ୍ରବୃତ୍ତି ବା ବାସନା ରହିଥାଏ, ଯାହାକି ପରିବେଶ ଭିତରେ ରହିଥିଲେ ମଧ୍ୟ ଜଣେ ମଣିଷକୁ ତାହାର ବାଡ଼ ଡିଆଁଇ ନେଇଯାଏ । ଜଣେ ମନୁଷ୍ୟର ଜୀବନଟିଏ ଗଠିତ ହେବାରେ ତା’ର ପରିବେଶର ବହୁତ ଅବଦାନ ସବୁବେଳେ ରହିଛି ବୋଲି ଯେତିକି ଦୃଢ଼ତାର ସହିତ କୁହାଯାଇ ପାରିବ, ଯଥେଷ୍ଟ ଚେତା ରହିଥିବା ଜଣେ ମଣିଷ ବାଟ ଚାଲୁ ଚାଲୁ ତାର ସେହି ତଥାକଥିତ ପରିବେଶର ଗାର ଗୁଡ଼ିକୁ ଡେଇଁ ଚାଲିଯାଏ ବୋଲି ଆମେ ସେତିକି ଦୃଢ଼ତାର ସହିତ କହିପାରିବା । ନିଜର ସେହି ଗାର ଗୁଡ଼ିକୁ ଡେଇଁଯାଇ ପାରନ୍ତି ବୋଲି ହୁଏତ ମନୁଷ୍ୟମାନେ ପରସ୍ପରକୁ ଏକାବେଳକେ ଅନ୍ୟପ୍ରକାରେ ଆବିଷ୍କାର କରିଥାନ୍ତି । ସେମାନେ ସତେ ଅବା ପରସ୍ପରକୁ ଗଅଁଠାଇ ରଖିଥିବା ସୂତ୍ର ଗୁଡ଼ିକୁ ଯେପରି ଆବିଷ୍କାର କରନ୍ତି, ପରସ୍ପରର ଅନନ୍ୟତାକୁ ମଧ୍ୟ ଠିକ୍ ସେହିପରି ଭାବରେ ଆବିଷ୍କାର କରିଥାନ୍ତି । ଏହି ଅନନ୍ୟତା କହିଲେ ଆମେ କ’ଣ ବୁଝିବା ? ଅନେକ ଦୃଷ୍ଟିରୁ ଜଣେ ମଣିଷର ଅନନ୍ୟତାକୁ ହିଁ ଆମେ ତା’ର ବ୍ୟକ୍ତିତ୍ଵ ବୋଲି କହିପାରିବା । ଏହି ଅର୍ଥ ଇତର ପ୍ରାଣୀମାନଙ୍କର କୌଣସି ବ୍ୟକ୍ତିତ୍ଵ ନଥାଏ । ମଣିଷର ବ୍ୟକ୍ତିତ୍ଵଟିଏ ଥାଏ ସତେ ଅବା ଏକ କଢ଼ ପରି ଭିତରୁ ଫୁଟି ଫୁଟି ଆସୁଥାଏ । ଯିଏ ଏହି କଥାଟିକୁ ସେତିକି ଶୀଘ୍ର ବୁଝେ ବା ଜାଣେ, ତା’ର ଜୀବନ ସେତିକି ସୁସ୍ଥ ହୁଏ ସମ୍ପୂର୍ଣ୍ଣ ହୁଏ । ଯେଉଁ ଶିକ୍ଷା ପ୍ରଣାଳୀ ମଣିଷମାନଙ୍କୁ ଯେତିକି ଅଧିକ ପରିମାଣରେ ଏଇଟି ବିଷୟରେ ସଚେତନ କରିପାରେ ଅର୍ଥାତ୍ ଆପଣା ଭିତରର ସେହି ଫୁଟି ଆସୁଥିବା ଫୁଲଟି ସହିତ ପରିଚିତ କରାଇ ଦେବାକୁ ସମର୍ଥ ହୁଏ, ତାହାକୁ ଆମେ ସେତିକି ଅଧିକ ସୁସ୍ଥ ଏବଂ ସଂପୂର୍ଣ୍ଣ ଶିକ୍ଷା ପ୍ରଣାଳୀ ବୋଲି କହିପାରିବା ।

 

ପ୍ରତ୍ୟେକ ମଣିଷର ଗୋଟିଏ ବ୍ୟକ୍ତିତ୍ଵ ରହିଛି । ତାହାକୁ ହିଁ ଆମ ମନୁଷ୍ୟମାନେ ମଣିଷର ଆତ୍ମା ବୋଲି କହିଛନ୍ତି କି ? ମଣିଷ ଭିତରେ ସେହି ଆତ୍ମାଟି ରହିଥିବାରୁ ଆମେ ମଣିଷକୁ କଦାପି କେବଳ ଗୋଡ଼ି ବା ମାଟି ପରି ବ୍ୟବହାର କରିପାରିବା ନାହିଁ । ପ୍ରାଚୀନ ଧର୍ମଶାସ୍ତ୍ର ମାନଙ୍କରେ ଭିନ୍ନ ଭିନ୍ନ ଭାଷାରେ ସବୁଠାରେ ସେହି ମୂଳ କଥାଟିକୁ ହିଁ କୁହାଯାଇଛି । ମୁଁ ଯଦି ନିଜର ଆତ୍ମାରୁ ହିଁ ନିଜର ପରିଚୟ ପାଉଥିବି ତେବେ ଆଉ ଜଣେ ମଣିଷର ସମ୍ପର୍କରେ ଆସିବା ସମୟରେ ମୁଁ ତା’ ଆତ୍ମାରୁ ହିଁ ତାକୁ ଚିହ୍ନିବି । ସବୁ ମଣିଷଙ୍କର ଏହି ଆତ୍ମାରୂପୀ ସନ୍ତକଟି ହିଁ ସେମାନଙ୍କୁ ଏକାଠି ବାନ୍ଧି ରଖିଛି । ଯାହା ଆମର ଭିତରେ ରହିଛି ଏବଂ ଆମକୁ ପରସ୍ପର ସହିତ ଏକାଠି ବାନ୍ଧି ରଖିଛି, ଆମେ ସେଇଟିକୁ ସବାଆଗ ଚିହ୍ନିବା ଅର୍ଥାତ୍ ଅନୁଭବ କରିବାକୁ ଆରମ୍ଭ କରିବା ମାତ୍ରକେ ହିଁ ଆମକୁ ଭଗବାନ୍ ଦେଖାଯିବାକୁ ଆରମ୍ଭ କରିବେ । ଭଗବାନ୍ ସର୍ବବ୍ୟାପୀ, ଅର୍ଥାତ୍ ସିଏ ସବୁ ସ୍ଥାନରେ ଅଛନ୍ତି ବୋଲି କାଳକାଳରୁ ଯାହା କୁହାଯାଇ ଆସିଛି, ସେଥିରେ କେହି କଦାପି ଆପତ୍ତି କରିବାକୁ ମନ କରିବ ନାହିଁ । ମାତ୍ର, ଭଗବାନ ଯଦି ଏହି ଆକାଶରେ ଅଛନ୍ତି, ଏହି ଗଛ, ବୃକ୍ଷ, ପାଣି, ପବନ ସବୁଠାରେ ରହିଛନ୍ତି, ତେବେ ଆମେ ସେହିସବୁ ଆଳରେ ତାଙ୍କୁ ଅବଶ୍ୟ ଦେଖିବା ଏବଂ ଅନୁଭବ କରିବା ସତ, ମାତ୍ର ସବାଆଗ ସତକୁ ସତ କେଉଁଠାରେ ଅନୁଭବ କରିବା-। ସବାଆଗ ତାଙ୍କୁ ନିଜ ଭିତରେ ଏବଂ ମଣିଷମାନଙ୍କ ଭିତରେ ହିଁ ଦେଖିବା । ମୋ’ ପେଟରେ ଭୋକ ହେଉଛି ବୋଲି ମୋତେ ସବାଆଗ ଅନୁଭବ ହେଉଛି ବୋଲି ସିନା ଆଉ ସମସ୍ତଙ୍କୁ, ସବୁ ମଣିଷ ଏବଂ ସବୁ ପ୍ରାଣୀଙ୍କୁ ଭୋକ ଅବଶ୍ୟ ହେଉଥିବ ବୋଲି ମୁଁ ସେଇଥିରୁ ଅନୁମାନ କରିପାରୁଛି-। ଠିକ୍ ସେହିପରି ଭଗବାନଙ୍କୁ ମୁଁ ଆଗ ନିଜ ଭିତରେ ଅନୁଭବ କରୁଥିବାରୁ ହିଁ ସିଏ ମୋରି ପରି ଅନ୍ୟ ସବୁ ମଣିଷଙ୍କ ଭିତରେ ଅବଶ୍ୟ ରହିଛନ୍ତି ବୋଲି ମଧ୍ୟ ମୁଁ ଅନୁଭବ କରିପାରୁଛି । ଅସଲ ଧର୍ମ ଆମକୁ ସବାଆଗ ସେହି କଥା ହିଁ ଶିକ୍ଷା ଦେବ । ଭଗବତ୍ ଚେତନା କହିଲେ ଆମେ ସବା ଆଗ ଏହି ସବୁ ମଣିଷଙ୍କୁ ଏକାଠି ଆବୋରି ରହିଥିବା ଏକ ଚେତନା ବୋଲି ହିଁ ଜାଣିବାକୁ ଆରମ୍ଭ କରିବା । ବିଶ୍ଵର ବିଧାନଟିକୁ ସେହି ଚେତନା ହିଁ ତିଆରି କରିଛି ।

 

ତେଣୁ, ମୋ’ର ନିଜ ଜୀବନଟି ଚଳିବ ବୋଲି ଯେପରି କେତେ କେତେ ନିୟମ ରହିଛି, ସମଗ୍ର ବିଶ୍ଵର ଜୀବନଟି ସମ୍ଭବ ହୋଇପାରିବ ବୋଲି ମଧ୍ୟ ସେହିପରି କେତୋଟି ନିୟମ ବା ବିଧାନ ଅବଶ୍ୟ ରହିଥିବ । ନିଜକୁ ଏହି ବିଶ୍ୱର ଗୋଟିଏ ଅଂଶ ବୋଲି ସ୍ୱୀକାର କରିନେବା ସଙ୍ଗେ ସଙ୍ଗେ ମୋତେ ସେହି ବିଧାନଟିକୁ ମଧ୍ୟ ସ୍ଵୀକାର କରିନେବାକୁ ପଡ଼ିବ । ସେହି ବିଧାନଟିକୁ ସ୍ଵୀକାର କରିନେବାର ଏକ ଅର୍ଥ ହେଉଛି ଭଗବାନଙ୍କୁ ସ୍ଵୀକାର କରିନେବା । ଏଠି ଯାହାକିଛି ରହିଛି ଅର୍ଥାତ୍ ଆତଯାତ ହେଉଛି, ସେଗୁଡ଼ିକର ପରିଚାଳନା ଏବଂ ବ୍ୟବସ୍ଥା ସେହି ଗୋଟିଏ ଆଖି ହିଁ କରୁଛି, ସେହି ଆଖି ଜନନୀ ପରି ହୋଇ ଆମର ହେପାଜତ କରୁଛି, ଆମ ସମସ୍ତଙ୍କୁ ପରସ୍ପର ସହିତ ଆତ୍ମୀୟତାର ସୂତ୍ରରେ ବାନ୍ଧି ରଖିଛି । ଏହି ସୂତ୍ରଟି ସକାଶେ, ଆମେ ନିଜ ଭିତରେ ଯାହାକୁ ଆମ ଜୀବନର ପରିଚାଳକ ବୋଲି ଜାଣୁଛୁ, ବାହାରେ ସମଗ୍ର ପୃଥିବୀରେ ବି ତାହାକୁ ହିଁ ସର୍ବମୂଳ ପରିଚାଳକ ବୋଲି ବୁଝୁଛୁ । ସମ୍ଭବତଃ ସେଇଥିଲାଗି ଏହି ପୃଥିବୀ ଆମର ଏଡ଼େ ଚିହ୍ନା ଚିହ୍ନା ଲାଗୁଛି, ଆମକୁ ଏଡ଼େ ଭଲ ଲାଗୁଛି । ନିଜ ବିଷୟରେ ଆମେ ଏବେ ମଧ୍ୟ ବହୁତ କଥା ଜାଣି ପାରିନାହୁଁ । ସମଗ୍ର ପୃଥିବୀ ବିଷୟରେ ତ ତା’ଠାରୁ ଆହୁରି କମ୍ ହିଁ ଜାଣିଛୁ । ଆମେ ସମସ୍ତେ କେଉଁଠାରୁ ଏହି ପୃଥିବୀକୁ ଆସିଛୁ ଏହି ପୃଥିବୀଟାର ସୃଷ୍ଟି ମଧ୍ୟ କିପରି ହୋଇଚି, କେବଳ କେତେଟା ଅନୁମାନ କରିବା ବ୍ୟତୀତ ଏହିସବୁ ବିଷୟରେ ଆମେ କ’ଣ ଅଧିକ ବା କରିପାରୁଛୁ ! ତଥାପି ପୃଥିବୀ ଭଲ ଲାଗୁଛି, ଆମ ଗୋଡ଼ତଳେ ଥିର ଓ ଟାଣ ହୋଇ ରହିଥିବା ପରି ମନେ ହେଉଛି । ଏଠି ଆମେ ସ୍ଵପ୍ନ ଦେଖିପାରୁଛୁ, କେଉଁଠାକୁ ଯାଉଛୁ ସେ କଥା ବିଷୟରେ ପ୍ରାୟ ଆଦୌ କିଛି ଠଉରାଇପାରୁ ନଥିଲେ ମଧ୍ୟ ତାହାପି ଏଠାରେ ଘରଟିଏ ବାନ୍ଧି ରହିଥିବା ପରି ମନେ ହେଉଛି-। ଆମେ ଏଠାରେ ସତକୁ ସତ କେତେ ଦିନ ଯେ ରହିବୁ, ସେହି ବିଷୟରେ ଆମର ଆଦୌ କୌଣସି ଜ୍ଞାନ ନଥିଲେ ମଧ୍ୟ ତଥାପି ଆମେ ଭବିଷ୍ୟତ ଭିତରକୁ କେତେ କେତେ ଅନୁମାନ ଓ ଆଶା କରିପାରୁଛୁ, ଏହି ସବୁକିଛିକୁ ହୁଏତ ଆମେ ସେହି ଆତ୍ମୀୟତାର କରାମତି ବୋଲି କହିପାରିବା । ସମ୍ଭବତଃ ସେହି କାରଣରୁ ଧର୍ମମାନଙ୍କରେ ଭଗବାନଙ୍କୁ ପରମାତ୍ମୀୟ ବୋଲି କୁହାଯାଇଛି ।

 

ଜ୍ଞାନୀମାନେ ତାଙ୍କୁ ସକଳ ଜ୍ଞାନର ଆକାର ଓ ଆଧାର ବୋଲି ଜାଣିଛନ୍ତି । ତାଙ୍କୁ ଜାଣିଲେ ଏହି ଜୀବନରେ ସବୁ କିଛିକୁ ଜାଣି ହୁଏ ବୋଲି ଘୋଷଣା କରାଯାଇଛି । କର୍ମଯୋଗୀମାନେ ଭଗବାନଙ୍କୁ ସକଳ କର୍ମର ଅଧୀଶ୍ଵର ବୋଲି କହିଛନ୍ତି । ଶ୍ରଦ୍ଧାଳୁମାନେ ତାଙ୍କୁ ପରମାତ୍ମୀୟ ବୋଲି କହି ସମ୍ଭବତଃ ସମସ୍ତଙ୍କର ସବୁଯାକ କଥାକୁ ଗୋଟିଏ ଶବ୍ଦରେ ହିଁ କହି ଦେଇଛନ୍ତି । ଅଧିକରୁ ଅଧିକ ଜାଣିବା ଦ୍ଵାରା ସବୁଯାକ ଜ୍ଞାନର ମୂଳକୁ ଆସିହୁଏ । ଏହି ପୃଥିବୀ ଜ୍ଞାନମୟ ଦେଖାଯାଏ, ସଚଳ ଦେଖାଯାଏ । ଏକାବେଳେକେ ଭିତରେ ଯାଇ ପ୍ରବେଶ କରିଥିବା ପରି ଅନୁଭବ ହୁଏ । ଏବଂ ଯାହା ଭିତରେ ଯାଇ ସତକୁ ସତ ପ୍ରବେଶ କରିହୁଏ, ସିଏ ଆମର ଆତ୍ମୀୟ ବ୍ୟତୀତ ଆଉ କ’ଣ ହୋଇପାରନ୍ତି ? ସବୁଠାରୁ ଅଧିକ ଆତ୍ମୀୟ, ଏକାବେଳେକେ ଆମ ଗଭୀରତମ ଅନୁଭୂତିର ସମ୍ପଦ, ତେଣୁ ପରମାତ୍ମୀୟ, ଠିକ୍ ସେହିପରି ଭାବରେ ଆମ ମଣିଷମାନଙ୍କର କର୍ମ ଯେତେବେଳେ ଯୋଗର ସ୍ତରକୁ ଉନ୍ନୀତ ହୋଇଆସେ, ସେତେବେଳେ ଆମ ନିଜର କାର୍ଯ୍ୟ ଏବଂ ସକଳ ବିଶ୍ଵର କାର୍ଯ୍ୟ ମଧ୍ୟରେ ହୁଏତ ଆଉ କୌଣସି ପ୍ରଭେଦ ରହେନାହିଁ । ନିଜର କୌଣସି ସାନ ଓ ଏକାନ୍ତ ବ୍ୟକ୍ତିଗତ ଲକ୍ଷ୍ୟ ଗୁଡ଼ିକର ସିଦ୍ଧି ଲାଗି ଆମେ ସମସ୍ତେ କାର୍ଯ୍ୟ କରୁଥାଉ । ସେତେବେଳେ ଆମ ନିଜର ଲକ୍ଷ୍ୟ ଏବଂ ଏହି ବିଶ୍ଵର ଲକ୍ଷ୍ୟ ମଧ୍ୟରେ ସମ୍ଭବତଃ ବହୁତ ଫରକ ରହିଥାଏ । ବେଳେ ବେଳେ ବିଶ୍ଵକୁ ଚିତା କାଟି ତଥାକଥିତ କେବଳ ନିଜର ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଲାଗି ଆମେ କେଡ଼େ ତତ୍ପର ହୋଇ ରହିଥିବା ପରି ଦେଖାଯାଉଥାଏ । ଆମ ନିଜ ଜୀବନର ଡୋରଟି ସତେଯେପରି ବିଶ୍ଵର ଡୋରଠାରୁ ପୃଥକ୍ ଆଉ କିଛି, ସେତେବେଳେ ଆମର ସବୁଯାକ ହାବଭାବ ସେହିପରି ହୋଇ ରହିଥାଏ । ଆନ୍ତରିକତାର ଶିଡ଼ିରେ ଉପରକୁ ଯାଉ ଯାଉ ବିଶ୍ଵ ସହିତ କ୍ରମେ ଡୋର ଲାଗେ । ନିଜର କାର୍ଯ୍ୟ ଏବଂ ବିଶ୍ଵର କାର୍ଯ୍ୟ ଭିତରେ କୌଣସି ପ୍ରଭେଦ ରହିଥିବା ପରି ଆଉ ମୋଟେ ଲାଗେ ନାହିଁ । ସତେ ଅବା ନିଜ ଘରକୁ ଫେରି ଆସିବା ପରି ମନେ ହୁଏ । ସେତେବେଳେ ଆମର ଯାବତୀୟ କର୍ମ ଯୋଗର ସ୍ତରକୁ ଉନ୍ନୀତ ହୋଇଯାଏ । ବିଶ୍ଵ ଭଲ ଲାଗେ । ବିଶ୍ଵସାରା ଯାହାର କେତେ କର୍ମ ଅନ୍ୟମାନଙ୍କୁ ମାଧ୍ୟମ କରି ଅନୁକ୍ଷଣ ଚାଲିଛି, ତାଙ୍କୁ ମଧ୍ୟ କର୍ମ ଭିତରୁ ଆବିଷ୍କାର କରିପାରିଥିବା ପରି ମନେ ହେଉଥାଏ । ଏହି ବିଶ୍ଵ ସମେତ ସିଏ ମଧ୍ୟ ସେତେବେଳେ ପରମାତ୍ମୀୟ ଭଳି ଅନୁଭବ ହୁଅନ୍ତି ।

 

ତୁମେ ଭଗବାନଙ୍କୁ ମାନ କି ନମାନ, ଆତ୍ମୀୟତାକୁ, ଏହି ସୂତ୍ରଟିକୁ ଅବଶ୍ୟ ମାନିବ । ଆମ ସମସ୍ତଙ୍କୁ ଏହି ସୂତ୍ର ବା ଆତ୍ମୀୟତା ଯେ ଗୋଟିଏ ନିୟତି ଭିତରେ ଯୁକ୍ତ କରି ରଖିଛି, ସେହି କଥାଟିକୁ ଅଳ୍ପ ବା ବହୁତ ପରିମାଣରେ ଆମେ ସମସ୍ତେ ମାନୁଛୁ ବୋଲି ପୃଥିବୀରେ ଜୀବନଟିଏ ବଞ୍ଚି ହେଉଛି । ପୃଥିବୀର ଯାବତୀୟ ଜ୍ଞାନ ଏବଂ ବିଜ୍ଞାନ ଏହିଠାରୁ ଆରମ୍ଭ ହୋଇଚି, ହୁଏତ ଏହିଠାରେ ଆସି ସମ୍ପୂର୍ଣ୍ଣ ହୋଇଛି । ଆମ ଭିତରେ କେତେ ମଣିଷ ଅବଶ୍ୟ ଥିବେ, ଯେଉଁମାନେ କି ଏପରି କହିବାକୁ ମନ କରିବେ ଯେ, ଭଗବାନ ବୋଲି ଏକ କଳ୍ପନାକୁ ଆଣି ପୃଥିବୀ ଭିତରେ ପୂରାଇବାର ଆଦୌ କୌଣସି ଅତ୍ୟାବଶ୍ୟକତା ନାହିଁ । ବହୁ ଦୃଷ୍ଟିରୁ ବିଚାର କରି ଦେଖିଲେ ସେମାନେ ପ୍ରକୃତରେ ଠିକ୍ ହିଁ କହନ୍ତି । ଭଗବାନଙ୍କୁ ସ୍ଵୀକାର କରୁଥିବା ସବୁଯାକ ମଣିଷ ଯେ ଆମର ଆଲୋଚ୍ୟ ସେହି ଆତ୍ମୀୟତାଟିକୁ ବଞ୍ଚୁଛନ୍ତି, ସେ କଥା ଆଦୌ ନୁହେଁ । ଭଗବାନଙ୍କୁ ସ୍ଵୀକାର ନକରୁଥିବା ମଣିଷମାନେ ହୁଏତ ଅନେକ କ୍ଷେତ୍ରରେ ସେହି ଆତ୍ମୀୟତାକୁ ସବାମୂଳ କଥା ବୋଲି ସ୍ଵୀକାର କରି ନେଇ ନିଜ ଜୀବନକୁ ବଞ୍ଚିଛନ୍ତି । ଏ ପକ୍ଷଟି ସେ ପକ୍ଷକୁ ଏବଂ ସେ ପକ୍ଷଟି ଏ ପକ୍ଷକୁ ବୁଝିଲେ ଏହି କ୍ଷେତ୍ରରେ ଆଦୌ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ମାତ୍ର, ଯେଉଁମାନେ ଏଇଟି ପକ୍ଷରେ ରହିଛନ୍ତି ବୋଲି ଅନ୍ୟ ପକ୍ଷଟିକୁ ଗ୍ରହଣ କରିନାହାନ୍ତି ଅଥବା ସେହି ଅନ୍ୟ ପକ୍ଷଟିରେ ରହିଛନ୍ତି ବୋଲି ଏ ପକ୍ଷଟିକୁ ସ୍ଵୀକାର କରିପାରି ନାହାନ୍ତି, ସେମାନେ ଅନେକ ସମୟରେ ଭ୍ରାନ୍ତି ଭିତରେ ରହିଯାଇଛନ୍ତି ଓ ଆମର ପୃଥିବୀଟିକୁ ମଧ୍ୟ ଭ୍ରାନ୍ତି ଭିତରେ ପକାଇ ରଖିଛନ୍ତି । ଅସଲ କଥା ହେଉଛି, ଖାଲି ବୁଦ୍ଧି ଦେଇ ଦେଖୁଥିବା ପର୍ଯ୍ୟନ୍ତ ମଣିଷମାନଙ୍କର କେଉଁଠି କ’ଣ ଏକପାଖିଆ ଓ ତେଣୁ ଅବାଗିଆ ହୋଇଯାଏ କେଜାଣି ସେମାନେ ନିଜ ଭିତରେ ସେମାନଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ମହଜୁଦ ରହିଥିବା ହୃଦୟଟିକୁ ଦେଖିପାରନ୍ତି ନାହିଁ, ଖାଲି ବୁଦ୍ଧିଦ୍ଵାରା ଦେଖୁଥିବା ପର୍ଯ୍ୟନ୍ତ ଆମ ଆଖିଗୁଡ଼ାକ କାହିଁକି କେଜାଣି ଭାରି ସ୍ପର୍ଶକାତର ହୋଇ ରହିଥାନ୍ତି । ଖାଲି ହୃଦୟ ଦ୍ଵାରା ଦେଖୁଥିବାରୁ ଓ ତେଣେ ବୁଦ୍ଧିର ମୁହଁରେ ହାତ ମାଡ଼ି ରଖିଥିବାରୁ ଯେପରି ଆଉ କିସମର ମଣିଷମାନେ ମଲାଯାଏ ଭାବପ୍ରବଣ ହୋଇ ରହିଥାନ୍ତି, ଇଏ ପ୍ରାୟ ସେହିପରି କଥା ।

 

ଜଣେ ଜଣେ ମଣିଷ ହିସାବରେ ଆମେ ମନ କଲେ ଆମ ଆତ୍ମୀୟତାର ବିସ୍ତାରଟିକୁ କେତେ କେତେ ଆଡ଼କୁ ବଢ଼ାଇ ଦେଇପାରିବା ଅଥବା ଅନ୍ୟପ୍ରକାରେ ମନ କଲେ ନିଜ ଜୀବନକୁ ସାନ ଗଡ଼ିଆଟିଏ କରି ରଖି ତାହାରି ଭିତରେ ହିଁ ଆମର ଯାବତୀୟ ଆତ୍ମୀୟତାକୁ କିଳି ରଖିଦେଇ ପାରିବା । ସୁଖ ଆଉ ଦୁଃଖ ଦୁଇଟା ଭିତରେ, ଯେଉଁମାନେ ସଂସାରରେ ସାମନା କରୁଥିବା ଦୁଃଖଗୁଡ଼ାକୁ ନେଇ ଅଧିକ ସଚେତନ ହୋଇ ରହିଥାନ୍ତି, ସେମାନେ ସୁଖ କହିଲେ ସାଧାରଣତଃ କେବଳ ଆପଣାର ସୁଖଗୁଡ଼ିକୁ ହିଁ ବୁଝନ୍ତି । ପୃଥିବୀରେ ଦୁଃଖ କହିଲେ ଆପଣାର ତଥାକଥିତ ଦୁଃଖଗୁଡ଼ାକୁ ବୁଝୁଥିବା ଲୋକମାନେ ରହିଛନ୍ତି ବୋଲି ହିଁ ଯେ ପୃଥିବୀରେ ଦୁଃଖ ରହିଛି, ଆମେ ସେହି କଥାଟିକୁ ମଧ୍ୟ କେତେଦୂର ଠିକ୍ ବୋଲି କହିପାରିବା ? ସୁଖ ବା ଦୁଃଖ ଯୋଉଟା ହେଉ ପଛକେ ଅନ୍ୟମାନଙ୍କ ସହିତ ଏକାଠି ମିଶି ସେଗୁଡ଼ିକର ସମ୍ମୁଖୀନ ହେଲେ ଆମେ ସୁଖ ବା ଦୁଃଖ ଉଭୟର ଆଘାତକୁ ଯେ କମ୍ ଅନୁଭବ କରିଥାଉ । ପୃଥିବୀରେ ଅନୁଭବୀ ଅନେକ ମଣିଷ ହୁଏତ ସେ କଥାଟିକୁ ମଧ୍ୟ କହିବାକୁ ଇଚ୍ଛା କରିବେ । ମୁଁ ଏହି ପୃଥିବୀରେ ଏକାକୀ ନୁହେଁ, ଆମ ଅନୁଭବଟି ଏହିପରି ହୋଇ ରହିଥିଲେ ପୃଥିବୀରେ ଦୁଃଖ ଓ ସୁଖ ଉଭୟକୁ ଅନେକ ପରିମାଣରେ ସହନୀୟ କରି ନେଇହୁଏ । ଅର୍ଥାତ୍, ଦୁଃଖବେଳେ ଗୁଡ଼ାଏ କାତର ହେବାକୁ ପଡ଼େ ନାହିଁ ଅଥବା ସୁଖବେଳେ ସୁଖର ମୋହରୁ ମଧ୍ୟ ରକ୍ଷା ମିଳିଥାଏ । ଯଦି ସମସ୍ତଙ୍କୁ ବାନ୍ଧି ରଖିଥିବାର ସୂତ୍ରଟିଏ ରହିଛି, ତେବେ ମୁଁ ନିଜକୁ କାହିଁକି ଏପରି ଦୁଃଖୀ ବୋଲି ଅନୁଭବ କରିବି ? ସୂତ୍ରଟିକୁ ଅନୁଭବ କରିପାରୁଥିଲେ ମୋ’ ଠାରୁ ଯେ ଅନେକ ଅଧିକ ଦୁଃଖୀ ଏହି ପୃଥିବୀରେ ରହିଛନ୍ତି, ସେହି କଥାଟିର ମର୍ମକୁ ଆମେ ଅଧିକରୁ ଅଧିକ ସାର୍ଥକ ଭାବରେ ବୁଝିବାକୁ ସମର୍ଥ ହେଉଥିବା ଏବଂ ତେବେ ଦୁଃଖର କାତର କିମ୍ବା ଆକୁଳ ହୋଇ ପଡ଼ିବା ଲାଗି ଆମକୁ ଆଉ ପ୍ରାୟ ଆଦୌ କୌଣସି କାରଣ ରହିଥିବାର ଦେଖାଯିବ ନାହିଁ । ସୂତ୍ରଟିକୁ ଅନୁଭବ କରିବାର ଅର୍ଥ ହେଉଛି ଆତ୍ମୀୟତା ଦ୍ଵାରା ପ୍ରେରିତ ହୋଇ ଜୀବନଟିଏ ବଞ୍ଚିବା ନିମନ୍ତେ ଅଧିକ ଆଗ୍ରହ ପ୍ରକାଶ କରିବା ।

 

ଭିତରେ ସୂତ୍ରଟି ଲାଗିଥିଲେ, ଆତ୍ମୀୟତା ହିଁ ଆମ ଜୀବନର ସର୍ବପ୍ରଧାନ ପ୍ରେରକ ହୋଇ କାର୍ଯ୍ୟ କରୁଥିଲେ ଏହି ପୃଥିବୀଟା ମଧ୍ୟ ଆଦୌ ଖଣ୍ଡ ଖଣ୍ଡ ହୋଇ ନ ଦିଶି ସତେ ଅବା ଏକାଠି ଗୋଟାଏ ହୋଇ ବାନ୍ଧି ହୋଇ ରହିଥିବା ପରି ଅନୁଭବ ହୁଏ । ଆମେ ମନ କଲେ ସେହି ଅନୁଭୂତିଟିକୁ ହିଁ ଭଗବତ୍-ଅନୁଭୂତି ବୋଲି କହିପାରନ୍ତେ । ପୃଥିବୀଟା ଆମ ଆଖିରେ ଖଣ୍ଡ ଖଣ୍ଡ ହୋଇ ଦିଶୁଥିବା ପର୍ଯ୍ୟନ୍ତ ଆମ ଜୀବନରେ ପ୍ରାୟ ସବୁକିଛି ଖଣ୍ଡ ଖଣ୍ଡ ହୋଇ ରହିଥାଏ । ହୁଏତ ତାହା ହିଁ ଆମ ଭିତରେ ନାନା ଭୟକୁ ଜନ୍ମ ଦିଏ । ଯୁଗେ ଯୁଗେ ଅନେକ ମଣିଷ ଯେପରି ସତେ ଅବା କେଉଁ ପ୍ରତିଯୋଗିତା ଭିତରେ ଆସି ପଶିଥିବା ପରି ଯଥାସମ୍ଭବ ଅନ୍ୟ ସମସ୍ତଙ୍କୁ ଟପି ଯିବାକୁ, ଦାବି ରଖିବାକୁ ଅଥବା ଗିଳି ପକାଇବାକୁ ଲଣ୍ଡଭଣ୍ଡ ଓ ଗରମ ହୋଇ ରହିଥାନ୍ତି, ସେମାନେ ଭିତରେ ନାନା ପ୍ରକାର ଭୟଦ୍ୱାରା କବଳିତ ହୋଇ ରହିଥାନ୍ତି ବୋଲି ସେପରି କରୁଥାନ୍ତି । ଭୟାଳୁ ମଣିଷ ଆତ୍ମୀୟତାର ଯୋଗ୍ୟ ହୋଇ ପାରେ ନାହିଁ । ତାକୁ ଅତ୍ୟନ୍ତ ଉତ୍ତେଜିତ କରି ରଖିଥିବା ଆତ୍ମକାତରତା ହିଁ ତା’ର ଯାବତୀୟ ଆତ୍ମୀୟତାବୋଧକୁ ଖାଇ ପକାଇଥାଏ । କେବଳ ସାହସୀ ବା ଭୟଶୂନ୍ୟ ମଣିଷଟିଏ ହିଁ ପୃଥିବୀ ଆଡ଼କୁ ଆତ୍ମୀୟତାର ବାହୁଟିକୁ ପ୍ରସାରିତ କରିପାରେ । ଏହି ପୃଥିବୀରେ ସବୁ ମଣିଷ ଭୟଶୂନ୍ୟ ହୋଇ ପାରିଥିଲେ ସେମାନେ ପରସ୍ପରକୁ ଅଭୟ ହିଁ ଦେଉଥାନ୍ତେ, ପରସ୍ପରର ସହଯୋଗୀ ଭଳି ଦେଖା ଯାଉଥାନ୍ତେ । ତେବେ ପରସ୍ପରକୁ ମୋଟେ ଈର୍ଷା କରୁ ନଥାନ୍ତେ । ମଣିଷ ନିଜକୁ ସକଳ ଭୟରୁ ମୁକ୍ତ କରିଆଣି ପାରିଲେ ହିଁ ତା’ ଭିତରେ ଯେଉଁ ଆତ୍ମୀୟତା ବିକଶିତ ହୋଇ ଆସିବ, ତାହାହିଁ ତାକୁ ଏହି ପୃଥିବୀ ଗୋଟିଏ ସୂତ୍ରରେ ବନ୍ଧା ହୋଇ ରହିଛି ବୋଲି

 

ଦୃଢ଼ ଅନୁଭବଟିଏ ଆଣିଦେବ । ଆତ୍ମୀୟତା ଦ୍ଵାରା ପୃଥିବୀକୁ ଦେଖିଲେ ପୃଥିବୀ ସତକୁ ସତ ପୂରି ରହିଥିବା ପରି ଦେଖାଯାଏ । ମୋ’ ଚାରିପାଖରେ, ମୋ’ ଭିତରେ ଏବଂ ମୋ’ ବାହାରେ ସବୁ କିଛି ପୂରି ରହିଛି ବୋଲି ପ୍ରତ୍ୟକ୍ଷ କରିବା, ଅନେକ ମଣିଷ ସେଇଥିରୁ ହିଁ ଭଗବାନଙ୍କୁ ପ୍ରତ୍ୟକ୍ଷ କରିବାର ଅନୁଭବ ଲାଭ କରିଥାନ୍ତି । ସେତେବେଳେ ପୃଥିବୀ ମୋଟେ ଖଣ୍ଡିଆ ଦେଖାଯାଏ ନାହିଁ, ହୁଏତ ପୃଥିବୀରେ କେତେ ଖଣ୍ଡିଆମାନ ରହିଥାଏ, ତଥାପି ଖଣ୍ଡିଆ ରହିଥିବା ପରି ଦିଶେ ନାହିଁ । ନିଜ ଭିତରୁ କେଉଁଠାରେ ଏକ ପୂର୍ଣ୍ଣତାର ଭରସା ମିଳି ଯାଉଥାଏ କେଜାଣି, ଆଦୌ କିଛି ହେଲେ, ଖଣ୍ଡିଆ ବୋଲି ଅନୁଭବ ହୁଏ ନାହିଁ ।

 

ଗୋଟିଏ ପିଲାକୁ ତା’ର ମାଆ ହୁଏତ କେବେହେଲେ ଖଣ୍ଡିଆ ଦେଖାଯାଏ ନାହିଁ । ଜଣେ ବ୍ୟକ୍ତି ବା ମଣିଷ ହିସାବରେ ମାଆଟି ଭିତରେ ହୁଏତ କେତେ ଅପୂର୍ଣ୍ଣତା ଭର୍ତ୍ତି ହୋଇ ରହିଥାଏ । ମାତ୍ର, ପିଲାଟିର ଆଖି ଅର୍ଥାତ୍ ହୃଦୟ ଭିତରେ କେଉଁ ନିର୍ମଳତା ଭର୍ତ୍ତି ହୋଇ ରହିଥାଏ କେଜାଣି, ତା’ର ମାଆ ତାକୁ ସବୁବେଳେ ପୂରି ରହିଥିବା ପରି ଦେଖାଯାଉଥାଏ । ଆମର ଏହି ପୃଥିବୀରେ କ’ଣ କମ୍ ଅପୂର୍ଣ୍ଣତା ରହିଛି ? ତଥାପି ଆତ୍ମୀୟତା ଦେଇ ଦେଖିଲେ ସେହି ପୃଥିବୀ ଆମ ପାଇଁ ସବୁବେଳେ ପୂରି ରହିଥାଏ । ଅର୍ଥାତ୍, ପୃଥିବୀରେ ଭଗବାନ୍ ପୂର୍ଣ୍ଣ ହୋଇ ରହିଥାନ୍ତି । ଖଣ୍ଡିଆଗୁଡ଼ାକ ଏକାନ୍ତ ସାମୟିକ ଏବଂ ପୂର୍ଣ୍ଣତାଗୁଡ଼ିକ ଏକାନ୍ତ ଅସଲ ବୋଲି ଅନୁଭବ ହେଉଥାଏ-। ଆଜିର ଖଣ୍ଡିଆ ହୁଏତ କାଲିକୁ ନଥାଏ ଆଗକୁ ଆଗକୁ ବାଟ ଚାଲୁଥିଲେ ପଛର ବାଟଟା ପଛରେ ରହିଯାଏ । ଆଗକୁ ବାଟ ଚାଲୁଥିବା ମଣିଷକୁ ତାହା ଆଦୌ ପଛଆଡ଼କୁ ଟାଣି ରଖି ପାରେନାହିଁ । ଯେଉଁମାନେ ପୃଥିବୀକୁ ଏକତ୍ର ବାନ୍ଧି ରଖିଥିବା ସୂତ୍ରଟି ଉପରେ ବିଶ୍ଵାସ କରିଛନ୍ତି, ମଣିଷକୁ ମଣିଷ ସହିତ ବାନ୍ଧି ରଖିଥିବା ଆତ୍ମୀୟତାକୁ ହିଁ ଏକ ପ୍ରତ୍ୟକ୍ଷ ସତ୍ୟ ବୋଲି ଅଙ୍ଗେ ନିଭାଇଛନ୍ତି, ବହୁତ ଦୃଷ୍ଟିରୁ ଆମେ ହୁଏତ ସେହିମାନଙ୍କୁ ହିଁ ଯଥାର୍ଥ ଈଶ୍ଵର ବିଶ୍ଵାସୀ ବୋଲି କହିପାରିବା । ସେମାନେ ଈଶ୍ଵରଙ୍କୁ କେବଳ ଯେ ବିଶ୍ଵାସ କରନ୍ତି, ତା’ ନୁହେଁ, ସେହିମାନେ ହିଁ ସବୁଠାରୁ ଅଧିକ ସମ୍ମତ ଭାବରେ ଓ ସବୁଠାରୁ ଅଧିକ ଖୁସି ହୋଇ ଈଶ୍ଵରଙ୍କର କାର୍ଯ୍ୟ କରିପାରନ୍ତି-। ଯିଏ ଈଶ୍ୱରଙ୍କର କାର୍ଯ୍ୟ କରେ, ଆମ ଶାସ୍ତ୍ର ଗୁଡ଼ିକରେ ତାକୁ ଈଶ୍ୱରଙ୍କର ଯନ୍ତ୍ର ବୋଲି କୁହାଯାଇଛି । ପୃଥିବୀରେ ସବୁଠାରୁ ଅଧିକ କାର୍ଯ୍ୟ ଏହିଭଳି ଯନ୍ତ୍ରମାନଙ୍କ ଦ୍ଵାରା ହିଁ ହୋଇଛି-। ପୃଥିବୀ ଲାଗି ସବୁଠାରୁ ଅଧିକ ବିଜୟ ସେହିମାନେ ହାସଲ କରିଛନ୍ତି । ଯିଏ ସତ୍ୟର ଯନ୍ତ୍ର ହୁଏ, ସ୍ଵୟଂ ସତ୍ୟ ସତେ ଅବା ତା’ ସହିତ ବାଟ ଚାଲୁଥିବା ପରି ତାକୁ ଏକ ପୂର୍ଣ୍ଣ ଅନୁଭବ ହୋଇଥାଏ । ଶବ୍ଦଟିକୁ ବଦଳାଇ ଦେଇ ଆମେ ହୁଏତ ଏ କଥାଟିକୁ ମଧ୍ୟ ସଂପୂର୍ଣ୍ଣ ସଙ୍ଗତି ସହିତ କହିପାରିବା ଯେ, ଆମ ଭିତରୁ ଯେଉଁମାନେ ଈଶ୍ଵରଙ୍କର ଯନ୍ତ୍ର ହୋଇପାରନ୍ତି, ସେମାନେ ଈଶ୍ଵର ମଧ୍ୟ ସେମାନଙ୍କ ସହିତ ସଙ୍ଗୀ ହୋଇ ବାଟ ଚାଲୁଥିବା ପରି ଅନୁଭବ କରୁଥାନ୍ତି । ସେହି ଅନୁଭବଟିରୁ ସର୍ବାଧିକ ଉତ୍ସାହ ଲାଭ କରନ୍ତି ।

 

ଅର୍ଥାତ୍, ଖିଅଗୁଡ଼ିକୁ ଗୋଟିଏ ସରିରେ ଯୋଡ଼ି ଆଣି କହିବାକୁ ଚେଷ୍ଟା କଲେ, ମୋ’ ଦିନମାନ ଯେପରି ଏକ ନିୟମ ଭିତରେ ରହି ଚାଲିଛି, ଠିକ୍ ସେହିପରି ଏହି ସୃଷ୍ଟି ଅର୍ଥାତ୍ ବିଶ୍ଵପ୍ରକୃତି ମଧ୍ୟ ସେହିଭଳି ଏକ ନିୟମ ଭିତରେ ରହିଚାଲିଛି । ମୁଁ ନିଜେ ଦିନମାନର ନିୟମଗୁଡ଼ିକ ବିଷୟରେ ସତକୁ ସତ କ’ଣ ଜାଣିଛି ଯେ, ଏହି ବିଶ୍ଵଭାରତକୁ କକ୍ଷରେ ରଖି ଚଳାଉଥିବା ବିଧାନଟି ବିଷୟରେ ମର୍ମତଃ କିଛି ଜାଣିପାରିବି ! ତଥାପି, ନିୟମ ବା ବିଧାନଟିଏ ରହିଛି । କ୍ଷୁଦ୍ର ବିଧାନଟିକୁ ଆବୋରି ବୃହତ୍ ବିଧାନଟିଏ ରହିଛି, ବୃହତ୍ ବିଧାନଟିକୁ ଆବୋରି ବୃହତ୍ତର ବିଧାନଟିଏ ରହିଛି ଏବଂ ବୃହତ୍ତର ବିଧାନକୁ ଆବୋରି ନ୍ୟାୟତଃ ବୃହତ୍ତମ ବିଧାନଟିଏ ରହିଛି । ପ୍ରଥମ ମଣିଷ ଏହି ବିଧାନଗୁଡ଼ିକୁ ଆଦୌ ଜାଣି ନଥିଲା । ଏହି ପୃଥିବୀକୁ ନିଜର ଘର ରୂପେ ଗ୍ରହଣ କରି ନେଉଥିବା ସଙ୍ଗେ ସଙ୍ଗେ ସିଏ ଅଧିକରୁ ଅଧିକ ବିଧାନ ଭିତରେ ନିଜକୁ ଜୁଆଇ ରଖି ଶିଖାଇଲା ଏବଂ ଆପଣା ଭିତରେ ରହିଥିବା ସତେ ଅବା କେଉଁ ଘ୍ରାଣଶକ୍ତି ଦ୍ଵାରା ପ୍ରେରିତ ହୋଇ ସିଏ ବୃହତ୍ତମ ବିଧାନଟିଏ ଅବଶ୍ୟ ରହିଥିବ ବୋଲି ଅନ୍ଦାଜ୍ କରିପାରିଲା । କ୍ଷୁଦ୍ର ହେଉ ବା ବୃହତ୍ ହେଉ ପ୍ରତ୍ୟେକ ମନୁଷ୍ୟର ଅବଶ୍ୟ ଗୋଟିଏ ଅନ୍ଦାଜ୍ ରହିଛି । ସେହି ଅନ୍ଦାଜ୍ ବୃଦ୍ଧି ପାଇବାରେ ଲାଗିଛି । ମଣିଷମାନଙ୍କର ଆଖି ଏବଂ ହୃଦୟ ଅଧିକ ପ୍ରସାର ଲାଭ କରୁଥିବା ସଙ୍ଗେ ସଙ୍ଗେ ତା’ର ସେହି ଅନ୍ଦାଜ୍‍ଟି ମଧ୍ୟ କ୍ରମେ ପ୍ରସାର ଲାଭ କରୁଛି । ସେହି ଅନ୍ଦାଜକୁ ଆମେ ମନ କଲେ ଭଗବାନ ବୋଲି କହିପାରିବା । ଅର୍ଥାତ୍ ମଣିଷର ଅନ୍ଦାଜ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ତା’ର ଭଗବତ୍ କଳ୍ପନାର ପ୍ରସାର ଏବଂ ବ୍ୟଞ୍ଜନାଟି ମଧ୍ୟ ବୃଦ୍ଧି ପାଇଛି । ଏବଂ ଭଗବାନ୍‍ଙ୍କ ବିଷୟରେ ସମ୍ଭବତଃ ଏହି କଥାଟି ହେଉଛି ସବୁଠାରୁ ବଡ଼ ଚମତ୍କାର କଥା । ଅନେକ ସମୟରେ ମଣିଷର ଚାରିପାଖରେ ରହି ତାକୁ ଏକ ନିର୍ଦ୍ଦିଷ୍ଟ ମାପରେ ତିଆରି କରିବାକୁ ଭାରି ଇଚ୍ଛା କରୁଥିବା ସଂସ୍କାରମାନେ ମଣିଷକୁ ଗୋଟାଏ କୋଉଠି ଅଟକି ରହିଯାଇ ସେତିକିକୁ ହିଁ ସବୁକିଛି ବୋଲି ମାନିନେବା ନିମନ୍ତେ ପ୍ରରୋଚନା ଦେଇଛନ୍ତି । ମାର୍କାମାନେ ଭାରି ପରାକ୍ରମ ଦେଖାଇଛନ୍ତି । ତଥାପି ମଣିଷର ଅସଲ ଚେତନାଟି ମୋଟେ ଅଟକି ଯିବାକୁ ଇଚ୍ଛା କରିନାହିଁ । ଆଗକୁ ଆଗକୁ ଯାଉଥିବା ବିଜ୍ଞାନ ତାକୁ ଅଟକି ନଯିବା ନିମନ୍ତେ ସାହସ ଓ ବଳ ଆଣି ଦେଇଛି । ମଣିଷ ନୂଆ ନୂଆ ପ୍ରକାରେ ତା’ର ପୃଥିବୀକୁ ଆବିଷ୍କାର କରିଛି । ଏବଂ ତାହାରି ସହିତ ଭଗବାନ୍ ବି ତାକୁ ନୂଆ ନୂଆ ଆୟାମରେ ଦୃଶ୍ୟ ହୋଇ ଆସିଛନ୍ତି ।

 

–୨–

 

ବେଦଶାସ୍ତ୍ରରେ ଅଛି ଯେ, ସବାପ୍ରଥମେ କେହି ନଥିଲେ । ସେତେବେଳେ କିଛି ନଥିଲା-। ସତ୍ ନଥିଲା କି ଅସତ୍ ନଥିଲା । ଆଲୁଅ ନଥିଲା କି ଅନ୍ଧାର ନଥିଲା । ଦିନ ନଥିଲା କି ରାତି ନଥିଲା । କେବଳ ସେଇ ଥିଲେ । ଆହୁରି ବିସ୍ତାର କରି କୁହାଯାଇପାରିବ ଯେ, ସେତେବେଳେ ଏହି ଧର୍ମମାନେ ନଥିଲେ । ପ୍ରତ୍ୟେକ ଧର୍ମରେ ପୂଜା ପାଉଥିବା ଠାକୁରମାନେ ନଥିଲେ । ଧର୍ମ ଶାସ୍ତ୍ରମାନେ ବହୁତ ପରେ ଆସିଲେ । ତେଣୁ ପୃଥିବୀର ଧର୍ମମାନେ ହେଉଛନ୍ତି ଇତିହାସର କଥା । ଯେତେବେଳେ ସତ୍ୟଗୁଡ଼ିକୁ ସନ ଦେଇ ବୁଝାଇ ଦିଆଯିବାର ଚେଷ୍ଟା କରାଗଲା, ସମ୍ଭବତଃ ସେତିକିବେଳେ ଧର୍ମଗୁଡ଼ିକର ଆରମ୍ଭ ହେଲା । ସତ୍ୟର ନାମକରଣ କରାଯିବାରୁ ହୁଏତ ସେଇଥିରୁ ଠାକୁରମାନେ ବାହାରିଲେ । ଅର୍ଥାତ୍, ଠାକୁରମାନେ ସତ୍ୟର ପ୍ରତୀକ ହୋଇ ପ୍ରତିଷ୍ଠିତ ହେଲେ । ଭିନ୍ନ ଭିନ୍ନ ପ୍ରକାରର ପ୍ରତୀକ, ତେଣୁ ଭିନ୍ନ ଭିନ୍ନ ପ୍ରକାରର ଧର୍ମ-। କିନ୍ତୁ, ଆମେ ତା’ ବୋଲି ଭିନ୍ନ ଭିନ୍ନ ପ୍ରକାରର ସତ୍ୟ ବୋଲି ଦାବି କରି କହି ପାରିବା କି ? ପୃଥିବୀର ଧର୍ମମାନେ ଯେତେବେଳେ ଆରମ୍ଭ ହେଲେ, ସେତେବେଳେ ମଣିଷର ପୃଥିବୀ ଗୁଡ଼ିକ ଖୁବ୍ ସାନ ସାନ ଥିଲେ । ଯିଏ ଯେତିକି ଆକ୍ରାନ୍ତ ଭିତରେ ଆତଜାତ ହେଉଥିଲା, ସେତିକିକୁ ହିଁ ସିଏ ସମସ୍ତ ପୃଥିବୀ ବୋଲି ବିଚାର କରୁଥିଲା । ସ୍ଥାନୀୟ ପୃଥିବୀ ଅନୁସାରେ ପାପ ଓ ପୁଣ୍ୟର କଳ୍ପନା ହେଲା ଏବଂ ସେହି ଅନୁସାରେ ସ୍ଵର୍ଗ ଏବଂ ନର୍କମାନଙ୍କୁ ବର୍ଣ୍ଣନା ମଧ୍ୟ କରାଗଲା । ସେହି ଅନୁସାରେ ଶାସ୍ତ୍ରଗୁଡ଼ିକୁ ଲେଖାଗଲା । ସ୍ଥାନୀୟ ନୈତିକତା ଗୁଡ଼ିକୁ ନୀତି ବୋଲି, ଧର୍ମ ବୋଲି ସଂଜ୍ଞା ଦିଆଗଲା । ସେହି ନୀତିଗୁଡ଼ିକୁ ଯିଏ ମାନିଲା, ସିଏ ଧର୍ମରେ ରହିଲା ଏବଂ ଯିଏ ନମାନିଲା, ସିଏ ଧର୍ମଭ୍ରଷ୍ଟ ବୋଲି ଘୋଷିତ ହେଲା । ଭଲ ମନ୍ଦ, ଉଚିତ ଅନୁଚିତ, ଠିକ୍ ଭୁଲ, ସବୁ ସତେଅବା ପରିସ୍ଥିତି ସହିତ ବନ୍ଧା ହୋଇ ସ୍ଥାନୀୟ ହୋଇ ରହିଲେ । ଅନେକ ଧର୍ମଶାସ୍ତ୍ର ପଢ଼ୁଥିବା ସମୟରେ ସେଥିଲାଗି ଭାରି ସ୍ଥାନୀୟ ସ୍ଥାନୀୟ ଯେ ମନେ ହେଉଥାଏ, ଏଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କିଛି ନାହିଁ ।

 

ସେତେବେଳେ ମଣିଷର ଆଖି ଯେତିକି ଯାଏ ଯାଉଥିଲା, ତାର ଧର୍ମଭାବନା ସେତିକି ଭିତରେ ଆବଦ୍ଧ ହୋଇ ରହିବାକୁ ବାଧ୍ୟ ହେଉଥିଲା । ସେହି ପ୍ରଥମ ଯୁଗରେ ପୃଥିବୀରେ ରଜାମାନେ ରହିଥିଲେ । ସେମାନଙ୍କୁ ଭଗବାନଙ୍କର ଅଂଶ ବୋଲି ବିଚାର କରାଯାଉଥିଲା । ଧର୍ମର ସୂତ୍ରକାରମାନେ, ଧର୍ମାତ୍ମାମାନେ ରଜାଙ୍କର ଦରବାରରେ ଯାଇ ବସୁଥିଲେ, ଅର୍ଥାତ୍ ରାଜାଙ୍କୁ ସବା ବଡ଼ ବୋଲି ସ୍ଵୀକାର କରୁଥିଲେ । ରଜା ହେଉଛି କ୍ଷମତାର ପ୍ରତୀକ । ତେଣୁ ସମ୍ଭବତଃ ସେହି ଫିସାଦରେ ପଡ଼ି ରଜା ସହିତ ବାନ୍ଧି ହୋଇ ଯାଇଥିବା ଧର୍ମ ମଧ୍ୟ କ୍ଷମତାର ପାଲ ଭିତରେ ଯାଇ ପଡ଼ିଗଲା । ସତ୍ୟର ଅନ୍ଵେଷଣ କରାଯାଏ, ଧର୍ମର ପାଳନ କରାଯାଏ ଏବଂ ସାଂସାରିକ ଯାବତୀୟ ବାସ୍ତବତାକୁ ଆଖିଆଗରେ ରଖି ବିଚାର କଲେ, ରଜାଙ୍କର ରାଜ୍ୟରେ ତାଙ୍କର ଶାସନଟାକୁ ମାନିନେବା ଯେ ଧର୍ମ ପାଇଁ କ୍ରମେ ସବୁଠାରୁ ଅଧିକ ପ୍ରଶସ୍ତ ବୋଲି ବିବେଚିତ ହେବ, ଏଥିରେ ସଂଶୟ ରହିବାର ଆଦୌ କୌଣସି କାରଣ ନାହିଁ । ଅର୍ଥାତ୍, ବାସ୍ତବ ଜୀବନର ଆଚାର ଭିତରେ ପଡ଼ି ରାଜାକୁ ମାନିବା ହିଁ ଧର୍ମର ପାଳନ କରିବା ବୋଲି ସାବ୍ୟସ୍ତ ହୋଇଗଲା ଏବଂ ପ୍ରଜାଧର୍ମ ବୋଲି ପ୍ରଶଂସିତ ହେଲା । ଏହା ଫଳରେ ସତ୍ୟର ଯେଉଁ ଦଶା ଅଥବା ଦୁର୍ଦ୍ଦଶା ହେଲା ପଛକେ, ଧର୍ମମାନେ ଅଧିକରୁ ଅଧିକ ଦୃଶ୍ୟ ହୋଇ ପାରିଲେ । ଭଗବାନଙ୍କର ଘର ହିସାବରେ ମନ୍ଦିର ଗୁଡ଼ିକର ନିର୍ମାଣ ହେଲା ଏବଂ ରାଜାମାନେ ସେଗୁଡ଼ିକୁ ନିର୍ମାଣ କରାଇଲେ । ଇତିହାସରୁ ଜଣାଯାଉଛି । ରାଜାମାନେ ସାମ୍ରାଜ୍ୟ ବିଜୟର ଯୁଦ୍ଧାଭିଯାନରୁ ଯେଉଁସବୁ ଧନ ଓ ରତ୍ନ ଲୁଟି କରି ଆଣୁଥିଲେ, ଜନଭଞ୍ଜନର ଅଭିଳାଷରେ ସେହି ଅର୍ଥକୁ ଲଗାଇ ମନ୍ଦିରଗୁଡ଼ିକୁ ତିଆରି କରାଉଥିଲେ-। ମନ୍ଦିର ମଧ୍ୟରେ ଠାକୁରମାନଙ୍କର ଥାପନା ହେଲା । ସେମାନେ କିପରି କୈଳାସ ଓ ବୈକୁଣ୍ଠପୁର ଛାଡ଼ି ଏହିସବୁ ମନ୍ଦିରରେ ରହିବାକୁ ଆସିଲେ, କାହାଣୀ ଦେଇ ସଂସ୍କୃତ ପୁରାଣ ଲେଖୁଥିବା ସୁଧୀପୁରୁଷମାନେ ସେଥିପାଇଁ ବର୍ଣ୍ଣନା ଯୋଗାଇ ଦେଲେ । ଠାକୁରମାନଙ୍କ ସକାଶେ ଭୋଗର ବରାଦ ହେଲା । ପର୍ବର ବରାଦ ବି ହେଲା । ସ୍ନାନ, ଶୃଙ୍ଗାର, ପହଡ଼ ଏବଂ ନୃତ୍ୟ ପରିଚର୍ଯ୍ୟା–ଏଥିରୁ କୌଣସିଟି ବାକି ରହିଲା ନାହିଁ । ଆହୁରି ଅଧିକ ସାହସ କରି ବୁଦ୍ଧିମାନମାନେ ମଣିଷର ସାଧାରଣ ଆଚାର ଗୁଡ଼ିକୁ ଶହେଗୁଣର ଅଭିବୃଦ୍ଧି ଏବଂ ଆଭରଣ ଯୋଗାଇ ଦେଇ ଦେବତାମାନଙ୍କର ମହିମାକୁ ପ୍ରଚାର କଲେ । ଏହି ଯାବତୀୟ ଅତିଚାରଣା ମଧ୍ୟରେ ରଜାମାନେ ହିଁ ସବା ଆଗରେ ରହିଥିଲେ । କେତେକ କ୍ଷେତ୍ରରେ ସେମାନେ ଆପଣାକୁ ଦେବତାମାନଙ୍କର ଆଦ୍ୟସେବକ ବୋଲି କହିଲେ, ନିଜ ସନନ୍ଦମାନଙ୍କରେ ସେହିପରି ଲେଖିଲେ ଏବଂ ତା’ ପଛରେ ପଣ୍ଡିତମାନଙ୍କର ଆଶୀର୍ବାଦ ମଧ୍ୟ ସର୍ବଦା ରହିଥିଲା । ପ୍ରାୟ ଦୁଇହଜାର ବର୍ଷ ତଳେ ରୋମ୍ ସାମ୍ରାଜ୍ୟର ପ୍ରଥମ ଖ୍ରୀଷ୍ଟିୟାନ୍ ରାଜା ମହାନ୍ କନ୍‌ଷ୍ଟାଣ୍ଟାଇନ୍‌ଙ୍କ ଠାରୁ ଆରମ୍ଭ କରି ମାତ୍ର କେଇ ଶହ ବର୍ଷ ତଳର ଓଡ଼ିଶାର ଅନଙ୍ଗଭୀମଙ୍କ ପର୍ଯ୍ୟନ୍ତ ଆମେ ଅଧିକାଂଶ ସ୍ଥଳରେ ହିଁ ସେହି ପ୍ରବୃତ୍ତିଟି ରହିଥିବାର ସ୍ପଷ୍ଟ ଦେଖିବାକୁ ପାଇବା ।

 

ଠାକୁରଙ୍କର ଯିଏ ଆଦ୍ୟସେବକ, ଠାକୁର ଆବଶ୍ୟକ ପଡ଼ିଲେ ତାହାର ପରିକର ବି ହୋଇପାରିବେ । ରାଜାମାନେ ରାଜ୍ୟଜୟ କରିବାକୁ ବାହାରିଲେ ସେହି ନ୍ୟାୟ ଅନୁସାରେ ଠାକୁରମାନେ ମଧ୍ୟ ତାଙ୍କ ଆଗେ ଆଗେ ତାଙ୍କ ପକ୍ଷରେ ଲଢ଼ିବାକୁ ବାହାରି ଯିବାଟା ଆମକୁ କ୍ରମେ ସତଘଟଣା ପରି ଲାଗିବାକୁ ଆରମ୍ଭ କଲା । ଯୁଦ୍ଧରେ ଜୟଲାଭ କରୁଥିବା ରାଜାମାନେ ଯୁଦ୍ଧରେ ହାରି ଯାଉଥିବା ରାଜାମାନଙ୍କର ଠାକୁରମାନଙ୍କୁ ବି ହରଣ କରି ଆଣିଲେ । ତାଙ୍କୁ ନିଜ ଠାକୁରମାନଙ୍କର ତୁଳନାରେ ଅଳ୍ପ କରି ଦେଖାଇବାର କେତେ ଉପାୟ ବାହାର କରାଗଲା । ଜଣେ ରାଜା ଆପଣାର ଅଧିକ ପରାକ୍ରମ ବଳରେ ଆଉ ଜଣେ ରାଜାର ରାଜ୍ୟର ମନ୍ଦିରକୁ ଲୁଣ୍ଠନ କରିବା ଓ ସେଠାରେ ପୂଜା ପାଉଥିବା ମୂର୍ତ୍ତିକୁ ଭାଙ୍ଗିଦେବା, - ଏସବୁ ସତେଅବା ନିଜର ଧର୍ମପ୍ରତି ଜଣେ ରାଜାର ଏକ ପ୍ରଶଂସନୀୟ କର୍ତ୍ତବ୍ୟ ରୂପେ ସ୍ଵୀକୃତି ଲାଭ ବି କଲା । ମୋ’ ଠାକୁର ବଡ଼ ଓ ତେଣୁ ତୋ’ ଠାକୁର ସାନ ଏହି ଭାବନାଟି ବୋଧହୁଏ ସେଇଥିରୁ ଜନ୍ମ ଲାଭ କରିଥିବ । ଯୋଉ ରାଜା ହାରିଗଲେ, ତାଙ୍କ ଠାକୁର ସାନ ଏବଂ ଯୋଉ ରଜା ଜିଣିଲେ, ତାଙ୍କର ଠାକୁର ଅବଶ୍ୟ ବଡ଼ । ମୋ’ ଧର୍ମ ବଡ଼ ଓ ତୋ’ ଧର୍ମ ସାନ ବୋଲି ଇତିହାସର ସେହି ସର୍ବତ୍ର ଅତି ପରିଚିତ ଭାବନାଟି ମଧ୍ୟ କ୍ରମେ ସେଇଥିରୁ ଆସିଲା । ତେଣୁ, ସାନ ବା ନୀରସ ଗୋଟିଏ ଧର୍ମରୁ ନିଜର ବଡ଼ ଓ ସରସ ଧର୍ମକୁ ଅଧିକରୁ ଅଧିକ ମଣିଷଙ୍କୁ ଦୀକ୍ଷିତ କରି ଆଣିବାଟା ମଧ୍ୟ କାଳକ୍ରମେ ଏକ ଧର୍ମକାମ ରୂପେ ଗଣା ବି ହେଲା । କୌଣସି ରାଜ୍ୟର ରାଜା ପରାସ୍ତ ହୋଇ ଅଥବା ପ୍ରୟୋଜନରେ ପଡ଼ି ନୂଆ ଧର୍ମଟିଏ ଗ୍ରହଣ କଲେ ସେହି ରାଜ୍ୟର ସବୁ ପ୍ରଜାଙ୍କର ମଧ୍ୟ ସ୍ଵତଃ ଏକ ଧର୍ମାନ୍ତରଗ୍ରହଣ ହୋଇଯାଉଥିଲା । ଆଗେ ଆକ୍ରମଣକାରୀ ରାଜାମାନେ ଯାହା କରୁଥିଲେ ଏବେ ମିଶନାରୀମାନେ ମଧ୍ୟ ତାହା କରୁଛନ୍ତି । ଅନୁଗାମୀମାନଙ୍କର ସଂଖ୍ୟା ବଢ଼ିଲେ ସତେ ଅବା କୌଣସି ଧର୍ମରେ ଅଧିକ ସାର ରହିଚି ଅଥବା ଠିକ୍ ଭଗବାନ୍ ତା’ରି ଘରେ ଅଛନ୍ତି ବୋଲି ଅନେକ ମଣିଷ ଏବେ ମଧ୍ୟ ଅନୁମାନ କରୁଛନ୍ତି । ଆମ ଆଧୁନିକ ପୃଥିବୀର ରାଜନୀତିକୁ ମଧ୍ୟ ତାହା ମନ୍ଦ ଖୋରାକ ଯୋଗାଉନାହିଁ ।

 

ସତ୍ୟରେ ସିନା ବଡ଼ ସାନ ନାହିଁ, ମାତ୍ର ଧର୍ମରେ ରହିଛି । ଆକାଶ ପରି ସତ୍ୟର ସମ୍ଭବତଃ କେବଳ ଏକ ବିସ୍ତୃତି ହିଁ ରହିଛି । ସେହି ବିସ୍ତୃତି ଭିତରେ ପୁଣି ଉଚ୍ଚ କିଏ ଆଉ ନିଚ କିଏ-? ସେଠାରେ ତୁମେ ଯେତେ ଗଭୀରଯାଏ ଯିବାକୁ ମନ କରିବ, ସେତେ ଯାଇପାରିବ ଏବଂ ସେତେ ଉପକୃତ ହୋଇପାରିବ । ମୋ’ଟା ବଡ଼, ତୋ’ଟା ସାନ, କାରଣ ମୋ’ର ପରାକ୍ରମ ଅଧିକ ଓ ତୋ’ର ପରାକ୍ରମ ଅଳ୍ପ-ପୃଥିବୀରେ ଅଧିକାଂଶ ବାଦ ଏହାରି ଫଳରେ ଆରମ୍ଭ ହୋଇଛି । କିଏ କିଏ ହିସାବ ଦେଲାପରି ଏପରି ବି କହିଛନ୍ତି ଯେ ପୃଥିବୀରେ ଧର୍ମକୁ ଆଳ ବା କାରଣ କରି ଯେତେ ମଣିଷ ମରାଯାଇଛନ୍ତି, ଯୁଦ୍ଧମାନଙ୍କରେ କୁଆଡ଼େ ସେତେ ମଣିଷ ମରିନାହାନ୍ତି, ଏକଥାଟି ଶୁଣିବାବେଳକୁ ଭାରି ଆଚମ୍ବିତ ଲାଗିବ । କାରଣ, ସବୁ ଧର୍ମ ପ୍ରେମର କଥା କହିଛନ୍ତି, ଭଲ କାମ ଓ ଭଲ ବାଟର କଥା କହିଛନ୍ତି । ଶୁଦ୍ଧ ଓ ନିର୍ମଳ ହେବାକୁ କହିଛନ୍ତି । ଆଚାର ଦ୍ଵାରା ନିଜକୁ ଭଗବାନଙ୍କ ଲାଗି ଏକ ଉପଯୁକ୍ତ ଆସ୍ଥାନ ରୂପେ ତିଆରି କରିବା ବିଷୟରେ ମଧ୍ୟ କହିଛନ୍ତି । ଏଗୁଡ଼ିକ ତ ପ୍ରକୃତରେ କେଡ଼େ କେଡ଼େ ଭଲ କଥା । ତଥାପି ପୃଥିବୀରେ ଏତେ ମଣିଷ ଧର୍ମ ନାମରେ ଘୃଣା କରି ପାରୁଛନ୍ତି କିପରି ? ହିଂସ୍ର ହୋଇ ପାରୁଛନ୍ତି କିପରି ? ତୋ’ ଧର୍ମଠାରୁ ମୋ’ ଧର୍ମକୁ ସରସ ବୋଲି କହି ଏଡ଼େ ଉଗ୍ର ହୋଇ ପାରୁଛନ୍ତି କିପରି ? ଧର୍ମ ଭିତରେ ଏପରି କେଉଁଠି କ’ଣ ଖାଦ ରହିଛି, ଯାହାଫଳରେ କି ମଣିଷମାନେ ଧର୍ମ ନାମରେ କ୍ଷମତା ପାଖରେ ଗୋଲାମ ହୋଇଯାଉଛନ୍ତି କାହିଁକି ? ପ୍ରତୀକଟିର ଉପାସନା କରୁ କରୁ ଜଣେ ସୁସ୍ଥ ଉପାସକ ତ ପ୍ରତୀକ ପଛରେ ରହିଥିବା ସତ୍ୟଟି ପାଖକୁ, ଆହ୍ଵାନଟି ପାଖକୁ ଯାଇ ପାରୁଥାନ୍ତା, ମାତ୍ର ପ୍ରତୀକଗୁଡ଼ାକ ଭିତରେ ଲଟରପଟର ହୋଇ ସିଏ ତଥାପି ଅତ୍ୟନ୍ତ ନୈରାଶ୍ୟଜନକ ଭାବରେ ଆଦିମ ହୋଇ ରହିପାରୁଛି କିପରି ? ଏଗୁଡ଼ିକର ସମୀକ୍ଷା ହେବା ଉଚିତ୍ । ସାହସର ସହିତ ସମୀକ୍ଷା ହୋଇପାରିବା ଉଚିତ । ମାତ୍ର, ଯଦି ଆମେ ସତକୁ ସତ ସତ୍ୟର ହିଁ ଅନ୍ଵେଷଣ କରି ବାହାରିଥିବା ଏବଂ ଉପଲବ୍ଧ ଅନୁଭବଗୁଡ଼ିକ ଅନୁସାରେ ଜୀବନଟିଏ ବଞ୍ଚିବାକୁ ମଧ୍ୟ ଇଚ୍ଛା କରୁଥିବା, ହୁଏତ ତେବେଯାଇ ଆମେ ସେହି ସମୀକ୍ଷାକୁ ମନ କରିପାରିବା । ନିଜର ପ୍ରତୀକ ଗୁଡ଼ିକୁ ଏକମାତ୍ର ସତ୍ୟ ବା ଏପରିକି ଏକମାତ୍ର ପ୍ରତୀକ ବୋଲି ମାନି ନେଉଥିବା ପର୍ଯ୍ୟନ୍ତ ଯାବତୀୟ ସମୀକ୍ଷା ପ୍ରତି ଆମର ମୁଖ୍ୟତଃ ଏକ ବିରାଗ ହିଁ ରହିଥିବ । ସତ୍ୟରେ ପହଞ୍ଚିବା ପାଇଁ କ’ଣ କେବଳ ଗୋଟିଏ ବାଟ ରହିଛି ? ଯଥାର୍ଥ ବିନୟ ଓ ଯଥାର୍ଥ ସହିଷ୍ଣୁତା ସେତିକିବେଳେ ଆସେ ଯେତେବେଳେ ଆମେ ନିଜେ ଗୋଟିଏ ବାଟ ଚାଲୁଥାଉ ଏବଂ ସେହି କାରଣରୁ ହିଁ ଅନ୍ୟମାନେ ମଧ୍ୟ ବାଟ ଚାଲୁଛନ୍ତି ବୋଲି ସଙ୍କେତମାନ ପାଇଥାଉ । ମାତ୍ର ଧର୍ମ ଓ ଠାକୁରମାନଙ୍କ ନାଆଁରେ ଯିଏ ନିଜକୁ ନିଜର ଘରଟା ଭିତରେ କିଳି ରଖିଥାଏ, ସିଏ ପ୍ରାୟ ଗରଜରେ ପଡ଼ି ଅସହିଷ୍ଣୁ ହୁଏ ।

 

ପୃଥିବୀର ଧର୍ମମାନେ କ’ଣ ମୁଖ୍ୟତଃ ସେହିଭଳି କେତେକ କାରଣରୁ ଇତିହାସଯାକ ଭଳି ଭଳି ଅସହିଷ୍ଣୁ ଆଚରଣ କରି ଆସିଛନ୍ତି କି ? ଅସହିଷ୍ଣୁ ଆଚରଣ କରିବାର ସେହି ବହିଟିରେ ଏବେସୁଦ୍ଧା ଶେଷପୃଷ୍ଠା ଲେଖା ହୋଇନାହିଁ ଏବଂ ଏବେ ମଧ୍ୟ ନୂଆ ନୂଆ ଢଙ୍ଗରେ ଏବଂ ନୂଆ ନୂଆ ଉପଦ୍ରବରେ ସେହି ଅସହିଷ୍ଣୁତାମାନ ଲାଗି ରହିଛି । ପ୍ରତ୍ୟେକ ଧର୍ମ ଆପଣାକୁ ହିଁ ପ୍ରାୟ ଏକମାତ୍ର ଅସଲ ଧର୍ମ ବୋଲି କହୁଛନ୍ତି । କେବଳ ସେହି ବାଟରେ ଗଲେ ପୃଥିବୀରେ ଶାନ୍ତି, ମୈତ୍ରୀ, ସଦ୍‍ଭାବ ଓ ଆହୁରି କେତେ କ’ଣର ପ୍ରତିଷ୍ଠା ଅତ୍ୟନ୍ତ ସହଜଭାବରେ ହୋଇଯିବ ବୋଲି ଧର୍ମଘରର ଚାରଣମାନେ କେଡ଼େ ଉତ୍ସାହରେ ପ୍ରଚାର କରିବାରେ ଲାଗିଛନ୍ତି । ତଥାପି ପୃଥିବୀରେ ଅଶାନ୍ତି, ଅମୈତ୍ରୀ ଓ ଅସଦ୍‌ଭାବରେ ଲୌହଶକଟମାନେ ଆମ ସାମୂହିକ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଘିଡ଼ି ଘିଡ଼ି ଶବ୍ଦ କରି ଚାଲିଯାଉଛନ୍ତି । ଏଥିରେ ଠାକୁରମାନଙ୍କର ସମର୍ଥନ ଓ ଆଶୀର୍ବାଦ ରହିଛି ବୋଲି ସଂପୃକ୍ତ ପ୍ରବକ୍ତାମାନେ କହିବାରେ ଲାଗିଛନ୍ତି । ସମ୍ଭବତଃ ସେହି କାରଣରୁ ଏବେ ଠାକୁରମାନେ ଆଉ ଏହିସବୁ ଖଳ ଖେଳକୁ ମୋଟେ ବନ୍ଦ କରି ପାରୁନାହାନ୍ତି । ଆଧୁନିକ ଯୁଗରେ ଏହିସବୁ ଖେଳ ସତେଅବା ଅଧିକ ଚାତୁର୍ଯ୍ୟର ସହିତ ବୃଦ୍ଧି ପାଇବାରେ ଲାଗିଛି । ସତେଅବା ଅନୁରୂପ ମଣିଷମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ପୃଥିବୀର ଭାଗ୍ୟମଞ୍ଚରେ ଠାକୁରମାନେ ଖଳନାୟକ ସାଜି ବାହାରିଛନ୍ତି । ଧର୍ମ ନାମରେ ହୁଏତ ବେଶି ମଣିଷ ନିଶା ହିଁ ଖାଉଛନ୍ତି ଏବଂ ବିବେକ ହରାଉଛନ୍ତି । ପ୍ରତ୍ୟେକ ଧର୍ମର ପୁସ୍ତକମାନଙ୍କରେ ବିବେକର କେଡ଼େ କେଡ଼େ କଥାମାନ ଲେଖାଯାଇଛି । ମାତ୍ର ଜୀବନଟିଏ ବଞ୍ଚିବାର କ୍ଷେତ୍ରରେ ସେହି କଥାଗୁଡ଼ିକ ଆଉ ପ୍ରାୟ କୌଣସି କାମରେ ଲାଗୁ ନାହାନ୍ତି । ସତେ ଅବା ଠାକୁରମାନେ ଏଠି ହାତପାଆନ୍ତାରେ ଆଦୌ କେଉଁଠିହେଲେ ନାହାନ୍ତି ଯେ ଆବଶ୍ୟକ ପଡ଼ିଲେ ଦଉଡ଼ିଆସି ହସ୍ତକ୍ଷେପ କରିପାରିବେ ।

 

ଦେବତାମାନେ ସ୍ଵର୍ଗରେ ଅଛନ୍ତି । ସେମାନଙ୍କର ଅଧିଷ୍ଠାନ ନିମନ୍ତେ ମନୁଷ୍ୟର କଳ୍ପନା ସେଠାରେ ଥାକ ଥାକ କରି ଆବାସମାନ୍ୟ ତିଆରି କରିଦେଇଛି । ଏହି ପୃଥିବୀର ଜୀବନକୁ ପ୍ରତାପୀ ମଣିଷମାନେ ଯେତିକି ଅସୁନ୍ଦର ଓ ଅଯୋଗ୍ୟ କରି ରଖିଛନ୍ତି, ସତେ ଅବା ତାହାର ଏକ କ୍ଷତିପୂରଣ ଭଳି ସ୍ଵର୍ଗକୁ ସେତିକି ବହଳ ଭାବରେ ଆକର୍ଷଣୀୟ ଏବଂ ନିଖୁଣ ଭାବରେ ଥାପି ଦିଆଯାଇଛି । ଏହି ପୃଥିବୀରେ ସବୁ ଦୁଃଖ, ସ୍ଵର୍ଗରେ ଗୋଟା ସୁଦ୍ଧା ସୁଖ । ପୃଥିବୀରେ ସବୁ କ୍ଷଣିକ, ସ୍ଵର୍ଗରେ ସବୁକିଛି ଚିରନ୍ତନ । ପୃଥିବୀର ଧର୍ମମାନେ ଭଗବାନଙ୍କୁ ପ୍ରକୃତରେ କେଉଁ ସୁଖ ଦେବାର ମତଲବରେ ତାଙ୍କୁ ଏପରି ପୃଥିବୀ ବାହାର କରି ରଖିଛନ୍ତି କେଜାଣି ? ସେଇ ଭଗବାନ ତ ଏହି ପୃଥିବୀକୁ ସୃଷ୍ଟି କରିଛନ୍ତି, ମାତ୍ର ତାପରେ କ’ଣ ପାଇଁ ଯେ ପୃଥିବୀକୁ ଛାଡ଼ି ତେଣେ ସ୍ଵର୍ଗରେ ଯାଇ ରହିଛନ୍ତି, ପୃଥିବୀର କୌଣସି ଧର୍ମରେ ହୃଦୟ ବୁଝିପାରିଲା ଭଳି ତାହାର କୌଣସି ବ୍ୟାଖ୍ୟା ଦିଆଯାଇନାହିଁ । ଭଗବାନ ଝର ପବିତ୍ର ଓ ପୃଥିବୀ ଭାରି ଅପବିତ୍ର । ତେଣୁ ସିଏ ତେଣେ ଯାଇ ରହିଛନ୍ତି ବୋଲି ଧର୍ମ ଘରର ବୁଦ୍ଧିଆ ମଣିଷମାନେ ବେଳେବେଳେ କୈଫିୟତ୍ ଦେଲାପରି କହିଛନ୍ତି-। ପବିତ୍ର ଅପବିତ୍ରକୁ ଏତେ ଡରିବ କାହିଁକି କେଜାଣି ? ରାତିର ଅନ୍ଧାରକୁ ଡରୁଥିଲେ ଆଲୋକର ଭେଳା ନେଇ ପୃଥିବୀକୁ ଆସୁଥିବା ସୂର୍ଯ୍ୟ ହୁଏତ ଏକାବେଳେକେ ଅନ୍ୟପ୍ରକାରେ ଆଚରଣ କରୁଥାନ୍ତା ଏବଂ ଯେଉଁ ଭଗବାନ ଏହି ବିଶ୍ଵବ୍ରହ୍ମାଣ୍ଡକୁ ତିଆରି କରିଛନ୍ତି ଓ ତେଣୁ ସୂର୍ଯ୍ୟ ମଧ୍ୟ ତାଙ୍କରି ହାତରେ ଗଢ଼ା ହୋଇଛି, ସିଏ କାହିଁକି ପୃଥିବୀକୁ ଡରୁଥିବା ପରି ଏଠାରୁ ଅଲଗା ହୋଇ ରହୁଥିବେ, ଏହି କଥାଟି ସରଳ ବିଶ୍ଵାସୀ ଶ୍ରଦ୍ଧାଶୀଳ ବିବେକ ନିମନ୍ତେ ପ୍ରକୃତରେ ଏକ ବଡ଼ ରହସ୍ୟ ପରି ମନେ ହୁଏ ।

 

ସମ୍ଭବତଃ ଏହି ଅଡ଼ୁଆଟି ମଧ୍ୟରୁ ଏକ ସମାଧାନ ବାହାର କରିବାକୁ ଚେଷ୍ଟା କରି ଭାରତବର୍ଷରେ ଅବତାରବାଦର ଆଲୋଚନା କରାଯାଇଛି । ଭଗବାନ ଏହି ପୃଥିବୀରେ ନଥାନ୍ତି । ସିଏ ତାଙ୍କ ନିଜପୁରରେ ଥାଆନ୍ତି, ମାତ୍ର ଏଠି ଆବଶ୍ୟକ ପଡ଼ିଲେ ପୃଥିବୀକୁ ଆସନ୍ତି । ପୃଥିବୀରେ ଜନ୍ମଗ୍ରହଣ କରନ୍ତି । ପୃଥିବୀ ଉଚ୍ଛନ୍ନ ହେବାକୁ ବସିଲେ ଆସନ୍ତି, ଅବତାରରୂପେ ପୃଥିବୀକୁ ସମ୍ଭାଳନ୍ତି; ଦୁଷ୍କୃତମାନଙ୍କର ନିଧନ ଘଟାନ୍ତି ଏବଂ ସାଧୁମାନଙ୍କର ପରିତ୍ରାଣ କରାନ୍ତି । ଅଧର୍ମର ଥାନରେ ଧର୍ମର ସଂସ୍ଥାପନା କରନ୍ତି । ଏହି ପୃଥିବୀରୁ କେହି ଆରତରେ ପଡ଼ି ଡାକିଲେ ସେହି ଡାକକୁ ଶୁଣି ସିଏ ଚକ୍ର ବି ପେଷି ଦିଅନ୍ତି । ଭଗବାନଙ୍କର ଏହି ଅବତାର-ଉପାଖ୍ୟାନଗୁଡ଼ିକୁ ନେଇ ଭାରତବର୍ଷରେ ମନୁଷ୍ୟମାନଙ୍କ ଭିତରେ କେତେ କନ୍ଦଳ ଲାଗିଛି । ଭଗବାନ କେତେଥର ଏହିପରି ଅବତାର ଗ୍ରହଣ କରି ପୃଥିବୀକୁ ଆସିଛନ୍ତି, ସେହି ବିଷୟରେ ବିଶ୍ଵାସୀମାନଙ୍କ ମଧ୍ୟରେ ମତଭେଦ ବି ରହିଛି । ଏବେ, ଏକାବେଳେକେ ଆଧୁନିକ କାଳରେ ମଧ୍ୟ ସଂପ୍ରଦାୟମାନେ ନିଜର ମୂଳ ମହାପୁରୁଷଙ୍କୁ ଏକ ଅବତାର ବୋଲି ଘୋଷଣା କରି ଦେଇଛନ୍ତି । ଅବତାରର ଏକାଧିକ ଦାର୍ଶନିକ ସରଳୀକରଣ ମଧ୍ୟ କରାଯାଇଛି । ତଦ୍ଦ୍ଵାରା ଭଗବାନଙ୍କ ବିଷୟରେ ମଣିଷମାନେ ଯେତେ ପରିଷ୍କାର ହୋଇନାହାନ୍ତି, ସଂପ୍ରଦାୟ ସଂପ୍ରଦାୟ ମଧ୍ୟରେ ରହି ଯାଉଥିବା ବାଡ଼ ଏବଂ ବ୍ୟବଧାନଗୁଡ଼ିକ ବିଷୟରେ ହୁଏତ ତା’ଠାରୁ ଅଧିକ ସୂଚନା ପାଇଛନ୍ତି ।

 

ଭଗବାନଙ୍କୁ ନେଇ ଯଥେଚ୍ଛ ପରିମାଣରେ ଭାବପ୍ରବଣ ହେଉଥିବା ଭାବହୀନ ମନୁଷ୍ୟମାନେ ସେହି ପୁରୁଣା ଅମଳରୁ ହିଁ ‘ଅବତାର’ ଶବ୍ଦଟିରୁ ‘ଅବତାରୀ’ ବୋଲି ଆଉଗୋଟିଏ ଶବ୍ଦ ମଧ୍ୟ ବାହାର କରିଛନ୍ତି । ଅବତାର ତ ଅନେକ, ମାତ୍ର ଏମାନେ ବି କେଉଁ ମୂଳ ଉତ୍ସଟିରୁ ଉଦ୍‌ଭୂତ ହୋଇ ଆସିଛନ୍ତି ? ସେମାନେ ଏହି ପ୍ରଶ୍ନଟିକୁ ଭାରି ଆସକ୍ତିପୂର୍ଣ୍ଣ ଭାବରେ ଉତ୍‌ଥାପନ କରିଛନ୍ତି । ସେହି ମଥାମଣି ତୁଲ୍ୟ ମୂଳ ଉତ୍ସ-ଅବତାରଙ୍କୁ ସେମାନେ ଅବତାରୀ ବୋଲି କହିଛନ୍ତି । ଅବତାର କଳ୍ପନାରେ ବିଶ୍ଵାସ କରୁଥିବା ସଂପୃକ୍ତ ସମସ୍ତେ ସର୍ବସମ୍ମତ ଭାବରେ ଜଣଙ୍କୁ ଅବତାରୀ ବୋଲି ମାନି ନେଉଥିଲେ, ସେହି କଥାଟିକୁ ଏବଂ ସେହି ମଣିଷମାନଙ୍କୁ ଅବଶ୍ୟ ବୁଝି ହେଉଥାନ୍ତା । ମାତ୍ର, ଦୁର୍ଭାଗ୍ୟ ବଶତଃ ସେପରି ମୋଟେ ହୋଇନାହିଁ । ଭଗବାନଙ୍କର ଏକାନ୍ତ ଦୁର୍ଭାଗ୍ୟ ଯେ ଯେଝା ସମ୍ପ୍ରଦାୟର ଅବତାରଙ୍କୁ ସେହି ସଂପ୍ରଦାୟର ଅନୁଗାମୀମାନେ ହିଁ ଅବତାରୀ ବୋଲି ଘୋଷଣା କରିଛନ୍ତି । କୃଷ୍ଣମାର୍ଗୀ ସମ୍ପଦ୍ରାୟମାନେ କୃଷ୍ଣଙ୍କୁ ଅବତାରୀ ବୋଲି କହିଛନ୍ତି ଏବଂ ଆଉ ଅନ୍ୟ କେଉଁ ମାର୍ଗୀ ସମ୍ପ୍ରଦାୟଟି ତାଙ୍କ ଅବତାରଙ୍କୁ ଅବତାରୀ ବୋଲି କହିଛନ୍ତି । ଏହାଦ୍ୱାରା ସେମାନଙ୍କର ଅବତାରମାନେ ବିଚରା ଅତ୍ୟନ୍ତ ଅନୁଗତ ଭାବରେ ସେହି ସଂପ୍ରଦାୟଗୁଡ଼ିକର ମାଧ୍ୟମରେ ସେହି ଅନୁଗାମୀମାନଙ୍କୁ ହିଁ ଅନ୍ୟ ସମସ୍ତଙ୍କର ତୁଳନାରେ ଅନନ୍ୟ, ସର୍ବୋଚ୍ଚ ଏବଂ ସମସ୍ତଙ୍କଠାରୁ ଅସଲ ବୋଲି ଅନୁଭବ କରିବାର ମୋଟା ଅବସରଟିଏ ଆଣି ଯୋଗାଇ ଦେଇଛନ୍ତି-। ଭଗବାନଙ୍କୁ ବଡ଼ ନକରି ଏମାନେ ସମସ୍ତେ ସତେଅବା ଯେପରି ନିଜର ବଡ଼ିମାମାନଙ୍କୁ ଅଧିକ ଉତୁଙ୍ଗ କରି ଜାହିର କରିବା ନିମନ୍ତେ ଏତେ କବିପଣ କରିଛନ୍ତି ଏବଂ ଅସଲ ନିଷ୍ଠା ଗୁଡ଼ିକର ଦାଣ୍ଡରେ ଧରା ପଡ଼ି ଯାଇଛନ୍ତି ।

 

ଓଡ଼ିଶାରେ ବଡ଼ ଠାକୁର ଜଗନ୍ନାଥଙ୍କୁ ନେଇ ଏହି ଦୌରାତ୍ମ୍ୟଟିକୁ କେଡ଼େ ପ୍ରେମର ସହିତ କରାଯାଇଛି । ମଧ୍ୟଯୁଗରେ ଶ୍ରୀଚୈତନ୍ୟ ଦେବଙ୍କ ସହିତ ନୀଳାଚଳ ଧାମକୁ ଆସିଥିବା ଗହଣିଆମାନେ ନିଜ ସମ୍ପ୍ରଦାୟଗତ ବିଧିଟି ଅନୁସାରେ କୃଷ୍ଣଙ୍କୁ ଅବତାରୀ ବୋଲି କହୁଥିଲେ । ପୁରୀର ଓଡ଼ିଆ ଭକ୍ତମାନେ କେଡ଼େ ଉତ୍ସାହରେ ଜଗନ୍ନାଥଙ୍କୁ ହିଁ ଆଦିସ୍ଥାନୀୟ ଅର୍ଥାତ୍ ସର୍ବୋଚ୍ଚ ବୋଲି ମାନି ଆସୁଥିଲେ । ତେଣୁ ଗୌଡ଼ୀୟମାନଙ୍କର ଅନ୍ୟପ୍ରକାର ଗଣିତଟିକୁ ସେମାନେ ଆଦୌ ଗ୍ରହଣ କରି ପାରି ନଥିବେ । ସେମାନେ ମୋଟେ ସାଲିସ୍ କରିପାରିଲେ ନାହିଁ । ସେମାନେ ପ୍ରାୟ ଏକ ସମାନ୍ତର ଅତିପ୍ରୀତିରେ ଜଗନ୍ନାଥଙ୍କୁ ଅବତାରୀ ବୋଲି କହିଲେ । ଜଗନ୍ନାଥ ଷୋଳକଳା ହେଲେ ନନ୍ଦସୂତ କୃଷ୍ଣ ଗୋଟିଏ କଳା ଅର୍ଥାତ୍ ତାଙ୍କର ଷୋଳଭାଗରୁ ଭାଗେ ବୋଲି କହି ଶାସ୍ତ୍ର ଲେଖିଲେ । ଅନେକ ପିଲା ଥାଆନ୍ତି, ନିଜ ନିଜର ଖେଳନା ନେଇ କଳହ କରନ୍ତି । ନିଜର କଣ୍ଢେଇଟିକୁ ଅନ୍ୟ ସବୁ କଣ୍ଢେଇ ଠାରୁ ଅଧିକ ବଢ଼ିଆ ବୋଲି କେତେ ମାନ ଦେଖାଇ କହୁଥାନ୍ତି । ଅନେକ ସମୟରେ ଉପାସନାର ଭିନ୍ନ ଭିନ୍ନ ସଂପ୍ରଦାୟ ନିଜ ନିଜ କଣ୍ଢେଇଟିକୁ ନେଇ ସେହିପରି କମ୍ କଳହକାବ୍ୟ ରଚନା କରିନାହାନ୍ତି । ଏପରି କରି ସେମାନେ ସରଳ ମଣିଷମାନଙ୍କୁ ଭଗବାନଙ୍କ ଠାରୁ ସତେଅବା କେତେ ଦୂରକୁ ଓ କେତେ ଆଢ଼ୁଆଳକୁ ନେଇଯାଇଛନ୍ତି । ଯୋଉ ମଣିଷ ଭଗବାନଙ୍କୁ ଦେଖିବ ବୋଲି ଘରୁ ବାହାରିଥାଏ, ସିଏ ଯଦି କେବଳ ନିଜ ଭିତରର ଏତେ ବଡ଼ ଅହମିକାଟିକୁ ହିଁ ପଥରଟା ପରି ମୁଣ୍ଡରେ ମୁଣ୍ଡାଇ ପ୍ରଗଳ୍ଭତା କରିବାକୁ ଆରମ୍ଭ କରେ ତେବେ ତାହାକୁ ଜାଣି ଜାଣି ଟାଣ ପାଲଟି ଯାଇଥିବା ଗୋଟାଏ ଅନ୍ୟମତି ଏବଂ ଅନ୍ୟରତି ଅମଣିଷ ବୋଲି ହିଁ କୁହାଯିବ । ଅହମିକାରେ ଭକ୍ତି ନଥାଏ, ହୁଏତ ଭାବପ୍ରବଣତା ଭର୍ତ୍ତି ହୋଇ ରହିଥାଏ । ଅସଲ ଭାବ ସମ୍ମତ ଯେ କୌଣସି ମନୁଷ୍ୟକୁ କୋମଳ କରେ, ଗ୍ରହଣଶୀଳ କରେ, ତା’ ଜୀବନକୁ ମହାସାଗରର ବିସ୍ତାର ଆଣି ଦିଏ । ଭଗବାନଙ୍କୁ ନିଜର ଉଗ୍ର କଳ୍ପନା ଗୁଡ଼ିକ ମଧ୍ୟରେ କେଉଁଠି ବୃହଦାକାର କରି ବସାଇଦେଇ ଯେଉଁମାନେ କାଳେ କାଳେ ନିଜର ବଡ଼ିମାଗୁଡ଼ିକର ପ୍ରଦର୍ଶନ କରିବାକୁ ସୁଖ ପାଇ ଆସିଛନ୍ତି, ସେମାନଙ୍କୁ ସମ୍ଭବତଃ କାଳେ କାଳେ ଏକ ଦୟନୀୟ ହୀନଭାବ କାମୁଡ଼ି ରହିଆସିଛି । ଆମ ପୃଥିବୀ ଲାଗି ସେମାନେ ବହୁ ବହୁ ବିଭ୍ରାଟର କାରଣ ହୋଇ ରହିଛନ୍ତି । ଆମର ଏହି ଜାତୀୟତାବାଦୀ ଯୁଗର ଢମଗୁଡ଼ାକୁ ଆହୁରି ଫେଣାଇ କରି ରଖିବାରେ ସେମାନେ ଭାରି ଚତୁରତାର ସହିତ ରସଦ ଯୋଗାଇ ଦେଇଛନ୍ତି ।

 

ଭଗବାନଙ୍କୁ ଯଦି ଆମେ ସର୍ବବ୍ୟପୀ ବୋଲି କହିବା, ତେବେ ସିଏ ଏହି ପୃଥିବୀରେ ନାହାନ୍ତି ବୋଲି ପ୍ରାୟ ସେହି ଏକା ନିଶ୍ଵାସରେ କିପରି ଦାବି କରି କହିପାରିବା ? ଏବଂ, ଯେଉଁ ଭଗବାନ ଏହି ପୃଥିବୀରେ ବାହାରେ ଅଛନ୍ତି ବୋଲି ଆମେ ଯେଉଁମାନେ ସତେଅବା ଦେଖି ଆସିଥିବା ପରି କହିଆସିଛୁ, ସେମାନେ ପ୍ରାୟ ଅଭିସନ୍ଧି କରି ତଦ୍ଦ୍ଵାରା ଅତ୍ୟନ୍ତ ଶୋଚନୀୟ ଭାବରେ ତାଙ୍କୁ ଖଣ୍ଡିଆ କରି ପକାଇନାହୁଁ ତ ? ଯେଉଁ ମଣିଷମାନେ ସଂସାରରେ ଜନ୍ମ ହୋଇ ମଧ୍ୟ ତଥାପି ସଂସାରକୁ ଡରି ନିଜର ଏକ ସ୍ଵତନ୍ତ୍ର ଡେରା ପକାଇ କେବଳ ସେହିଠାରେ ହିଁ ସିଏ ରହିଛନ୍ତି ବୋଲି ଦାବି କରିଛନ୍ତି ଏବଂ ଯେଉଁମାନେ ସେହିମାନଙ୍କର ବାଟଟାକୁ ହିଁ ଭଗବାନଙ୍କୁ ଲାଭ କରିବାର ଏକମାତ୍ର ବାଟ ବୋଲି କେଡ଼େ ଉତ୍ତେଜିତ ଭାବରେ ବିଚାର କରି ଆସିଛନ୍ତି, ହୁଏତ ସେଇମାନେ ଭଗବାନଙ୍କୁ ଖଣ୍ଡିଆ କରି ପକାଇଛନ୍ତି, ଧର୍ମଗୁଡ଼ିକୁ ଅତ୍ୟନ୍ତ ଅଲକ୍ଷଣା କରି ରଖିଛନ୍ତି । ଯିଏ ସର୍ବଶକ୍ତିମାନ୍, ଏହି ପୃଥିବୀ ମଧ୍ୟ ତାଙ୍କରି ସେହି ଶକ୍ତିର ପରିଚାୟକ ଓ ପରିବାହକ ହୋଇ ଅବଶ୍ୟ ରହିବ । ତେଣୁ, କୁମ୍ଭାର ହାଣ୍ଡି ତିଆରି କଲାପରି ଜଗତସ୍ରଷ୍ଟା ଜଗତକୁ ସୃଷ୍ଟି କରିନାହାନ୍ତି । ଏକ ଅଧିକ ସମାଧାନକାରୀ ରୂପକ ଖୋଜିବାକୁ ଯାଇ ପ୍ରାଚୀନ ଶାସ୍ତ୍ରରେ ବୁଢ଼ିଆଣୀର ସାହାଯ୍ୟ ନିଆଯାଇଛି । ବୁଢ଼ିଆଣୀ ତା’ ଜାଲଟିକୁ ତିଆରି କରି ତାହାରି ମଝିରେ ବସି ରହିଥାଏ । ଏବଂ, ଜାଲକୁ ତିଆରି କରିବାର ଉପାଦାନଟିକୁ ମଧ୍ୟ ସିଏ ନିଜ ଭିତରୁ ବାହାର କରେ । ଅର୍ଥାତ୍, ସ୍ୱୟଂ ବୁଢ଼ିଆଣୀ ଯେଉଁ ମୂଳ ଉପାଦାନରେ ତିଆରି ହୋଇଛି ତା’ ଜାଲଟିକୁ ମଧ୍ୟ ସିଏ ନିଜ ଭିତରୁ ବାହାର କରେ । ସିଏ ସେହି ଉପାଦାନରେ ତିଆରି କରେ । ଜଗତସ୍ରଷ୍ଟା କୁମ୍ଭାର ହାଣ୍ଡି ଗଢ଼ିଲା ପରି ଏହି ଜଗତକୁ ସୃଷ୍ଟି କରିନାହାନ୍ତି । ଏହି ଜଗତରେ ସିଏ ପରିଣତ ହୋଇଛନ୍ତି । ସିଏ ହେଉଛନ୍ତି ଏହି ଜଗତ ଏବଂ ଜଗତ ହେଉଛି ତାଙ୍କରି ପ୍ରକାଶ । ଏହି ଅନ୍ୟ କଳ୍ପନାଟି ଧର୍ମରେ ନାହିଁ, ଅଧ୍ୟାତ୍ମ ଭିତରେ ରହିଚି । ଆଧ୍ୟତ୍ମ କୌଣସି ଧର୍ମକୁ ମାନିବ ଦ୍ଵାରା ସମ୍ଭବ ହୁଏ ନାହିଁ । ଧର୍ମ ହୁଏତ ମନ କଲେ ନିଜର ଗାର ଗୁଡ଼ିକୁ ଡେଇଁ ଅଧ୍ୟାତ୍ମ ଭିତରେ ପ୍ରବେଶ କରିପାରେ ।

Unknown

 

ତେଣୁ ଭଗବାନ ହିଁ ଏହି ପୃଥିବୀ ଭିତରେ ପ୍ରତିଭାତ ହେଉଛନ୍ତି, ଇଏ ଏକ ଅନ୍ୟ ଚେତନାର କଥା । ଏବଂ, ଏହି ଚେତନା ମଧ୍ୟକୁ ଆସିଲେ ଜଣେ ମଣିଷ ଜଗତ ସହିତ ରହିଥିବା ତା’ର ସମ୍ପର୍କ ଗୁଡ଼ିକର କ୍ଷେତ୍ରରେ ସତେଅବା ଯାବତୀୟ ଧର୍ମର ଗାରକୁ ଡେଇଁ ଏକ ଅନ୍ୟ ସ୍ତର ମଧ୍ୟକୁ ପ୍ରବେଶ କରେ । ସେହି ସ୍ତରକୁ ବାସ୍ତବ ବହୁ ଅର୍ଥରେ ଏକ ଆତ୍ମୀୟତାର ସ୍ତର ବୋଲି କୁହାଯାଇପାରିବ । ଏହି ଚେତନାରେ ପହଞ୍ଚିଲେ ପୃଥିବୀ ଭାରି ଭଲ ଲାଗିବ । ପୃଥିବୀ ଆଉ ମୋଟେ ମାୟା ଅଥବା ମିଥ୍ୟା ବୋଲି ଲାଗିବ ନାହିଁ । ପୃଥିବୀକୁ ପାରି ହୋଇ ଆଉ କେଉଁଠିକୁ ଚାଲିଯିବାକୁ ମୋଟେ ମୁକ୍ତି ବୋଲି କୁହାଯିବ ନାହିଁ । ଅର୍ଥାତ୍, ପୃଥିବୀଟା ହିଁ ଯାବତୀୟ କଷଣ ଓ ଦୁଃଖର ଆକର ବୋଲି ଘୋଷଣା କରି ଏଠାରୁ ଆଉ କେଉଁଠାକୁ ପଳାୟନ କରିବାର ଇଚ୍ଛା ହେବ ନାହିଁ । ଆଗରେ ପାହାଡ଼ଟାଏ ବାଟ ଉଗାଳୁଛି ଦେଖିପାରି କୌଣସି ମନୁଷ୍ୟ ପାହାଡ଼କୁ ଡରି ଦଉଡ଼ି ପଳାଇ ଆସିନାହାନ୍ତି । ସେମାନେ ପାହାଡ଼ରେ ବାଟ କାଢ଼ିଛନ୍ତି, ପାହାଡ଼ଟିକୁ ଆରୋହଣ କରିଛନ୍ତି ଏବଂ ପାହାଡ଼ର ଶିଖର ଦେଶରେ ଯାଇ ପହଞ୍ଚିଛନ୍ତି । ବହୁ ଧର୍ମରେ ପୃଥିବୀଟାକୁ ପ୍ରାୟ ଅଣଅକ୍ତିଆର ବୋଲି ଘୋଷଣା କରାଯାଇଥିବାରୁ ହିଁ ସ୍ଵର୍ଗର ଏକ ମନେମୁଗ୍ଧକାରୀ କଳ୍ପନା କରାଯାଇଛି । ଏଠାରେ ନିଜ ଭିତରେ ହାରି ଯାଇଥିବା ମଣିଷ ହିଁ ସେହିଠାରେ ହିଁ ସବୁଯାକ ପ୍ରାପ୍ତି ଓ ସବୁଯାକ ତୃପ୍ତି ରହିଚି ବୋଲି କହିବାକୁ ମନ କରିଛି । ମନେ ମନେ ସଂସାରରେ ହାରି ଯାଇଥିବା ମଣିଷମାନେ ପାଣ୍ଡିତ୍ୟ ଦେଖାଇ ଭଗବାନଙ୍କୁ ଏହି ପୃଥିବୀର ବାହାରେ ବୋଲି କଳ୍ପନା କରିଛନ୍ତି କି-? ଭଗବାନଙ୍କୁ ପୃଥିବୀର ବାହାରେ ଠାବ କରିଥିବା ମଣିଷମାନେ ପୃଥିବୀରେ ଭଗବାନଙ୍କ ନାମରେ ବେଶି ଦୁଷ୍ଟପଣ ଏବଂ ଦୌରାତ୍ମ୍ୟ କରିଛନ୍ତି । ଭଗବାନ ବାହାରେ ରହିଥିବାରୁ ହି ‘ସମ୍ଭବତଃ’ ଅଧିକ ନିଦକ ଭାବରେ ସେମାନେ ପୃଥିବୀଟାକୁ ନିଜର ନକ୍ସା ଓ ନିଜର ଲାଳସା ମୁତାବକ ଉଠାଇବାକୁ ପକାଇବାକୁ ସାହସ କରିଛନ୍ତି । ଅଧିକାଂଶ ମଣିଷଙ୍କୁ ଅସହାୟ ରଖି ସେମାନେ ସଂଖ୍ୟାରେ ଅଳପ ହେଲେ ମଧ୍ୟ ଏଠାରେ ଆପଣାର କ୍ରୂର ଖିଆଲଗୁଡ଼ାକୁ ଚରିତାର୍ଥ କରିଛନ୍ତି । ଇଉରୋପରେ ମଧ୍ୟଯୁଗ ପର୍ଯ୍ୟନ୍ତ ପ୍ରାୟ ଏହିପରି ଏକ ଅନ୍ଧାର ମଣିଷମାନଙ୍କର ମନକୁ ଆଚ୍ଛନ୍ନ କରି ରଖିଥିଲା । ମଣିଷମାନଙ୍କର ଜୀବନକୁ କାବୁ କରି ରଖିଥିଲା । ଭାରତବର୍ଷରେ ଏବେ ମଧ୍ୟ ଯେ ଅଧିକାଂଶ ମଣିଷ ଭାଗ୍ୟବାଦୀ ପଶୁପଲ ପରି ନିଜର କର୍ମକଷଣକୁ ସହ୍ୟ କରୁଛନ୍ତି, ସେଥିଲାଗି ବହୁତ ପରିମାଣରେ ସେହି ଅନ୍ଧାରକୁ ହିଁ ଦାୟୀ କରାଯାଇ ପାରିବ । ଭଗବାନଙ୍କୁ ଏହି ପୃଥିବୀରେ ଥିବାର ଅନୁଭବ କରିପାରିଲେ କେବଳ ଯେ ପୃଥିବୀ ଭଲ ଲାଗେ ସେତିକି ନୁହେଁ, ପୃଥିବୀ ଭଲ ଲାଗିଲେ ଭଗବାନ ମଧ୍ୟ ଭଲ ଲାଗନ୍ତି, ଆମର ଅତ୍ୟନ୍ତ ପାଖରେ ଥିବା ପରି ଅନୁଭବ ହୁଅନ୍ତି । ଏହିଠାରେ ହିଁ ତାଙ୍କୁ ଖୋଜିବାକୁ ଓ ଆବିଷ୍କାର କରିବାକୁ ମନ ହୁଏ ।

 

ମଣିଷ ଯେଉଁ ପହୁଣ୍ଡଠାରୁ ଏହି ପୃଥିବୀ ଭିତରେ ହିଁ ସତ୍ୟକୁ ଖୋଜିବାକୁ ଏବଂ ଆବିଷ୍କାର କରିବାକୁ ଆରମ୍ଭ କଲାଣି ସମ୍ଭବତଃ ସେହି ଦିନଠାରୁ ପୃଥିବୀରେ ଆପଣାର ନିୟତିର ଇତିହାସରେ ସେ ଏକ ଏକାବେଳେକେ ନୂତନ ଯୁଗରେ ଆସି ପ୍ରବେଶ କରିଛି । ତାହାକୁ ଆମେ ଆଧୁନିକ ଯୁଗ ବୋଲି କହୁଛୁ । ଅନେକ ମଣିଷ ଏବେ ମଧ୍ୟ ଆମର ଚତୁର୍ଦ୍ଦିଗରେ ଅଛନ୍ତି ଯେଉଁମାନେ ଆଧୁନିକ ଯୁଗକୁ ଏକ ନାସ୍ତିକ ଯୁଗ ବୋଲି କହୁଛନ୍ତି । ସତ୍ୟ ଆମଠାରୁ ଦୂରରେ ରହିଛି । ଏହି ପୃଥିବୀର ବାହାରେ ରହିଚି, ସେହିଠାରେ ଥାଇ ପୁଣ୍ୟକୁ ପୁରସ୍କୃତ କରୁଛି ଏବଂ ପାପକୁ ଶାସ୍ତି ଦେଉଛି, ଏଇଟାକୁ ଯଦି ଆସ୍ତିକତା ବା ଈଶ୍ଵର ବିଶ୍ଵାସ ବୋଲି କୁହାଯିବ, ତେବେ ସତ୍ୟ ଆମର ଚାରିପାଖରେ ଆମକୁ ଲାଗି କରି ରହିଛି, ଆମେ ସମସ୍ତେ ସେହି ସତ୍ୟଟିକୁ ନିଜ ଭିତରେ ବହନ କରୁଛୁ, ସେହି ସତ୍ୟଟି ସହିତ ସହଯୋଗ କରିପାରିଲେ ଆମେ ପୃଥିବୀସ୍ଥ ଆମର ଏହି ଜୀବନରୁ ମଧ୍ୟ ଅନେକ ଅନ୍ଧକାର ଏବଂ ଅସହାୟତାକୁ ଦୂର କରିପାରିବା, ଏବଂ ସର୍ବୋପରି ଆମ ଜୀବନରେ ସତ୍ୟର ପରିଚୟ ଅଧିକରୁ ଅଧିକ ପ୍ରସାରିତ ହୋଇଯାଉଥିବା ସଙ୍ଗେ ସଙ୍ଗେ ଆମେ ତାହାକୁ ଆମର ଅଧିକରୁ ଅଧିକ ନିକଟବର୍ତ୍ତୀ ରୂପେ ଅନୁଭବ କରି ପାରୁଥିବା,–ଏଗୁଡ଼ିକୁ ଅତ୍ୟନ୍ତ ସମୀଚୀନ ଭାବରେ ହୁଏତ ନାସ୍ତିକତା ବୋଲି ହିଁ କୁହାଯାଇ ପାରିବ । ଏହି ଦ୍ଵିତୀୟ ପ୍ରକାରର ଅନ୍ଵେଷଣ ଏବଂ ସନ୍ଧାନରୁ ହିଁ ପୃଥିବୀ ବିଜ୍ଞାନ ପାଖକୁ ଆସିଲା, ଆପଣାର ଅନେକ ଅସହାୟତାକୁ ଜୟ କରି ପାରିଲା । ଆଧୁନିକ ବିଜ୍ଞାନ ଯେ ପୃଥିବୀର ମନୁଷ୍ୟମାନଙ୍କୁ ଏକ ଅଭିନବ ଆଧ୍ୟାତ୍ମିକ ଜୀବନର ନିକଟବର୍ତ୍ତୀ କରାଇ ଆଣୁଛି, ତାହା ଆମଲାଗି ଏକ ସ୍ଵତନ୍ତ୍ର ଆଲୋଚନାର ବିଷୟ ଅବଶ୍ୟ ହୋଇପାରନ୍ତା । ଜଡ଼ ସତ୍ୟର ମର୍ମ ଭେଦ କରୁ କରୁ ସତେ ଅବା କେତେ କେତେ ପ୍ରତ୍ୟୟର ଅଧିକାରୀ ହୋଇ ମନୁଷ୍ୟ ଯେ କ୍ରମେ ପାହାଚ ପାହାଚ ଉଠି ଏକ ସମଗ୍ର ବ୍ୟାକୁଳତା ଦ୍ଵାରା ଆଧ୍ୟାତ୍ମକୁ ନିଜ ଜୀବନର ନିକଟବର୍ତ୍ତୀ କରାଇ ଆଣିବା ଲାଗି ଆଗଭର ହେଲାଣି, ପୃଥିବୀରେ ଚେତନାର ଇତିହାସ ପ୍ରାୟ ସେହିପରି ଗୋଟିଏ ସମ୍ଭାବନାର କାହାଣୀକୁ ଉଦ୍‌ଘାଟିତ କରି ଆଣିବାର ପ୍ରୟାସ କଲାଣି । ଅଧିକରୁ ଅଧିକ ସ୍ପଷ୍ଟ ହୋଇଯାଉଛି ଯେ ମଣିଷ ଏଯାଏ ସତ୍ୟକୁ ଅଥବା ଭଗବାନଙ୍କୁ ମୁଖ୍ୟତଃ ଖଣ୍ଡିଆ କରି ଜାଣିଥିଲା, ମୁଖ୍ୟତଃ ଆପେ ପିନ୍ଧିଥିବା ସଂସ୍କାରଗତ ରଙ୍ଗକାଚଟାର ମାଧ୍ୟମରେ ସିଏ ତାଙ୍କୁ ଭାରି ଏକ ପାଖିଆ କରି ଦେଖୁଥିଲା, ତାଙ୍କୁ ନିଜର ଧର୍ମଟି ଦ୍ଵାରା ବାନ୍ଧି ରଖି ବହୁପ୍ରକାରେ କ୍ରୂର ଏବଂ ଉଦାସୀନ ହୋଇ ରହିବାଲାଗି ଗୁଡ଼ାଏ ପ୍ରଶ୍ରୟ ମଧ୍ୟ ପାଇଥିଲା ।

 

ମାତ୍ର, ବର୍ତ୍ତମାନ ବଡ଼ ପୃଥିବୀର ପରିଚୟଗୁଡ଼ିକୁ ଲାଭ କରିବା ସଙ୍ଗେ ସଙ୍ଗେ ହୁଏତ ମନୁଷ୍ୟଜାତି ଏବେଯାଇ ଯଥାର୍ଥ ବିନୟକୁ ଶିକ୍ଷା କରିବାରେ ଆଗ୍ରହୀ ହେଉଛି । ପାହାଚ ପାହାଚକୁ ଜାଣି ଯେତେବେଳେ ମଣିଷ ଉଚ୍ଚତର ପାହାଚ ଗୁଡ଼ିକର ପରିଚୟ ପାଏ, ସେତେବେଳେ ସିଏ ଅଧିକ ସମଗ୍ର ଭାବରେ ଆପଣାର ମାର୍ଗଟିକୁ ଉପଲବ୍ଧି କରିପାରେ । ସେହି ଉପଲବ୍ଧିରେ ଭୟ ନଥାଏ, ଘୃଣା ନଥାଏ, ଉପେକ୍ଷା ନଥାଏ, ତେଣୁ ସଂକୀର୍ଣ୍ଣତା ମଧ୍ୟ ନଥାଏ । ଆଗେ ମଣିଷମାନେ ଏତେ ଅଳପ ଦେଖୁଥିଲେ ଅର୍ଥାତ୍ କେବଳ ଏଇଟା ବା ସେଇଟାକୁ ଦେଖିବାଲାଗି ସେମାନେ ଏତେ ଅଧିକ ପରିମାଣରେ ବାଧ୍ୟ ହେଉଥିଲେ ଯେ, ସେମାନେ ଖାଲି ନିଜ ବାଟଟିକୁ ହିଁ ଦେଖୁଥିଲେ । ତାହାକୁ ହିଁ କେଡ଼େ ଆଡ଼ମ୍ବରରେ ଏକମାତ୍ର ବାଟ ବୋଲି କହୁଥିଲେ । ଇତିହାସରେ କ୍ଷମତାଧାରୀମାନେ ମଣିଷର ସେହି ଅଳ୍ପତାରୁ କମ୍ ଫାଇଦା ଉଠାଇ ନାହାନ୍ତି । ଏବେ ମଧ୍ୟ, ପୃଥିବୀର ଯେଉଁସବୁ ସମାଜରେ ବିଜ୍ଞାନ ମନୁଷ୍ୟର ଆବଶ୍ୟକତା ଅନୁସାରେ ଯଥେଷ୍ଟ ଅଗ୍ରଗତି କରିବା ନିମନ୍ତେ ଅନୁମତି ପାଇନାହିଁ, ସେଠାରେ ଅଧିକାଂଶ ମଣିଷ ଅଳ୍ପ କେତେଟା ବର୍ଗଙ୍କର ଆଜ୍ଞାପାଳନକାରୀ ଏବଂ ସାମନ୍ତ ବା ଶାସକମାନଙ୍କର ଅନୁଗ୍ରହକୁ ଅପେକ୍ଷା କରି ରହିଥିବାରୁ ଅକିଞ୍ଚନ ଏବଂ ବଳହୀନ ହୋଇ ରହିଛନ୍ତି । ଭଗବାନ୍ ବାହାରୁ ଆସିବେ ଓ ତେବେ ଯାଇ ଯୁଗ ବଦଳିବ ବୋଲି ସେହି ପୁରୁଣା ଔଷଧଟାକୁ ଜଳି ପଡ଼ି ରହିଛନ୍ତି । ଭୟରେ ପୃଥିବୀ ଚାଲିଛି, ସ୍ଵେଚ୍ଛାଚାର ରାଜା ହୋଇଛି, ଭଗବାନଙ୍କର ଏବଂ ଯୁଗଧର୍ମର ଦ୍ଵାହି ଦେଇ ବଡ଼ ମାଛମାନେ ସାନ ମାଛମାନଙ୍କୁ ଖାଇ ଯାଉଛନ୍ତି । ତେଣୁ, ଯାବତୀୟ ତଥାକଥିତ ଶିକ୍ଷା ଅଶିକ୍ଷାଗୁଡ଼ାକୁ ହିଁ ଜାରି କରି ରଖିଛି, ତଥାକଥିତ ଆଲୋକ ଅନ୍ଧାରଗୁଡ଼ାକୁ ମଡ଼ାଇ ରଖିବାରେ ନିମିତ୍ତ ହୋଇଛି । ଠାକୁରମାନଙ୍କୁ ମନ୍ଦିରମାନଙ୍କରେ ସେହି ଆଦିମ ରୀତିରେ ପୂଜା କରାଯାଉଛି । ହାତରେ ଧନ ଧରି ନଗଲେ ସେମାନେ ଆଦୌ ପ୍ରସନ୍ନ ହେବେନାହିଁ ବୋଲି ମଣିଷମାନଙ୍କର ମନରେ ମିଛ ଧାରଣାମାନ ଦିଆଯାଇଛି । ଠାକୁରଙ୍କର ଆସ୍ଥାନଗୁଡ଼ାକ ବଡ଼ଲୋକମାନଙ୍କର ନିବାସଗୃହ ପରି ଦେଖାଯାଉଛି । ସେଯାଏ ଯାଇ ସତକୁ ସତ କିଛି ମାଗି ପାରିବାକୁ ଅଧିକାଂଶ ମଣିଷଙ୍କର ପାଖରେ ମୁଦ୍ରା ନାହିଁ, ମନରେ ବଳ ନାହିଁ, ହୃଦୟରେ ସାହସ ନାହିଁ । ଅଧିକାଂଶ ମଣିଷଙ୍କୁ ଭଗବାନଙ୍କର ଦେଉଳଗୁଡ଼ାକ ସତେ ଅବା ଦୂରରେ କୌଣସି ସ୍ଵର୍ଗ ପରି ଲାଗୁଛି । ଭିତରକୁ ପଶି ନପାରି ସେମାନେ ସେହି ବାହାରେ ବୁଲୁଛନ୍ତି ଏବଂ କର୍ମକୁ ଦୋଷ ଦେବାରେ ଲାଗିଛନ୍ତି ।

 

ସତ୍ୟ ନଥାଏ, ସତୀକୁ ଠାବ କରିବାକୁ ହୁଏ । ଭଗବାନ ନଥାନ୍ତି, ଭଗବାନଙ୍କୁ ମଧ୍ୟ ଠାବ କରିବାକୁ ହୁଏ । ପୃଥିବୀର ଧର୍ମମାନେ ଏକାନ୍ତ ଭାବରେ ନାନା ସାଂସାରିକ କାରଣରୁ ସତ୍ୟ ଓ ଭଗବାନ ସତେ ଅବା ପୂର୍ବରୁ ହିଁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହିଛନ୍ତି ବୋଲି କହି ମଣିଷମାନଙ୍କୁ ଭୂଆଁ ବୁଲାଉଛନ୍ତି । କଳ୍ପନା ଭିତରେ ସତ୍ୟ କିମ୍ବା ଭଗବାନଙ୍କୁ କେଉଁଠି ଆପନା କରି ରଖି ସେଥିରୁ ବଳ ଏବଂ ଉତ୍ସାହ ପାଇବାରେ ଅବଶ୍ୟ ଆଦୌ କୌଣସି କ୍ଷତି ନାହିଁ । ମାତ୍ର, ସେହି କଳ୍ପନାଗୁଡ଼ିକୁ କୌଣସି ଉପନ୍ୟାସର ବାସ୍ତବ ବର୍ଣ୍ଣନାରେ ପରିଣତ କରି ତାହାକୁ ସତେଅବା ଗଣିତର ସୂତ୍ର ପରି ପ୍ରଚାର କରିବାରେ ଘୋର ବିପଦମାନ ସର୍ବଦା ରହିଆସିଛି । ଯେଉଁ ସତ୍ୟକୁ ଆମେ ଉଚ୍ଚତମ ସତ୍ୟ ବୋଲି ସ୍ଵୀକାର କରି ତାହାର ଅନ୍ଵେଷଣ କରିବାରେ ଲାଗିଛୁ, ସେହି ସତ୍ୟକୁ ଆମେ ଆମର ନିଷ୍ଠା ଥିଲେ ସର୍ବତ୍ର ଯାଇ ଦେଖିପାରିବା ଓ ପାଇପାରିବା । ଯେଉଁ ଭଗବାନଙ୍କୁ ଆମେ ସର୍ବବ୍ୟାପୀ ବୋଲି କହି ତାଙ୍କ ଆଡ଼କୁ ଆକୃଷ୍ଟ ହେଉଛୁ, ସିଏ ମଧ୍ୟ ଅବଶ୍ୟ ସର୍ବତ୍ର ବିଦ୍ୟମାନ ରହିଛନ୍ତି । ପୃଥିବୀର ବାହାରେ ରହିଛନ୍ତି ଏବଂ ପୃଥିବୀ ଭିତରେ ମଧ୍ୟ ରହିଛନ୍ତି । ଆମର ହାତ ପାଆନ୍ତାରେ ଅଛନ୍ତି ଓ ଆମର ଯାବତୀୟ ପହୁଞ୍ଚର ଏକାବେଳେକେ ସେପାଖରେ ରହିଛନ୍ତି । ଏହା ତାଙ୍କର ଅସୀମତାକୁ ହିଁ ବୁଝାଉଛି । ଅର୍ଥାତ୍, ଆମେ ଯେ ତାଙ୍କୁ କୌଣସି ପ୍ରକାର କରାଟ କିମ୍ବା କୌଶଳ କଳ୍ପନାର ସୀମା ଭିତରେ ଆଦୌ କିଳିକରି ରଖିପାରିବା ନାହିଁ, ଏଥିରୁ ଆମେ ସେହି କଥାଟିକୁ ହିଁ ବୁଝିବାକୁ ଚେଷ୍ଟାକରିବା । ତାଙ୍କୁ ଆମେ କଦାପି କେବଳ ବା ଏକମାତ୍ର ଆମର ବୋଲି କହିପାରିବା ନାହିଁ । ଏପରି କହୁଥିବା ପର୍ଯ୍ୟନ୍ତ ନିଜେ ଭ୍ରମ ଭିତରେ ରହିଥିବା ଓ ପୃଥିବୀରେ ଭ୍ରମ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିବାରେ ଲାଗିଥିବା । ସତ୍ୟ ଏବଂ ଭଗବାନ ଏପରି ଗୋଟିଏ ଗୋଟିଏ ସମ୍ପଦ, ଯେଉଁମାନେ କି ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଯାଇ ପହଞ୍ଚିଲେ ଆଦୌ ଗୋଟାସୁଦ୍ଧା ଆସି ଆମ ଅଣ୍ଟିଭିତରେ ପଶି ଯାଆନ୍ତି ନାହିଁ । ଆମେ ପ୍ରତ୍ୟେକେ ଯେତିକି ଆଗକୁ ଅର୍ଥାତ୍ ଯେତିକି ଗଭୀରକୁ ଯାଉଥିବା, ସେମାନଙ୍କୁ ସେତିକି ଅଧିକ ଗଭୀର ଭାବରେ ପାଇପାରୁଥିବା । ଯେତିକି ପାଖକୁ ଯାଉଥିବା, ସେତିକି ସେତିକି ନୂଆ ନୂଆ ପରିଚୟରେ ଅଧିକ ଅନ୍ତରଙ୍ଗ ଭାବରେ ପାଉଥିବା । ତେଣୁ ତାଙ୍କୁ ଏଠାରେ ବା ସେଠାରେ, ପୃଥିବୀରେ ବା ପୃଥିବୀ ବାହାରେ କିଳି ପକାଇଲେ ତଦ୍ଦ୍ଵାରା ଆମେ କେବଳ ନିଜ ଚେତନାକୁ ହିଁ ଖଣ୍ଡିଆ କରି ରଖୁଥିବା ଏବଂ ପୃଥିବୀରେ ବହୁ ଖଳତାର କାରଣ ହେଉଥିବା ।

 

ଭଗବାନ ପୃଥିବୀର ବାହାରେ ଅଛନ୍ତି, ପୃଥିବୀର ଭିତରେ ମଧ୍ୟ ଅଛନ୍ତି । ଆମେ ତାଙ୍କୁ ଖୋଜୁଥିବା ଅର୍ଥାତ୍ ତାଙ୍କଦ୍ଵାରା ଆକର୍ଷିତ ହେଉଥିବା ମନୁଷ୍ୟମାନେ ଏହି ପୃଥିବୀରେ ହିଁ ରହିଛୁ । ଜୀବନ କହିଲେ ଆମେ ଏହି ପୃଥିବୀର ଜୀବନଟିକୁ ହିଁ ବୁଝୁଛୁ । ଏହି ପୃଥିବୀର ଦୁଃଖ ବା ସୁଖର ସମ୍ମୁଖୀନ ହେଲାବେଳେ ହିଁ ଆମେ ଭଗବାନଙ୍କୁ ଏବଂ ସତୀକୁ ଲୋଡ଼ୁଛୁ । ତେଣୁ, ଆମେ ତାଙ୍କୁ ସତ୍ୟକୁ ଓ ଭଗବାନଙ୍କୁ, ସବାଆଗ ଏହି ପୃଥିବୀ ଭିତରେ ନା ପୃଥିବୀ ବାହାରେ, ପ୍ରକୃତରେ କେଉଁଠି ଲୋଡ଼ିବା ? ଯେଉଁଦିନଠାରୁ ଭଗବାନଙ୍କୁ, ସବାଆଗ ଏହି ପୃଥିବୀରେ ନଲୋଡ଼ି, ନଦେଖି, ପ୍ରତିଷ୍ଠିତ ନକରି ଆମକୁ ସ୍ଵର୍ଗର, ବୈକୁଣ୍ଠର ବା ସେହିପରି ଆଉ କୌଣସି ପୁରର କାହାଣୀଟାକୁ ଆଣି ଧରାଇ ଦିଆଗଲା ଓ ଆମ ସମସ୍ତଙ୍କୁ ସେହି ବାହାରେ, ଦୂରରେ ହିଁ ତାଙ୍କୁ ଠାବ କରିବାକୁ କୁହାଗଲା, ସମ୍ଭବତଃ ସେହି ଦିନଠାରୁ ହିଁ ଆମ ବିବେକ ଭିତରେ ନାସ୍ତିକତାର ବୀଜଗୁଡ଼ିକୁ ଆଣି ବୁଣି ଦିଆଗଲା । ଅସଲ ଖିଅଟି ଏଇଠି ଲାଗିଛି, ଏଠୁ ସେଯାଏ ଲମ୍ବି ରହିଛି । ଅସଲ ପାହାଚଟି ଏଇଠି ପଡ଼ିଛି, ଏଠୁ ତୁମେ ଯୋଉଯାଏ ଚାହିବ, ସେଯାଏ ଲମ୍ବି ରହିଛି । କିନ୍ତୁ, ସୁସ୍ଥ ଭାବରେ ତାଙ୍କୁ ଦେଖିପାରିବାକୁ ହେଲେ ସବାଆଗ ଏହିଠାରୁ ହିଁ ଦେଖିବାକୁ ପଡ଼ିବ, ତାଙ୍କ ପାଖକୁ ସୁସ୍ଥ ଭାବରେ ଯାଇପାରିବାକୁ ହେଲେ ନିଜର ଯାତ୍ରାଟିକୁ ଏହିଠାରେ ଆରମ୍ଭ କରିବାକୁ ପଡ଼ିବ । ତା ପରେ ତୁମର ଜୀବନରେ ମାୟାର ସଂଜ୍ଞା ଏକାବେଳେକେ ଅନ୍ୟ ପ୍ରକାରର ହୋଇଯିବ । ମାୟା ଟାଣିବାକୁ ଆରମ୍ଭ କରିବ । ଶ୍ରଦ୍ଧାରେ ଟାଣିଆଣିବ । ଆମେ ଏଯାଏ ପାରମ୍ପରିକ ଭାବରେ ମାୟା କହିଲେ ଯାହା ବୁଝିବାକୁ ପ୍ରବର୍ତ୍ତନା ପାଇ ଆସିଛୁ, ତାହା ତୁମକୁ ସଂସାର ବିମୁଖ କରି ପକାଇଛି । ସଂସାର ବିମୁଖ ମଣିଷମାନେ ପ୍ରାୟ ଏକ ଅନ୍ତର୍ଗତ ନିୟମର ବଶବର୍ତ୍ତୀ ହୋଇ ଅତ୍ୟନ୍ତ ଆତ୍ମକେନ୍ଦ୍ରୀ ହୋଇଛନ୍ତି । ଆତ୍ମକେନ୍ଦ୍ରୀ ମଣିଷମାନେ ହିଁ ବୈରାଗ୍ୟ ହୁଅନ୍ତି, ମଣିଷମାନଙ୍କର ଖେଳକୁ ସତେଅବା ଈର୍ଷା କରୁଥିବା ପରି ସେମାନେ ନିକାଞ୍ଚନକୁ ଚାଲିଯାଆନ୍ତି, ଏହି ସବୁକିଛି ଠାରୁ ଅଲଗା ହୋଇ ଦିଶିବା ଲାଗି ସେମାନଙ୍କୁ ସତେଅବା ଭାରି ଭଲ ଲାଗେ । ଏଠାରେ ସତ୍ୟ ବା ଭଗବାନ କେହି ନାହାନ୍ତି ବୋଲି ଆଳ ଦେଖାଇ ସେମାନେ କେଡ଼େ ଉତ୍ତେଜିତ ଭାବରେ ଏହି ସବୁ କିଛିରୁ ଅଲଗା ହୋଇ ରହିଥାନ୍ତି । ଏଠୁ ଅଲଗା ହୋଇ ରହିଛନ୍ତି ବୋଲି ତାଙ୍କ ପାଖରେ ରହିଛନ୍ତି । ସେହି ଭ୍ରମ କରିବାରେ ଲାଗିଥାନ୍ତି । ବୈରାଗ୍ୟପ୍ରଧାନ ଦେଶ ଭାରତବର୍ଷରେ ଜଗତ ଭିତରେ ରହି ମଧ୍ୟ ଜଗତରୁ ସତେଅବା ଅଲଗା ହୋଇ ରହିଥିବା ବିଶେଷ ମଣିଷମାନେ ଯେଉଁ ଦିନଠାରୁ ଆମ ଧର୍ମ ଜୀବନର ଅଭିଭାବକ ହୋଇ ପଶିବାକୁ ଆରମ୍ଭ କଲେଣି, ସେହି ଦିନ ଠାରୁ ଭାରତରେ ବାହାର ପୃଥିବୀରୁ ସତେଅବା ଶିରୀ ତୁଟିଗଲାଣି । ଭଗବାନଙ୍କୁ ଏକ ବିଶେଷ ଥାନରେ କିମ୍ବା ବିଶେଷ ବାହ୍ୟତାର ସହିତ ଅର୍ଚ୍ଚନା ଓ ଉପାସନା କରିବାର ଦୁରାଗ୍ରହ ଗୁଡ଼ିକ ସମ୍ଭବତଃ ସେହି ଦିନଠାରୁ ଏଠି ପ୍ରବଳ ହେବାକୁ ଆରମ୍ଭ କରିଛି । ଭଗବାନ ଏଇଠି ଏହି ପୃଥିବୀରେ ରହିଛନ୍ତି ବୋଲି ବିଶ୍ଵାସ ଏବଂ ଅନୁଭବ କରୁଥିଲେ ଭାରତବର୍ଷର ପୃଥିବୀଟି କେଡ଼େ ସୁନ୍ଦର ଦିଶୁ ନଥାନ୍ତା, ଏଥିପାଇଁ ଆମେ ସମସ୍ତେ କେଡ଼େ ଶ୍ରଦ୍ଧାର ସହିତ ପ୍ରୟାସମାନ କରୁ ନଥାନ୍ତେ । ଯେଉଁ ସମାଜରେ ମୁଖ୍ୟତଃ ଉଦାସୀ ଏବଂ ଶ୍ରଦ୍ଧାରହିତ ଶୁଷ୍କ ମଣିଷମାନଙ୍କୁ ଧର୍ମଜୀବନର ନେତା ବୋଲି ମାନି ନିଆଯାଏ, ସେଠାରେ ଜୀବନରୁ ଶ୍ରଦ୍ଧା ଭାବନାରୁ ହ୍ରାସ ହିଁ ହୋଇଥାଏ । ଭଗବାନଙ୍କୁ ପୂର୍ଣ୍ଣ ମନୋଯୋଗରେ ଶ୍ରଦ୍ଧା କରିପାରିବା ଲାଗି ଯେଉଁଠି ସଂସାର ଭିତରୁ ତୁମର ଶ୍ରଦ୍ଧାକୁ କାଢ଼ି ବାହାର କରିନେବାର ଅସାଧୁ ପରାମର୍ଶ ଦିଆଯାଉଥାଏ, ସେଠାରେ ଜୀବନରେ ବହୁତ ବହୁତ ଅଶ୍ରଦ୍ଧାର ଜୁଲମକୁ ପ୍ରାୟ ପଦେ ପଦେ ସହିବାକୁ ପଡ଼େ ।

 

ତେଣୁ ସତ୍ୟ ଏବଂ ଭଗବାନ ଯଦି ସତକୁ ସତ ଅଛନ୍ତି, ତେବେ ସେ ସବା ଆଗ ଏଇଠି ଅଛନ୍ତି, ଆମର ଏହି ପୃଥିବୀରେ ଆମ ଲାଗି ଅପେକ୍ଷା କରି ରହିଛନ୍ତି । ଆମେ ସବା ଆଗ ଏହିଠାରେ ହିଁ ସେମାନଙ୍କର ଉପସ୍ଥିତିକୁ ଅନୁଭବ କରିବା, ପ୍ରତ୍ୟକ୍ଷ କରିବା ଏବଂ ଅଙ୍ଗେ ନିଭାଇବା-। ସର୍ବପ୍ରଥମେ ବ୍ୟାକୁଳତାଟି ଭଗବାନଙ୍କ ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବା ଏହି ପୃଥିବୀ ଲାଗି ହିଁ ପ୍ରକାଶ କରିବାକୁ ପଡ଼ିବ । ନିଜର ଦୃଷ୍ଟିକୁ ମୋହମୁକ୍ତ ଏବଂ ଜୀବନକୁ ସୁସ୍ଥ କରି ରଖିବାକୁ ହେଲେ ସମ୍ଭବତଃ ଏଇଟିକୁ ଛାଡ଼ି, ଆଉ ଅନ୍ୟ କୌଣସି ମାର୍ଗ ନାହିଁ । ଯେଉଁମାନେ ନିଜର ଦୁଃଖ ଗୁଡ଼ାକୁ ହିଁ ସଂସାରର ସର୍ବବୃହତ୍ ସମସ୍ୟା ବୋଲି ମଣି ଅତ୍ୟନ୍ତ ଆର୍ତ୍ତଭାବରେ ସେଥିରୁ ରକ୍ଷା ପାଇବା ନିମନ୍ତେ ଭଗବାନଙ୍କ ପାଖକୁ ଯାଆନ୍ତି, ଭଗବାନଙ୍କ ପାଖରେ ନିଜ ଦୁଃଖ ବ୍ୟତୀତ ଆଉ କେବେହେଲେ କିଛି ଜଣାଇ ପାରନ୍ତି ନାହିଁ, ସେମାନେ ପ୍ରକୃତରେ ଭାରି ଖଣ୍ଡିଆ ହୋଇ ରହିଥାନ୍ତି । ପୃଥିବୀର ସବୁଯାକ କାନ୍ଦ ସେମାନେ କେବଳ ନିଜପାଇଁ କାନ୍ଦୁଥାନ୍ତି । ସବୁଯାକ ପରାଶକୁ କେବଳ ନିଜର ଦେହ ଉପରେ ହିଁ ଅନୁଭବ କରୁଥାନ୍ତି । ସେମାନେ ଅସତ୍ୟ ଭିତରେ ଥାଆନ୍ତି । ପୃଥିବୀଯାକର ଖରା କେବଳ ସେହିମାନଙ୍କର ଘର ଭିତରେ ଆସି ପଡ଼ୁ ବୋଲି ଇଚ୍ଛା କରିଥାନ୍ତି । ସତେଅବା କାହାର ଗେହ୍ଲାପୁଅ ପରି ଖୁଣ୍ଟ କରି ବସିଥାଆନ୍ତି । ସତ୍ୟ ଓ ଭଗବାନଙ୍କ ଆଡ଼କୁ ଟାଣି ହୋଇଯିବା ଗୋଟିଏ କଥା ଏବଂ ସତ୍ୟ ଓ ଭଗବାନଙ୍କୁ ନିଜର ଗାତ ଭିତରକୁ ଟାଣି ଆଣିବାର ପ୍ରୟାସ କରୁଥିବା, ତାହା ଏକାବେଳେକେ ଆଉ ଗୋଟିଏ କଥା । ସତ୍ୟ ଓ ଭଗବାନ ପୃଥିବୀ ବାହାରେ ବହୁଦୂରରେ ରହିଛନ୍ତି ବୋଲି ବିଶ୍ଵାସ କରିବାକୁ ବାଛି ନେଇଥିବା ମଣିଷମାନେ ହିଁ ସଂସାରରେ ସମ୍ଭବତଃ କେବଳ ନିଜକୁ ହିଁ ଦେଖୁଥାନ୍ତି । ନିଜକୁ ହିଁ ଦେଖୁଥାଆନ୍ତି ବୋଲି ସଂସାରକୁଦେଖି ପାରନ୍ତି ନାହିଁ । ଏବଂ ସଂସାରରେ ଭଗବାନଙ୍କୁ ଦେଖିପାରିବା ତ ଆହୁରି ଅଧିକ ଦୂରର କଥା । ମାତ୍ର, ଅନ୍ୟ ପକ୍ଷରେ, ସଂସାର ଭିତରେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରୁଥିବା ଲୋକମାନେ ଭଗବାନଙ୍କ ପାଖକୁ ଯିବା ବାଟରେ ହିଁ ସଂସାରକୁ ଭେଟନ୍ତି । ସେହି ଭେଟ ସେମାନଙ୍କର ଜୀବନରେ କେତେ ନା କେତେ ସମ୍ପଦ ଆଣି ଭରି ଦେଇଥାଏ ।

 

ସଂସାର ଭିତରେ ବାଟ ଚାଲି ଗଲାବେଳେ ଜଣେ ମଣିଷ ହିସାବରେ ଆମକୁ ସବା ଆଗ ପ୍ରକୃତରେ କେଉଁମାନେ ଜିଣିବେ ? ହରିଣ ଯେମିତି ଏହି ସଂସାରରେ ହରିଣମାନଙ୍କୁ ହିଁ ସବା ଆଗ ଦେଖୁଥିବ, ଠିକ୍ ସେହିପରି ମଣିଷ ସବା ଆଗ ମଣିଷମାନଙ୍କୁ ହିଁ ଦେଖିବା ଆଉ ଅନ୍ୟ କୌଣସି ପ୍ରକାର ଦେଖିବାକୁ କଦାପି ସୁସ୍ଥ ଦେଖିବା ବୋଲି କୁହାଯିବ ନାହିଁ । ସୁସ୍ଥ ଭାବରେ ଭଗବାନଙ୍କୁ ଭେଟିବାକୁ ବାହାରିଥିବା ମଣିଷଟିଏ ମଧ୍ୟ ଏହି ସଂସାର ଆଗରେ ଆଗ ମଣିଷମାନଙ୍କୁ ଭେଟିବ । ଆଗ ସବୁଠାରୁ ଅଧିକ ଚିହ୍ନାଟିକୁ ମାଧ୍ୟମ କରି ହିଁ ସିଏ ଆହୁରି ଆଗକୁ ତଥାକଥିତ ଅଚିହ୍ନା ଭିତରକୁ ଯାଇପାରିବ । ଯୋଉମାନେ ଆଗ ମଣିଷକୁ ନ ଭେଟି ସଂସାରରେ ଭଗବାନଙ୍କ ପାଖକୁ ଯିବା ଲାଗି ତରତର ହେଉଥାନ୍ତି ସେମାନେ ସତକୁ ସତ କେଉଁଠାରେ ପହଞ୍ଚି କାହାକୁ ଭେଟନ୍ତି କେଜାଣି ? ଅନେକ ମଣିଷ ଅଛନ୍ତି ଯେଉଁମାନେ କି ଏତେ ଏକକେନ୍ଦ୍ରିତ ଭାବରେ ମନ୍ଦିରର ଠାକୁରଦର୍ଶନ କରିବେ ବୋଲି ଯାଉଥାନ୍ତି ଯେ ସେମାନେ ବାଟରେ ମୋଟେ ମଣିଷମାନଙ୍କୁ ଭେଟନ୍ତି ନାହିଁ । ମଣିଷମାନଙ୍କର ସମୁଦ୍ର ଭିତରେ ଯାଉଥାନ୍ତି ସିନା, ମାତ୍ର ମଣିଷମାନଙ୍କୁ ଦେଖିପାରନ୍ତି ନାହିଁ, ସତେଅବା କହୁଣିରେ ମଣିଷମାନଙ୍କୁ ଆଡ଼େଇ ଦେଉଥାନ୍ତି ଏବଂ ଆଗକୁ ଚାଲିଯାଉଥାନ୍ତି । ସେଇଥିଲାଗି, ଆମ ପୃଥିବୀରେ ମନ୍ଦିରମାନଙ୍କର ସଂଖ୍ୟା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି ଏବଂ ଠାକୁରମାନେ ବି ସଂଖ୍ୟାରେ ବୃଦ୍ଧି ପାଉଛନ୍ତି ସିନା, ମଣିଷମାନଙ୍କ ଠାରୁ ଭଗବାନ ଦୂରେଇ ଦୂରେଇ ଯାଉଛନ୍ତି । ଭଗବାନ ଆଡ଼େଇ ହୋଇ ଯାଉଛନ୍ତି ଏବଂ ମଣିଷର ଉପଦ୍ରବ ବଢ଼ିବାରେ ଲାଗିଛି । ଭଗବାନ ସତେଅବା ମୂକ ହୋଇ ବସି ଯାଇଛନ୍ତି ଏବଂ ପୃଥିବୀରେ ଉତ୍ତେଜିତମାନଙ୍କର ଶାସନ ଚାଲିଛି । ଭଗବାନଙ୍କର ନାମରେ କେତେ କେତେ କିସମର ଘର ତିଆରି ହେଉଛି, ମାତ୍ର ଭଗବାନ ସତେଯେପରି କେଉଁଠି ହେଲେ ଦିଶୁ ନାହାନ୍ତି ।

 

ଜଣେ ମଣିଷର ଆଖିରେ ଯଦି ଭଗବାନ ସବା ଆଗ ଅନ୍ୟ ମଣିଷମାନଙ୍କ ଭିତରେ ହିଁ ଦେଖାଯିବାକୁ ଆରମ୍ଭ କରନ୍ତେ, ତେବେ ଆମ ପୃଥିବୀରେ, ଆମ ଦେଶରେ ଓ ଆମର ଏହି ସମାଜରେ ମଧ୍ୟ କେତେ କ’ଣ ବଦଳି ଯାଆନ୍ତି । ଆମର ଧର୍ମଶାସ୍ତ୍ରମାନେ ଏକାବେଳେକେ ଅନ୍ୟ ଭାବରେ ଏବଂ ଅନ୍ୟ ବିବେକରେ ଲେଖା ହୁଅନ୍ତେ । ଯେଉଁ ପ୍ରାଚୀନ କାହାଣୀଗୁଡ଼ାକ ଆମକୁ ପ୍ରାୟ ଯୁଗ ଯୁଗ ଧରି ଆମକୁ ପାରମ୍ପରିକ ଧର୍ମବୃଷ୍ଟି ଗୁଡ଼ିକ ଭିତରେ ମଣ କରି ରଖିଆସିଛନ୍ତି, ସେହି କାହାଣୀଗୁଡ଼ିକ ଆମକୁ ଆଉ ମୋଟେ ଆକୃଷ୍ଟ କରିପାରନ୍ତେ ନାହିଁ । ସେହି କାହାଣୀଗୁଡ଼ିକୁ ହୁଏତ ଆମର ପିଲାମାନେ ପଢ଼ନ୍ତେ, ପଢ଼ି ଖୁବ୍ ଉପଭୋଗ କରନ୍ତେ ଏବଂ ଖୁସି ହୋଇ ସେଗୁଡ଼ିକୁ ନାଟକରୂପେ ଅଭିନୟ କରନ୍ତେ ସିନା, ମାତ୍ର ଆମେ ସେଗୁଡ଼ିକୁ ଆଉ ପବିତ୍ର ବୋଲି ଗାଦୀ ଉପରେ ମୋଟେ ଜମାଇ ରଖନ୍ତୁ ନାହିଁ । ତେଣିକି ବହିଗୁଡ଼ାକ ଅପେକ୍ଷା ମଣିଷମାନେ ହିଁ ଅଧିକ ପବିତ୍ର ଦେଖା ଯାଆନ୍ତେ ଏବଂ ବହିଗୁଡ଼ାକ ସେମାନଙ୍କର ପରାକ୍ରମଗୁଡ଼ିକ ହରାଇ ବସିଲେ ଧର୍ମ ଧର୍ମ ଭିତରେ, ଦେଉଳ ଦେଉଳ ଭିତରେ ଅଥବା ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ଆଉ ଖୁବ୍ ବେଶୀ ଝଗଡ଼ା ଲାଗନ୍ତା ନାହିଁ । ଏବେ ତ ସତେ ଅବା ମଣିଷମାନଙ୍କୁ ନାନା ଅଜ୍ଞାନର ଜଡ଼ତା ଭିତରେ କିଳି ରଖି ସତେଅବା କେବଳ ଆପେ ଭଗବାନଙ୍କ ସମେତ ଯାବତୀୟ ସୁଖ,ସମୃଦ୍ଧି ଏବଂ ସଂସ୍କୃତିକୁ ଏକଚାଟିଆ ଭାବରେ କେତେ ବିଶେଷ ମଣିଷ ଭୋଗ କରିପାରିବେ ବୋଲି ଧର୍ମ, ଦେଉଳ ଓ ସଂପ୍ରଦାୟ ଗୁଡ଼ିକୁ ଅତ୍ୟନ୍ତ ଅନମନୀୟ ଭାବରେ ବ୍ୟବହାର କରିବାରେ ଲାଗିଛନ୍ତି । ଜଣେ ମଣିଷ ବା ସେହିଭଳି ମଣିଷମାନେ ସବା ଆଗ ଜଣେ ଜଣେ ମଣିଷର ସର୍ବନିମ୍ନ ସ୍ଵୀକୃତି ପାଇପାରିବା ପୂର୍ବରୁ ତାକୁ କିପରି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ବା ଆଉ କିଛି କହିହେବ, ସେ କଥାଟିକୁ ଆମର ଏହି ସାଧାରଣ ବୁଦ୍ଧିଟା ମଧ୍ୟ ହୁଏତ ସ୍ଵୀକାର କରିବାକୁ ରାଜି ହେବ ନାହିଁ । ଆମର ହୃଦୟ ସେ କଥା ସ୍ଵୀକାର କରିବାକୁ ରାଜି ହେବା ତ ଆହୁରି ଅଧିକ ଦୂରର କଥା ।

 

ସର୍ବମୂଳ ସତ୍ୟଟି ସବା ଆଗ ମଣିଷମାନଙ୍କ ଭିତରେ ରହିଛି ବୋଲି ସ୍ଵୀକାର କରିନେଇ ପାରିଲେ ଆମ ରାଜନୀତି, ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ମଧ୍ୟ କେତେ ଅନ୍ୟପ୍ରକାରର ହୋଇ ନଯାନ୍ତା-! ପୃଥିବୀରେ ଅଧେ ସାହିତ୍ୟ ତ ଏବେ କେବଳ ସଂପୃକ୍ତ ସମାଜଗୁଡ଼ିକର ଅଧିକରୁ କମ୍ ମଣିଷଙ୍କର ଏକ ବିଳାସବସ୍ତୁ ରୂପେ ବ୍ୟବହୃତ ହେଉଛି । ସାହିତ୍ୟ ଲେଖିଥିବା ବାବୁମାନେ ବଞ୍ଚିତ ହୋଇ ରହିଥିବା ମଣିଷଗୁଡ଼ାଙ୍କ ସକାଶେ କବିତାରେ ଘୁଙ୍ଗୁର ଲଗାଇ କେଡ଼େ କଇଁ କଇଁ ହୋଇ ବାହୁନୁଛନ୍ତି । ସେମାନେ ପ୍ରେମକୁ ନେଇ କେତେ କ’ଣ ଲେଖି ପକାଉଛନ୍ତି । ଗଳ୍ପ, ଉପନ୍ୟାସ, କବିତା ଓ ଆହୁରି କେତେ କ’ଣ । ସାହିତ୍ୟରେ ନବସରକୁ ସାମଗ୍ରୀ କରି ବୃହନ୍ନଳା ପରି ସତେଅବା କେତେ କ’ଣ ରାନ୍ଧି ଥୋଇ ଦେଉଛନ୍ତି । ଏଣେ ନିଜ ଜୀବନରେ କେତେ କେତେ ଘୃଣା ଏବଂ ଆତ୍ମକାମିତା ଭିତରେ କ୍ଷୁଦ୍ର ହୋଇ ରହିଛନ୍ତି । ଗତ ଶତାବ୍ଦୀରେ କୌଣସି ମନୀଷୀ ତାଙ୍କ ଚାରିପାଖରେ ଲାଗି ରହିଥିବା ଧର୍ମର ଅତିଚାରଗୁଡ଼ାକୁ ଦେଖି ତାହା ମଣିଷ ଲାଗି ଅଫିମ ଭଳି କାର୍ଯ୍ୟ କରୁଛି ବୋଲି ସିନା ଏକ ଅପବାଦ ଦେଇଥିଲେ, ଏବେ ସାହିତ୍ୟଟା ମଧ୍ୟ ମଣିଷ ପାଇଁ କମ୍ କିମିଆ ବାଢ଼ିଦେଇ ମଣିଷଲାଗି ଅଫିମ ପରି ବ୍ୟବହୃତ ହେଉନାହିଁ । ବହୁ ପଳାୟନ ପାଇଁ ପ୍ରଶ୍ରୟ ଦେଉଛି ଏବଂ ଆମ ସାମୂହିକ ଜୀବନରେ ବହୁ ଉଦାସୀନତାକୁ ମାନି ନେଇ ସତେଅବା ଅନେକ ମଣିଷଙ୍କୁ ଗୋଟାଏ ମିଛ ବେହେଲ ଭିତରେ ମଜ୍ଜାଇ ରଖିଛି । ସବୁ ମଣିଷଙ୍କ ପାଇଁ ସର୍ବନିମ୍ନ ଅତ୍ୟାବଶ୍ୟକତା ଗୁଡ଼ିକ ଉପଲବ୍ଧ ହେବା ପୂର୍ବରୁ କୌଣସି ସମାଜର ସଂସ୍କୃତିଟା ଯେ କିଭଳି ଗୋଟିଏ ବସ୍ତୁ ବା ବିଡ଼ମ୍ବନା ହୋଇ ରହିଥିବ, ସେ କଥା ଭାରି ସହଜରେ ଅନୁମାନ କରାଯାଇ ପାରିବ । ସମାଜରେ ମଣିଷକୁ ହିଁ ସବାଆଗ ସ୍ଵୀକାର କରାଯାଇ ନଥିବାରୁ ସେହି ସମାଜରେ ଚଳୁଥିବା ଶିକ୍ଷାଟା ହିଁ ଅତ୍ୟନ୍ତ ହୃଦୟହୀନ ହୋଇ ରହିଛି । ଥୋକେ ମଣିଷଙ୍କୁ ତାହା ଅଧିକ ଚତୁର କରୁଛି, ଭୟାଳୁ କରୁଛି, ଜୀବନର ଅସଲ ଏବଂ ଉଚିତ ଆହ୍ଵାନ ତଥା ଉନ୍ମୋଚନ ଗୁଡ଼ିକର କ୍ଷେତ୍ରରେ ସତେଅବା ଅତ୍ୟନ୍ତ ଅଯୋଗ୍ୟ କରି ରଖୁଛି । ଏବଂ, ସେହିପରି ଏକ ସ୍ଥିତିରେ ରାଜନୀତି ବି ଏକ ଅନିଷ୍ଟକାରୀ ଅପବସ୍ତୁ ହେବା ବ୍ୟତୀତ ଆଉ କ’ଣ ହୋଇ ପାରିବ ? ଭାରତବର୍ଷକୁ ଏକ ନମୁନା ରୂପେ ଗ୍ରହଣ କରି ବିଚାର କଲେ, ରାଜନୀତି କ୍ଷମତାନ୍ଧ ହେବ, ବହୁ ଉପେକ୍ଷା ଓ ଅନିଚ୍ଛା ଭିତରେ ପ୍ରଦୂଷିତ ହୋଇ ରହିବ, କ୍ଷମତାସୀନ ମଣିଷମାନଙ୍କୁ ନିର୍ଲଜ୍ଜ ଏବଂ ବର୍ବର କରାଇବାର ଏକ ପରାକ୍ରମୀ ପ୍ରସାଧନପ୍ରାୟ ହୋଇ ରହିବ । ଏବଂ ରାଜନୀତିର ଦୁଷ୍ଟମାନଙ୍କୁ ଆହୁରି ଅଧିକ ଉତ୍ତେଜକ ଯୋଗାଇ ଦେବା ପାଇଁ ଧର୍ମମାନେ ଓ ଧର୍ମଘରର ପଣ୍ଡାମାନେ ସହାୟକ ଭାଣ୍ଡ ପରି ବ୍ୟବହୃତ ହେଉଥିବେ । ଅସଲ ଧର୍ମରେ ଜଣେ ମଣିଷ ସିନା ପାହାଚ ପାହାଚ ହୋଇ ଉଠି ସତ୍ୟର ନିକଟବର୍ତ୍ତୀ ହେବାପାଇଁ ବାଟଟିଏ ଚାଲେ, ମାତ୍ର କାଉଁରୀ ବାଡ଼ିଟାକୁ ବୁଲାଇଦେବା ମାତ୍ରକେ ତୁମେ ଗୋଟାଏ ରାତିରେ ସତେ ଅବା ସବୁ ସଫଳତା ହାସଲ କରିପାରିବ ବୋଲି ଲୋଭ ଦେଖାଇ ମିଛ ଓ ଲୋମଶ ଗୁରୁମାନେ ତୁମକୁ ପଥ ହୁଡ଼ାଇ ଖସାଇ ନେବାର ଚକ୍ରାନ୍ତ କରି ଆଗକାଳରେ ବିଶ୍ଵାମିତ୍ରମାନଙ୍କ ପରି ବିଟଗିରି କରିବାରେ ଲାଗି ଥାଆନ୍ତି ।

 

ମଣିଷ ଭିତରେ ଭଗବାନଙ୍କୁ ଦେଖୁ ଦେଖୁ ଆମେ ତାଙ୍କୁ ନିଜ ଭିତରେ ହିଁ ପ୍ରତ୍ୟକ୍ଷ କରିବାକୁ ଆରମ୍ଭ କରିବା । ନିଜ ଭିତରେ ଭଗବାନ ରହିଛନ୍ତି ବୋଲି ଅନୁଭବଟି ଆସିଲା ପରେ ଆତ୍ମା କ’ଣ ନୁହେଁ ବୋଲି ଜାଣିବା ନିମନ୍ତେ ଆମକୁ ଆଉ ଶାସ୍ତ୍ରର ଶରଣ ନେବାକୁ ପଡ଼ିବ ନାହିଁ ଅଥବା କୌଣସି ଗୁରୁଙ୍କର ଅନୁସରଣ ବି କରିବାକୁ ହେବନାହିଁ । ଯିଏ ସର୍ବତ୍ର ପୂର୍ଣ୍ଣ ହୋଇ ରହିଛନ୍ତି, ସିଏ ମୋ ଭିତରେ ମଧ୍ୟ ବିଦ୍ୟମାନ୍ ଅଛନ୍ତି-ଏହି ସତ୍ୟଟିକୁ ଅନୁଭବ କରିବା ସକାଶେ ଆମକୁ ପୁଣି ଶାସ୍ତ୍ରପ୍ରମାଣ ପାଖକୁ କ’ଣ ପାଇଁ ଯିବାକୁ ପଡ଼ିବ ? ବୁଦ୍ଧିଆ ଶାସ୍ତ୍ରକାରମାନେ କେତେ ନା କେତେ ଦାର୍ଶନିକ କରାମତି ଦେଖାଇ ଆତ୍ମାର ତତ୍ତ୍ଵଟିକୁ ପ୍ରମାଣ କରିବା ଲାଗି ଭାରତବର୍ଷରେ ଭଳି ଭଳି ଶାସ୍ତ୍ର ଲେଖିଛନ୍ତି ସିନା, ମାତ୍ର ଏଣେ ଜାତିଭେଦର ମୂଳ କଳୁଷଟି ମୁତାବକ ସମାଜ ଚାଲିଆସିଛି ଏବଂ ମଣିଷମାନଙ୍କର ଜୀବନକୁ ପଘା ବାନ୍ଧି ନିୟନ୍ତ୍ରଣରେ ରଖାଯାଇଛି । ମୋ’ ଭିତରେ ଆତ୍ମା ହିଁ ଯଦି ମୋର ସବା ବଡ଼ ଓ ସବା ଆଗ ପରିଚୟ ହୁଏ, ତେବେ ମୁଁ ପୁଣି ଅମୁକ ବଡ଼ ଜାତି ଅଥବା ଅମୁକ ସାନଜାତି ଭିତରେ ଉଚ୍ଚ ଅଥବା ହୀନ ହୋଇ କିପରି ରହିପାରିବି ? ଭାରତବର୍ଷ ଯଦି ଆତ୍ମାର ତତ୍ତ୍ଵଟିକୁ ସତକୁ ସତ ମାନିଥାନ୍ତା, ତେବେ ଏଠାରେ ଶାସ୍ତ୍ରରେ ଏବଂ ସମାଜରେ ଦୁଇଟା ଅଲଗା ବିବେକର କଦାପି ପ୍ରଚଳନ ହୋଇନଥାନ୍ତା ଏବଂ ଅଧିକାଂଶ ଭାରତବାସୀ ତାହାକୁ କଦାପି ମାନି ନେଇନଥାନ୍ତେ । ଭିତରେ ଆତ୍ମାଟିଏ ରହିଛି ବୋଲି ମାନି ନେଉଥିବା ବ୍ୟକ୍ତି ପୁଣି କାହାକୁ ଛୁଆଁ ଓ ଆଉ କାହାକୁ ଅଛୁଆଁ ବୋଲି କିପରି ସ୍ଵୀକାର କରିନେଇ ପାରିବ ? ଭାରତୀୟ ପ୍ରାଚୀନ ଦର୍ଶନ ଏହି କଥାଟିର ଆଦୌ ସମ୍ମୁଖୀନ ହୋଇପାରି ନାହିଁ । ଭାରତବର୍ଷରେ ଇଉରୋପର ହାଉଆ ଆସି ବାଜିବା ପରେ ଏଠି ମହାତ୍ମା ଓ ମନୀଷୀମାନେ ଜାତିପ୍ରଥାର ବିରୋଧ କରି ସ୍ଵର ଉତ୍ତୋଳନ କରିଛନ୍ତି ସତ, ତଥାପି ଭାରତୀୟ ନେତୃତ୍ଵ ସେପରି ଉଲ୍ଲେଖଯୋଗ୍ୟ ଭାବରେ କିଛି କରିନାହିଁ ଯାହାକି ଜାତିଗତ ଉଚ୍ଚନୀଚ ଭାବନା ଏବଂ ତଦନୁରୂପ ଆଚରଣକୁ ଏହି ଦେଶର ଜୀବନ ଭିତରୁ ବାହାର କରି ଫିଙ୍ଗିଦେବା ସମ୍ଭବ ହେବ ।

 

ଯାହାଙ୍କୁ ବା ଯେଉଁ ସତ୍ୟକୁ ମୁଁ କେତେ ଚାତୁର୍ଯ୍ୟର ସହିତ ବାହାରେ ଖୋଜିବାର ଏହି ଯାବତୀୟ ବଜାର ମେଲାଇ ବସିଛି, ସିଏ ସବାଆଗ ମୋ' ଭିତରେ ରହିଛନ୍ତି ବୋଲି ହୃଦ୍‌ବୋଧ ହେବା ମାତ୍ରକେ ତାହାର ଏକ ପ୍ରଧାନ ପରିଣାମ ସ୍ଵରୂପ ପୃଥିବୀକୁ ପ୍ରାୟ ଗ୍ରାସ କରି ରହିଥିବା କେତେ ଭଳି ପୌତ୍ତଳିକତା ବହୁ ପରିମାଣରେ ନିଷ୍ପ୍ରଭ ହୋଇ ଆସନ୍ତା । ଆଡ଼ମ୍ବରମାନେ କମିଆସିବା ଫଳରେ ତାହାକୁ ଆଶ୍ରା କରି ରହିଥିବା ଅଭିନୟଗୁଡ଼ିକ ମଧ୍ୟ ଖୁବ୍ କମିଯାଆନ୍ତା । ମାତ୍ର, ଯେଉଁ ସବୁଠାରୁ ବଡ଼ ଓ ଉଲ୍ଲେଖଯୋଗ୍ୟ ଲାଭଟି ହୁଅନ୍ତା, ସେଇଟି ହେଉଛି ଯେ ପ୍ରତ୍ୟେକ ମଣିଷ ଜଣେ ଜଣେ ମଣିଷ ହିସାବରେ ନିଜ ନିଜର ଅନ୍ତର୍ଗତ ସମ୍ମାନଟିକୁ ସତକୁ ସତ ବଞ୍ଚିପାରନ୍ତେ । ରତ୍ନଟି ନିଜ ଭିତରେ ମଧ୍ୟ ରହିଛି ଏବଂ ସବା ଆଗ ଏହି ରତ୍ନଟିକୁ ସ୍ଵୀକାର କରି ହିଁ ମୁଁ ଜୀବନଟିଏ ଗଢ଼ିବି ଏବଂ ଜୀବନଟିଏ ବଞ୍ଚିବି ବୋଲି ବୁଝିଯିବା ପରେ ମୁଁ ନିଜେ କଦାପି କାହାରି ଅସମ୍ମାନ ହେବାଭଳି ଆଦୌ କିଛି କହନ୍ତି ନାହିଁ କିମ୍ୱା କେହି ଅଜ୍ଞତାର ଫାଶରେ ପଡ଼ି ମୋ’ର ଅସମ୍ମାନ କରିବାକୁ ମନ କଲେ ମୁଁ ତାହାକୁ ବରଦାସ୍ତ ବି କରନ୍ତି ନାହିଁ । ବାହାରର ଦେଉଳ ଓ ଦେବତାମାନଙ୍କ ଉପରେ ନିର୍ଭରଶୀଳ ରହି ରହି ମଣିଷମାନେ କାଳକ୍ରମେ ଆପଣାକୁ ଯେତିକି ଅଧିକ ଶକ୍ତିହୀନ ବୋଲି ଭାବିବା ନିମନ୍ତେ ତାଲିମ ପାଇ ଆସିଛନ୍ତି, ଭଗବାନଙ୍କୁ ଓ ସତ୍ୟକୁ ନିଜ ଭିତରେ ପ୍ରତ୍ୟକ୍ଷ କଲେ ମଣିଷ ନିଜକୁ ସେତିକି ଅଧିକ ଶକ୍ତିଶାଳୀ ବୋଲି ଅନୁଭବ କରିପାରନ୍ତା ଏବଂ, ମଣିଷ ସତକୁ ସତ ଶକ୍ତିଶାଳୀ ହେଲେ କୋଉ ସମ୍ରାଟ ତାକୁ ପ୍ରକୃତରେ ପାରନ୍ତା, କୋଉ ଅଫିମ ତାକୁ ନିଶା ଖୁଆଇ ରଖିପାରନ୍ତା ଏବଂ କୋଉ ବାଦ ବା ବାଡ଼ି ତାକୁ ଘୁଷୁରି ପରି ପଲ ଭିତରେ ପୂରାଇ ମନଇଚ୍ଛା ଅଡ଼ାଇ ନେଇଯିବାକୁ ସାହସ କରିପାରନ୍ତା ? ସେପରି ହେଲେ ପୃଥିବୀର ଧର୍ମମାନେ ନିଜକୁ ଅଧ୍ୟାତ୍ମ ମଧ୍ୟକୁ ରୂପାନ୍ତରିତ କରି ନେଇଯାଆନ୍ତେ ।

 

ଅର୍ଥାତ୍, ଭଗବାନ୍ ସର୍ବତ୍ର ଅଛନ୍ତି, ପୃଥିବୀଯାକ ଭରି ରହିଛନ୍ତି ଓ ପୃଥିବୀର ଅତୀତ ହୋଇ ବି ଅଛନ୍ତି,–ମାତ୍ର, ମୋ'ପାଇଁ ସିଏ ସର୍ବପ୍ରଥମେ ମୋ' ଭିତରେ ହିଁ ରହିଛନ୍ତି । ମୋ' ଭିତରର ଆଲୋକ ହୋଇ ରହିଛନ୍ତି, ମୋର ଆଖି ହୋଇ ରହିଛନ୍ତି । ସେହି ଭିତରର ଆଖିଟି ହିଁ ମୋତେ ବାହାରଟାକୁ ଦେଖିବାପାଇଁ ଆବଶ୍ୟକ ଅନ୍ୟ ଆଖିଗୁଡ଼ିକ ଯୋଗାଇଦେବା । ପୃଥିବୀରେ ମୋ' ପରି ଅନ୍ୟ ସମସ୍ତେ ମଧ୍ୟ ସେହିପରି ଭିତରର ଆଖିଟି ସାହାଯ୍ୟରେ ହିଁ ବାହାରେ ଥିବା ସବୁକିଛିକୁ ଦେଖିବେ । ତା'ପରେ ପୃଥିବୀଟା ସତକୁ ସତ କିଭଳି ଯେ ଚାଲିବ, ସେକଥା ଆମେ ଇଚ୍ଛା କଲେ ଏବେ ଏହିଠାରୁ ମଧ୍ୟ କଳ୍ପନା କରିପାରିବା । ସେହି ପୃଥିବୀଟି ନିମନ୍ତେ ଆମକୁ ବର୍ତ୍ତମାନ ଆମର ସବୁଯାକ ଆଦର୍ଶ, ସବୁଯାକ ମୂଲ୍ୟବୋଧ ଓ ସବୁଯାକ ଅନ୍ଵେଷଣ ସତେଅବା ପ୍ରସ୍ତୁତ କରିନେବାରେ ହିଁ ଲାଗିଛନ୍ତି ।

 

–୩–

 

ପ୍ରଥମ କାଳରେ ଧର୍ମମାନେ ସ୍ଥାନୀୟ ଥିଲେ । ମଣିଷମାନଙ୍କର ଗୋଡ଼ ସେତେବେଳେ ଆଦୌ ବହୁଦୂରକୁ ସଞ୍ଚରିପାରୁ ନଥିଲା । ଜଣେ ଜଣେ ରାଜା ବା ସମ୍ରାଟ ଯେତେବେଳେ ରାଜ୍ୟ ବିଜୟ କରି ବାହାରୁଥିଲେ, ଅନେକ ସମୟରେ ରାଜାଙ୍କ ଯୋଜନା ଭିତରେ ନଥିଲେ ମଧ୍ୟ ତାଙ୍କ ରାଜ୍ୟର ଧର୍ମଟା ମଧ୍ୟ ତାଙ୍କ ସହିତ ବିଦେଶଯାତ୍ରା କରି ବାହାରି ଯାଉଥିଲା । ପରିବ୍ରାଜକମାନେ ଗୋଟାଏ ଦେଶରୁ ଆଉ ଗୋଟାଏ ଦେଶକୁ ଗଲାବେଳେ ମଧ୍ୟ ସେମାନଙ୍କର ଧର୍ମ ବି ସେମାନଙ୍କ ସହିତ ସାଙ୍ଗରେ ଯାଉଥିଲା । ଏହିପରି ଭାବରେ ଆମେ ପୃଥିବୀର ଇତିହାସରେ ଧର୍ମ ଧର୍ମ ଭିତରେ କେତେ ଭଳି ମିଶ୍ରଣ ହୋଇଥିବାର ବି ଦେଖିବାକୁ ପାଇବା । ଆଗକାଳର ରାଜାମାନଙ୍କର ବି ଗୋଟାଏ ବଡ଼ ଝୁଙ୍କ୍ ରହିଥିଲା ଯେ, ସେମାନେ ଯେଉଁ ଦେଶକୁ ଜୟ କରିବେ, ସେହିସବୁ ଦେଶର ପ୍ରଜାମାନେ ମଧ୍ୟ ତାଙ୍କରି ଧର୍ମକୁ ନିଜର ଧର୍ମ ବୋଲି ଗ୍ରହଣ କରିନେବେ, ଅର୍ଥାତ୍, ତାଙ୍କରି ଇଷ୍ଟଦେବ ତାଙ୍କ ଦ୍ଵାରା ବିଜିତ ନୂଆ ରାଜ୍ୟମାନଙ୍କରେ ମଧ୍ୟ ଇଷ୍ଟଦେବ ରୂପେ ପୂଜିତ ଏବଂ ଉପାସିତ ହେବେ । ଏହିପରି ଭାବରେ ମଣିଷର ଗୋଡ଼ ଏକାଧିକ କାରଣରୁ ଯେତେ ଯୁଆଡ଼େ ଖେଦି ଯାଇଛି, ସେହି ଅନୁସାରେ ସେମାନଙ୍କ ସହିତ ଧର୍ମଗୁଡ଼ିକ ମଧ୍ୟ ପ୍ରବର୍ଜ୍ୟା କରିଛନ୍ତି । ତଦ୍ଦ୍ଵାରା ହୁଏତ ଗୋଟାଏ ଧର୍ମର ଆଉ ଗୋଟାଏ ଧର୍ମ ସହିତ ଟକ୍କର ହୋଇଛି, ଗୋଟାଏ ଧର୍ମ ସତେଅବା ଆଉ ଗୋଟାଏ ଧର୍ମକୁ ଗିଳି ପକାଇଛି । ଏ ଭଗବାନ ସେ ଭଗବାନଙ୍କ ଦ୍ଵାରା ଗିଳି ହୋଇ ଯାଇଛନ୍ତି, ଅଥବା ଅନ୍ତତଃ ଗୋଟିଏ ପଟର ଭଗବାନ ଆରପଟ ଭଗବାନଙ୍କର ତଣ୍ଡରେ ପଡ଼ି ନିଜର ବେଶ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଏବଂ, ସବୁଆଡ଼ୁ ସବୁ ଲାଭକ୍ଷତି ଗୁଡ଼ାକର ହିସାବ କରି ହୁଏତ ସବା ଶେଷରେ କୁହାଯାଇ ପାରିବ ଯେ, ଏହାଦ୍ଵାରା ମନ୍ଦ ଅପେକ୍ଷା ଭଲ ଅଧିକ ହୋଇଛି । ଦମ୍ଭୀମାନଙ୍କର ଦମ୍ଭ ଭାଙ୍ଗିଛି, ମୋ’ରି ସତ୍ୟଟା ପୃଥିବୀର ଏକମାତ୍ର ସତ୍ୟ ବୋଲି କହିବାକୁ ମନ କରୁଥିବା ମଣିଷମାନେ ଅନ୍ତତଃ ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ଅଧିକ ଗ୍ରହଣଶୀଳ ହୋଇ ପାରିଛନ୍ତି । ଯାହା ମଣିଷମାନଙ୍କୁ ଅଧିକ ଗ୍ରହଣଶୀଳ ହେବାରେ ସାହାଯ୍ୟ କରେ, ମଣିଷମାନେ ବସ କରୁଥିବା ଏହି ପୃଥିବୀର ସୁସ୍ଥତାକୁ ବଢ଼ାଇବାରେ ମଧ୍ୟ ତାହା ସର୍ବଦା ସାହାଯ୍ୟ ହିଁ କରିଥାଏ । ଚାରିଆଡ଼ୁ କବାଟ ଓ ଝରକା ବନ୍ଦ ହୋଇଥିବା ଗୋଟାଏ ଘର ଅପେକ୍ଷା କବାଟ ଝରକା ଖୋଲା ହୋଇ ଚାରିଆଡ଼ର ପବନ ଓ ଆଲୁଅ ପ୍ରବେଶ କରିପାରୁଥିବା ଆଉ ଗୋଟିଏ ଘର ଭିତରେ ପଶିଗଲେ ଆମକୁ ଯେ ଅଧିକ ଉଶ୍ଵାସ ଲାଗେ, ପ୍ରସନ୍ନ ବୋଧ ହୁଏ, ଆମର ଭାବନା ଓ ଭାବଗୁଡ଼ିକୁ ଅଧିକ ପରିମାଣରେ ଖେଳାଇ ଦେବାରେ ଏକ ସ୍ଵାଭାବିକ ଅନୁକୂଳତା ସମ୍ଭବ ହୋଇଯାଏ, ଏକଥା କ’ଣ କାହାକୁ ବୁଝାଇ କରି କହିବାକୁ ପଡ଼ିବ ?

 

ପରସ୍ପର ସହିତ ଏହି ଭେଟ ଦ୍ଵାରା ସଂପୃକ୍ତ ଦୁଇ ପକ୍ଷର ଭଗବାନମାନେ ବି କମ୍ ଖୁସି ହେଉନଥିବେ ଏବଂ ସବୁଯାକ ଭଗବାନଙ୍କ ଉପରେ ସମସ୍ତଙ୍କୁ ଗୋଟିଏ ସୂତାରେ ଗୁନ୍ଥି ଯେଉଁ ଭଗବାନ ଏହି ବିଶ୍ଵ ଚରାଚରକୁ ସଚଳ କରି ରଖିଛନ୍ତି, ସିଏ ଧର୍ମତଃ ପ୍ରକୃତରେ ଅଧିକ ଖୁସି ହେଉଥିବେ । ଯେତେବେଳେ ହିମାଳୟ ପାହାଡ଼କୁ ଡେଇଁ ବୌଦ୍ଧଧର୍ମ ଭାରତରୁ ଚୀନ ଦେଶକୁ ଗଲା, ସେଠାରେ ସିଏ ନିଜର ପୂର୍ବ ନାଆଁଟି ଅନୁସାରେ ବୌଦ୍ଧଧର୍ମ ହୋଇ ରହିଲା ସିନା, ମାତ୍ର ତଥାପି ସତେଯେପରି ଆଉ କ’ଣ ହୋଇଗଲା । ଏପରିକି, ଚୀନର ବୁଦ୍ଧଦେବ କିଛି ଶତାବ୍ଦୀ ପରେ ଭାରତବର୍ଷ ବୁଦ୍ଧଙ୍କ ପରି ଆଦୌ ଦେଖାଗଲେ ନାହିଁ । ଯେତେବେଳେ ଆରବଦେଶର ଇସ୍‌ଲାମ୍ ଧର୍ମ ଦେଶଗୁଡ଼ାକର, ସଂସ୍କୃତି ଗୁଡ଼ାକର ହିଡ଼ଗୁଡ଼ାକୁ ଡେଇଁ ଭାରତବର୍ଷ, ଆଫ୍ରିକା କିମ୍ବା ମଧ୍ୟଏସିଆରେ ଯାଇ ପହଞ୍ଚିଲା, ବିଜେତାମାନଙ୍କର ଇଚ୍ଛା ଅନୁସାରେ ସେହିସବୁ ନୂଆ ଦେଶର ଅଧିବାସୀମାନେ ଇସ୍‌ଲାମୀ ହୋଇଗଲେ ସିନା, ମାତ୍ର ତାହା ଆଉ ମୂଳର ସେହି ନିରୁତା ଧର୍ମ ହୋଇ ଆଦୌ ରହିଲା ନାହିଁ । ଖ୍ରୀଷ୍ଟିଆନ୍‍ ପାଦ୍ରୀମାନେ କେଡ଼େ ସନ୍ତର୍ପଣରେ ଆପଣା ଧର୍ମର କାଠଗୁଡ଼ାକୁ ସାଙ୍ଗରେ ନେଇ ଭାରତରେ, ଆଫ୍ରିକାରେ ଏବଂ ଦକ୍ଷିଣ ଆମେରିକାରେ ଧର୍ମରମାନ ଗଢ଼ି ବାହାରିଲେ ସିନା, ମାତ୍ର ଯାହା ସତକୁ ସତ ଗଢ଼ାହେଲା, ତାହା ଆଉ ପ୍ରକାରେ ହିଁ ହୋଇଗଲା-। ଖ୍ରୀଷ୍ଟିଆନ୍ ଧର୍ମ ଇଉରୋପକୁ ଯିବା ପୂର୍ବରୁ ଏଠି ଆମ କେରଳରେ ଆସି ପହଞ୍ଚି ଯାଇଥିଲା । ତା’ପରେ ଏକଦା ଇସ୍‌ଲାମ୍ ମଧ୍ୟ ସେଠାରେ ଆସି ପହଞ୍ଚିଲା । ଆଗରୁ ଚାଲି ଆସିଥିବା ଧର୍ମଗୁଡ଼ିକ ସହିତ ନାନା ଦେଣନେଣ ଫଳରେ କେରଳ ସତେ ଅବା ଏକ ଅନ୍ୟ ପ୍ରକାରର ଜଳବାୟୁରେ ଦୁଆ ହୋଇଗଲା ଏପରିକି, ଆହୁରି କେତେ ଶତାବ୍ଦୀ ପରେ କେରଳରେ ଜନ୍ମ ହୋଇ ଭାରତବର୍ଷରେ ଅଦ୍ଵୈତ ବେଦାନ୍ତର ପ୍ରଚାର କରିଥିବା ଆଦି ଶଙ୍କରାଚାର୍ଯ୍ୟ ମଧ୍ୟ ଇସ୍‌ଲାମ୍ ଓ ଖ୍ରୀଷ୍ଟଧର୍ମ ଦ୍ଵାରା ଯେ ପ୍ରଭାଭିତ ହୋଇଥିଲେ, ଏହିପରି ଅନୁମାନଟିଏ କରିବା ଲାଗି ଆମ ପାଖରେ ଏକାଧିକ ପ୍ରମାଣ ରହିଛି ।

 

ଆଧୁନିକ ବିଜ୍ଞାନରେ ହିଁ ସମ୍ଭବତଃ ଗୋଟିଏ ଧର୍ମକୁ ଆଉ ଗୋଟିଏ ଧର୍ମ ସହିତ ପୃଥ୍ଵୀଜୀବନର ହାଟରେ ଆଣି ଭେଟାଇବାର ସବୁଠାରୁ ଅଧିକ ଅବଦାନ ରହିଛି । ପୃଥିବୀରେ ଯେ ବିଭିନ୍ନ ଖଣ୍ଡରେ ବିଭିନ୍ନ ସଭ୍ୟତା ରହିଥିଲା, ପୃଥିବୀ ବ୍ୟାପୀ ମଣିଷମାନେ ଯେ ସେମାନଙ୍କର ନିଜ ନିଜର ପ୍ରସାରଟି ମଧ୍ୟରେ ଭଳି ଭଳି ପ୍ରକାରେ ସୃଜନାତ୍ମକ ହୋଇଥିଲେ ଏବଂ ଆପଣାର ହୃଦୟରେ ଡେଣା ଲଗାଇ ନିଜ ନିଜର ଭଗବାନଙ୍କଯାଏ ବାସନାକୁ ଲମ୍ବାଇ ଦେଇଥିଲେ, ବିଜ୍ଞାନ ବଳରେ ଦୂରତାମାନେ ଚାଲିଯିବା ଫଳରେ ହିଁ ସେହି କଥାଗୁଡ଼ିକ ଜଣାପଡ଼ିଲା ବହିମାନ ଛାପା ହେଲା, ବହୁ ସ୍ଥାନୀୟତାକୁ ଭାଙ୍ଗିଦେବାରେ ଜିଜ୍ଞାସୁମାନେ ସତେଅବା ଶତନେତ୍ର ହୋଇ ଉଠିଲେ । ଧର୍ମମାନେ, ସଭ୍ୟତାମାନେ, ଜୀବନର ମୂଲ୍ୟମାନେ ଓ ଶୈଳୀମାନେ ଯେ କେତେବେଳେ ପରସ୍ପର ସହିତ ଫେଣ୍ଟାଫେଣ୍ଟି ହୋଇଗଲେ ସେ କଥା କେହି ଜାଣି ପାରିଲେ ନାହିଁ । ଇତିହାସରେ କୌଣସି ନା କୌଣସି ଦେଶ ଅଥବା ମହାଦେଶରେ ଏ ଧର୍ମଟି ବା ସେ ଧର୍ମଟି ଜନ୍ମଗ୍ରହଣ କରିଥିଲା ସତ, ମାତ୍ର ଏଣିକି ହୁଡ଼ାଗୁଡ଼ାକ ଭାଙ୍ଗିଗଲାପରି ମନେ ହେଲା । ଆଧୁନିକ ଯୁଗରେ ଯାବତୀୟ ମୋହଭଙ୍ଗରେ ଇତିହାସରେ ହୁଏତ ଏହାକୁ ହିଁ ଆମେ ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଘଟଣା ବୋଲି କହିପାରିବା । ଆଗେ ତ ଲୋକମାନେ ମୋ’ ଧର୍ମ, ଆମ ସଂସ୍କୃତି, ମୋ’ ସାହିତ୍ୟ ଏବଂ ମୋ’ ସଭ୍ୟତା ବୋଲି କହି ଶିଖିଥିଲେ । ଏବେ ମଧ୍ୟ ଠିକ୍ ସେହିଭଳି କହି ଆନନ୍ଦ ଲାଭ କରୁଥିବା ମଣିଷ ପୃଥିବୀରେ କୋଟି କୋଟି ସଂଖ୍ୟାରେ ଅବଶ୍ୟ ରହିଥିବେ । ମାତ୍ର, ଏଣିକି ଅଧିକରୁ ଅଧିକ ଅଙ୍ଗୀକାରବଦ୍ଧ ଭାବରେ ପୃଥିବୀର ଆଗୁଆ ମଣିଷମାନେ ଆଉ ଏ ଧର୍ମ ବା ସେ ଧର୍ମର କଥା ନ କହି ‘ଧର୍ମ’ର କଥା କହିଲେ, ଏ ସଂସ୍କୃତି ବା ସେ ସଂସ୍କୃତିର କଥା ନକହି ‘ସଂସ୍କୃତି’ର କଥା କହିଲେ, ସତେଅବା ସ୍ଥାନୀୟ ସୂତ୍ରଗୁଡ଼ିକୁ ଦେଇ ସେମାନେ ବିଶ୍ଵସୂତ୍ର ନାମକ ସମ୍ପଦଟିଏ ଆବିଷ୍କାର କରିବା ନିମନ୍ତେ ଅଧିକ ଆଗ୍ରହୀ ହେଲେ । ଯେଉଁଠି ଯେଉଁ ମଣିଷ ଭୂଇଁରେ ଛିଡ଼ା ହୋଇଛି, ପାଦତଳର ସେହି ଭୂଇଁକୁ ସିଏ ନିଜର ଭୂଇଁ ବୋଲି ଅବଶ୍ୟ କହିବ; ମାତ୍ର, ମୁଣ୍ଡ ଉପରର ଆକାଶଟିକୁ ସିଏ କିପରି ଖଣ୍ଡ ଖଣ୍ଡ କରି ମୋ’ର ବା ତା’ର ବୋଲି କହିପାରିବ ?

 

ନିଜ ଭୂଇଁଟି ଉପରେ ଛିଡ଼ା ହୋଇଥିଲେ ମଧ୍ୟ ତଥାପି ଆକାଶଟିକୁ ସ୍ଵୀକୃତି ଦେବା ସମ୍ଭବତଃ ଏହିପରି ଏକ ଦ୍ଵିତୀୟ ପାବଚ୍ଛକୁ ଆସି ମଣିଷକୁ ଯେଉଁ ଆହ୍ଵାନଟିର ସମ୍ମୁଖୀନ ହେବାକୁ ପଡ଼େ, ପୃଥିବୀଯାକ ତାହାକୁ ହିଁ ଆଧ୍ୟାତ୍ମିକତା ବୋଲି କୁହାଯାଇଛି । ଆଧ୍ୟାତ୍ମିକତାର ଏକ ଅନ୍ୟ ଜୀବନ ରହିଛି ଯାହାକି ଧର୍ମଗୁଡ଼ିକରେ ଆଦୌ କୌଣସି ବିରୋଧ କରେ ନାହିଁ ସତ ମାତ୍ର ତଥାପି ଆଦୌ କୌଣସି ଧର୍ମ ଭିତରେ ତାହା ବାନ୍ଧି ହୋଇ ରହିଯାଏ ନାହିଁ । ନୂଆ ନୂଆ ପହଁରାଳି ଯେତେବେଳେ ପହଁରିପାରିବା ସକାଶେ ସହାୟକ କୌଣସି ବସ୍ତୁ ଉପରେ ନିର୍ଭର କରୁଥାନ୍ତି, ସେତେବେଳେ ସେମାନେ ସେହି ବସ୍ତୁଟି ଉପରେ ହିଁ ସବୁଠାରୁ ଅଧିକ ନିଘା ରଖିଥାନ୍ତି, ତାହାକୁ ହିଁ ସବୁଠାରୁ ଅସଲ ବି ଅପରିହାର୍ଯ୍ୟ ବୋଲି ମାନୁଥାନ୍ତି । ମାତ୍ର, ଯେତେବେଳେ ଏମିତି ବେଳଟିଏ ଆସି ପହଞ୍ଚେ, ଯେତେବେଳେ କି ଜଣେ ମଣିଷ ପହଁରା ଶିଖିଯାଏ, ପାଣିକୁ ପଶିବା ମାତ୍ରକେ ତା’ ହାତଗୋଡ଼ ସତେଅବା ଡେଣାପରି କାମରେ ଲାଗି ଯାଆନ୍ତି, ସେତେବେଳେ ସିଏ ପାଣିଟାକୁ ସେହି ବିସ୍ତାରଟାକୁ ହିଁ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ଅନୁଭବ କରେ । ସେତେବେଳେ ଜଳର ସେହି ବିସ୍ତାରଟି ତା’ମନରେ ଆଦୌ କୌଣସି ଭୟର ସଞ୍ଚାର କରେ ନାହିଁ । ପୃଥିବୀରେ ଧର୍ମମାନଙ୍କର ଇତିହାସରେ ଅର୍ଥାତ୍ ସତ୍ୟକୁ ଏବଂ ଭଗବାନଙ୍କୁ ଖୋଜି ଠାବ କରିବାର ଇତିହାସରେ ସମ୍ଭବତଃ ସେହିପରି ପର୍ଯ୍ୟାୟଟିଏ ଏବେ ଆସି ପହଞ୍ଚିଥିବା ପରି ମନେ ହେଉଛି । ଏଣିକି ମଣିଷମାନେ ନିଜର ଅଭ୍ୟସ୍ତ ବାଡ଼ି ବା ବାଡ଼ଗୁଡ଼ାକ ଦ୍ଵାରା ମାପି ଆଉ ଏଇଟା ମୋର ଓ ଏଇଟା ମୋର ନୁହେଁ ବୋଲି କହିବାକୁ ସେତେ ଆଗ୍ରହ ପ୍ରକାଶ କରିବେ ନାହିଁ । ଏଣିକି ସେମାନେ ସାବାଳକ ହେବେ ନିଜେ ପହଁରି ପାରିବେ, ଆଉ ଭଗବାନଙ୍କର ଭେକ ବାରିବେ ନାହିଁ । ସବୁ ଭେକ ତଳେ ପୃଥିବୀର ସୋପାନ ରୂପେ ପ୍ରଚ୍ଛନ୍ନ ହୋଇ ରହିଥିବା ସତେଅବା ଆଉ ଏକ ସମ୍ପଦକୁ କଉଡ଼ି କରି ସେମାନେ ଆଗକୁ ବାଟ ଚାଲିବେ । ଆଉ କାହାକୁ ହଟାଇ ଦେଇ ଆଗକୁ ମାଡ଼ିଯିବାର ସେହି ପୁରୁଣା ଉତ୍ତେଜନାଟି ଆଉ ମଣିଷ ମାନଙ୍କୁ ହୁଏତ ମୋଟେ ଆକର୍ଷଣ କରିବ ନାହିଁ । ସେମାନେ ସମସ୍ତେ ବାଟ ଚାଲିବେ । ବାଟ ଚାଲିବାରୁ ହିଁ ପରସ୍ପରର ପରିଚୟ ପାଇବେ, ପରସ୍ପର ଦ୍ଵାରା ଉପକୃତ ହେବେ ।

 

ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମ ପ୍ରଧାନତଃ ସ୍ଥାନୀୟ ହୋଇ ରହିଥିବା ପର୍ଯ୍ୟନ୍ତ କେଡ଼େ ବଡ଼ ବଡ଼ କଥା କହିଆସିଛନ୍ତି । ସଂପ୍ରଦାୟମାନେ ନିଜେ ମାନୁଥିବା ଅବତାରଙ୍କୁ ଅବତାରୀ ବୋଲି କହିବା ପରି ଧର୍ମମାନେ ମଧ୍ୟ ନିଜକୁ ଅନେକ ସମୟରେ ସନାତନ ଧର୍ମ ବୋଲି କହି ଆସିଛନ୍ତି । ନିଜ ଧର୍ମଟି ଅନୁସାରେ ନିଷ୍ଠାର ସହିତ ବାଟଟିଏ ଚାଲିବା ଅର୍ଥାତ୍ ଜୀବନଟିଏ ବଞ୍ଚିବା ଉପରେ ଅଧିକ ଗୁରୁତ୍ଵ ନଦେଇ ପୃଥିବୀର ଇତିହାସରେ ଧର୍ମାଳୁ ଉତ୍ସାହୀମାନେ କାହିଁକି ମୋ ଧର୍ମ ବଡ଼ ଓ ତୋ’ ଧର୍ମ ସାନ ବୋଲି ପ୍ରମାଣ କରିବାରେ ଅଧିକ ଉତ୍ସାହ ଏବଂ ଶକ୍ତି ଖରଚ କରିଛନ୍ତି, ଆମେ ମନ କଲେ ସେହି କଥାଟିର ମଧ୍ୟ ଗୋଟିଏ ଭଲ ଗବେଷଣା ହୋଇପାରନ୍ତା । ମୋ’ ଠାକୁର ତୋ’ ଠାକୁରଠାରୁ ବଡ଼, ଏହି ଅକଥାଟାକୁ ନେଇ ପୃଥିବୀରେ ଏବେ ମଧ୍ୟ କେତେ କେତେ ଅଧାର୍ମିକ କାଣ୍ଡ ସୃଷ୍ଟି ହେବାରେ ଲାଗିଛି । ସେଥିନିମନ୍ତେ ଗମ୍ଭୀର ଶାସ୍ତ୍ରମାନ ରଚନା କରାଯାଉଛି । ଧର୍ମର ଆଳରେ ମଣିଷମାନେ ଅନ୍ଧାରରେ ହିଁ ରହିବାକୁ ଇଚ୍ଛା କରୁନଥିଲେ ଏଭଳି କଦାପି ହେଉନଥାନ୍ତା । ମଣିଷମାନେ ସମ୍ଭବତଃ ଅଧିକ ବିନୟୀ ହୋଇଥାନ୍ତେ ଏବଂ ନିଜେ ବାଟଟିଏ ଚାଲିବା ସମୟରେ ଆଉମାନେ ବି ସେମାନଙ୍କର ବାଟ ଚାଲୁଛନ୍ତି ବୋଲି ବୁଝି ପାରୁଥାନ୍ତେ । ଇତିହାସରେ ଗୋଟାଏ ଧର୍ମକୁ ଆଉ ଗୋଟାଏ ଧର୍ମର ମଣିଷମାନଙ୍କ ଉପରେ ଲଦିଦେବା ନିମନ୍ତେ କେତେ କେତେ ଅମାନୁଷିକ ଆଚରଣ ଯେ କରାଯାଇଛି, ସେ କଥା ଚିନ୍ତା କଲେ ବିଭିନ୍ନ ଧର୍ମରେ ପୂଜା ପାଇ ଆସୁଥିବା ଭଗବାନ୍‍ମାନେ ପ୍ରକୃତରେ ସତେଅବା କେମିତି କେମିତି ଆମ୍ବିଳା ଲାଗିବାକୁ ଆରମ୍ଭ କରନ୍ତି । ମଣିଷ ଭିତରେ ଅତି ଉଗ୍ର ହୋଇ ସତେଅବା ଆଉ ଗୋଟାଏ କ’ଣ ରହିଛି, ଯାହାକି ତା’ଭିତରେ ରହିଥିବା ସାଧାରଣ ବିଚାରବୋଧଟାକୁ ମଧ୍ୟ ଗିଳି ପକାଏ । ତେଣିକି ମଣିଷ ସତେଅବା ଖାଲି ମୋହରେ ଚାଲେ; ମୋହରେ ପଡ଼ି ଏଇଟାକୁ ନିଜର ବୋଲି କରୁଥାଏ ତ ମୋହରେ ପଡ଼ି ସେଇଟାକୁ ଇତର ବୋଲି କହିବାକୁ ମନ କରେ । ସେହି ମୋହଦ୍ୱାରା ପ୍ରେରିତ ହୋଇ ନିଜଟାକୁ ଭଲପାଏ ଓ ମୋହରେ ପଡ଼ି ଯୋଉଟା ତା’ ନିଜର ନୁହେଁ ସେଇଟାକୁ ଘୃଣା କରେ-। ମଣିଷର ଏହି ଭଲ ପାଇବା ଓ ଘୃଣା କରିବା କାଳକ୍ରମେ ଏପରି ପରସ୍ପର ସହିତ ଜଡ଼ିତ ହୋଇ ପଡ଼ିଛନ୍ତି ଯେ ତା’ ଭଲ ପାଇବା ଭିତରେ କେତେ ମାତ୍ରାରେ ଏକ ଘୃଣା ବି ରହିଛି, ସେଇଟାକୁ ମଧ୍ୟ ଉଖାରି ଦେଖିବାପାଇଁ ଭାରି ଇଚ୍ଛା ହୋଇଥାଏ । ମଣିଷର ଘୃଣା ଭିତରେ ମଧ୍ୟ ଯେ ଏକ ଭଲ ପାଇବା ପ୍ରାୟ ଅବଦମିତ ହୋଇ ନରହିଛି, ସେ କଥାକୁ ବି କିଏ ଠୋ’ କରି ମନା କରିଦେଇ ପାରିବ ?

 

ଏଣିକି ଧର୍ମମାନେ ପରସ୍ପରକୁ ଅଧିକରୁ ଅଧିକ ଜାଣିଲେଣି । ତେଣୁ, ଆମ ଭିନ୍ନ ଭିନ୍ନ ଧର୍ମର ଭଗବାନ୍‌ମାନେ ଯେ ପରସ୍ପର ସହିତ ଆଦୌ କଳହ କରନ୍ତି ନାହିଁ, ଏଣିକି ସେହି କଥାଟିକୁ ସତକୁ ସତ ବୁଝିପାରିବା ନିମନ୍ତେ ମଣିଷକୁ ଅଧିକ ଅବସର ମିଳିବ । ଅବଶ୍ୟ, ମୋଟେ ବୁଝିବେ ନାହିଁ ବୋଲି ଶପଥ କରି ନେଇଥିବା ଦୁରାଗ୍ରହୀ ମାନଙ୍କର କବଳରେ ବିଚରା ଭଗବାନ ଯଦି ତଥାପି ବନ୍ଧା ହୋଇ ପଡ଼ିଥିବେ, ତେବେ ଅବଶ୍ୟ ଘଟଣା ଅନ୍ୟପ୍ରକାର ହୋଇପାରେ । ତଥାପି, ଏପରି ଅନୁମାନଟିଏ କରିବାଲାଗି ଅଧିକ କାରଣ ରହିଛି ଯେ, ପୃଥିବୀରେ ସାଧାରଣ ଶିକ୍ଷା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମଣିଷମାନେ କ୍ରମେ ନିଜ ଭିତରେ ବାଟ ଦେଖାଇବାକୁ ରହିଥିବା ବିବେକଟିର ସନ୍ଧାନ ପାଇବେ ଏବଂ ସେହି ବିବେକ ସେମାନଙ୍କ ମଧ୍ୟରେ ଏପରି ନୂଆ ନୂଆ ଝରକା ଏବଂ ଦୁଆରମାନଙ୍କୁ ଖୋଲିଦେଇ ଯିବ, ଯାହାଫଳରେ କି ସେମାନେ କମ୍ ଅନ୍ଧ ହେବେ, କମ୍ ଉଗ୍ର ହେବେ ଓ ସତ୍ୟଗୁଡ଼ିକୁ ଅଧିକ ସନ୍ତୁଳିତ ଭାବରେ ଦେଖିବାକୁ ଆରମ୍ଭ କରିବେ । ବିଜ୍ଞାନ, ସାଧାରଣ ଶିକ୍ଷା ଏବଂ ସମଗ୍ର ବିଶ୍ୱକୁ କ୍ରମଶଃ ଗୋଟିଏ ନିୟତି ତଥା ନିବିଡ଼ତାରେ ବାନ୍ଧି ଆଣୁଥିବା ଏକ ନୂଆ ମାନସିକତା ମଣିଷମାନଙ୍କର ହୃଦୟ ଭିତରୁ ପୁରାତନ ଅନେକ ମୋହକୁ ପୋଛିନେବ ଏବଂ ମନୁଷ୍ୟମାନେ ଅଧିକ ସ୍ଵୀକାରାତ୍ମକ ଓ ଗ୍ରହଣଶୀଳ ଭାବରେ ନିଜର ଯୁଗଟାକୁ ବୁଝିବା ଲାଗି ସମର୍ଥ ହେବେ । ଏବଂ ଯେତିକି ଅଧିକ ବୁଝିବେ, ସେତିକି ଅଧିକ ଶ୍ରଦ୍ଧାର ଯୋଗ୍ୟ ହେବେ । ତେଣୁ, ସାନ, ସାନ ବାଡ଼ ଓ କାନ୍ଥକୁ ଭାଙ୍ଗିଦେବା ନିମନ୍ତେ ସେମାନେ ନିଜ ଭିତରୁ ମଧ୍ୟ ଅଧିକ ସାହସ ପାଇବେ । ସେମାନଙ୍କୁ ଅତ୍ୟନ୍ତ ଅଭ୍ୟସ୍ତ ଭାବରେ ଭାରି ସ୍ଥାନୀୟ କରି ରଖିଥିବା ଅନେକ ଗଣ୍ଠି ପ୍ରାୟ ସ୍ଵାଭାବିକ ଭାବରେ ଖୋଲିଯିବ । ଗଣ୍ଠିଗୁଡ଼ାକ ଆଉ ଭଲ ବି ଲାଗିବ ନାହିଁ । ଆଧୁନିକ ପୃଥିବୀ ଆପଣାର ନୂତନ ଆହ୍ଵାନ ଗୁଡ଼ିକ ଦ୍ଵାରା ପୃଥିବୀର ପାରମ୍ପରିକ ରାଜନୀତି, ସମାଜଚିନ୍ତା ଓ ଅର୍ଥନୈତିକ ଭବିଷ୍ୟ ବିଚାରର କ୍ଷେତ୍ରମାନଙ୍କରେ ଯେପରି ନାନା ପରିବର୍ତ୍ତନ ଲାଗି ବାଟ ଖୋଲି ଦେଉଛି, ମଣିଷର ଧର୍ମ ଦୃଷ୍ଟିରେ ମଧ୍ୟ ତାହା କେତେ କେତେ ଗଣ୍ଠି ଫିଟିଯିବାର କାରଣ ହେବ ଏବଂ ଧର୍ମରେ ଥିବା ପୁରୁଣା ଗୁରୁମାନେ ଯଦି ତଥାପି ନବୁଝିବେ, ତଥାପି ସ୍ଥାନୀୟ ଅଳପଗୁଡ଼ାକ ମଧ୍ୟରେ ମଣିଷମାନଙ୍କର ହୃଦୟକୁ କିଳି ରଖିବାକୁ ଚେଷ୍ଟା କରିବେ, ତେବେ ତଦ୍ଦ୍ୱାରା ସେହି ଗୁରୁମାନଙ୍କର ସମୟ ପୂରିଯିବ ସିନା ମଣିଷମାନେ ଆଗକୁ ବାହାରିଯିବେ, ଚେତନା ଉତ୍ତୀର୍ଣ୍ଣ ହୋଇ ଆଗକୁ ବାହାରିଯିବ ।

 

ଧର୍ମ-ସମନ୍ଵୟ ବୋଲି ଯେଉଁ କଥାଟି ଅନେକ ସମୟରେ କୁହାଯାଇଥାଏ, ସେଇଟି ହେଉଛି ଏକାବେଳେକେ ଏବର କଥା । ସବୁ ଧର୍ମରେ ସତ୍ୟ ରହିଛି, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ । ପ୍ରତ୍ୟେକ ଧର୍ମ ପଛରେ କେନ୍ଦ୍ରଭଳି ହୋଇ ଜଣେ ନା ଜଣେ ସତ୍ୟଦ୍ରଷ୍ଟାଙ୍କର ଅବଦାନ ଓତପ୍ରୋତ ଭାବରେ ଜଡ଼ିତ ହୋଇ ରହିଛି । ସେହି ସତ୍ୟକୁ ଗୋଟିଏ ନିର୍ଦ୍ଦିଷ୍ଟ ଛାଞ୍ଚ ଭିତରେ ପକାଇ ଔପଚାରିକ ଧର୍ମଗୁଡ଼ିକର ବିଧାନ କରାଯାଇଛି । ସେହି ଛାଞ୍ଚକୁ ସାତ ଛାଞ୍ଚରେ ପରିଣତ କରି ସଂପ୍ରଦାୟମାନେ ଜନ୍ମଲାଭ କରିଛନ୍ତି । ଅନେକ ସମୟରେ ଗୋଟିଏ ଧର୍ମ ଭିତରେ ମଧ୍ୟ ଜଣେ ଜଣେ ଗୁରୁଙ୍କୁ ଗଣ୍ଠି କରି ଉପଶାଖାମାନ ଗଠିତ ହୋଇଛି ଓ ପ୍ରତ୍ୟେକ ଉପଶାଖାର ମନୁଷ୍ୟ ଯୂଥ ନିଜକୁ ଅନ୍ୟମାନଙ୍କ ଠାରୁ ତଥାପି ଅଧିକ ଅଉଲ ବୋଲି ଭାବିବାରେ ଆନନ୍ଦ ପାଇଛନ୍ତି । ରଜାମାନେ ଗୋଟାଏ ଗୋଟାଏ ଧର୍ମ ବା ସଂପ୍ରଦାୟକୁ ବିଶେଷ ଅନୁଗ୍ରହ ଦେଖାଇବା ସଙ୍ଗେ ସଙ୍ଗେ ଅନେକ ସମୟରେ ପୃଥିବୀ ଉପରକୁ ବିପଦ ମାଡ଼ି ଆସିଛି । ଭଗବାନଙ୍କର ସନ୍ତକ ସହିତ ପତାକା ଉଡ଼ାଇ ରାଜ୍ୟ ରାଜ୍ୟ ମଧ୍ୟରେ ଯୁଦ୍ଧ ବିଗ୍ରହ ହୋଇଛି । ଏପରିକି, ଠାକୁରମାନେ ମଧ୍ୟ କିପରି ନିଜର ଅନୁରକ୍ତ ରଜାଟି ପକ୍ଷରେ ଯୁଦ୍ଧ ଲଢ଼ିବା ସକାଶେ ଆସ୍ଥାନ ଛାଡ଼ି ବାହାରି ଆସନ୍ତି, ତାହାକୁ ଗୌରବ ଦେଇ ଆମ ପୃଥିବୀରେ କେତେ କେତେ କିମ୍ବଦନ୍ତୀର ରଚନା କରାଯାଇଛି ଏବଂ ମଣିଷମାନେ ସେଥିରୁ ଯୁଗେ ଯୁଗେ କେତେ ଆନନ୍ଦ ଲାଭ କରିଛନ୍ତି । ସତେ ଅବା ମନୁଷ୍ୟମାନଙ୍କର ପ୍ରତ୍ୟେର୍ଥେ ହିଁ ଠାକୁର ମାନଙ୍କର ଭିଆଣ କରାଯାଇଛି ବୋଲି ଅନୁମାନ କରିବାକୁ ସେହି କଥା ଓ କିମ୍ବଦନ୍ତୀମାନଙ୍କରୁ ଖୁବ୍ ଖୋରାକ ମିଳିଯାଇଛି । ଏପରିକି, ସଂପୃକ୍ତ କଥା ଓ କାହାଣୀଗୁଡ଼ିକରେ ଆଗ ବିଶ୍ୱାସ ନକଲେ ଆମେ କଦାପି ଧର୍ମ ଭିତରକୁ ପ୍ରବେଶ କରିପାରିବା ନାହିଁ ବୋଲି ଉତ୍ସାହୀମାନେ ଆମକୁ କେତେ ବାଗରେ ପ୍ରବର୍ତ୍ତାଇବାର ଚେଷ୍ଟା ମଧ୍ୟ କରିଛନ୍ତି ।

 

ଶତ୍ରୁତାରୁ ସହିଷ୍ଣୁତା ଏବଂ ସହିଷ୍ଣୁତାରୁ ସମନ୍ଵୟ ଚିନ୍ତା,–ଏହିପରି ପାହାଚ ପାହାଚ ଅତିକ୍ରମ କରିବା ସକାଶେ ମଣିଷ ବାସ କରୁଥିବା ସମାଜଗୁଡ଼ିକୁ ହୁଏତ ଶତାବ୍ଦୀ ଶତାବ୍ଦୀ ସମୟ ଲାଗିଛି । ତଥାପି, ସମାଜର ସବୁ ମଣିଷ ଯେ ସବୁ ବୁଝିଯାଇଛନ୍ତି ଓ ଆଗକୁ ଖୋଜଟିଏ ପକାଇ ପାରିଛନ୍ତି, ସେକଥା ମଧ୍ୟ ଆଦୌ ସତ ନୁହେଁ । ଧର୍ମ ନାମରେ ହୋଇଥିବା ରକ୍ତପାତ ଦେଖି ଦେଖି କ୍ରମେ ହୃଦୟ ଥିବା କେତେକ ଲୋକଙ୍କ ଭିତରେ ସମ୍ଭବତଃ ଅନ୍ୟ ଭାବଟିଏ ଜାତ ହୋଇଛି । ମଣିଷମାନେ ନିଜ ନିଜ ଭଗବାନଙ୍କୁ ଯେଡ଼େ କ୍ରୋଧବନ୍ତ ଓ ପ୍ରତିଶୋଧ ପରାୟଣ ବୋଲି କଳ୍ପନା କରୁଥାନ୍ତୁ । ପଛକେ, ଭଗବାନ୍ କଦାପି ଏହି ମଣିଷଙ୍କ ପରି ଏତେ ବେଶୀ ରାଢ଼ ହୋଇନଥିବେ ବୋଲି ସେମାନଙ୍କର ହୃଦ୍‌ବୋଧ ହୋଇଛି । ଭଗବାନ୍ ପ୍ରକୃତରେ କ’ଣ ହୋଇଥିବେ ବୋଲି ସୁନିଶ୍ଚିତ ଭାବରେ ଜାଣିବା ପୂର୍ବରୁ ମଣିଷ କାହିଁକି ମିଛଟାରେ ପରସ୍ପରକୁ ଘୃଣା କରିବ ଏବଂ ହାଣି ବାହାରିବ ବୋଲି ସେମାନେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ତେଣୁ ପଥ ଅନେକ ରହୁ, ଯିଏ ଯେଉଁ ପଥରେ ଜନ୍ମ ହୋଇଛି ସିଏ ସେହି ପଥଟିକୁ ନିଜର ବୋଲି କହୁ, ବୋଲି ଯୁକ୍ତିଟିଏ କ୍ରମେ ଦାନା ବାନ୍ଧିଛି ଓ ପୃଥିବୀ ସତେଅବା ଉଶ୍ୱାସ ହେବାପରି ଅନୁଭବ କରିଛି । ତଥାପି, ଏପରି କେତେକ ବିଚାର ଏବଂ ସଂପ୍ରଦାୟ ସେହି ସହିଷ୍ଣୁତାର ସମର୍ଥନ କରି ବାହାରିଛନ୍ତି ଯେଉଁମାନେ କି ବିଭିନ୍ନ ଧର୍ମମତ ଓ ଧର୍ମପଥର ଐତିହାସିକ ଅସ୍ତିତ୍ଵଗୁଡ଼ିକୁ ସ୍ଵୀକାର କରିଛନ୍ତି ସିନା, ତଥାପି ନିଜର ମତ ଏବଂ ପଥଟିକୁ ସବୁଠାରୁ ଅଧିକ ପ୍ରଶସ୍ତ ବୋଲି ଘୋଷଣା କରିଛନ୍ତି ଓ ତାହାକୁ ପ୍ରମାଣ କରିବାଲାଗି ବହିସବୁ ଲେଖିଛନ୍ତି ।

 

ମୋ’ ନିଜ ଧର୍ମଟା ସବୁ ଧର୍ମଠାରୁ ଅଧିକ ଅଉଲ, ତଥାପି ମୁଁ ଅନ୍ୟ ଧର୍ମଗୁଡ଼ିକ ଅଛନ୍ତି ବୋଲି ସ୍ଵୀକାର କରିବି ଓ ସେଗୁଡ଼ିକ ପ୍ରତି ସହିଷ୍ଣୁ ହେବି,-ଏପରି ଭାବିଲେ ଆମକୁ ହୁଏତ ସଜ୍ଜନ ବୋଲି କୁହାଯାଇ ପାରିବ, ମାତ୍ର ତଦ୍ଦ୍ୱାରା ପୃଥିବୀରେ ଖୁବ୍‍ବେଶୀ ସଦ୍‍ଭାବ ହୁଏତ ସମ୍ଭବ ହେବନାହିଁ, ପ୍ରତ୍ୟେକ ଧର୍ମ ନିଜକୁ ଘରେ ନିଜ ସିଂହପରି ଭାବୁଥିବେ ଓ ସତେଅବା ଅନୁକମ୍ପା ଦେଖାଇ ଆଉମାନଙ୍କୁ ବିଲୁଆଟିଏ କିମ୍ବା ବିରାଡ଼ିଟିଏ ବୋଲି ସ୍ଵୀକାର କରୁଥିବେ, ଏହାକୁ ଧର୍ମ ବେଭାରର ଘରେ ପ୍ରକୃତରେ ଏକ ଅତ୍ୟନ୍ତ ଦୟନୀୟ ସ୍ଥିତି ବୋଲି କହିବାକୁ ହିଁ ପଡ଼ିବ । ଭାଗ୍ୟର କଥା, ମଣିଷର ହୃଦୟ ଅଧିକ ଯୋଗ୍ୟ ହୋଇ ଆସିବା ସଙ୍ଗେ ସଙ୍ଗେ ଓ ତାହାରି ଫଳରେ ତା’ର ଆଖିମାନେ ମଧ୍ୟ ଅଧିକ ଦେଖିବାଲାଗି ସମର୍ଥ ହେବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ମଣିଷ ସେହି ସ୍ତରଟିକୁ ଡେଇଁ ଆସୁଛନ୍ତି ଓ ଆଉ କିଛିକୁ ମନ କରୁଛନ୍ତି ।

 

ପ୍ରତ୍ୟେକ ଧର୍ମରୁ କିଛି କିଛି ବିଧି ଆଣି ଗୋଟିଏ କେରାରେ ଏକାଠି ବାନ୍ଧି ସେଇଟିକୁ ମଧ୍ୟ ସମନ୍ଵୟ ବୋଲି କୁହାଯାଇପାରେ । ଓଡ଼ିଶା ସମେତ ଭାରତବର୍ଷରେ ଭଗବାନଙ୍କର ମୂର୍ତ୍ତି ଥାପନାରେ ସେହିଭଳି କିଛି ପ୍ରୟାସ ହୋଇଥିବା ପରି ମନେ ହୋଇଥାଏ । ବହୁକାଳରୁ ଭାରତବର୍ଷରେ ପାଞ୍ଚଗୋଟି ଦେବାତଙ୍କୁ ଅଲଗା ଅଲଗା ଅଧିଷ୍ଠିତ କରି ବସାଇ ଯେଉଁ ପାଞ୍ଚୋଟି ଉପାସନା ମାର୍ଗର ପ୍ରବର୍ତ୍ତନ ହୋଇଥିଲା ଏକ କାଳରେ ସେହି ମାର୍ଗଗୁଡ଼ିକୁ ଏକାଠି କରାଇ ଆଣିବା ନିମନ୍ତେ ବି କିଞ୍ଚିତ୍ ଚେଷ୍ଟା କରାଯାଇଛି ହରି ଓ ହରଙ୍କର ଅଲଗା ଥାପନା କରାନଯାଇ ହରିହରଙ୍କର ଥାପନା ହୋଇଛି । ଅନନ୍ତ ଓ ବାସୁଦେବ ଅର୍ଥାତ୍ ମହାଦେବ ଏବଂ ବିଷ୍ଣୁଙ୍କୁ ଏକାଠି ମିଶାଇ ଅନନ୍ତ ବାସୁଦେବଙ୍କର ପୂଜା ହେଉଛି । ଓଡ଼ିଶାର ଏକ ପାହାଡ଼ ଉପରେ ପାଞ୍ଚ ଦେବତାଙ୍କର ଏକାଠି ବି ଉପାସନା ଏବଂ ପୂଜା ହେଉଛି । ଆଧୁନିକ ଯୁଗରେ ତିଆରି ହୋଇଥିବା ବହୁ ମନ୍ଦିରରେ ଆମେ ହିନ୍ଦୁ-ମାର୍ଗର ଭନ୍ନ ଭିନ୍ନ ଦେବଦେବୀଙ୍କୁ ଗୋଟିଏ ବେଢ଼ା ଭିତରେ ଆଣି ବସାଯାଇ ଥିବାର ମଧ୍ୟ ଦେଖିଥାଉ । ଏହାଦ୍ୱାରା ଯାତ୍ରୀମାନଙ୍କର ଅବଶ୍ୟ କିଛି ଉପକାର ହେଉଛି, ମାତ୍ର ସମନ୍ଵୟ କେତେ ଅଣା ବା କେତେ ଟଙ୍କାର ହେଉଛି, ସେ କଥାଟିକୁ ହୁଏତ ଆମ ପ୍ରତ୍ୟେକଙ୍କର ଅନୁମାନ ଉପରେ ଛାଡ଼ିଦିଆ ଯାଇପାରିବ । ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ବେଢ଼ା ଭିତରେ ଲକ୍ଷ୍ମୀଙ୍କ ସହିତ ଦେବୀ ବିମଳା ମଧ୍ୟ ରହିଛନ୍ତି । ଜଗନ୍ନାଥଙ୍କ ମନ୍ଦିରରେ ଜଗନ୍ନାଥ ହିଁ ମେରିଖୁଷ୍ଟ ହୋଇ ଭକ୍ତମାନଙ୍କର ପୂଜା ଲାଭ କରୁଛନ୍ତି, ତଥାପି ସେଇ ଗୋଟିଏ ମୁଖରେ ଆଉ ଦେବତାମାନଙ୍କୁ ମଧ୍ୟ ତୁଷ୍ଟ କରିବା ନିମନ୍ତେ ସେମାନଙ୍କୁ ଦର୍ଶନ କରିବା ସମ୍ଭବ ହେଉଛି । ଫଳକାମୀ ମନକୁ ଏହାଦ୍ଵାରା ବହୁତ ପ୍ରତ୍ୟୟ ମିଳିପାରୁଛି ସିନା, ମାତ୍ର ସମନ୍ଵୟ କେଉଁଠି କ’ଣ ହେଉଛି ? ଆମ ଗାଆଁରେ ବୋଉ ଯେତେବେଳେ ଯେଉଁଦିନ ଯୋଉ ଦେବତାଙ୍କର ପର୍ବ, ତାଙ୍କ ପାଇଁ ବଡ଼ ଡାଲାରେ ସଜାଇ ନିର୍ଦ୍ଧାରିତ ଭୋଗମାନ ପଠାଇବା ସମୟରେ ଗାଆଁରେ ଥିବା ଅନ୍ୟ ଠାକୁର ଓ ଠାକୁରାଣୀମାନଙ୍କ ପାଇଁ ସାନ ଡାଲାରେ କିଛି ପଠାଇ ଯେ ଦେଉଥିଲା । ସେଥିରୁ ଆମେ ତା’ ସରଳ ମନର ଏକ ସଙ୍କେତ ଅବଶ୍ୟ ପାଇଯିବା, ମାତ୍ର ସେଠି ଆଦୌ କୌଣସି ସମନ୍ଵୟ କାହିଁକି ଖୋଜିବାକୁ ଯିବା ?

 

ଅନେକ ବ୍ୟକ୍ତି ଗବେଷଣା କରି ମତ ଦେଇଥାନ୍ତି ଯେ ବିଭିନ୍ନ ସମୟରେ ପୁରୀର ଜଗନ୍ନାଥ ମନ୍ଦିରକୁ ବିଭିନ୍ନ ଧର୍ମବାଦୀମାନେ ଆସିଛନ୍ତି । ଅଦ୍ୱୈତବାଦୀ ଆସିଛନ୍ତି । ଦ୍ୱୈତବାଦୀ ଆସିଛନ୍ତି । ଅନୁମାନ କରାଯାଉଛି ଯେ ଆହୁରି ପୂର୍ବରୁ ସେଠାକୁ ବୌଦ୍ଧମାନେ ଆସିଥିଲେ, ଜୈନମାନେ ବି ଆସିଥିଲେ ଏବଂ ସବା ମୂଳ ଉପାଖ୍ୟାନଟି ଅନୁସାରେ ପ୍ରଭୁ ଜଗନ୍ନାଥ ଆଦିବାସୀମାନଙ୍କର ଦେବତା ହୋଇ ଆଉ କେଉଁଠାରେ ପୂଜା ପାଉଥିଲେ ଏବଂ ତାଙ୍କୁ ସେଠାରୁ ବହୁ ବୁଦ୍ଧି ଖରଚ କରି ପୁରୀକୁ ଅଣାଯାଇଛି । ଏବଂ, ସେହି ଦିନଠାରୁ ଜଗନ୍ନାଥଙ୍କର ପୂଜାବିଧିରେ ଏହିସବୁ ମାର୍ଗର ବିଧି ଏକାଠି ମିଶିକରି ରହିଛି ଏବଂ ତାହାର ଅବଶେଷ ଗୁଡ଼ିକ ଏବେ ମଧ୍ୟ ରହିଥିବାର ଲକ୍ଷ୍ୟ କରାଯାଉଛି । ବାହ୍ୟ ବିଧିଗୁଡ଼ିକୁ ଖିଚୁଡ଼ି କରି ମିଶାଇ ଦେଲେ ତାହା ଯେ ସମନ୍ଵୟ ହୁଏ ନାହିଁ, ଜଗନ୍ନାଥ ଧାମର ଉପାସକମାନେ ତାହାର ସାକ୍ଷୀ ହୋଇ ରହିଛନ୍ତି । ଭାରତବର୍ଷର ବଡ଼ ବଡ଼ ପଣ୍ଡିତ ଓ ପ୍ରଚାରକମାନେ ସମନ୍ଵୟକୁ ମଣିଷର ହୃଦୟ ଭିତରେ ନ ରୋପି ମନ୍ଦିରର ରୀତି ଭିତରେ ଯେ କିପରି ଗଅଁଠାଇ ରଖିବାକୁ ଚିନ୍ତା କରୁଥିଲେ ସେ କଥା ଏବେ ମଧ୍ୟ ଭାବିଲେ ବେଳେ ବେଳେ ଭାରି ରହସ୍ୟ ପରି ମନେହୁଏ । ସେମାନେ ହୁଏତ ପ୍ରତ୍ୟେକ ପୁରୀ ଭଳି ଏଡ଼େ ବଡ଼ ଗୋଟିଏ ଧାମରେ ନିଜ ମାର୍ଗ ନିମନ୍ତେ ମଞ୍ଜିଟିଏ ପୋତି ରଖିବାକୁ ଇଚ୍ଛା କରୁଥିଲେ ଅର୍ଥାତ୍ ନିଜ ମାର୍ଗର ମଠଟିଏ ପ୍ରତିଷ୍ଠା କରିବା ପାଇଁ ଇଚ୍ଛା କରୁଥିଲେ, ଏବଂ ସେଥିଲାଗି ସଂପୃକ୍ତ ରାଜାଙ୍କର ଅନୁମୋଦନ ଲାଭ କରିବାକୁ ରାଜାଙ୍କର ଇଷ୍ଟଦେବତା ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଏକ ଯଥାବଶ୍ୟକ ସ୍ଵୀକୃତି ପ୍ରଦାନ କରିଥିଲେ । ସେମାନେ ସମସ୍ତେ ଜଗନ୍ନାଥଙ୍କ ଭିତରେ ନିଜ ନିଜ ଇପ୍‍ସିତ କଳ୍ପନା ପିଣ୍ଡଗୁଡ଼ିକୁ ଦେଖିଥିଲେ । ଜଗନ୍ନାଥଙ୍କ ଭିତରେ କୃଷ୍ଣଙ୍କୁ ଆରୋପିତ କରି ରଖିବା ସେହିପରି ଗୋଟିଏ ନିର୍ଦ୍ଦିଷ୍ଟ ମାର୍ଗଦ୍ଵାରା କରାଯାଇଥିଲା । ଜଗନ୍ନାଥଙ୍କ ପ୍ରତି ଏତେ ଏତେ ପଣ୍ଡିତଙ୍କର ଏହି ଆନୁଗତ୍ୟ ଦେଖି ଗଜପତି ରାଜା ବି କେଡ଼େ ଖୁସି ହୋଇଯାଇ ନଥିବେ ଏବଂ ଏମାନେ ସମସ୍ତେ ତାଙ୍କ ଇଷ୍ଟଦେବଙ୍କୁ ଏଭଳି ସ୍ଵୀକୃତି ଦେଲେ ବୋଲି କେତେ ଆତ୍ମପ୍ରସାଦ ଅନୁଭବ କରି ନଥିବେ !

 

ବାଦ ବାଦ ଭିତରେ, ମାର୍ଗ ମାର୍ଗ ଭିତରେ ଏବଂ ଧର୍ମ ଧର୍ମ ଭିତରେ ଯଥାର୍ଥ ସମନ୍ଵୟ ସେତିକିବେଳେ ସମ୍ଭବ ହେବ, ଯେତେବେଳେ କି ସଂପୃକ୍ତ ବାଦ, ମାର୍ଗ ଏବଂ ଧର୍ମମାନେ ବାହାରିଆ ପରସ୍ତଗୁଡ଼ିକୁ ଭେଦ କରି ପ୍ରକୃତରେ ଭିତରକୁ ଯିବା ପାଇଁ ଅଭିଳାଷ କରିବେ । ମାର୍ଗଗୁଡ଼ିକ ଏବଂ ଧର୍ମଗୁଡ଼ିକ ଯେତେ ସଦିଚ୍ଛା ସହିତ ଆରମ୍ଭ ହୋଇଥାଆନ୍ତୁ ପଛକେ, କାଳକ୍ରମେ ନାନାବିଧ ବାହ୍ୟ ବିଧି ଓ ରୁଟିନ୍ ସେଗୁଡ଼ିକ ଭିତରକୁ ପଶିଯାଇଛି ଓ ସେଗୁଡ଼ିକୁ କଠୋର କରି ପକାଇଛି । ଭିତରେ ଥିବା ଶସ ଅପେକ୍ଷା ଉପରର ଖୋଳପା ବା ସଢ଼େଇଟା ଅଧିକ ମଣ୍ଡନ ସହକାରେ ଦେଖାଯିବାକୁ ଅରମ୍ଭ କଲେ ବିଚରା ନଡ଼ିଆର ଦଶା ଯାହା ହୁଅନ୍ତା, ବର୍ତ୍ତମାନ ଅଧିକାଂଶ ମାର୍ଗ ଓ ଧର୍ମର ଦଶା ପ୍ରାୟ ସେହିଭଳି ହୋଇଛି । ପ୍ରତ୍ୟେକ ଧର୍ମରେ ଭାରି ବହଳ ହୋଇ ସତେଅବା ଚୋପାମାନେ ହିଁ ଅଧିକ ପ୍ରାଦୁର୍ଭାବ ବିସ୍ତାର କରି ରହିଛନ୍ତି । ଇତିହାସର ଅଧିକାଂଶ ଗୁରୁ ଓ ପ୍ରଚାରକ କେଜାଣି କାହିଁକି ସେହି ବାହ୍ୟଗୁଡ଼ାକ ଉପରେ ସର୍ବାଧିକ ମହତ୍ଵ ଦେଇଛନ୍ତି । କେତେଟା ନୂଆ ଉପଚାରରେ ବାହାରର ଭେକ ଏବଂ ବିଧିଗୁଡ଼ାକୁ ବଦଳାଇ ଦେଇ ସେମାନେ ଏକ ନୂଆ ଦୀକ୍ଷା ଦେଇଦେଲେ ବୋଲି କେଡ଼େ ପ୍ରତ୍ୟୟର ସହିତ ଘୋଷଣା କରିଛନ୍ତି । ଏବଂ, ସେହି ବାହ୍ୟଗୁଡ଼ିକ ନିମନ୍ତେ ହିଁ ମଣିଷ ମଣିଷ ଭିତରେ, ସଂପ୍ରଦାୟ ସଂପ୍ରଦାୟ ଭିତରେ ଭେଦ ବୃଦ୍ଧି ପାଇଛି, କାଫେର୍, ଯବନ ଓ ମ୍ଳେଚ୍ଛ ପ୍ରଭୃତି ଅଶୁଦ୍ଧ ଶବ୍ଦଗୁଡ଼ିକର ସୃଷ୍ଟି ହୋଇଛି । ଦେଉଳ, ବାନା, ମନ୍ତ୍ର,ପୂଜା ଓ ଉପାସନା - ପ୍ରଧାନତଃ ସେହିଗୁଡ଼ାକୁ ନେଇ କରି ପୃଥିବୀରେ ମାର୍ଗମାନେ, ଧର୍ମମାନେ ଏକ ଆଉ ଏକ ଠାରୁ ଅଲଗା ପ୍ରକାରର ଦିଶିବ ବୋଲି ଆଣ୍ଟ କରିଛନ୍ତି ଏବଂ ସେହି ଆଣ୍ଟର ବଳରେ ହିଁ ମୋଟା ଆଉ ସମସ୍ତଙ୍କ ଠାରୁ ଅଧିକ ସରସ ବୋଲି କହି ବିଚରା ମଣିଷମାନଙ୍କର ମନରେ ବିଷ ଭର୍ତ୍ତି କରି ଦେଇଛନ୍ତି, ଅଲଗା ଅଲଗା ଦିଶୁଥିବା ଏହି ବାହ୍ୟଗୁଡ଼ାକ ହିଁ ବାହାରକୁ ଦିଶୁଥିବାରୁ ଭିତରଟା ମଧ୍ୟ ଅବଶ୍ୟ ଅଲଗା ଅଲଗା ହୋଇଥିବ ବୋଲି ଏକ ଭ୍ରମ ମଧ୍ୟ ମଣିଷମାନଙ୍କର ହୃଦୟକୁ ଅଧିକାର କରିନେଇଛି ।

 

ଯୋଉ ମଣିଷ ବାହାରଟାକୁ ଭେଦ କରି ଭିତରଯାଏ ଯାଇଛି, ସିଏ ଭେଦ କରିବାକୁ ଆଦୌ ମନ କରିନାହିଁ । ଭେଦଗୁଡ଼ାକୁ ଦେଖିଛି ସିନା, ମାତ୍ର ସେଥିରେ ଆଦୌ ହୁରୁଡ଼ି ଯାଇନାହିଁ । ନିଜ ଭିତରକୁ ଛୁଇଁ ପାରିଥିବା ମଣିଷ ହୁଏତ ବାହ୍ୟଗୁଡ଼ାକୁ ମଧ୍ୟ ମାନୁଛି, ମାତ୍ର କଦାପି ସେହିଠାରେ ଅଟକି ଯାଇନାହିଁ । ସିଏ ଅନ୍ୟମାନଙ୍କର ବାହ୍ୟଗୁଡ଼ିକୁ ଦେଖିପାରୁଛି ସତ, ମାତ୍ର ସେଇଥିରୁ ହିଁ କଦାପି ମଣିଷମାନଙ୍କର ବିଚାର କରୁନାହିଁ । ବାହ୍ୟକୁ ଡେଇଁ ଯାଇପାରିଲେ ହିଁ ବାହ୍ୟଗୁଡ଼ିକ ଆଦୌ ସବୁକିଛି ନୁହେଁ ବୋଲି ସତକୁ ସତ ପରତେ ହେବାକୁ ଆରମ୍ଭ କରିଥାଏ । ଆଧୁନିକ ପୃଥିବୀରେ ଧର୍ମ ଧର୍ମ ଭିତରେ ଯେଉଁ ପରିଚୟ ସମ୍ଭବ ହେଉଛି, ତାହାକୁ ବହୁ ଦୃଷ୍ଟିରୁ ଏକ ଶୁଭ ସୂଚନା ବୋଲି କୁହାଯାଇପାରିବ । ଯହୁଁ ଯହୁଁ ଏହି ପରିଚୟ ଅଧିକ ହେଉଥିବ, ପ୍ରତ୍ୟେକ ଧର୍ମ ଭିତରେ ରହିଥିବା ଯଥାର୍ଥ ଅନୁଭବୀମାନେ ସମ୍ଭବତଃ ଏହି କଥାଟିକୁ ଅଧିକ ଦୃଢ଼ଭାବରେ କହିବାକୁ ଆରମ୍ଭ କରିବେ ଯେ, ଯାହା ଅସଲ, ତାହା ବାହାରେ ନାହିଁ, ତାହା ପ୍ରକୃତରେ ଭିତରେ ରହିଛି, ତାହା ବିଧିଗୁଡ଼ାକୁ ମାନିବାରେ ନାହିଁ, ତାହା ଉପଲବ୍ଧିରେ ରହିଛି । ବିଭିନ୍ନ ଧର୍ମରେ ଭଗବାନମାନଙ୍କୁ କେତେ ନାମ, କେତେ ରୂପ ଏବଂ କେତେ ଅଙ୍ଗଲକ୍ଷଣ ତଥା ଅଙ୍ଗମଣ୍ଡନ ଦେଇ ସଜାଇ ରଖାଯାଇଛି ସତ, ମାତ୍ର ତଥାପି ଯେତେବେଳେ ତାଙ୍କ ସହିତ ପ୍ରକୃତରେ ଏକ ସାକ୍ଷାତ ହୁଏ, ସେତେବେଳେ ସିଏ ସେହି ମଣ୍ଡନ ଗୁଡ଼ିକର ମାଧ୍ୟମରେ ମୋଟେ ଦେଖା ହୁଅନ୍ତି ନାହିଁ ବୋଲି ସମଗ୍ର ପୃଥିବୀର ଆଧ୍ୟାତ୍ମ କେଡ଼େ ସହଜ ଭାବରେ କହିପାରିଛି । ଅସଲ ସମନ୍ଵୟ ସମ୍ଭବତଃ ଏଇଠି । ବାହାରଗୁଡ଼ାକ ଗୋଟି ଗୋଟି ହୋଇ ଖସି ପଡ଼ୁଥିବ, କ୍ରମେ ଏହି ନାଆଁଗୁଡ଼ାକ ମଧ୍ୟ ବାହ୍ୟ ଅର୍ଥାତ୍ ମନୁଷ୍ୟକୃତ ବୋଲି ଅନୁଭୂତ ହେବାକୁ ଲାଗିବ । ଭଗବାନ୍ ଭଗବାନ୍ ପରି ଜିଣିବେ ବୋଲି ମଣିଷମାନେ ନିଜ ସଂସ୍କାରର ଚାପରେ ପଡ଼ି ତାଙ୍କୁ ଯେଉଁସବୁ ଆଭରଣରେ ସଜାଇ ରଖିଛି, ସିଏ ଭଗବାନ୍ ନୁହନ୍ତି । ଏହି ଯାବତୀୟ ସଜାଇବାର ଏକ ଆକର୍ଷଣକାରୀ ପ୍ରାଥମିକ ମୂଲ୍ୟ ଅବଶ୍ୟ ରହିଛି । ମାତ୍ର, ନିଜ ଭିତରେ ଆବିଷ୍କୃତ ପାହାଚଗୁଡ଼ିକର ଶେଷରେ ଜଣେ ମଣିଷ ଯେଉଁଠି ଯାଇ ପହଞ୍ଚିବ ବୋଲି ଭରସା ବାନ୍ଧିଛି, ସେହିଠାରେ ହିଁ ତାର ଭଗବାନ ବିରାଜିତ ହୋଇ ରହିଛନ୍ତି । ଧର୍ମମାନେ କେବଳ ଚାଲିବାର, ପାହାଚ ଉଠିବାର ମାର୍ଗଟିକୁ ବତାଇଦେବେ ସିନା, ମାତ୍ର ତାଙ୍କୁ କୌଣସି ଛାଞ୍ଚରେ ପକାଇ ଆଦୌ ବିକୃତ କରି ଦେବେ ନାହିଁ, ଅର୍ଥାତ୍, ଯେଉଁ ଉଚ୍ଚତାରେ ପହଞ୍ଚି ପ୍ରକୃତରେ ଏକ ସମନ୍ଵୟ ହୋଇପାରିବ, ସେଠାରେ ଏହି ଛାଞ୍ଚମାନଙ୍କର କୌଣସି ପ୍ରାଦୁର୍ଭାବ ନଥିବ । ପ୍ରଥିବୀରେ ଏକାବେଳେକେ ଏତେଗୁଡ଼ାଏ ଛାଞ୍ଚ ରହିଛି ବୋଲି ମଣିଷ ଏହି ଆଧୁନିକ ଯୁଗରେ ହିଁ ସତକୁ ସତ ଜାଣିଲା । ଆଗେ ତ ସିଏ କେବଳ ନିଜର ଛାଞ୍ଚଟିକୁ ଜାଣୁଥିଲା ଓ ତାହାକୁ ହିଁ ଏକମାତ୍ର ସବୁକିଛି ବୋଲି ମାନୁଥିଲା । ବାଛିବା ଲାଗି ଖୁବ୍ ବେଶି ଆବକାଶ ହିଁ ନଥିଲା । ତେଣୁ ଏକାଧିକ ଦୃଷ୍ଟିରୁ ବିଚାର କରି ଦେଖିଲେ ଅସଲ ସମନ୍ୱୟଟି ଆମର ଏହି ଯୁଗରେ ହେବ, ବାହ୍ୟ ଏବଂ ଅସଲ ଭିତରେ ରହିଥିବା ଅନ୍ତରଟିକୁ ଜାଣିବାର ଯୋଗ୍ୟତା ହୁଏତ କେବଳ ଆଧୁନିକ ମଣିଷର ହିଁ ରହିଛି-

 

ପୃଥିବୀରେ ଗୋଟିଏ କୋଣର ମଣିଷ ଆଉଗୋଟିଏ କୋଣର ମଣିଷ ସହିତ ପରିଚିତ ହୋଇ ପାରିଲା, ଗୋଟିଏ ଧର୍ମ ଆଉଗୋଟିଏ ଧର୍ମକୁ ଜାଣିଲା, ମନ୍ଦିର,ମସ୍‌ଜିଦ, ଗୀର୍ଜା ଓ ଗୁରୁଦ୍ୱାରାମାନେ ପ୍ରାୟ ପରସ୍ପରରର ଦେହଘଷା ହୋଇ ଠିଆ ହୋଇପାରିଲେ ଏବଂ ପୃଥିବୀର ଶୋଭା ବଢ଼ାଇଲେ । ଏପରି ଗୋଟିଏ ପ୍ରଶସ୍ତ ପରିବେଶରେ ଆମ ନିଜ ଭିତରେ ଛିଡ଼ା ହୋଇଥିବା ଅନେକ ଅନେକ କାନ୍ଥ ଯେ ଏଣିକି ଭାଙ୍ଗି ଭାଙ୍ଗି ଯିବ, ଏହାକୁ ଏବ ପୃଥିବୀର ଏକ ସବୁଠାରୁ ବଡ଼ ଓ ଶୁଭଦାୟକ ଘଟଣା ବୋଲି କୁହାଯିବ । ଏହାଦ୍ଵାରା ମଣିଷମାନେ ପରସ୍ପରଠାରୁ ବହୁତ କିଛି ଶିଖିବେ ଓ ତେଣୁ ଆଗ ଅପେକ୍ଷା ଅଧିକ ସହଜରେ ପାହାଚେ ଦୁଇପାହାଚ ଉପରକୁ ଉଠିଯାଇ ପାରିବେ । ଅନ୍ଧବିଶ୍ଵାସଗୁଡ଼ିକ ଊଣା ହୋଇଯିବ, ବିଶ୍ୱାସ ବଢ଼ିବ, ମଜବୁତ ହେବ । ଆଖି ଆଗରେ ଅନେକ ବାଟ ପଡ଼ିଥିବାର ଦେଖୁଥିଲେ ମଧ୍ୟ ଯଦି ତଥାପି କୌଣସି ମଣିଷ ତୋଡ଼ ଦେଖାଇ ମୋ’ରି ବାଟଟା ଏକମାତ୍ର ବାଟ ଏବଂ ଆଉ ସବୁଯାକ ବାଟ ଆଦୌ ବାଟ ନୁହେଁ ବୋଲି କହିବାରେ ଲାଗିଥିବ, ବିବେକରେ ମୂଲ କରୁଥିବା ମଣିଷର ବୁଦ୍ଧି ସେହି ମଣିଷକୁ ମନ୍ଦବୁଦ୍ଧି ବ୍ୟତୀତ ଆଉ କ'ଣ କହି ଏବଂ ତା’ର ତଥାକଥିତ ଶୁଦ୍ଧ ବିଶ୍ୱାସକଗୁଡ଼ିକୁ ଅନ୍ଧବିଶ୍ୱାସ ବ୍ୟତୀତ ଆଉ କ’ଣ ବୋଲି ଜାଣିବ ? ପୃଥିବୀରେ ଏତେ ଏତେ ସଂସ୍କୃତି ଆସି ପରସ୍ପରକୁ ଭେଟିପାରିଲେ ବୋଲି ଶହେଟା ଦୃଷ୍ଟାନ୍ତକୁ ପ୍ରତ୍ୟକ୍ଷ କରୁଥିଲେ ମଧ୍ୟ ଯେଉଁ ବ୍ୟକ୍ତି ତଥାପି ମୋରି ସଂସ୍କୃତି ହିଁ ଏକମାତ୍ର ଠିକ୍ ସଂସ୍କୃତି ଓ ଆଉ ସବୁଯାକ ସଂସ୍କୃତି ଠିକ୍ ନୁହନ୍ତି ବୋଲି କହିବ ଏବଂ ଅହଙ୍କାରୀ ହେବ, ଆଗାମୀ ମନୁଷ୍ୟ ସଂସ୍କୃତିର ଘରୁ ସେ ହୁଏତ ବାହାରେ ବାହାରେ ରହିଯିବ । ବୃହତ୍ତର ପୃଥିବୀର ଇତିହାସରେ କୌଣସି ନା କୌଣସି ସତ୍ୟର ଉଦ୍‍ଘାଟନକୁ ଘୋଷଣା କରି ଧର୍ମମାନେ ଆପଣାକୁ ପ୍ରକଟ କରିଛନ୍ତି ଓ କୋଟି କୋଟି ମନୁଷ୍ୟଙ୍କୁ ପ୍ରତ୍ୟୟ ଓ ଭରସାର ବହୁବିଧ ଘରେ ଆଳ ଯୋଗାଇଦେଇପାରିଛନ୍ତି, ବୋଲି ଦେଖୁଥିଲେ ମଧ୍ୟ ଯିଏ କେବଳ ନିଜ ଧର୍ମଟାକୁ ହିଁ ସନାତନ ଧର୍ମ ବୋଲି କହି ଭଡ଼ିଙ୍ଗି ମାରିବ, ନିଜର ଶାସ୍ତ୍ରମାନଙ୍କୁ ଅପୌରୁଷେୟ ବୋଲି ପ୍ରମାଣ କରିବାକୁ ଶତହସ୍ତ ହୋଇ ବାହାରି ପଡ଼ିବ, ସମସ୍ତ ସମ୍ଭ୍ରମର ସହିତ ତାହାକୁ କୌଣସି ମିଉଜିଅମ୍ ଭିତରେ ନେଇ ରଖିଦେଲେ ତଦ୍ଦ୍ୱାରା ହୁଏତ ତା’ ନିଜର ତଥାକଥିତ ଧର୍ମଟିର ମଧ୍ୟ କିଛି ଯଥାର୍ଥ କଲ୍ୟାଣ ସାଧିତ ହୋଇପାରିବ ।

 

ଅସଲ ସନାତନ ଧର୍ମ ହେଉଛି ଏକ ସଦାଗ୍ରହଣଶୀଳ ଅସୂୟାଶୂନ୍ୟ ହୃଦୟର ଧର୍ମ, ଯାହାକି ଆଦୌ କୌଣସି ବିଚାର କୃପଣତା ନଦେଖାଇ ବାହ୍ୟଗୁଡ଼ାକୁ ଛାଡ଼ି ଛାଡ଼ି ଯାଇପାରୁଛି, ଯିଏ ଉପରେ ଗୁଡ଼ାଇ ହୋଇ ରହିଥିବା ବସ୍ତୁଗୁଡ଼ିକୁ ଅତ୍ୟନ୍ତ ମୋହଶୂନ୍ୟ ଭାବରେ ପଛକୁ ପକାଇଦେଇ ଆଗକୁ ବାହାରିଯାଇପାରୁଛି । ସେହି ହୃଦୟ ଯାହାକି ଯେକୌଣସି ସତ୍ୟର ସାକ୍ଷାତ୍‍କାର ଲାଭ କରିବା ମାତ୍ରକେ ଅକୁଣ୍ଠିତ ଚିତ୍ତରେ ତାହାକୁ ଗ୍ରହଣ କରିପାରେ, ମୋଟେ କୌଣସି ଭୂଗୋଳ ଅଥବା ସୀମାଭିମାନ ଭିତରେ ବାନ୍ଧି ହୋଇ ରହେନାହିଁ । ପୃଥିବୀରେ ଏକାବେଳେକେ ଏତେ ଫୁଲ ଫୁଟୁଛି, ସେଥିରେ କାହାକୁ ଖୁସୀ ନଲାଗୁଛି ? ଠିକ୍ ସେହିପରି ସତ୍ୟମାନେ ଯେ ବହୁ ବିଚିତ୍ର, ବ୍ୟଞ୍ଜନା, ଆବେଦନ ତଥା ପରିଚୟରେ ପୃଥିବୀରେ ପ୍ରକଟ ହେବାରେ ଲାଗିଛନ୍ତି, ସେଥିରେ ସତ୍ୟଗୁଡ଼ିକୁ ଭେଟିବା ନିମନ୍ତେ ପୃଥିବୀରେ ବାଟ ଚାଲୁଥିବା କୋଉ ମଣିଷକୁ ପୁଲକିତ ନଲାଗିବ ? ଯଦି କୌଣସି ମଣିଷ ବାହ୍ୟଗୁଡ଼ାକୁ ଛାଡ଼ିପାରେନାହିଁ, ହୁଏତ କେବଳ ସେଇ ମୋର ବୋଲି କହି ଫୁଲେଇ ହେବାରେ ଲାଗିଥାଏ ଏବଂ ଅଳ୍ପ ଭିତରେ ପଡ଼ି ରହିଥାଏ । ସେଇ ବଡ଼ ହେବାକୁ, ଅଧିକ ଦେଖିବାକୁ ଏବଂ ଅଧିକ ହେବାକୁ ମନା କରିବାରେ ଲାଗିଥାଏ । ତାହାରିଦ୍ଵାରା ପୃଥିବୀରେ ଯାବାତୀୟ ଅନର୍ଥର ସୃଷ୍ଟି ହୁଏ । ଯେତେବେଳେ କୌଣସି ସତ୍ୟ ପ୍ରାୟ ଜାଣି ଜାଣି ଆପଣାକୁ ଏକ ସୀମା ଭିତରେ ସଙ୍କୁଚିତ କରି ରଖିବାକୁ ମନ କରେ, ତାହା ହୁଏତ ସେତିକିବେଳେ ଅସତ୍ୟରେ ପରିଣତ ହୁଏ, ଅର୍ଥାତ୍ ବହୁ ସଂକ୍ରମଣ ଦ୍ଵାରା ଦୂଷିତ ଏବଂ ଅଚଳ ହୋଇ ରହିଯାଏ । ତେଣୁ, ଏଣିକି ଆମ ପୃଥିବୀରେ ଯେଉଁ ସମନ୍ଵୟଟି ଘଟିବାକୁ ଯାଉଛି, ସ୍ଥାନୀୟ ଅଭିମାନୀମାନେ ହୁଏତ ଅତ୍ୟନ୍ତ ଦୟନୀୟ ଭାବରେ ନିଜକୁ ସେଥିରୁ ବଞ୍ଚିତ କରି ରଖିବେ । ସେହି କାରଣରୁ ହିଁ ଉଗ୍ର ହେବେ । ପୃଥିବୀର ପ୍ରଜ୍ଞା ଆଗକୁ ଚାଲି ଯାଉଥିବ ଏବଂ ସେମାନେ ନିଜର ପିତୁଳାଗୁଡ଼ିକ ପାଖରେ, ଛାଞ୍ଚଗୁଡ଼ିକ ଭିତରେ, ସଢ଼େଇଟା ଭିତରେ ଅମୁହାଁ ହୋଇ ରହିଯିବେ । ପୃଥିବୀରୁ ଧର୍ମମାନେ, ସତ୍ୟମାନେ ଯହୁଁ ଯହୁଁ ଅଧିକ ବାଧାମୁକ୍ତ ଭାବରେ ପରସ୍ପରକୁ ଭେଟିବେ, ତହୁଁ ତହୁଁ ପୁରୁଣା ସଙ୍କୋଚମାନେ ଅନାବଶ୍ୟକ ପ୍ରମାଣିତ ହେବେ । ମଣିଷ ପରସ୍ପର ମଧ୍ୟରେ ହୁଏତ ଏପରି ଏକ ରତ୍ନର ଆବିଷ୍କାର କରିବ, ଯାହାଦ୍ଵାରା କି ଧର୍ମ ଓ ସତ୍ୟକୁ ମାପିବା ନିମନ୍ତେ ତା'ପାଖରେ ଆଗରୁ ରହି ଆସିଥିବା ମାପକାଠିଗୁଡ଼ିକ ମଧ୍ୟ ଅକାମୀ ହୋଇଯିବେ-

 

ବର୍ତ୍ତମାନ ତ ଜଣେ ହିନ୍ଦୁ ଆଉଜଣେ ମଣିଷ ଭିତରେ ମୂଳତଃ ହିନ୍ଦୁଟିଏ ଦେଖିବ ବୋଲି ତା ପାଖକୁ ଯାଉଛି । ମୁସଲମାନଟିଏ ଖାଲି ମୁସଲମାନ ଖୋଜି ବାହାରିଛି । ପରମ୍ପରାକୁ ନିଜ ମୁହଁରେ ତୁଣ୍ଡି କରି ବାନ୍ଧିଥିବା ମଣିଷମାନେ ସତେଅବା ନିଜ ବାହ୍ୟଟାର ଦୋସରମାନଙ୍କୁ ଖୋଜି ପୃଥିବୀ ଭିତରକୁ ବାହାରିଛନ୍ତି ଓ ତେଣୁ ଖୁବ୍ ବେଶି ବାଟ ଆଦୌ ଯାଇ ପାରୁନାହାନ୍ତି । ଖୁବ୍ ଅଳପ ବାଟ ଯାଇ ସତେଅବା ଧକ୍କା ଖାଇ ଫେରି ଆସୁଛନ୍ତି । ପୃଥିବୀ ସତେ ଅବା କେବଳ ସେହିମାନଙ୍କ ପରି ଦିଶୁ ବୋଲି ପ୍ରତ୍ୟାଶା କରୁଛନ୍ତି । ପାରମ୍ପରିକ ଗୁରୁମାନେ ମଧ୍ୟ ସେମାନଙ୍କୁ ସେତିକି ଭିତରେ ଆବଦ୍ଧ କରି ରଖିବାକୁ ହୁଏତ ଭାରି ନିରାପଦ ମନେ କରୁଛନ୍ତି । ମଣିଷ ନିଜେ ଦେଖିବାକୁ ସମର୍ଥ ହେଲେ ସିଏ ଆଉ ଆଦୌ କୌଣସି ବାଡ଼ିର ସାହାଯ୍ୟ ଯେ ନେବନାହିଁ, ଅଧିକାଂଶ କ୍ଷେତ୍ରରେ ସତେଅବା ଗୋଟାଏ ବାଡ଼ିର କାମ ଦେଇ ଆସିଥିବା ଗୁରୁମାନେ ଓ ସେମାନଙ୍କର ସମ୍ପ୍ରଦାୟମାନେ ଅନ୍ଧମାନେ ଅନ୍ଧତ୍ଵ ବର୍ଜନ କରନ୍ତୁ ବୋଲି ମୋଟେ ଇଚ୍ଛା କରୁନାହାନ୍ତି । ସତ୍ୟକୁ ଖୋଜିବାର ଅନୁରାଗଟି ପୃଥିବୀରେ ଯେତିକି ଅଧିକ ବୃଦ୍ଧି ପାଉଥିବ, ପୃଥିବୀରେ ସମ୍ପ୍ରଦାୟମାନଙ୍କର ଦାଉ ସେତିକି ଊଣା ହେବାରେ ଲାଗିଥିବ । ଏହି ସମ୍ପ୍ରଦାୟମାନେ କାର୍ଯ୍ୟତଃ ମନୁଷ୍ୟମାନଙ୍କର ମଙ୍ଗଳ ନିମନ୍ତେ ତିଆରି ହୋଇଥିଲେ । ମଣିଷମାନଙ୍କର ବିବେକକୁ ଅପହରଣ କରିନେଇ ସେମାନଙ୍କ କାନରେ ନାକରେ ସାଂପ୍ରଦାୟିକତାର ଫାସିଆ ପିନ୍ଧାଇ ଦେବାକୁ ଆଦୌ ତିଆରି ହୋଇ ନଥିଲେ । ବର୍ତ୍ତମାନ ଯେ ପୃଥିବୀଯାକ ପ୍ରାୟ ସର୍ବତ୍ର ସତ୍ୟ ସହିତ ପରିଚୟ କରାଇଦେବା ନାଆଁରେ ମଣିଷର ନାକରେ ଗୋଟାଏ ଗୋଟାଏ ଫାସିଆ ଗଳାଇ ଦିଆଯାଇଛି, ଏଗୁଡ଼ିକ ମଣିଷ ଅନ୍ୟ ମୋହରେ ମାତି ବାହ୍ୟଗୁଡ଼ିକରେ ହୁଡ଼ି ରହିବାକୁ ମନ କରିବାରୁ ହିଁ ହୋଇଛି । ନିଜର ଅସଲ ଆଖିଟିକୁ ଖୋଜି ବାହାରିବାର ଅନ୍ୟ ଅନୁରାଗଟି ମଣିଷକୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ମଣିଷ କ୍ରମେ ନିଜ ପାଖକୁ ଫେରିଆସିବ, ଅର୍ଥାତ୍ ପରସ୍ପର ପାଖକୁ ଫେରିଆସିବ । ନିଜକୁ କୌଣସି ମାର୍କା ଦେଇ ନଚିହ୍ନି ସିଏ ନିଜକୁ ମଣିଷ ବୋଲି ଚିହ୍ନିବ । ନିଜର ଭଗବାନଙ୍କୁ ସିଏ ନିଜେ ଆବିଷ୍କାର କରିବ । ପୃଥିବୀ ଯାକର ସଚଳ ଜୀବନଶାଳାରୁ ସିଏ ଆପଣାର ଧର୍ମଟିକୁ ସ୍ୱୟଂ ବାଛିନେବ । ଆମର ସଭ୍ୟତା ସମ୍ଭବତଃ ସେତିକିବେଳେ ଯାଇ ପ୍ରକୃତ ସାବାଳକତା ଲାଭ କରିବ । ଅଳପ ଭିତରେ ରହିଥିବା । ଗୁରୁମାନେ ସେହି ମଣିଷକୁ ଆଉ ମୋଟେ ଅଟକାଇ ରଖି ପାରିବେନାହିଁ ।’

 

ଯାବତୀୟ ଧର୍ମ ଓ ଯାବତୀୟ ସତ୍ୟର ଅସଲ ସନ୍ତକ ହେଉଛି ମଣିଷ । ନିଜଠାରୁ କିଛି ବୃହତ୍ତର ବିଧାନ ଅବଶ୍ୟ ରହିଛି ବୋଲି ମଣିଷ ସଭ୍ୟତାର ପ୍ରାୟ ଆଦିକାଳରୁ ଯେଉଁ ଅସଲ ତୃଷ୍ଣାଟିକୁ ନେଇ ବ୍ରହ୍ମାଣ୍ଡ ଭିତରକୁ ବାହାରିଛି, ତା’ର ସେହି ତୃଷ୍ଣାହିଁ ତାକୁ ସେହି ସନ୍ତକ ହେବାର ଗୌରବ ପ୍ରଦାନ କରିଛି । ପୁରୁଣା ପୃଥିବୀଟା ସମ୍ଭବତଃ ଅଳ୍ପ ଜାଣିଥିଲା ଓ ଅଳପ ଅନୁଭବ କରି ପାରୁଥିଲା ବୋଲି ସତ୍ୟକୁ ବହୁବିଭାଜିତ କରି ଦେଖାଇବାକୁ ବାଧ୍ୟ ହେଉଥିଲା । ଇହସୁଖକୁ ତାହା ପରସୁଖ ଠାରୁ ଅଲଗା ବୋଲି ଦେଖାଇ ହେଉଥିଲା । ଗୋଟାଏ ଗୋଟାଏ ଦର୍ଶନମତ ବା ଧର୍ମଯୁକ୍ତି ସେହି ବିରୋଧଟାକୁ ପ୍ରାୟ ବ୍ୟାଧିଗ୍ରସ୍ତ ହୋଇଥିବା ପରି ଏତେ ଅଧିକ ବିସ୍ଫାରିତ କରି ଦେଖାଇବାକୁ ମନ କଲା ଯେ ଇହସୁଖକୁ ଛାଡ଼ିଲେ ଯାଇ ପରସୁଖର ପ୍ରାପ୍ତି ହେବ ବୋଲି ବଡ଼ ଏକପାଖିଆ ଭାବରେ ଘୋଷଣା କଲା । ପର ସୁଖକୁ ହିଁ ପ୍ରକୃତ ସୁଖ ବୋଲି କହିଲା । ପୃଥିବୀକୁ ମାୟା ବୋଲି କହିଲା । ମଣିଷ ଭିତରେ ଉଦାସୀନତା ଏବଂ ଉପେକ୍ଷାର ବହୁବିଧ ଅହଙ୍କାରିତା ଆଣି ଭର୍ତ୍ତି କରିଦେଲା । ସେହି ଚିନ୍ତାଧାରାରେ ବାଇଆ ହୋଇ ଥୋକେ ମଣିଷ ସଂସାର- ତ୍ୟାଗୀ ହେଲେ, ଅପବିତ୍ର ସଂସାରରୁ ଅଲଗା ହୋଇ ରହି ଆପଣାକୁ ପବିତ୍ର ବୋଲି କହିଲେ । ସଂସାରୀ ମଣିଷମାନଙ୍କ ଭିତରେ ଏକ ଅନିଷ୍ଟକାରୀ ଅପରାଧବୋଧ ଆଣି ପୂରାଇଦେଲେ, ଧର୍ମକୁ ଅତ୍ୟନ୍ତ ନକାରାତ୍ମକ କରି ପକାଇଲେ । ଅତୀତ ଯୁଗରେ ଏହି ଏକଆଖିଆ ଧର୍ମ ହିଁ ସର୍ବଦା ବିଜ୍ଞାନର ବିରୋଧ କରୁଥିଲା । ତଥାପି ଜିଜ୍ଞାସାର ପଥକୁ ଆଦୌ ରୁଦ୍ଧ କରି ରଖିପାରିଲା ନାହିଁ । ବିଜ୍ଞାନର ଅଗ୍ରସର ହୋଇଯିବା ସଙ୍ଗେ ସଙ୍ଗେ ମନୁଷ୍ୟ ନିଜ ବାହାରେ ଓ ବହୁ ସମ୍ଭାବନାକୁ ଠାବ କରିପାରିଲା, ନିଜ ଭିତରୁ ଏବଂ ନିଜ ବାହାରୁ ଆହୁରି ଅଧିକ ଦେଖିପାରିବା ନିମନ୍ତେ ବଳ ପାଇଲା-। ବିଜ୍ଞାନ ଏବଂ ଆତ୍ମଜ୍ଞାନ ଯେ ପରସ୍ପରର ଆଦୌ ବିରୋଧୀ ନୁହନ୍ତି, ତାହାରି ଉଦ୍‍ଘୋଷଣା କରି ଆଧୁନିକ ପୃଥିବୀରେ ଯେଉଁ ନୂତନ ଆଧ୍ୟାତ୍ମ ଜନ୍ମଲାଭ କରୁଛି, ଆଗାମୀ ସମନ୍ଵୟଟି ତାହାରି ଦ୍ଵାରା ହିଁ ସମ୍ଭବ ହେବ । ସେହି ସମନ୍ଵୟରେ ସତ୍ୟ ହିଁ ରାଜା ହେବ । ବାଟମାନେ, ସତ୍ୟମାନେ ଓ ସମ୍ପ୍ରଦାୟମାନେ ଅଦୌ ସତ୍ୟ ବୋଲି ଦିଶିବେ ନାହିଁ । ମଣିଷ ମଣିଷର ସାଙ୍ଗ ପରି ଦିଶିବ । ମଣିଷ ମଣିଷ ସହିତ ସାଙ୍ଗ ହୋଇ ବାଟ ଚାଲିବ । ଏବଂ ମଣିଷମାନେ ସାଙ୍ଗ ହୋଇ ବାଟ ଚାଲିବାକୁ ରାଜି ହୋଇଗଲେ ଭଗବାନମାନେ ମଧ୍ୟ ଅପଣା ଭିତରେ କରିଆସିଥିବା ଝଗଡ଼ାଗୁଡ଼ିକୁ ବର୍ଜନ କରିବେ । ଜଣେ ଜିଜ୍ଞାସୁ କାହିଁକି ଆଉଜଣେ ଜିଜ୍ଞାସୁ ସହିତ ଝଗଡ଼ା ଲଗାଇବାକୁ ଇଚ୍ଛା କରିବ ? ଜିଜ୍ଞାସୁ ଜିଜ୍ଞାସୁ ଭିତରେ କାହିଁକି ଗୁରୁ ଓ ଚେଲାର ବ୍ୟବଧାନ ରହିଥିବ ଏବଂ ପୃଥିବୀଟାକୁ ଉଚ୍ଚନୀଚ କରି ରଖିଥିବ ? ଆଗାମୀ ପୃଥିବୀରେ ଭଗବାନ୍ ମଣିଷର ସାଙ୍ଗ ଭଳି ଦିଶିବେ । ଯେଉଁ ପୁରୁଣା ମତମାନେ ଏତେଦୂର ସାହସ କରି ନପାରିବେ, ସେମାନେ ରହିଯିବେ । ଭୀରୁ ମଣିଷମାନେ ବି ହଟିଯିବେ । ଇତିହାସରେ ଧର୍ମମାନେ, ମତମାନେ ଓ ସଂପ୍ରଦାୟମାନେ ମଣିଷକୁ ଭାରି ଭୀରୁ କରି ପକାଇଛନ୍ତି । ଆଗାମୀ ପୃଥିବୀରେ ସେହି ଭୀରୁତାଟାହିଁ ସବୁଠାରୁ ବେଶି ମାଡ଼ ଖାଇବ । ଭୀରୁତା ଗଲେ ଯାଇ ସତ୍ୟ ଦିଶିବ, ଭଗବାନ୍ ବି ଦୃଶ୍ୟ ହୋଇ ଆସିବେ ।

 

ସବୁଠାରୁ ଆଗ ମନେରଖିବାର ଏବଂ ଅନୁଭବ କରିବାର କଥା ହେଉଚି, ଭଗବାନ ବୋଲି ମୁଁ ଯାହାକିଛିକୁ ଜାଣୁଛି, ସିଏ ମୋରି ଭିତରେ ରହିଛି । ଜୀବନରେ କେତେକ ମୂଳ ବଶ୍ଵାସକୁ ଅବଲମ୍ବନ କରି ମୁଁ ମୋ’ ଜୀବନଟିକୁ ବଞ୍ଚୁଛି । ମୁଁ ଯେଉଁ ଘରେ, ଯେଉଁ ସମାଜରେ ଓ ଯେଉଁ ସଂସ୍କୃତିରେ ଜନ୍ମ ହୋଇଛି ମୋ’ର ସେହି ବିଶ୍ଵାସଗୁଡ଼ିକ ମୁଖ୍ୟତଃ ତାହାରି ଛାଞ୍ଚଗୁଡ଼ିକ ମାଧ୍ୟମରେ ନିଜକୁ ବ୍ୟକ୍ତ କରୁଛନ୍ତି ସିନା, ତଥାପି ସେଗୁଡ଼ିକ ସେହି ଘର ସେହି ସମାଜ ବା ସେହି ସଂସ୍କୃତି ଦ୍ଵାରା ହିଁ ନିୟନ୍ତ୍ରିତ ବା ସୀମା ନିର୍ଦ୍ଧାରିତ ହୋଇ ରହିଛି ବୋଲି କଦାପି କୁହାଯାଇ ପାରିବ ନାହିଁ । ମୁଁ ଯେଉଁ କ୍ଷେତ୍ରରେ ଜୀବନଟିଏ ବଞ୍ଚୁଛି, ମୋ’ ଜୀବନଟି କ’ଣ କେବଳ ତାହାରିଦ୍ଵାରା ସୀମାନିର୍ଦ୍ଧାରିତ ହୋଇ ରହିଛି ? ପ୍ରତ୍ୟେକ ମଣିଷ ଭିତରେ କ’ଣ ଗୋଟାଏ ରହିଛି, ଯାହାକି ନିରନ୍ତର ନାନା ସୀମାକୁ ଡେଇଁ ଚାଲିଯିବାକୁ ହିଁ ତାର ସର୍ବମୂଳ ଧର୍ମରୂପେ ମାନୁଛି । ଘର, ସମାଜ, ନୀତି, ଧର୍ମ, ଯେତେ ଯାହା ସୀମାର ଧମକ ବା ପ୍ରଲୋଭନ ଦେଖାଇ ମଣିଷକୁ ଏକ ନିର୍ଦ୍ଧାରିତ ଆୟତନ ଭିତରେ ନିବୁଜ କରି ରଖିବାକୁ ଇଚ୍ଛା କରୁଛି, ମଣିଷ ମୋଟେ ସେତିକି ଭିତରେ ଆବଦ୍ଧ ହୋଇ ରହିପାରୁନାହିଁ । ଏକ ନିର୍ଦ୍ଦିଷ୍ଟ ତଉଲ ସହିତ ଅଭ୍ୟସ୍ତ ହୋଇ ରହିଥିବା ଆମର ନୈତିକତା ଏବଂ ତାହାର ଗଣିତଗୁଡ଼ିକ ମଣିଷକୁ ଯେତିକି ବୋଲି କହୁଛି, ମଣିଷ ଯେ ଆଦୌ ମାତ୍ର ସେତିକି ନୁହେଁ, ଆମ ପ୍ରତ୍ୟେକଙ୍କର ଜୀବନରେ ହୁଏତ ପ୍ରତ୍ୟେକ ମୁହୂର୍ତ୍ତରେ ତାହା ପ୍ରମାଣିତ ହୋଇଯାଉଛି-। ନିଜ ଜୀବନରେ ଯେତିକି ସମ୍ଭବ ହୋଇଛି ବା ହେଉଛି, ତାହାର ବହୁ ବହୁ ଗୁଣ ଅଧିକ ଯେ ଆମ ଭିତରେ ସମ୍ଭାବ୍ୟରୂପେ ମହଜୁଦ ହୋଇ ରହିଛି ଏବଂ ବାହାରକୁ ଫୁଟି ପ୍ରକଟ ହେବା ଲାଗି ଅପେକ୍ଷା କରି ରହିଛି, ଜଣେ ଜଣେ ମନୁଷ୍ୟ ହିସାବରେ ଆମେ ସେହି କଥାଟିକୁ ଅବଶ୍ୟ ଅନୁକ୍ଷଣ ଅନୁଭବ କରୁଥିବା । ଏହି ସମ୍ଭାବ୍ୟଗୁଡ଼ିକ ହିଁ ଆମକୁ ନିରନ୍ତର ଅସ୍ଥିର କରି ରଖିଛି ।

 

ଭିତରେ ଥାଇ ଯାହା ଆମକୁ ନିରନ୍ତର ଅସ୍ଥିର କରୁଛି, ଆମକୁ ଆହୁରି ଆଗକୁ ଯିବାଲାଗି, ଆହୁରି ଅଧିକ ହେବାଲାଗି ଏବଂ ଆହୁରି ଅଧିକ ଖିଅ ଯୋଡ଼ିବା ନିମନ୍ତେ ପ୍ରାୟ ନିତ୍ୟଉଜାଗର କରିରଖିଛି, ଅମେ ସେଇଟିକୁ ହିଁ ଆମ ଭିତରରର ଭଗବାନ ବୋଲି କହି ପାରିବା କି ? ପୂର୍ଣ୍ଣ ସନ୍ତୋଷ ହେଉଛି ଯେକୌଣସି ଇତରପ୍ରାଣୀର ଜୀବନରେ ତାର ଆଦର୍ଶ, ନିତ୍ୟ ଅସନ୍ତୋଷ ହେଉଛି ମଣିଷ ସତକୁ ସତ ଜୀଇଛି ବୋଲି ତା’ର ସ୍ମରଣ କରାଇ ଦେଉଥିବା ସବାବଡ଼ ଲକ୍ଷଣ । ତାହାହିଁ ମଣିଷକୁ ସବୁଠାରେ ଏପରି ଅନନ୍ୟ କରି ରଖିଛି । ଜଣେ ମଣିଷକୁ ତା’ର ଅନ୍ତଃସ୍ଵଭାବର କ୍ଷେତ୍ରରେ ଆଉ ଜଣେ ମଣିଷଠାରୁ ଏପରି ଅଲଗା କରି ରଖିଛି । ଆମେ ସମସ୍ତେ ବାଟ ଚାଲୁଛୁ, ମାତ୍ର ଠିକ୍ ଆଉ କାହରିଭଳି ଅଦୌ ବାଟ ଚାଲୁନାହୁଁ । ଆମେ ସମସ୍ତେ ସ୍ଵପ୍ନ ଦେଖୁଛୁ, ମାତ୍ର ଠିକ୍ ଆଉ କାହାରିଭଳି ଅଦୌ ସ୍ଵପ୍ନ ଦେଖୁନାହୁଁ । ନିଜକୁ ଏହିପରି ଅନନ୍ୟ ବୋଲି ଜାଣିବା, ସମ୍ଭବତଃ ତାହାହିଁ ହେଉଛି ଜଣେ ଜଣେ ମଣିଷ ହିସାବରେ ଆମେ ପାଇବାରେ ଲାଗିଥିବା ଗଭୀରତମ ଆନନ୍ଦ ଓ ଗଭୀରତମ ସାର୍ଥକତାବୋଧ । ଯିଏ ବିଚରା ନିଜର ସେହି ଅନନ୍ୟତାକୁ ସମଝି ପାରୁନାହିଁ, ଖୋଜି ପାରୁନାହିଁ କିମ୍ବା ଛୁଇଁ ପାରୁନାହିଁ, ସମସ୍ତଙ୍କ ମେଳରେ ଏହି ନାନାବିଧ ହାଟ ଭିତରେ ଥାଇ ମଧ୍ୟ ସିଏ ନିଜକୁ ନିଃସଙ୍ଗ ବୋଲି ଅନୁଭବ କରୁଛି । ନିଃସଙ୍ଗତା ଦ୍ଵାରା କ୍ରମେ ମରି ମରି ଯାଉଛି । ମଣିଷର ଅସଲ ଦାରିଦ୍ର୍ୟ ହେଉଛି ଏହି ନିଃସଙ୍ଗତାବୋଧ । ଯିଏ ସର୍ବଦା ଆପଣାର ସେହି ଅନନ୍ୟତାକୁ ସେହି ଅନନ୍ତ ସମ୍ଭାବନାର ଆଲୋଡ଼ନକାରୀ ଆକର୍ଷଣଟିକୁ ସାଙ୍ଗରେ ଧରି ବାଟ ଚାଲିପାରୁଛି, ପାଖରେ କେହି ନଥିଲେ ମଧ୍ୟ ସିଏ ନିଜକୁ ତଥାପି ଏକୁଟିଆ ବୋଲି ଅନୁଭବ କରୁନାହିଁ । ସର୍ବଦା ତା' ସହିତ ଆଉଜଣେ ସଙ୍ଗୀ ହୋଇ ବାଟ ଚାଲୁଛି ବୋଲି ଅନୁଭବ କରୁଛି । ସେହି ଅନୁଭବଟିକୁ ସ୍ଵୀକୃତି ଦେବାକୁ ଯାଇ ମଣିଷ ତାହାକୁ ହିଁ ଭଗବାନ ବୋଲି କହିଛି କି ? ଭଗବାନଙ୍କୁ ଅଙ୍ଗେ ନିଭାଇ ଥିବା ପୃଥିବୀଯାକର ବହୁତ ମଣିଷ ତାଙ୍କୁ ପରମସଙ୍ଗୀ ବା ପରମମହତ୍ ବୋଲି କହିଛନ୍ତି ।

 

ଆମକୁ ଘେରି ରହିଥିବା ଏତେ ଏତେ ବସ୍ତୁ ଭିତରେ ସେଇ ହେଉଛନ୍ତି ପରମ ବସ୍ତୁ । ପରମ ଦ୍ରବିଣ, ତେଣୁ ପରମ ବାନ୍ଧବ । ଆପଣା ଭିତରୁ ଆପଣାକୁ ମିଳୁଥିବା ଆପଣାର ସବୁଠାରୁ ବଡ଼ ପରିଚୟ । ଏକ ଅତ୍ୟନ୍ତ ଭଚ୍ଚାଟନକାରୀ ପରିଚୟ । ସେହି ପରିଚୟଟିକୁ ଦେଇ ନିଜକୁ ଦେଖି ଶିଖିଲେ ଯାବତୀୟ ପରିଚୟ ସତେଅବା ଆପଣାର ସମ୍ପୂର୍ଣ୍ଣ ମହିମାଟିକୁ ଲାଭ କରିଥାଏ । ମୋର ପରମବସ୍ତୁ, ପରମ ବନ୍ଧୁ ମୋ’ଭିତରେ ଥାଇ ମୋତେ ପରିଚାଳିତ କରୁଛି, ବାଟ କଢ଼ାଇ ନେଉଛି; ସିଏ ମୋତେ ଏପରି ଆଖିଟିଏ ଆଣି ଯୋଗାଇଦେଇଛି ଯାହା ଫଳରେ କି ମୁଁ ଏକା ସମୟରେ ବାହାର ଓ ଭିତର ଉଭୟଟିକୁ ଦେଖିପାରୁଛି, ବାହାରେ ହାତଛଡ଼ା ହୋଇଗଲେ ଭିତରୁ ପାଇପାରୁଛି ଏବଂ ଭିତରେ ହାତଛଡ଼ା ହୋଇଗଲେ ବାହାରେ ଠାବ କରିପାରୁଛି, ସେଇ ମୋର ପରମ ସମ୍ପଦ । ସିଏ ମୋତେ କଦାପି ଛାଡ଼ି ଯିବ ନାହିଁ, ମୋତେ କଦାପି ହେୟଜ୍ଞାନ କରିବ ନାହିଁ । ବାହାରେ ବେଳେ ବେଳେ ସତେଅବା ସମସ୍ତେ ମୋତେ ବର୍ଜନ କରି ଚାଲି ଯାଇଥିବା ପରି ଲାଗୁଥିଲେ ମଧ୍ୟ ସିଏ ମୋତେ କଦାପି ବର୍ଜନ କରିବ ନାହିଁ । ଖିଅ ଛାଡ଼ିଗଲେ ଖିଅ ଲଗାଇଦେବ, ଖିଅ ଛିଣ୍ଡିଗଲେ ଖିଅ ଯୋଡ଼ିଦେବ । ସିଏ ନଥିଲେ, ମୋର ଜୀବନଟାକୁ ମୁଁ ପ୍ରକୃତରେ ଆଉ କିପରି ନିଜର ଜୀବନ ବୋଲି ଅନୁଭବ କରିପାରୁଥାନ୍ତି ? ମୁଁ ନିଜ ଭିତରେ ଏହିପରି ଗୋଟିଏ ସଙ୍ଗୀ ସହିତ ବାଟ ଚାଲୁଛି ବୋଲି ବାହାରର ସମଗ୍ର ସଂସାରଟାକୁ ସିନା ନିଜର ଘର ବୋଲି ଅନୁଭବ କରି ପାରୁଛି ! ମୋ’ ଭିତରେ ଯେଉଁଭଳି ସଙ୍ଗୀଟିଏ ରହିଛି ଅନ୍ୟ ସବୁ ମଣିଷଙ୍କ ଭିତରେ ବି ସେହିପରି ସଙ୍ଗୀଟିଏ ଅବଶ୍ୟ ରହିଥିବ । ହୁଏତ ସେଇଥିରୁ ମୋ’ ଜୀବନରେ ଏହି ଦ୍ଵିତୀୟ ଅନୁଭୂତିଟି ସମ୍ଭବ ହେଉଛି । ଏଇ ଯିଏ ସବୁ ମଣିଷଙ୍କ ଭିତରେ ସଙ୍ଗୀ ହୋଇ ରହିଛି, ସିଏ କ’ଣ ସତକୁ ସତ ଗୋଟିଏ, ଜଣେ ? ଏହି ସବୁକିଛି ସେହି ଜଣକର ବିଧାନ ? ଏହି ଅମାପ ସ୍ନେହ, ମମତା, ସଂବେଦନା ଓ ସହାନୁଭୂତି, ଏସବୁ କ’ଣ ତାହାରି ବିକୀରଣ ? ସଭ୍ୟତାର ସିଡ଼ିରେ ଏହିପରି ପାହାଚ ପାହାଚ ଉଠି ମଣିଷ ପ୍ରକୃତରେ କେତେକେ ମହିମାର ଯୋଗ୍ୟ ନ ହୋଇଛି ! ଜଣେ ନିପୁଣ ଓ ଅନୁଭବୀ ଶିଳ୍ପୀ ପରି ସିଏ ଭଗବାନଙ୍କୁ ଗଢ଼ିଛି । ଭଗବାନଙ୍କର ଦର୍ପଣ ଉପରେ ପୃଥିବୀଟାକୁ ଅନୁଭବ କରିଛି ଓ ପୃଥିବୀର ଦର୍ପଣ ଉପରେ ଭଗବାନଙ୍କୁ ଅନୁଭବ କରିଛି । ମଣିଷ ଭିତରର ଏହି ଶିଳ୍ପୀ ହିଁ ଭଗବାନଙ୍କୁ ସମଗ୍ର ଜଗତର ବି ନିର୍ମାତା ବୋଲି ସ୍ଵୀକାର କରିଛି । କୌଣସି ସମୟରେ କୌଣସିଠାରେ ଶୂନ୍ୟରେ ଗୋଟାଏ ଢୋ କରି ଶବ୍ଦ ହେଲାପରେ ତାହାରି ପ୍ରତିକ୍ରିୟାରୁ ଘଟିଥିବା ନାନା ଅକସ୍ମାତ୍ ଘଟଣାରୁ ଏହି ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ହୋଇଛି ବୋଲି କରାଯାଇଥିବା ଅନୁମାନଟା ଠାରୁ ଏହି ଅନ୍ୟ କଳ୍ପାନଟା ଯେ ଅଧିକ ସଙ୍ଗତିଯୁକ୍ତ, ମଣିଷମାନଙ୍କୁ ସେକଥା ମୋଟେ ବୁଝାଇ କହିବାକୁ ପଡ଼ିବ ନାହିଁ । ଏହା ପଛରେ ସୂତ୍ର କଷି ପ୍ରମାଣ କରିଦେବା ଭଳି କୌଣସି ଶୈଳୀ ହୁଏତ ନାହିଁ, ତଥାପି ଏଇଟିକୁ ଅଧିକ ବୁଝି ହେଉଛି । ହୃଦୟ ବୁଝୁଛି, ତେଣୁ ମସ୍ତିଷ୍କ ମଧ୍ୟ ବୁଝିପାରୁଛି ।

 

ଯିଏ ମୋ' ଭିତରେ, ସେଇ ମୋ’ ବାହାରେ,ଅର୍ଥାତ୍ ଅନ୍ୟ ସମସ୍ତଙ୍କ ଭିତରେ, ଏହି ସବୁ କିଛି ଭିତରେ । ଏସବୁ ଅକସ୍ମାତ୍ ଆଦୌ କିଛି ହୋଇନାହିଁ, କିଛି ଘଟିନାହିଁ । ପୃଥିବୀରେ ଅକସ୍ମାତ୍ ବୋଲି ଅଦୌ କିଛି ଘଟୁନାହିଁ । ମସ୍ତିଷ୍କ ବୁଝି ନପାରିଲେ ହୃଦୟ ଆବଶ୍ୟ ବୁଝୁଛି । ମସ୍ତିଷ୍କ ହୃଦୟର ଗୋଡ଼ ହୋଇ ରହିଛି, ହୃଦୟ ମସ୍ତିଷ୍କକୁ ଆବୋରି ଛିଡ଼ା ହୋଇଥିବା ଶିଖର ସଦୃଶ ଦୃଷ୍ଟିଗୋଚର ହେଉଛି । ଏବଂ ଜଣେ ଜଣେ ମନୁଷ୍ୟ ହିସାବରେ ଆମ ଭିତରେ ମସ୍ତିଷ୍କଟିଏ ରହିଛି, ହୃଦୟଟିଏ ବି ରହିଛି । ଅନେକ ମଣିଷଙ୍କର ଜୀବନରେ ଯଦି ହୃଦୟଠାରୁ ମସ୍ତିଷ୍କ ବିଚ୍ଛିନ୍ନ ହୋଇ ରହିଥାଏ, ତେବେ ସେହି କ୍ଷେତ୍ରରେ ଗୋଟିଏ ପାଖରେ ମଣିଷ ଭାରି ଶୁଷ୍କ ହୁଏ ଏବଂ ଅନ୍ୟ ପାଖଟିରେ ଭାବପ୍ରବଣ ହୁଏ । ସିଏ ଭଗବାନ କହିଲେ ଭାବପ୍ରବଣ ହୋଇଥାଏ ଏବଂ ଏଣେ ସଂସାର ଭିତରେ ଶୁଖିଲା ଅଙ୍କଗୁଡ଼ାକର ବୋଲ ମାନି ବାଟ ଚାଲୁଥାଏ । ସତେଅବା ଏକାବେଳେକେ ଦୁଇଟା ଭଗବାନଙ୍କ ଭିତରେ ଦୁଇଫଡ଼ା ହୋଇ ରହିଥାଏ । ବେଳେବେଳେ ଗୋଟାଏ ସଂପୂର୍ଣ୍ଣ ସଭ୍ୟତା ମଧ୍ୟ ଏହିପରି ଦୁଇଫଡ଼ା ହୋଇ ବଡ଼ ଦୟନୀୟ ହୋଇପଡ଼ନ୍ତି । ଭାଗ୍ୟକୁ ଭିତରେ ପରମ ସଙ୍ଗୀଟିଏ ବସିଥାଏ, ଯିଏ କି ସତେ ଅବା ମାଆଟିଏ ପରି ପୁନର୍ବାର ଅନେକ ଧୈର୍ଯ୍ୟ ଏବଂ ଅନେକ ବିଶ୍ୱାସ, ସହକାରେ ତାହାକୁ ଯୋଡ଼ିଆଣନ୍ତି ଏବଂ ଆମକୁ ପୂର୍ଣ୍ଣ ପ୍ରତ୍ୟୟ ସହିତ ନିଜ ଘରକୁ ଫେରାଇଆଣନ୍ତି ।

 

ସତ୍ୟଟିଏ ଅବଶ୍ୟ ରହିଛି,-ତା' ନହେଲେ ଆମର ମୁହୂର୍ତ୍ତଗୁଡ଼ିକ ଗୋଟିଏ ଆଉଗୋଟିକ ସହିତ ଅବିଚ୍ଛିନ୍ନ ଭାବରେ ଏଭଳି କଦାପି ଯୋଡ଼ି ହୋଇ ରହିନଥାନ୍ତା । ଆମର ପରାଜୟ ଗୁଡ଼ିକ ଆମର ବିଜୟ ସହିତ କଦାପି ଯୋଡ଼ି ହୋଇ ରହିନଥାନ୍ତେ, ଆମର ରାତ୍ରି ଗୁଡ଼ିକ ଆମ ଦିବସଗୁଡ଼ିକର ଜନନୀ ସଦୃଶ କଦାପି କାର୍ଯ୍ୟ କରୁନଥାନ୍ତେ । ଜଣେ ନିଃସଙ୍ଗ ମଣିଷର ସୂତାଟି ତା'ଭିତରେ ଅଥବା ବାହାରେ କୋଉଠି ଛିଣ୍ଡି ଯାଇଥାଏ କେଜାଣି, ସିଏ ବିଚରା ଏଠାରେ ମହଜୁଦ ରହିଥିଲେ ମଧ୍ୟ ତଥାପି ଏଠାରେ ନଥାଏ, ନିଜେ ଜନନୀ ସଦୃଶ ହୋଇ ନିଜ ଭିତରର ନିତ୍ୟଶିଶୁଟିକୁ ଆଦୌ ଲାଳନ କରି ଆଣି ପାରେନାହିଁ । ତାକୁ ତୁମେ କେବେହେଲେ ଭଗବାନଙ୍କ କଥା କହିବ ନାହିଁ । କେବେହେଲେ ଭଗବାନଙ୍କ ବିଷୟରେ ବୁଝାଇବାକୁ ଚେଷ୍ଟା କରିବ ନାହିଁ । ତା’ ପାଖରେ ତୁମେ ସତେଅବା ବନ୍ଧୁଟିଏ ହୋଇ ପହଞ୍ଚିବ, ଠିକ୍ ଜନନୀଟିଏ ହୋଇ ପହଞ୍ଚିବ । ପାଖକୁ ନେବ, ଛୁଇଁବ । ମୋଟେ ଭାବପ୍ରବଣ ହେବନାହିଁ, ମୋଟେ କୋଳାହଳ କରିବନାହିଁ । ତୁମ ନିଜ ଭିତରେ ଯେ ସୂତାଟି ଲାଗି କରି ରହିଛି ତୁମେ ତାକୁ ସେହି ପ୍ରତ୍ୟୟଟି ଦେବ । ପୃଥିବୀରେ ଯାବତୀୟ ପ୍ରତ୍ୟୟର ଏକ ଶକ୍ତିଶାଳୀ ସଂକ୍ରମଣ ଶକ୍ତି ରହିଛି । ଯୋଉ ଆଖି ଦେଖୁଛି, ଛୁଇଁଛି, ସେହି କଥାଟିକୁ କହିବା ଲାଗି କ'ଣ ତାକୁ କୋଳାହଳ କରିବାକୁ ପଡ଼ିବ ? ଯିଏ ତୁମହାତରେ ଖିଅଟିଏ ଆଣି ଧରାଇ ଦେଇଛନ୍ତି, ସିଏ ଅନ୍ୟମାନଙ୍କର ହୃଦୟ ଭିତରେ ମଧ୍ୟ ଖିଅଟିଏ ହୋଇ ଅପେକ୍ଷା କରି ରହିଛନ୍ତି । ତେଣୁ, ପୃଥିବୀରୁ ସତ୍ୟର ଲୋପ ହୋଇଯିବ ବୋଲି ଭୟ କରିବାର ମୋଟେ କୌଣସି କାରଣ ନାହିଁ । ପୃଥିବୀ ରହିଛି, ତେଣୁ ସତ୍ୟ ଅଛି, ସତ୍ୟ ରହିଛି, ତେଣୁ ପୃଥିବୀ ଅଛି । ତେଣୁ, କେବଳ ମୂଢ଼ମାନେ ହିଁ ଆର୍ତ୍ତନାଦ କରନ୍ତି, ଅଭିଯୋଗ କରନ୍ତି ।

 

–୪–

 

କେଉଁ ଦୂର ସ୍ଵର୍ଗରାଜ୍ୟରେ ଥାଇ କୌଣସି ଭଗବାନ ମଣିଷକୁ ଇଙ୍ଗିତ ଦେଇଛନ୍ତି ବୋଲି ଯେ ମନୁଷ୍ୟ ଭଗବାନଙ୍କୁ ଖୋଜି ବାହାରିଛି, ସେକଥା ମୋଟେ ନୁହେଁ । ମଣିଷ ଏଇଠି, ଏହି ପୃଥିବୀରେ ଥାଇ ହିଁ ଭଗବାନଙ୍କୁ ଖୋଜିଛି । ତା' ଚାରିପାଖର ଜୀବନବିସ୍ତୃତିର ଗଭୀରକୁ ଯାଇ ସିଏ ନିଜ ବିବେକ ଅନୁସାରେ ହିଁ ଭଗବାନଙ୍କୁ ଖୋଜିଛି, ନିଜ ବିବେକ ଅନୁସାରେ ହିଁ ତାଙ୍କୁ ରୂପଟିଏ ଦେଇଛି । ଏହି ଅନ୍ୱେଷଣ ଏବଂ ଏହି ଉପଲବ୍ଧିରେ ତାର ମନ ଓ ତାର ହୃଦୟ ଅନୁକ୍ଷଣ ସାହାଯ୍ୟ କରିଛନ୍ତି । ଅର୍ଥାତ୍, ଅସଲ ନିର୍ଦ୍ଦେଶ ଅର୍ଥାତ୍ ଇଙ୍ଗିତଟି ମଣିଷର ଭିତରୁ ହିଁ ଆସିଛି । ସମାଜର ଧର୍ମମାନେ ମଣିଷକୁ କେତେଟା ସୂତ୍ରକୁ ମାନି ବାଧ୍ୟ ହୋଇ ରହିଯିବାକୁ ହୁଏତ କେତେ ଫୁସୁଲାଇଛନ୍ତି, - ମଣିଷମାନଙ୍କୁ ସେହି ଫୁସୁଲାଗୁଡ଼ାକ ଭିତରେ ବାନ୍ଧି ରଖିବାଲାଗି କେତେ କେତେ ବାହ୍ୟ ଆକର୍ଷଣକୁ ଆଣି ମଣିଷ ଆଗରେ ଥୋଇ ଦିଆଯାଇଛି । ନୂଆ ଭେକଟିଏ ଆଣି ଥୁଆ ହୋଇଛି, ନୂଆ ଠାକୁରମାନଙ୍କର ଭିଆଣ କରାଯାଇଛି, -ଠାକୁରମାନଙ୍କ ନାଆଁରେ ବହୁ ବହୁ କାହାଣୀ ଫାନ୍ଦିଦେଇ ମନୁଷ୍ୟର ଚିତ୍ତକୁ ଅତ୍ୟନ୍ତ ମନୋରମ ଭାବରେ ଗୋଟାଏ ନିର୍ଦ୍ଦିଷ୍ଟ ଛାଞ୍ଚ ବା ନକ୍ସା ଭିତରେ ପକାଇ ଦେବାପାଇଁ ଫିକରମାନ କରାଯାଇଛି । ମଣିଷ ଲେଖିଥିବା କେତେ ଶାସ୍ତ୍ରକୁ ପବିତ୍ର ବୋଲି ଘୋଷଣା କରାଯାଇଛି ଏବଂ କେତେକ କ୍ଷେତ୍ରରେ ସେହି ଶାସ୍ତ୍ରଗୁଡ଼ିକୁ ଅପୌରୁଷେୟ ବୋଲି କହି ଯୁକ୍ତି କରାଯାଇଛି । ଅପୌରୁଷେୟ, ଅର୍ଥାତ୍ ଯାହାକୁ ସଂସାରର କୌଣସି ମନୁଷ୍ୟ ଲେଖିନାହାନ୍ତି । ସେଗୁଡ଼ିକୁ ସ୍ଵର୍ଗରେ ଲେଖାଯାଇଛି, ହୁଏତ ସ୍ୱୟଂ ଭଗବାନ ଲେଖିଛନ୍ତି । ବା, ଭଗବାନ ଆଉ କାହାକୁ ଆଦେଶ ଦେଇ ଲେଖାଇଛନ୍ତି । ସଂସାରର ମଣିଷମାନଙ୍କ ପାଇଁ ଲେଖାଇଛନ୍ତି । ସରଳ ବିଶ୍ୱାସରେ ଯିଏ ଯେତେ ବାଟ ଯୁଆଡ଼େ ମାଡ଼ିଯିବାକୁ ଇଚ୍ଛା କରୁଛି ଯାଉ ପଛକେ, ସାରକଥା ଓ ସତକଥା ହେଉଛି ଯେ, ମଣିଷ ହିଁ ତା’ ଶାସ୍ତ୍ରମାନଙ୍କୁ ଲେଖିଛି । କୌଣସି ଧର୍ମକୁ ମଣିଷମାନଙ୍କର ବିବେକ ଉପରେ ଆଣି ମଡ଼ାଇ ଦେବାକୁ ଏବଂ ନିଜ ଧର୍ମକୁ ଅନ୍ୟାନ୍ୟ ଧର୍ମ ଅପେକ୍ଷା ଅଧିକ ତାରିଫ୍ କରି ଦେଖାଇବା ପାଇଁ ହୁଏତ ଏଭଳି କୁହାଯାଉଛି-। ଏଥିରେ ବହୁ ମଣିଷ ଏବେ ମଧ୍ୟ ବିଶ୍ଵାସ କରୁଛନ୍ତି । ଯେଉଁ ଦ୍ରଷ୍ଟା ବା ମନୀଷୀମାନଙ୍କ ଠାରୁ ପୃଥିବୀର ବିଭିନ୍ନ ଧର୍ମ ଉନ୍ମେଷ ଲାଭ କରିଛନ୍ତି, ସେମାନେ ଅଦ୍ୟତଃ ସଂପୃକ୍ତ ଧର୍ମସନ୍ଦେଶଗୁଡ଼ିକୁ ନିଜ ଭିତରୁ ହିଁ ଲାଭ କରିଛନ୍ତି । ସେତେବେଳେ ସେମାନଙ୍କର ଚାରିପଟେ ରହିଥିବା ସମାଜ ବା ପୃଥିବୀରେ ଧର୍ମ ନାମରେ, ନୀତି ନାମରେ ଅଥବା ତତ୍ତ୍ଵ ନାମରେ ଯାହା କିଛି ଚଳୁଥିଲା, ସେହିଗୁଡ଼ିକ ସମ୍ବନ୍ଧରେ ଆପଣାର ଗଭୀର ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ହିଁ ସେମାନେ ଏକ ଅନ୍ୟଭଳି ଜୀବନ, ଅନ୍ୟଭଳି ଆଚାର ଏବଂ ଅନ୍ୟଭଳି ମାର୍ଗର ଉଦ୍‌ବୋଧନ ଦେଇଛନ୍ତି । ଯାହାସବୁ ଚଳୁଥିଲା, ତାହାକୁ ସେମାନେ ଆଦୌ ହିତକାରୀ ନୁହେଁ ବୋଲି ହୃଦୟଙ୍ଗମ କରିଛନ୍ତି । ସାଧାରଣ ଅନେକ ମଣିଷ ଯାହାକୁ ସହି ଆସୁଥିଲେ, ସେମାନେ ତାହକୁ ସହ୍ୟ କରି ପାରିନାହାନ୍ତି । ସେଇଥିଲାଗି ମୁହଁ ଖୋଲି ନିଜର ନୂଆ କଥାଟି କହିଛନ୍ତି । ବହୁ ବିରୋଧ ଏବଂ ବିପଦର ସମ୍ମୁଖୀନ ହୋଇଛନ୍ତି । କେତେକଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯାଇଛି । ତଥାପି,କେତେକ ମଣିଷ ନୂଆ ସନ୍ଦେଶଗୁଡ଼ିକୁ ବୁଝିଛନ୍ତି । ସେମାନଙ୍କ ମଧ୍ୟରୁ ନୂଆ ନେତୃତ୍ଵଟିଏ ଜନ୍ମଲାଭ କରିଛି ଏବଂ ତା'ପରେ ତାହାକୁ କେନ୍ଦ୍ରକରି ନୂଆ ମାର୍ଗ ବା ନୂଆ ଧର୍ମଟିଏ ପ୍ରଚାରିତ ହୋଇଛି । ଧର୍ମଗୁଡ଼ିକରୁ ପ୍ରଧାନତଃ ଏହିପରି ଭାବରେ ସମ୍ପ୍ରଦାୟମାନେ ଜନ୍ମଲାଭ କରିଛନ୍ତି । ଇତିହାସରେ ଆବିର୍ଭୂତ ହୋଇଥିବା ପୃଥିବୀର ପ୍ରତ୍ୟେକ ଧର୍ମରେ ଆମେ ଅଳ୍ପବହୁତ ପ୍ରାୟ ଏହିଭଳି କାହାଣୀଟିଏ ଦେଖିବାକୁ ପାଇବା । ସ୍ଥାନୀୟ ବିଶେଷ ବିଶେଷ ସାମାଜିକ ସ୍ଥିତି ଏବଂ ଆବଶ୍ୟକତା ଅନୁସାରେ ଧର୍ମରେ ଭିନ୍ନତାମାନ ରହିଛି ଓ ଗୋଟିଏ ଗୋଟିଏ ବିଶେଷ ଦିଗ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି । ମଣିଷମାନେ ଏହି ପୃଥିବୀରେ ହିଁ ସେମାନଙ୍କର ଆଚରଣକୁ ପରିବର୍ତ୍ତନ କରିବେ, ମୂଳତଃ ସେଇଥି ସକାଶେ ଧର୍ମମାନେ ସବୁଠାରୁ ଅଧିକ ଚେଷ୍ଟା କରି ଆସିଛନ୍ତି । ବହୁତ ଧର୍ମରେ ‘ମୋକ୍ଷ’ ବୋଲି ଗୋଟିଏ ଶବ୍ଦ ଯୋଡ଼ି ଦିଆଯାଇଛି ସତ, ମାତ୍ର ଏହି ପୃଥିବୀରେ ହିଁ ଉତ୍ତମ ଆଚରଣ ଦେଖାଇ ପାରିଲେ ଜଣେ ମନୁଷ୍ୟ ସ୍ଵର୍ଗର ଯୋଗ୍ୟ ହୋଇପାରିବ ବୋଲି ସର୍ବତ୍ର ସାବଧାନ କରି ଦିଆଯାଇଛି । ଏହି କଥାଟିକୁ ଟିକିଏ ଅଧିକ ଧ୍ୟାନ ଦେଇ ଦେଖିଲେ ସ୍ପଷ୍ଟ ହୋଇଯିବ ଯେ, ସତେଯେପରି ଏହି ପୃଥିବୀରେ, ଅର୍ଥାତ୍ ମନୁଷ୍ୟଟିଏ ବାସ କରୁଥିବା ତା’ ସମାଜରେ ହିଁ ଉତ୍ତମ ବୋଲି ସ୍ଵୀକୃତ ଆଚରଣଗୁଡ଼ିକୁ ମାନି ଚଳିବା ପାଇଁ ତାକୁ ଯେକୌଣସି ପ୍ରକାରେ ଇଚ୍ଛୁକ କରି ରଖିବା ନିମନ୍ତେ ହିଁ ମୋକ୍ଷର ଅବତାରଣା ଏବଂ ଆଲୋଚନା କରାଯାଇଛି ।

 

Unknown

ମୋକ୍ଷ ଅର୍ଥାତ୍ ମୁକ୍ତ ହୋଇଯିବା–ସଂସାରର ନିତ୍ୟଯାତନାରୁ ମୁକ୍ତି ଲାଭ କରି ଚିରନ୍ତନ ସୁଖର ସ୍ଥାନ ସ୍ଵର୍ଗରେ ଯାଇ ବାସ କରିବା । ମୃତ୍ୟୁ ପରେ ତା’ର ଦଶା କ'ଣ ହେବ, ସେହି ବିଷୟରେ ମଣିଷମାନେ ପ୍ରାୟ କିଛି ଜାଣି ନଥିବାରୁ ବ୍ୟାକୁଳ ଭାବରେ କେତେ କ’ଣ କଳ୍ପନା କରି ପକାଇଛନ୍ତି । ମଣିଷର ସେହି ବ୍ୟାକୁଳତାକୁ କିଞ୍ଚିତ୍ ଶାନ୍ତ କରି ରଖିବା ଲାଗି ସମ୍ଭବତଃ ମଣିଷ ଏହି ସଂସାରରେ ଉତ୍ତମ ଆଚରଣ କରୁ ବୋଲି ଇଚ୍ଛା କରୁଥିବା ବ୍ୟକ୍ତିମାନେ ସତେଅବା ମଉକାଟିଏ ପାଇ ତା ଆଗରେ ସ୍ଵର୍ଗର ଏକ କଳ୍ପନାକୁ ଆଣି ବାଢ଼ି ଦେଇଛନ୍ତି । ସ୍ୱର୍ଗରେ ନିତ୍ୟ ସୁଖ, ନିତ୍ୟ ଆରାମ । ନିତ୍ୟ ସନ୍ତୋଷ ଓ ନିତ୍ୟ ଆନନ୍ଦ । ମାତ୍ର, ସେହି ସ୍ଵର୍ଗର ଭାଜନ ହେବାକୁହେଲେ ତୁମକୁ ଏହି ସଂସାରରୁ ହିଁ ଅନୁରୂପ ଉଦ୍ୟମ କରିବାକୁ ପଡ଼ିବ । ଅର୍ଥାତ୍, ତୁମେ ଉତ୍ତମ ଆଚରଣ କରିବ, ଧର୍ମରେ ରହିବ, ଅମୁକ ଅମୁକ କୁକାର୍ଯ୍ୟକୁ କରିବନାହିଁ, ତେବେ ଈଶ୍ଵରଙ୍କର ଶ୍ରଦ୍ଧାଭାଜନ ହେବ ଏବଂ ମୃତ୍ୟୁଅନ୍ତେ ସ୍ଵର୍ଗକୁ ଯାଇପାରିବ । ଉତ୍ତମରୁ ଆହୁରି ଉତ୍ତମ ମଣିଷମାନଙ୍କ ସକାଶେ ସଶରୀର ସ୍ଵର୍ଗକୁ ଯାଇ ପାରିବାର ମଧ୍ୟ ସ୍ଵତନ୍ତ୍ର ବରାଦ କେତେକ ଧର୍ମବିଶ୍ୱାସରେ ଆଣି ରଖାଯାଇଛି । ଏବଂ ସ୍ୱର୍ଗକୁ ନଗଲେ ନର୍କ । ସଂସାରରେ ମନ୍ଦ ଆଚରଣ କଲେ ତୁମ ଲାଗି ନର୍କଭୋଗ । ପ୍ରାୟ ଅନନ୍ତ ଦୀର୍ଘକାଳ ନିମନ୍ତେ ଅକଥନୀୟ ବହୁ ଯାତନା ଭୋଗ ତୁମ ସକାଶେ ନିର୍ଦ୍ଦିଷ୍ଟ ହୋଇ ରହିଛି । ସ୍ୱର୍ଗର ବର୍ଣ୍ଣନା ଯେତିକି ଉଚ୍ଚାଟନଯୁକ୍ତ, ନର୍କର ବର୍ଣ୍ଣନା ସେତିକି ବୀଭତ୍ସ । ସେହି ବୀଭତ୍ସ ଚିତ୍ରଗୁଡ଼ାକୁ ଡରି ଯଦି କେତେକ ମଣିଷ ପୃଥିବୀରେ ଆଚାର ଭିତରେ ରହିଲେ, କଥା ମାନିଲେ, ତେବେ ସେଥିରେ କ୍ଷତି କ'ଣ ? ବିଭିନ୍ନ ଧର୍ମରେ ଆମର ଏହି ପୃଥିବୀରେ ସ୍ଵର୍ଗର ଲୋଭ ଏବଂ ନର୍କର ଭୟଙ୍କରତା ଦ୍ଵାରା ତାଡ଼ିତ ହୋଇ କୋଟି କୋଟି ମଣିଷ ଯେ ଘୁଷୁରି ପରି କଥା ମାନୁଛନ୍ତି, ସେଇଥିରୁ ହିଁ ଭିଆଣଟିର ଉପାଦେୟତା ପ୍ରମାଣିତ ହୋଇଯାଉଛି । ମଣିଷ ନିଜେ ବୁଝିବ, ଜୀବନରେ ଲକ୍ଷ୍ୟଟିଏ ସ୍ଥିର କରିବ, ଅନ୍ୟ ମଣିଷମାନଙ୍କୁ ସେ ତା ନିଜପରି ସମ୍ମାନ ଓ ସ୍ଵୀକୃତି ଦେବ, ଏବଂ ତାହାରି ଅନୁସାରେ ନିଜଲାଗି ଶୃଙ୍ଖଳାଟିଏ ବାଛିନେଇ ବାଟ ଚାଲିବ, ଧର୍ମକୁ ଓ ସେଥିରେ ରହିଥିବା ବିଶ୍ଵାସ ଏବଂ ଆଚାରଗୁଡ଼ାକୁ ମନୁଷ୍ୟ ସମାଜରେ ମନାଇ ନେବାପାଇଁ ଇଚ୍ଛା କରୁଥିବା ପ୍ରବୀଣ ବ୍ୟବସ୍ଥାକାରୀମାନଙ୍କର ସେତେ ପର୍ଯ୍ୟନ୍ତ ଧୈର୍ଯ୍ୟ ରହିନାହିଁ ବୋଲି ସମ୍ଭବତଃ ସେମାନେ ସ୍ଵର୍ଗ ଓ ନରକର ପ୍ରକରଣଟିକୁ ଆଣି ମଣିଷମାନଙ୍କ ଉପରେ ଲଦି ଦେଇଛନ୍ତି ।

 

ସ୍ଵର୍ଗ-ନର୍କର ପ୍ରସଙ୍ଗଟି ସହିତ ପୁଣ୍ୟ ଓ ପାପର ପ୍ରସଙ୍ଗଟି ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ଯୋଡ଼ାହୋଇ ରହିଛି । ଆମ ସମାଜରେ ଯେଉଁମାନେ ବଡ଼ ଓ ପ୍ରତିଷ୍ଠିତ, ସମୁଦାୟ ସମାଜ ସକାଶେ ସେହିମାନେ ହିଁ ସଚରାଚର ନିୟମ ବାନ୍ଧି ଦେଇଥାନ୍ତି । ଯେଉଁମାନେ କ୍ଷମତାରେ ଥାଆନ୍ତି, ସେଇମାନଙ୍କର ବିଧାନ ସମାଜରେ ଚାଲୁଥାଏ । ବିଧାନଗୁଡ଼ିକୁ ଧର୍ମ ସହିତ ଯୋଡ଼ି ଦିଆଯାଇଥାଏ ଓ ଧର୍ମର ଉପରମୁଣ୍ଡରେ ଜଣେ ଭଗବାନ ମଧ୍ୟ ବନ୍ଧା ହୋଇପଡ଼ିଥାନ୍ତି ଅର୍ଥାତ୍, ତୁମେ ଯଦି ବିଧାନଗୁଡ଼ିକୁ ନମାନିବ, ତେବେ ତୁମେ ତଦ୍ଦ୍ୱାରା ଧର୍ମର ଖିଲାପ କରିବ ଏବଂ ଧର୍ମର ଖିଲାପ କଲେ ଭଗବାନଙ୍କର ବି ଖିଲାପ କରିବ । ଭଗବାନ କ୍ରୋଧ କରିବେ, ତୁମ ଲାଗି ଶାସ୍ତିର ବିଧାନ କରିବେ । ଯେଡ଼େ ହାସ୍ୟାସ୍ପଦ ହେଲେ ମଧ୍ୟ ଇତିହାସର ପ୍ରାୟ ସବୁ ଧର୍ମରେ ଏହି କଥାଟିକୁ କୁହାଯାଇଛି ଏବଂ ହୁଏତ ଗୋଟିଏ ସମାଜର ଅଧିକାଂଶ ମଣିଷ ଭଗବାନଙ୍କର ଖିଲାପ ହେବାର ଭୟରେ ସାମାଜିକ ବିଧାନଗୁଡ଼ିକୁ ମାନୁଛନ୍ତି । ଯେଉଁଠାରେ ଏହି ଭୟଟା ଅତିପରିମାଣରେ ଉତ୍କଟ ହୋଇଛି, ସେଠାରେ ଭଗବାନଙ୍କୁ ଭଗ୍ୟନାମକ ଏକ ନୃଶଂସ ଅକାଟ୍ୟତା ସହିତ ପ୍ରାୟ ସମତୁଲ କରି ଦିଆଯାଇଛି । ଯୋଉଠି ମଣିଷମାନଙ୍କୁ ଯେତେ ଅଧିକ ଅଜ୍ଞାନ, ଅନ୍ଧକାର ଏବଂ ଅସମର୍ଥତା ଭିତରେ ରଖାଯାଇଛି, ସେଠି ଏହି ଭାଗ୍ୟ ବିଶ୍ଵାସର ପ୍ରକୋପଟା ସେମାନଙ୍କୁ ଅଧିକ ଜର୍ଜର ଭାବରେ ବିନ୍ଧି କରି ରହିଛି । ସମଗ୍ର ଭୁବନର କର୍ତ୍ତା ଓ ସର୍ବଶକ୍ତିମାନ୍ ଭଗବାନ୍ ଯେ କୋପ କରନ୍ତି, ଦାଉ ସାଧନ୍ତି, ପ୍ରତିଶୋଧ ନିଅନ୍ତି, କେତେଟା ଧର୍ମରେ ସେହି କଥାଟାକୁ ସତେଅବା ଭଗବାନଙ୍କର ଅପମାନ ହେଲାଭଳି ଏକ ମାତ୍ରାଧିକ ସହିତ ଭାରି ପରାକ୍ରମରେ କୁହାଯାଇଛି । ମଣିଷମାନେ ଯେତିକି ନିଷ୍ଠୁର ଓ ଯେତିକି ପ୍ରତିଶୋଧ ପରାୟଣ, ସେମାନଙ୍କର ଭଗବାନମାନେ ମଧ୍ୟ ସେତିକି ପରିମାଣରେ ସେହିସବୁ ଦୁଷ୍ଟ ଗୁଣରେ ବିମଣ୍ଡିତ ଓ ବିଭୂଷିତ ହୋଇ ରହିଛନ୍ତି । ଯିଏ ସର୍ବଶକ୍ତିମାନ୍ ସେଇ ଯଥାର୍ଥରେ ଶ୍ରଦ୍ଧାବାନ୍ । ଯିଏ ଅନ୍ତରର କଥାକୁ ସତକୁ ସତ ଜାଣେ ଓ ବୁଝେ, ସିଏ ସେତିକି ସଂବେଦନାପୂର୍ଣ୍ଣ, ସେତିକି କ୍ଷମାର ସମର୍ଥ । ମାତ୍ର, ମଣିଷ ନିଜେ ହିଂସ୍ର ହେଲେ ତା’ ଭଗବାନଙ୍କୁ ମଧ୍ୟ ହିଂସାପରାୟଣ ବୋଲି ଚିତ୍ରିତ କରିବା ବ୍ୟତୀତ ତା’ର ଆଉ ଅନ୍ୟ ସାମର୍ଥ୍ୟ ନଥାଏ । ଯେଉଁସବୁ ସମାଜ ହିଂସ୍ରତାକୁ ପ୍ରଶ୍ରୟ ଦିଏ ଓ ହିଂସ୍ରମାନଙ୍କୁ ରଜାର ମର୍ଯ୍ୟାଦା ଦେଇ ସିଂହାସନରେ ବସାଇ ରଖିଥାଏ, ସେହି ସମାଜର ଠାକୁରମାନେ ମଧ୍ୟ ଅବିକଳ ହିଂସ୍ର ମଣିଷମାନଙ୍କ ପରି ଆଚରଣ କରିଥାନ୍ତି । ଭାରତ ସମେତ ପୃଥିବୀର ବହୁ ଦେଶର ପ୍ରାଚୀନ ପୁରାଣମାନଙ୍କରେ ସେମାନଙ୍କର ଅତି ହିଂସାପୂର୍ଣ୍ଣ କାହାଣୀ ସବୁ ଭର୍ତ୍ତି ହୋଇ ରହିଛି । ଭାଗ୍ୟର କଥା ସେହି ସବୁ କାହାଣୀଗୁଡ଼ାକୁ ଆଧୁନିକ ନେତ୍ରଟିଏ ଅର୍ଜନ କରିଥିବା ମଣିଷଟିଏ ଖୁବ୍‍ବେଶୀ ବିଶ୍ଵାସ କରୁନାହିଁ ଏବଂ ଅନେକ ଦେଶରେ ସାନ ପିଲାଙ୍କର ମନୋରଞ୍ଜନ ନିମନ୍ତେ ହିଁ ପୁରାଣର ଗପଗୁଡ଼ିକ କାମରେ ଲାଗୁଛନ୍ତି । ତେଣୁ ସାମାଜିକ ଅଭିପ୍ରାୟଗୁଡ଼ିକୁ ସିଦ୍ଧ କରିବା ଲାଗି ଭଗବାନଙ୍କର ନାମ ସହିତ ପାପ ଓ ପୁଣ୍ୟକୁ ଆଣି ଯୋଡ଼ି ଦିଆଯାଇଛି । ନୈତିକତା ବୋଲି ଅଧିକାଂଶ ସମାଜରେ ଯାହାସବୁ କୁହାହୋଇ ଆସିଛି, ସେଗୁଡ଼ିକ ପ୍ରାୟ ସବୁଠାରେ ସାମାଜିକ ନୈତିକତା ବୋଲି ମାନିବାକୁ ପଡ଼ିବ । ପ୍ରତ୍ୟେକ ମଣିଷ ଏବଂ ସାମୂହିକ ଭାବରେ ମଣିଷମାନେ ସମାଜରେ ଏକ ଆଦର୍ଶ ଭାରସାମ୍ୟ ରଖିବାକୁ କେତେକ ନୀତି ବା ବିଧାନର ଅନ୍ୱେଷଣ କରି ବାହାରିଛନ୍ତି ସିନା, ମାତ୍ର ନାନାବିଧ ତାତ୍କାଳିକ କାରଣବଶତଃ ସେମାନେ ନିଜ ସମାଜର ପାଚେରୀଗୁଡ଼ାକ ମଧ୍ୟରେ ଅଟକି ଯାଇଛନ୍ତି । ଅଧିକ ଦୂରକୁ ଯାଇପାରିନାହାନ୍ତି ବୋଲି ନିଜ ସମାଜର ବିଧାନଗୁଡ଼ିକୁ ସାରା ପୃଥିବୀର ବିଧାନ ବୋଲି କହିବାକୁ ଇଚ୍ଛା କରିଛନ୍ତି ଓ ଭାରି ଉତ୍ତେଜନା ଦେଖାଇଛନ୍ତି । ଆମ ଦେଶରେ ସନାତନ ଧର୍ମ ଓ ତାହାର ଆଲୋଚନା କରିବା ସମୟରେ ଅନେକ ବ୍ୟକ୍ତି ସେହି ଉତ୍ତେଜନାଟିକୁ ହିଁ ପ୍ରକାଶ କରିଥାନ୍ତି । ଏମାନେ ଭାରି ଧରା ପଡ଼ିଯାଆନ୍ତି । ଏହିପରି ଭାବରେ ଆହୁରି ଆଗକୁ ମାଡ଼ିଯାଇ କେତେକ ମଣିଷ ନିଜ ସମୂହର ଆଚାରଗୁଡ଼ାକୁ ହିଁ ସମଗ୍ର ପୃଥିବୀରେ ଏକମାତ୍ର ଠିକ୍ ଅଚାର ବୋଲି ଘୋଷଣା କରିବାକୁ ବି ପଶ୍ଚାତ୍‌ପଦ ହୋଇନାହାନ୍ତି । ଏଥିରୁ ପୃଥିବୀରେ ବହୁ ଅନର୍ଥର ସୂତ୍ରପାତ ହୋଇଛି । ଏବେ ମଧ୍ୟ କମ୍ ହେଉନାହିଁ । ମୋ’ଟା ହିଁ ଠିକ୍ ବାଟ,–ଯଦି ମଣିଷମାନେ ପିଲାଟି ଦିନରୁ ସେଭଳି ଭାବିବାକୁ ଶିଖି ନଥାନ୍ତେ, ତେବେ ବାଟ ବାଟ ଭିତରେ, ବାଦ ବାଦ ଭିତରେ ଅର୍ଥାତ୍ ଧର୍ମ ଧର୍ମ ଭିତରେ ଆଦୌ କୌଣସି ଝଗଡ଼ା ହେଉନଥାନ୍ତା । ତେଣିକି ଭଗବାନ୍ ସମସ୍ତଙ୍କୁ ଗୋଟାଏ ହୋଇ ଦିଶୁଥାଆନ୍ତେ, ମୋ ଭଗବାନ୍, ଆମ ଭଗବାନ୍, ତା’ ଭଗବାନ ଏବଂ ସେମାନଙ୍କର ଭଗବାନ୍ ବୋଲି ମୋଟେ ଦିଶୁନଥାନ୍ତା । ସତ୍ୟ ଗୋଟାଏ ହୋଇ ଦିଶୁଥାନ୍ତା,–ଏଭଳି ଖଣ୍ଡ ଖଣ୍ଡ ହୋଇ ଦିଶୁ ନଥାନ୍ତା ଓ ଗୋଟିଏ ଖଣ୍ଡ ଆଉ ଗୋଟିଏ ଖଣ୍ଡ ସହିତ ଏପରି ତଡ଼ାବାଡ଼ି ଧରି ଯୁଦ୍ଧ କରିବାକୁ ବାହାରି ପଡ଼ୁ ନଥାନ୍ତା । ବରଂ, ଏପରି ହେଉଥାନ୍ତା ଯେ, ଏହି ଖଣ୍ଡମାନେ ଆଗ ନିଜର ଖଣ୍ଡିଆଗୁଡ଼ାକୁ ପୂର୍ଣ୍ଣ କରି ଆଣିବାକୁ ଚେଷ୍ଟା କରୁଥାନ୍ତେ । ଜଣେ ସୁସ୍ଥ ମଣିଷର ଯାହା କରିବା କଥା, ଆମର ଧର୍ମମାନେ, ଆମର ନୈତିକତାମାନେ ଏବଂ ଆମର ସମାଜ ମାନେ ତାହାହିଁ କରୁଥାନ୍ତେ । ମଣିଷମାନଙ୍କର ଅର୍ଥାତ୍ ପୃଥିବୀର ଅସଲ ଶକ୍ତି ସେଇଥିରେ ଖରଚ ହେଉଥାନ୍ତା । ଅସଲ ବିନୟ ସମ୍ଭବତଃ ସେତିକିବେଳେ ସମ୍ଭବ ହେଉଥାନ୍ତା, ମଣିଷର ଜୀବନଟା ମଧ୍ୟ ଅଧିକ ଗତିଶୀଳ ହୋଇପାରୁଥାନ୍ତା । ନିରନ୍ତର ଶିଖି ନିରନ୍ତର ନିଜର ବୃଦ୍ଧି ସାଧନ କରିବା ଦ୍ଵାରା ମଣିଷମାନେ ପୃଥିବୀକୁ, ସଭ୍ୟତାକୁ ଓ ସଂସ୍କୃତିକୁ ଆଗକୁ ଯିବାରେ ବହୁତ ସାହାଯ୍ୟ କରି ପାରୁଥାନ୍ତେ । ଏବଂ ଯଦି ଭଗବାନ ସତକୁ ସତ କେଉଁଠାରେ ଥାଆନ୍ତେ, ତେବେ ସିଏ ଏଥିରେ କେଡ଼େ ଖୁସି ହୋଇ ନଥାନ୍ତେ ! ମାତ୍ର, ସେ କଥା ଯାହା ହେଉ ପଛକେ, ସେତେବେଳେ ଏହି ସଂସାର ସମେତ ଆମମାନଙ୍କର ଜୀବନରେ ମଧ୍ୟ ଭଗବାନ ପ୍ରକୃତରେ ପୂରି ରହିଛନ୍ତି ବୋଲି ଅଲବତ ଦେଖା ଯାଉଥାନ୍ତା । ସମସ୍ତେ ଭଗବାନ ମଣିଷ ସାଙ୍ଗରେ ବାଟ ଚାଲୁଛନ୍ତି ଅଥବା ମଣିଷ ଭଗବାନଙ୍କ ସାଙ୍ଗରେ ବାଟ ଚାଲୁଛନ୍ତି ବୋଲି ଅନୁଭବ କରୁଥାନ୍ତେ । ଏହି କଥାଟିକୁ କଳ୍ପନା କଲାବେଳକୁ ମଧ୍ୟ କେଡ଼େ ଖୁସୀ ନଲାଗୁଛି !

 

ଏମିତି କୌଣସି ନୀତି ବା ବିଧାନ ରହିଛି, ଯାହାକି ପୃଥିବୀରେ ସବୁ ମଣିଷଙ୍କ ନିମନ୍ତେ ଉପକାରୀ ହୋଇପାରିବ ? ହୁଏତ ସେହିଗୁଡ଼ିକୁ ହିଁ ଆମେ ନ୍ୟାୟର ସହିତ ଭଗବାନଙ୍କର ବିଧାନ ବୋଲି କହିପାରନ୍ତେ । ଆଗେ ରଜାମାନଙ୍କର ବିଧାନ ଚଳୁଥିଲା, ଶାସ୍ତ୍ରର ବିଧାନ ଚଳୁଥିଲା, ସମାଜର ବିଧାନ ଚଳୁଥିଲା । ସମସ୍ତେ ସତେ ଯେପରି ନିଜ ନିଜର ଅମୁହାଁ ଘରମାନଙ୍କରେ ବନ୍ଦୀ ହୋଇ ରହିଥିଲେ । ସମ୍ଭବତଃ ସେମାନେ ପରସ୍ପରକୁ ଡରୁଥିଲେ, ତେଣୁ ନିଜ ଚାରିପାଖରେ କାନ୍ଥ ଦେଇ ରଖୁଥିଲେ ଓ ଏହିଭଳି କରି ନିରାପଦରେ ରହିଛନ୍ତି ବୋଲି ଭ୍ରମ କରୁଥିଲେ । ବିଜ୍ଞାନ ସେମାନଙ୍କର ଆଣ୍ଟ ଭାଙ୍ଗିଦେଲା । ମଣିଷମାନେ ଇଚ୍ଛା କଲେ ଏହି ବିଜ୍ଞାନ ସେମାନଙ୍କର ଭୟକୁ ମଧ୍ୟ ଭାଙ୍ଗିଦେଇପାରିବ । ନୂଆ ପୃଥିବୀଟାକୁ ଚିହ୍ନିବାକୁ ମନ କଲେ ପୁରୁଣା ପୃଥିବୀଟାର ଅନେକ ଭୟ ପଛରେ ରହିଯିବ ଓ ମଣିଷ ଆଗକୁ ବାହାରି ଯିବ । ସାନ ଓ ସ୍ଥାନୀୟ ଏକ ଚିହ୍ନା ଘରଟିକୁ ଆପଣାର ଘର ଓ ତେଣୁ ଏକମାତ୍ର ଘର ବୋଲି କହି ନିବୁଜ ହୋଇ ବସିଯିବା ଏବଂ ଅଲଗା ହୋଇ ରହିବାକୁ ହିଁ ନିରାପଦ ହୋଇ ରହିବା ବୋଲି କହିବା–ଏଗୁଡ଼ାକ ପୃଥିବୀରେ କୋଉ ଆଗେ ଚାଲୁଥିଲା ସିନା, ଏବେ ଆଉ ମୋଟେ ଚାଲିପାରିବ ନାହିଁ । ସାରା ପୃଥିବୀ ଏବେ ବିଜ୍ଞାନଯୋଗେ ଯହୁଁ ଯହୁଁ ଅଧିକରୁ ଅଧିକ ପରିମାଣରେ ଏକ ହୋଇ ଜିଣିବାକୁ ଆରମ୍ଭ କରିବ, ସ୍ଥାନୀୟ ରୀତି, ସ୍ଥାନୀୟ ନୀତି ଓ ସ୍ଥାନୀୟ ଅନ୍ଦାଜଗୁଡ଼ାକର କ୍ଷେତ୍ରରେ ଏକ ତୁମୁଳ ଓଲଟପାଲଟ ଘଟିବାକୁ ଆରମ୍ଭ କରିବ ଏବଂ ସେହି ଓଲଟପାଲଟ ଭିତରୁ ଏକ ନୂଆ ମଣିଷ ଜନ୍ମଲାଭ କରିବ । ପର୍ବତଟିଏ ନଥିଲେ ଗୁମ୍ଫାଟିଏ କେଉଁଠାରେ କଦାପି ସମ୍ଭବ ହେବ ନାହିଁ । ମାତ୍ର, ପୃଥିବୀରେ ଏଇଟି ଏକ ଅତି ବିଚିତ୍ର ଘଟଣା ପରି ଦୃଷ୍ଟିଗୋଚର ହୋଇ ଆସିଛି ଯେ, ଏଠି ଗୁମ୍ଫାଗୁଡ଼ାକ ହିଁ ଆପଣାକୁ ଏକାନ୍ତ ସଂପୂର୍ଣ୍ଣ ବୋଲି ମନେକରିଆସିଛନ୍ତି । ପ୍ରତ୍ୟେକ ଧର୍ମ, ପ୍ରତ୍ୟେକ ସମାଜ ଓ ପ୍ରତ୍ୟେକ ସ୍ଥାନୀୟତାକୁ ଆମେ ଏହିପରି ଗୋଟିଏ ଗୋଟିଏ ଗୁମ୍ଫାପରି ହୁଏତ କଳ୍ପନା କରିପାରିବା, ଯେଉଁମାନେ କି ପର୍ବତଟିଏ ରହିଛି ବୋଲି କେବେହେଲେ ଜାଣିବାକୁ ଇଚ୍ଛା କରିନାହାନ୍ତି । ଏବଂ, ପୃଥିବୀଟିଏ ଅଛି ବୋଲି ସ୍ଵୀକାର କରିବା ତ ଆହୁରି ଅଧିକ ଦୂରର ବ୍ୟାପାର ? ଗୋଟାଏ ପର୍ବତ ରହିଛି ବୋଲି ଆମେ ରହିଛୁ, ପର୍ବତଟିର କଳ୍ପନା କରି ନପାରିବା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଗୁମ୍ଫା ହିସାବରେ ଆମର ଆଦୌ କୌଣସି କଳ୍ପନା କରାଯାଇପାରିବ ନାହିଁ, ଏପରି ଏକ ଉପଲବ୍ଧି ଯେ କୌଣସି ଗୁମ୍ଫାର ଅବବୋଧରେ ତଥା ଜୀବନରେଏକ ବିପୁଳ ପରିବର୍ତ୍ତନ ଆଣି ଦେବ ହିଁ ଦେବ ।

 

ମଣିଷକୁ ଏହି ପୃଥିବୀର ଅସ୍ଥାୟିତା ବିଷୟରେ ଭୟ ଦେଖାଇ ଆଉ କୋଉ କଳ୍ପନା ଭିତରେ ଭୁଲାଇ ରଖିବା ନୁହେଁ, ମଣିଷ ଯେପରି ପୃଥିବୀରେ ହିଁ ଅଧିକ ପରିପୂର୍ଣ୍ଣ ଓ ଶ୍ରଦ୍ଧାଯୁକ୍ତ ଭାବରେ ପରସ୍ପର ସହିତ ଏକାଠି ଜୀବନଟିଏ ବଞ୍ଚିପାରିବ ଓ ବାଟଟିଏ ଚାଲିପାରିବ, ସେଥିଲାଗି ତାକୁ ଆବଶ୍ୟକ ବିବେକ ଏବଂ ଗତିଶୀଳ ହୃଦୟଟିଏ ଯୋଗାଇଦେବା ଯଦି ଧର୍ମର ଅଭିପ୍ରାୟ ହୁଏ, ତେବେ ବର୍ତ୍ତମାନର ଖଣ୍ଡଧର୍ମଗୁଡ଼ିକ ସେହି କାର୍ଯ୍ୟଟିକୁ କଦାପି ତୁଲାଇ ପାରିବେନାହିଁ । ଖଣ୍ଡଧର୍ମମାନେ ମଣିଷକୁ ଭାରି ଖଣ୍ଡିଆକରି ପକାଇବେ, ତା’ର ବିବେକ ଏବଂ ହୃଦୟକୁ ସତେଅବା ସବୁଦିନ ପାଇଁ ଖଣ୍ଡିଆ କରି ରଖିବାର ଷଡ଼ଯନ୍ତ୍ର ବି କରିବାରେ ଲାଗିଥିବେ । ଏହି ଧର୍ମମାନଙ୍କୁ ଯଦି କୌଣସି ବଳବାନ୍ ମହାପୁରୁଷ ଏକାଠି ମିଶାଇ ବା ଗୋଳି ଗୋଟାଏ ସ୍ଵାଦୁଯୁକ୍ତ ଖେଚୁଡ଼ି ପ୍ରସ୍ତୁତ କରି ସମଗ୍ର ପୃଥିବୀ ତାହାକୁ ହିଁ ସେବନ କରୁ ବୋଲି ପ୍ରଚାର କରି ବାହାରିବେ ତେବେ ସେଇଟିଦ୍ୱାରା ମଧ୍ୟ କଦାପି କାର୍ଯ୍ୟ ସିଦ୍ଧ ହେବ ନାହିଁ । ଏଭଳି ତଥାକଥିତ ସମନ୍ଵୟର କେତେ କେତେ ପ୍ରୟାସ ଆଗରୁ ହୋଇଯାଇଛି । ତଦ୍ଦ୍ୱାରା କିଛି ସମୟ ଲାଗି ଗୋଟାଏ ନୂଆ ଉତ୍ତେଜନା ଏବଂ ନୂତନ ଉତ୍ସାହ ସୃଷ୍ଟି ହୋଇପାରିଛି ସିନା, ତଥାପି ଖଣ୍ଡଗୁଡ଼ାକୁ ଯୋଡ଼ି, ମଣିଷମାନଙ୍କର ଦୃଷ୍ଟିକୁ ଏକ କରିବା ସମ୍ଭବ ହୋଇପାରି ନାହିଁ । ପ୍ରତ୍ୟେକ ସମୂହ ନିଜ ନିଜର ନୈତିକତାକୁ ହିଁ ଆପଣାର ଆଚରଣୀୟ ସଂସ୍କୃତି ବୋଲି ମଡ଼ାଇ ଦେବାରେ ଲାଗିଥିବା ପର୍ଯ୍ୟନ୍ତ ପୃଥିବୀ ଅସଲ ନୀତି ପାଖକୁ କଦାପି ଫେରି ଆସିପାରିବ ନାହିଁ । ଏପରି କୌଣସି ସଂସ୍କୃତି ରହିଚି, ଯାହାକୁ କି ଏହି ଯାବତୀୟ ସଂସ୍କୃତିଠାରୁ ଆହୁରି ବଡ଼ ଏବଂ ତେଣୁ ଆହୁରି କାମ୍ୟ ବୋଲି କୁହାଯାଇପାରିବ ? ଏପରି କୌଣସି ଧର୍ମ ରହିଛି ବା ରହିପାରିବା ସମ୍ଭବ, ଯାହାକି ଆମକୁ ବର୍ତ୍ତମାନର ଖାତାଗୁଡ଼ାକରେ ଲେଖାହୋଇ ରହିଥିବା ଯାବତୀୟ ଧର୍ମର ଆହୁରି ସେପାଖକୁ ଅର୍ଥାତ୍ ଆହୁରି ଅଧିକ ଊର୍ଦ୍ଧ୍ୱକୁ ତଥା ଅଧିକ ଗଭୀରକୁ ବହନ କରି ନେଇଯାଇପାରିବ ? ଯାହାକି ବର୍ତ୍ତମାନର ଧର୍ମଗୁଡ଼ାକୁ ଆଦୌ ଭାଙ୍ଗିପକାଇବ ନାହିଁ, ଅବଶ୍ୟ କାନ୍ଥଗୁଡ଼ାକୁ ହିଁ ଭାଙ୍ଗିଦେବ ? ଯାହାକି ମନୁଷ୍ୟମାନଙ୍କୁ ସେମାନେ ନିତି ବଞ୍ଚୁଥିବା ସଂସ୍କୃତି ଭିତରୁ ଛିନ୍ନ କରି କଦାପି ନେବନାହିଁ, ତଥାପି ଏହି ସବୁଯାକ ଗୋଟିଏ ବୃହତ୍ତର ସଂସ୍କୃତିର ଅନ୍ତର୍ଗତ ବୋଲି ସୂଚିତ କରି ଦେଉଥିବ ? ସମ୍ଭବତଃ ତାହାକୁ ହିଁ ଆମେ ଏକ ଅସଲ ପ୍ରଶ୍ନ ବୋଲି କହିପାରିବା ।

 

ଗୋଟିଏ ବିନ୍ଦୁକୁ କେନ୍ଦ୍ର କରି ଆମେ ଅସଂଖ୍ୟ ବୃତ୍ତ ଅବଶ୍ୟ ଟାଣିପାରିବା । ସାନ ବୃତ୍ତଟିଏ ଟାଣିସାରିବା ପରେ ମନକରିବା ମାତ୍ରକେ ବଡ଼ ବୃତ୍ତଟିଏ ଟାଣିପାରିବା । ଯେତୋଟି ବୃତ୍ତ ଟାଣିବାକୁ ଇଚ୍ଛା କରିବା, ସେତୋଟି ବୃତ୍ତ ଟାଣିପାରିବା । ବଡ଼ ବୃତ୍ତଟିକୁ ଟାଣିବା ମାତ୍ରକେ ଆଗର ସେହି ସାନ ବୃତ୍ତଟି କଦାପି ଅସିଦ୍ଧ ହୋଇଯିବ ନାହିଁ । ମାତ୍ର, ସେହି କ୍ଷେତ୍ରରେ ସାନ ବୃତ୍ତଟିର ପରିଧି ତା ଲାଗି କଦାପି ଏକ ନିବୁଜ ପାଚେରୀ ପରି କାର୍ଯ୍ୟକରିବ ନାହିଁ । ବ୍ୟାସାର୍ଦ୍ଧ ବଢ଼ାଇଦେବା ମାତ୍ରକେ ହିଁ ଆମେ ଅସଂଖ୍ୟା ବୃତ୍ତ ଟାଣିପାରିବା । ବୃହତ୍ତର ଘରଟିଏ ପାଇବାମାତ୍ରକେ ଆମକୁ ଆମ ପ୍ରଥମ ଘରଟିକୁ କଦାପି ଛିନ୍ନ ହୋଇ ଚାଲିଯିବାକୁପଡ଼ିବ ନାହିଁ । ମାତ୍ର ଦିଗ୍‍ବଳୟର ପ୍ରସାରଣ ଘଟିବ । ଆମ ହୃଦୟକୁ, ଆମ ବିବେକକୁ, ଏପରିକି ଆମେ ଶିଖିଥିବା ନୈତିକତାକୁ ମଧ୍ୟ ଆମେ କେତେଦୂର ସେହିଭଳି ଏକ କେନ୍ଦ୍ରବିନ୍ଦୁ ପରି ଅନୁଭବ କରିପାରୁଥିବା, ଯାହାର ପରିଧିଗୁଡ଼ିକ ଚାହିଁଲାମାତ୍ରକେ ପ୍ରସାରିତ ହୋଇଯାଇପାରୁଥିବ ? ଗୁମ୍ଫାଟିଏ ଯେତେବେଳେ ଆପଣାକୁ ଏକ ବୃହତ୍ ପର୍ବତର ଅଂଶ ବୋଲି ଅନୁଭବ କରିବ, ସେତେବେଳେ ତାହା ସେହି ପର୍ବତର ଆୟତନଟି ଭିତରେ ଅନ୍ୟ ଗୁମ୍ଫାଗୁଡ଼ିକର ଅସ୍ତିତ୍ୱକୁ ମଧ୍ୟ ଅତ୍ୟନ୍ତ ସହଜ ଭାବରେ ଅନୁଭବ କରିପାରିବ । ଅନ୍ୟ ଗୁମ୍ଫାମାନେ କାହିଁକି ତା'ଠାରୁ କିଞ୍ଚିତ୍ ଭିନ୍ନ ହେଲେ ବୋଲି ସିଏ କୌଣସି ଅଭିଯୋଗ କରିବ ନାହିଁ । ସେମାନଙ୍କୁ ଈର୍ଷା ମଧ୍ୟ କରିବ ନାହିଁ । ଏହିପରି ଏକ ଧରଣୀଧରଣାକୁ ଆମେ ଯାବତୀୟ ଅର୍ଥରେ ଏକ ସୁସ୍ଥ ଧାରଣା ବୋଲି କହିପାରିବା । ଜଣେ ସୁସ୍ଥ ବ୍ୟକ୍ତି, ଅର୍ଥାତ୍ ଆପଣାକୁ ଦେଖିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଦେଖିପାରୁଥିବା ବ୍ୟକ୍ତିର ଜୀବନରେ ହିଁ ଯଥାର୍ଥ ବିନୟ ଓ ଯଥାର୍ଥ ଶ୍ରଦ୍ଧା ସମ୍ଭବ ହେବ । ଆଉ ସମସ୍ତେ ମୁଖ୍ୟତଃ ଗିଳିପକାଇବାକୁ ଆସିବେ । ଭଗବାନଙ୍କୁ ମାଧ୍ୟମ କରି ଧର୍ମମାନେ କେବଳ ଏହିପରି ଗିଳିପକାଇବାର ଅନାଚାର ହିଁ ପୃଥିବୀରେ କରି ଆସିଛନ୍ତି । ଆମ ସମସ୍ତଙ୍କୁ ଅତ୍ୟନ୍ତ ଦରିଦ୍ର କରି ରଖିଛନ୍ତି । ଆମେ କ'ଣ ସତକୁ ସତ ସେହି ଦାରିଦ୍ର୍ୟ ଦୂର ହେଉ ବୋଲି ଇଚ୍ଛା କରୁଛୁ ? ତେବେ ଆମକୁ ନିଜର ଗୁମ୍ଫାଟି ଭିତରୁ ବାହାରି ସମଗ୍ର ପର୍ବତଟିକୁ ଦେଖିବାକୁ ହେବ । ଅଭ୍ୟସ୍ତ କାନ୍ଥଗୁଡ଼ିକୁ ଡେଇଁ ଅଧିକ ଦେଖି ଶିଖିବାକୁ ହେବ । ଏବଂ, ସେହି ଅନୁସାରେ ଆଖିଟାକୁ ମଧ୍ୟ ବଦଳାଇ ଦେବାକୁ ପଡ଼ିବ । ଆମେ ପ୍ରତ୍ୟେକେ ଏହିପରି ନାନାବିଧ ଗୁମ୍ଫାରେ ସିନା ଜନ୍ମଗ୍ରହଣ କରିଛୁ, ମାତ୍ର ଅସଲ ଜୀବନର ଅନୁରାଗ ଆମକୁ କ୍ରମେ ପର୍ବତଟି ସମେତ ଅନ୍ୟ ଗୁମ୍ଫାଗୁଡ଼ିକ ସହିତ ନେଇ ଯୋଡ଼ିଦେବ । ଏକଥା ହୃଦୟର ସ୍ତରରେ ଘଟିବ ।

 

ତଥାକଥିତ ଧର୍ମବାସନାରେ ମତ୍ତହୋଇ ଯେତେବେଳେ ସମ୍ପ୍ରଦାୟମାନେ ଭଗବାନଙ୍କୁ ପୃଥିବୀରୁ ସ୍ଵର୍ଗକୁ ଠେଲିଦେଇଛନ୍ତି, ମୃତ୍ୟୁ ପରେ ସ୍ୱର୍ଗରେ ଯାଇ ସୁଖଲାଭ କରିହେବ ଏବଂ ତେଣୁ ଏହି ପୃଥିବୀର ଦୁଃଖ ଓ ଯାତନାକୁ ତୁମେ ଯେହେତୁ କେବେହେଲେ ଦୋହଲାଇ ଦେଇପାରିବ ନାହିଁ ଓ ତେଣୁ କର୍ମକୁ ମାନି ନେଇ ପଡ଼ି ରହିବାକୁ ପଡ଼ିବ ବୋଲି ଯେତେବେଳେ ସେମାନେ ପଣ୍ଡିତମାନଙ୍କଠାରୁ ତତ୍ତ୍ଵସମର୍ଥନ ନେଇ କହିଛନ୍ତି, ସେତେବେଳେ ଏହି ସମାଜ ଭିତରୁ ଆଉ ଥୋକେ ତାହାର ପ୍ରତିବାଦ କରିଛନ୍ତି । ଇତିହାସରେ ସେମାନଙ୍କୁ ସନ୍ଥ ବୋଲି କୁହାଯାଇଛି । ସନ୍ଥମାନେ ସବୁ ଯୁଗରେ ଓ ସବୁ ଧର୍ମରେ ଆବିର୍ଭୂତ ହୋଇଛନ୍ତି । ଧର୍ମମାନେ ରାଜାଙ୍କର ଅନୁମୋଦନ ଲାଭ କରିଛନ୍ତି ଏବଂ ରାଜାମାନେ ଧର୍ମର ସମର୍ଥନରେ ହିଁ ସଚରାଚର ଅଧିକରୁ ଅଧିକ ପ୍ରବଳ ହୋଇଛନ୍ତି । ମଝିରେ ମଣିଷମାନେ ଅନ୍ଧକାର ଭିତରେ ରହିଯାଇଛନ୍ତି । ଭାରତବର୍ଷରେ ମଣିଷମାନଙ୍କୁ ଉଚ୍ଚ ଓ ନୀଚ କରି ରଖିଥିବା ଧର୍ମଗୁଡ଼ିକ ବିରୋଧରେ ସନ୍ଥମାନେ ହିଁ ସ୍ୱର ଉତ୍ତୋଳନ କରିଛନ୍ତି । ଅଧିକାଂଶ ଧର୍ମପଣ୍ଡିତ ଏବଂ ଧର୍ମପ୍ରଚାରକ ଉଚ୍ଚକୁଳରେ ଜନ୍ମଗ୍ରହଣ କରିଛନ୍ତି । ସେମାନେ ସତେଅବା ଉଚ୍ଚମାନଙ୍କର ସ୍ୱାର୍ଥଗୁଡ଼ାକୁ କାୟମ୍ ରଖିବେ ବୋଲି ଧର୍ମତତ୍ତ୍ଵକୁ କାମରେ ଲଗାଇଛନ୍ତି । ସନ୍ଥମାନେ ପ୍ରାୟ ସମସ୍ତେ ସମାଜର ତଥାକଥିତ ସାନ କୁଳମାନଙ୍କରୁ ଆସିଛନ୍ତି । ସେମାନଙ୍କୁ ମନ୍ଦିର ମନା ହୋଇଛି, ରାଜ୍ୟସଭା ମନା ହୋଇଛି, ଶାସ୍ତ୍ରର ଭାଷା ସଂସ୍କୃତ ଭାଷାରେ ସେମାନଙ୍କର କୌଣସି ଅଧିକାର ନାହିଁ ବୋଲି କେଡ଼େ ତାଚ୍ଛଲ୍ୟ କରି କୁହାଯାଇଛି । ସନ୍ଥମାନେ ତଥାପି ଥମ୍ବି ରହିନାହାନ୍ତି । ନିଜ ଭିତରୁ ହିଁ ସେମାନେ କ'ଣ ଏପରି ଶକ୍ତିଶାଳୀ ପ୍ରେରଣା ପାଇଛନ୍ତି କେଜାଣି, ସେମାନେ ଅଧିକାଂଶ କ୍ଷେତ୍ରରେ ରାଜାକୁ, ଉଚ୍ଚ କୁଳଗୁଡ଼ିକୁ ଏବଂ ଉତ୍ତମମାନଙ୍କର ସମାଜକୁ ଅସ୍ଵୀକାର କରିଛନ୍ତି । ସନ୍ଥମାନେ ରାଜସଭା ଛାଡ଼ି ମଣିଷମାନଙ୍କ ପାଖକୁ ଯାଇଛନ୍ତି, ମଣିଷମାନଙ୍କୁ ହିଁ ସବୁଠାରୁ ଅଧିକ ଲୋଡ଼ିଛନ୍ତି ।

 

ଭାରତବର୍ଷରେ ମଠ, ଧର୍ମ, ରାଜସଭା ଏବଂ ପଣ୍ଡିତମାନେ ଧର୍ମକୁ ଏବଂ ଭଗବାନଙ୍କୁ ସଚଳ ଏବଂ ପ୍ରାସଙ୍ଗିକ କରି ରଖିବାରେ ଅଧିକ ସକାରାତ୍ମକ ଭାବରେ ଭୂମିକାଟିଏ ଗ୍ରହଣ କରିଛନ୍ତି ନା ସନ୍ଥମାନେ ଯାବତୀୟ ଅର୍ଥରେ ସେହି କାର୍ଯ୍ୟଟିକୁ କରିଛନ୍ତି, ସେହି ବିଷୟରେ ଆମେ ଇଚ୍ଛା କଲେ ଏକ ଗବେଷଣା କରାଯାଇପାରିବ, ଏକ ବିତର୍କ ମଧ୍ୟ ହୋଇପାରିବ । ତଥାପି ବହୁ ପ୍ରମାଣର ସହିତ ଏପରି ମଧ୍ୟ କୁହାଯାଇ ପାରିବ ଯେ, ଧର୍ମ, ମଠ ଓ ସମ୍ପ୍ରଦାୟମାନେ ଭଗବାନଙ୍କୁ ମଣିଷଠାରୁ ଯେତିକି ଯେତିକି ଦୂରକୁ ଉଡ଼ାଇ ନେବାର ପ୍ରୟାସ କରିଛନ୍ତି, ସନ୍ଥମାନେ ସମ୍ଭବତଃ ତାଙ୍କୁ ସେତିକି ସେତିକି ମଣିଷର ନିକଟବର୍ତ୍ତୀ କରାଇଆଣିବାକୁ ଚେଷ୍ଟା କରିଛନ୍ତି । ଅର୍ଥାତ୍, ମଣିଷମାନଙ୍କୁ ଭଗବାନଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ କରାଇ ନେଇଛନ୍ତି । ମନୁଷ୍ୟମାନଙ୍କର ଜୀବନରେ ଅଧିକରୁ ଅଧିକ ଧର୍ମସଚଳତା ଆଣିଦେଇଛନ୍ତି । ଏଇଠି, ଆମର ଇହ ଜୀବନରେ ଯେ ଭଗବାନଙ୍କୁ ପାଖରେ ଥିବାପରି, ଆମ ସମସ୍ତଙ୍କର ସାଙ୍ଗରେ ଥିବାପରି ଅନୁଭବ କରିପାରିଲେ ଆମର ଏହି ସଂସାରର ଜୀବନଟା ମଧ୍ୟ ଏକ ଯଥାର୍ଥ ପବିତ୍ରତା ଏବଂ ପାରସ୍ପରିକତାର ସ୍ତରକୁ ଉନ୍ନୀତ ହୋଇଯାଏ, ସନ୍ଥମାନେ ଆମକୁ ସେହି ଅସଲ ଗୁମରଟିର କଥା କହିଯାଇଛନ୍ତି । ଭଗବାନଙ୍କର ମହିମା ଯେ ଅପାର, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର ସେହି ମହିମା ଯେ ପର୍ଯ୍ୟନ୍ତ ସତେଅବା ଏକ ଅପହର୍ଥ ଦୂର ପର୍ବତ ପରି ଆମ ଆଗରେ ଦେଖା ଯାଉଥିବ ସେ ପର୍ଯ୍ୟନ୍ତ ଆମେ ମହିମାକୁ ସମ୍ଭବତଃ ଭୟ କରୁଥିବା, କେତେକ ଧର୍ମରେ ଭଗବାନଙ୍କୁ ଯେପରି ମହାକ୍ରୋଧକୁ ଧାରଣ କରିଥିବା ଜଣେ ପ୍ରତିରୋଧ ପରାୟଣ ଭୀଷଣ କ’ଣଟାଏ ପରି କଳ୍ପନା କରାଯାଇଛି, ଆମେ ସେହିପରି ତାଙ୍କର ସର୍ବଶକ୍ତିମତ୍ତାକୁ ସ୍ମରଣ କରିବା ମାତ୍ରକେ ଭାରି ସଙ୍କୁଚିତ ହୋଇଯାଉଥିବା । ତାଙ୍କୁ ସଦା ତୁଷ୍ଟ କରି ନ ରଖିଲେ ଆମର ଆଦୌ କୌଣସି ଗତି ନାହିଁ ବୋଲି ନିଜ ଭିତରେ ଗୁଣି ହେଉଥିବା । ସନ୍ଥମାନେ ହିଁ ପୃଥିବୀର ଇତିହାସରେ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଭଗବାନଙ୍କୁ ଭଲପାଇବା କଥା କହିଲେ । ଯିଏ ଭୟଙ୍କର, ତା’ପାଖକୁ ଯିବାଲାଗି କେହି ସାହସ କରନ୍ତି ନାହିଁ । ମାତ୍ର ଯିଏ ଭଲପାଆନ୍ତି, ତାଙ୍କ ପାଖକୁ କେବଳ ଭୀରୁ ଏବଂ ଆତ୍ମକାମୀମାନଙ୍କ ବ୍ୟତୀତ ସମସ୍ତେ ଆକୃଷ୍ଟ ହୋଇଯିବାକୁ ମନକରିବେ । ଏତେ ପାଖକୁ ଯିବେ ଯେ, ତାଙ୍କୁ ଏକାବେଳେକେ ନିଜ ଭିତରେ ରହିଥିବାର ଅନୁଭବ କରିବେ, ତାଙ୍କ ସାଙ୍ଗରେ ବାଟ ଚାଲୁଥିବା ଜଣେ ସଙ୍ଗୀ ପରି ଗ୍ରହଣ କରିନେବେ ।

 

ଇଏ ଦେଉଛି ଏକ ସମ୍ପୂର୍ଣ୍ଣ ଅନ୍ୟ ଦୃଷ୍ଟି, ଅନ୍ୟ ରୁଚି । ବହୁ ତତ୍ତ୍ଵ, ମତ ଏବଂ ଭେଦ ଭିତରେ ମଥାକୁ ଗରମ କରି ରଖିଥିବା ପର୍ଯ୍ୟନ୍ତ ସେହି ଦୃଷ୍ଟିଟି ସୁଦୂର-ପରାହତ ହୋଇ ରହିଥାଏ । ସଂସାରକୁ ଅସାର ବୋଲି କହିବାକୁ ଏକ ଦୁର୍ବୁଦ୍ଧି ଜନ୍ମେ । ବାହାର ଆଡ଼ମ୍ବରକୁ ବେଶି ମନ ଯାଏ, କୃତ୍ରିମତା ବଢ଼ାଏ, ବାଟ ହୁଡ଼ାଇଦିଏ । ସମ୍ଭବତଃ, ଏହାହିଁ ହେଉଛି ଏକ ଅନ୍ୟତମ କାରଣ, ଯେଉଁଥିଲାଗି ପଣ୍ଡିତମାନେ ଚିରକାଳ ପୃଥିବୀଠାରୁ ବାସନ୍ଦ ପ୍ରାୟ ହୋଇ ରହିଯାଇଛନ୍ତି, ନିଜର ଗମ୍ଭୀରା ଭିତରେ କିଳି ହୋଇ ରହିଛନ୍ତି ଏବଂ ପୃଥିବୀରେ ଭଗବାନଙ୍କର, ସତ୍ୟର ବିଶେଷ କୌଣସି କାମରେ ଆସିନାହାନ୍ତି । ମଣିଷମାନଙ୍କୁ ଭଗବାନଙ୍କର ଅଧିକରୁ ଅଧିକ କାମରେ ଲାଗିପାରିବା ପାଇଁ ଯୋଗ୍ୟ ହେବାରେ ସେମାନେ ବିଶେଷ ସାହାଯ୍ୟ କରିପାରିନାହାନ୍ତି । ସେମାନେ ନିଜର ମଥା ଭିତରେ ନିଜେ କିଳି ହୋଇ ରହିଛନ୍ତି । ମଥାକୁ ଡେଇଁଲେ ଯାଇ ହୃଦୟ । ଅନେକ ମଣିଷ ହୃଦୟକୁ ଭୟ କରନ୍ତି କି କ'ଣ କେଜାଣି, ସେହି ମଥାଟା ଭିତରେ ହିଁ ବାନ୍ଧିହୋଇ ରହିଥାନ୍ତି । ହୃଦୟଯାଏ ଯିବାକୁ ହେଲେ ମଥାର ସକଳ ଅବଦାନକୁ ଯେ ଆଦୌ ଅସ୍ଵୀକାର କରିବାକୁ ପଡ଼େନାହିଁ, ସେମାନେ ସେ କଥା ଅଙ୍ଗେ ନିଭାଇ ନଥାନ୍ତି । ତେଣୁ, ସମ୍ଭବତଃ ନିଜର ଆଉ କୌଣସି ଅସୁସ୍ଥତା ହେତୁ ନିଜକୁ ମଥା ଭିତରେ ଆବଦ୍ଧ କରି ରଖିଥାନ୍ତି । ସନ୍ଥମାନେ ସଚରାଚର ପୃଥିବୀର ହୃଦୟକୁ ସ୍ପର୍ଶ କରି ପାରିଛନ୍ତି । ତେଣୁ, ପୃଥିବୀକୁ ଆତଯାତ କରୁଥିବା ସତ୍ୟର ଓ ଭଗବାନଙ୍କର ହୃଦୟ ଭିତରେ ପ୍ରବେଶ କରିପାରିଛନ୍ତି । ଏବଂ ଆହୁରି ଟିକିଏ ସାହସ କରି ଓ ଟିକିଏ ଅଧିକ ଆଗକୁ ଯାଇ ଏପରି ବି କହିହେବ ଯେ, ସନ୍ଥମାନେ ମଣିଷମାନଙ୍କୁ ଭଗବାନଙ୍କର ଅଧିକ ପାଖକୁ ଆସିବାରେ ପଣ୍ଡିତ, ତତ୍ତ୍ୱବାଗୀଶ, ମଠ ଏବଂ ମନ୍ଦିରମାନଙ୍କଠାରୁ ଅଧିକ ସାହାଯ୍ୟ କରିଆସିଛନ୍ତି । ହେ ଭଗବାନ୍ ! ତୋ’ ବାଟକୁ ଏହି ମନ୍ଦିର ଓ ମସ୍‌ଜିଦ୍‌ମାନେ, ଏହି ପୁରୋହିତ ଏବଂ ମୁଲ୍ଲାମୁର୍ଶିଦ୍‌ମାନେ ଓଗାଳି ରଖିଛନ୍ତି, ପୃଥିବୀର ଇତିହାସରେ ଏକଥା କହିପାରିବା ନିମନ୍ତେ କେବେହେଲେ କୌଣସି ଧର୍ମପାଳ ରାଜା ବା ଧର୍ମକୁ ଗାଦିଟାଏ କରି ତାକୁ ମାଡ଼ିବସିଥିବା ମହନ୍ତର ସାହସ ହୋଇନାହିଁ, କେବଳ ସନ୍ଥମାନେ ହିଁ ସେହି ସାହସ କରିପାରିଛନ୍ତି । ସନ୍ଥମାନେ ହଁ ଆମ ସମସ୍ତଙ୍କ ଲାଗି ପୃଥିବୀଯାକ ସତ୍ୟ ଓ ଧର୍ମର ଉତ୍ତରାଧିକାରକୁ ଖୁବ୍‌ ହାଲୁକା କରି ଦେଇଛନ୍ତି ।

 

ଆଗେ ଭାରତବର୍ଷରେ ଧର୍ମଶାସ୍ତ୍ରମାନ ସଂସ୍କୃତ ଭାଷାରେ ହେଉଥିଲା । ଆଗେ ମଧ୍ୟଯୁଗୀୟ ଇଉରୋପ ଭୂଖଣ୍ଡରେ ଯେମିତି ଲାଟିନ୍ ଭାଷାରେ ହେଉଥିଲା, ପ୍ରାୟ ଠିକ୍ ସେହିପରି-। ସଂସ୍କୃତକୁ ଦେବତାମାନଙ୍କର ଭାଷା ବୋଲି କୁହାଯାଉଥିଲା । ଦେବଭାଷା, ଗୀର୍ବାଶଭାଷା, ଶିଷ୍ଟମାନଙ୍କର ଭାଷା-ଏବେ ମଧ୍ୟ ଏହିସବୁ କଥା କହିଲେ, ତାହା ସଂସ୍କୃତ ଭାଷାକୁ ବୁଝାଇଥାଏ । ସମସ୍ତେ ସଂସ୍କୃତ ଭାଷା ଅଧ୍ୟୟନ କରିପାରୁନଥିଲେ । ଅଧ୍ୟୟନର ସେହି ଅଧିକାରଟା କ୍ରମେ କୌଳିକ ହୋଇଯିବା ପରେ କେବଳ ଗୋଟିଏ କୁଳ ସେହି ଭାଷାକୁ ଏକଚାଟିଆ କରିନେଲା ଏବଂ ଶିଷ୍ଟ ବୋଲାଇଲା । ନିଜ ଅହମିକାରେ ସିଏ ନିଜକୁ ଦେବତାଙ୍କର ଅଂଶ ବୋଲି କହିଲା । ସେତେବେଳର ସମାଜରେ ଅଶିଷ୍ଟମାନେ ହିଁ ସଂଖ୍ୟାରେ ଅଧିକ ଥିଲେ । ସେମାନେ ସକଳ ଶାସ୍ତ୍ର ଅଧ୍ୟୟନରୁ ବଞ୍ଚିତ ଓ ବହିର୍ଭୂତ ହୋଇ ରହିଥିଲେ । ଯାବତୀୟ ପୁସ୍ତକ ସଂସ୍କୃତରେ ଲେଖାହେଉଥିଲା । ପ୍ରାୟ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇଉରୋପ ମହାଦେଶରେ ଯାବତୀୟ ପୁସ୍ତକ ଯେପରି ଲାଟିନ୍ ଭାଷାରେ ଲେଖା ହେଉଥିଲା, ଏଇ ହେଉଛି ସେହିପରି ଏକ କଥା । ଯାବତୀୟ ଧର୍ମ ଶାସ୍ତ୍ର ସଂସ୍କୃତରେ ଲୋଖା ହୋଇଥିବାରୁ ସମାଜର ଅଧିକାଂଶ ମଣିଷଙ୍କ ସକାଶେ ତାହା ଅପହଞ୍ଚ ହୋଇ ରହିଥିଲା । ଅର୍ଥାତ୍, ସଂସ୍କୃତ ଲାଗି ସମାଜର ଅଧିକାଂଶ ମଣିଷ ଅସ୍ପୃଶ୍ୟ ହୋଇ ରହିଥିଲେ । କବି ଜୟଦେବ ନିଜ ଘରେ ସେକାଳରେ କଥିତ ଓଡ଼ିଆରେ ଅବଶ୍ୟ କଥା ହେଉଥିବେ, ମାତ୍ର ନିଜ ‘ଗୀତଗୋବିନ୍ଦ’ ଗାଥାକୁ ସିଏ ସଂସ୍କୃତ ଭାଷାରେ ହିଁ ଲେଖିଲେ । ଓଡ଼ିଶାର ସାହିତ୍ୟ ତତ୍ତ୍ୱବିତ୍ ନିଜ ‘ସାହିତ୍ୟ ଦର୍ପଣ’ ପୁସ୍ତକକୁ ସଂସ୍କୃତରେ ହିଁ ଲେଖିଥିଲେ ସେ ଯେଉଁ ଅଷ୍ଟାଦଶ ଭାଷା ଭୁଜଙ୍ଗଙ୍କର ବେକ ମୋଡ଼ିପାରିଛନ୍ତି ବୋଲି ଆପଣାର ଗ୍ରନ୍ଥରେ କେଡ଼େ ଖୁସୀ ହୋଇ କହିଲେ, ସେଥିରେ ଓଡ଼ିଆ ଭାଷାର ନାଆଁଟାକୁ ଅନ୍ତର୍ଭୁକ୍ତ କରି ରିଖିବା ଲାଗି ତାଙ୍କୁ ସଙ୍କୋଚ ଲାଗିଥିଲା । ପଣ୍ଡିତମାନେ ଯୁଗେ ଯୁଗେ ଏହିଭଳି ଆଚରଣ କରିଛନ୍ତି । ସେମାନେ ମଥାଟା ଭିତରେ ଛନ୍ଦିହୋଇ ରହିଯାଇଛନ୍ତି । ହୃଦୟ ଯାଏ ଆସିଥିଲେ ସେମାନେ ହୁଏତ ଅଧିକ ହାଲୁକା ହୋଇପାରିଥାନ୍ତେ । ଓଡ଼ିଶାରେ ଆମ ସମସ୍ତଙ୍କର ସତକୁ ସତ କେଡ଼େ ନିକଟ ହୋଇ ରହିପାରିଥାନ୍ତେ !

 

ସେହି ପରମ୍ପରାଟିକୁ ଭାରତବର୍ଷରେ ସନ୍ଥମାନେ ଭାଙ୍ଗିଲେ । ଭଗବାନଙ୍କର କଥାକୁ ଗୀର୍ବାଶର ଭାଷାରେ ନୁହେଁ, ମାଟିର ଭାଷାରେ କହିବାକୁ ସାହସ କଲେ । କୁହାଯାଏ, ସନ୍ଥ କବିର ନିରକ୍ଷର ଥିଲେ । ମୋଟେ ପଣ୍ଡିତ ନଥିଲେ । ସିଏ ସଂସ୍କୃତ ଭାଷାକୁ କୂଅର ଆବଦ୍ଧ ପାଣି ସହିତ ତୁଳନା କଲେ । ଲୋକମାନେ କହୁଥିବା ଭାଷାକୁ ବହନ୍ତା ପାଣି ବୋଲି ଘୋଷଣା କରିଥିଲେ । ଯେଉଁ ପାଣି ବହିଯାଏ, ତାହା ଅଧିକ ସ୍ଵଚ୍ଛ, ଅଧିକ ହୃଦୟାଭିରାମ, ଅଧିକ ନିଜର । ନିଜ ଭିତରେ ନିବିଡ଼ତମ କଥାଗୁଡ଼ିକୁ କେବଳ ସେହି ଭାଷାରେ ହିଁ ବ୍ୟକ୍ତ କରାଯାଇପାରିବ । ଅନ୍ୟପକ୍ଷରେ, କୂଅର ପାଣି ଆବଦ୍ଧ, ସେଥିରେ ଗତି ନାହିଁ,–ତେଣୁ ଅସ୍ଵାସ୍ଥ୍ୟକର । ଓଡ଼ିଶାରେ ସାରଳା ଦାସ ଓଡ଼ିଆରେ ମହାଭାରତ ଲେଖିଲେ । ଦୂରର କେତେ କେତେ କାହାଣୀକୁ ସିଏ ତାଙ୍କର ଅତ୍ୟନ୍ତ ପରିଚିତ ଓଡ଼ିଶାର ମାଟି ଉପରକୁ ଓହ୍ଲାଇ ଆଣିଲେ । ବଳରାମ ଦାସ ଓ ଜଗନ୍ନାଥ ଦାସ ଶ୍ରୀମଦ୍ ଭଗବଦ୍‍ଗୀତାର ଦୁଇଦୁଇଟା ଅନୁବାଦ କରି ଥୋଇଦେଲେ । ଦାଣ୍ଡିବୃତ୍ତ ପକାଇ ବଳରାମ ଦାସ ଜଗମୋହନ ରାମାୟଣ ରଚନା କଲେ ଏବଂ ଜଗନ୍ନାଥ ଦାସ ସରଳ ସୁବୋଧ୍ୟ ନବାକ୍ଷରୀରେ ଭାଗବତକୁ ଓଡ଼ିଆରେ ଲେଖି ଥୋଇଦେଲେ । ପଣ୍ଡିତସଭାରେ କୋଳାହଳ ପଡ଼ିଯାଇଥିଲା । ଓଡ଼ିଆ ଭାଗବତକୁ ପଣ୍ଡିତମାନେ ନାକଟେକି ତେଲି ଭାଗବତ ବୋଲି କହିଲେ । ଗୀତାଶାସ୍ତ୍ରକୁ ଓଡ଼ିଆରେ ଲେଖି ଅପବିତ୍ର କରି ଦେଇଥିବାରୁ ବ୍ରାହ୍ମଣ ପଣ୍ଡିତମାନଙ୍କର ମନ୍ତ୍ରଣାରେ ରାଜା ପ୍ରତାପରୁଦ୍ର ବଳରାମଙ୍କୁ ବନ୍ଦୀଶାଳାରେ ବି ଆଣି ପକାଇ ଦେଇଥିଲେ । ଭଗବାନଙ୍କୁ ଦୂର ସ୍ଵର୍ଗରେ ଥାପିଦେଇ ଏଠୁ ତାଙ୍କର ଲୀଳାଗାନ କରିବାକୁ ପରାମର୍ଶ ଦେଇଥିବା ଧର୍ମଗୁରୁମାନଙ୍କୁ ପୃଥିବୀରେ ବେଶି କଟାଳ କିମ୍ବା କଷଣ ସହିବାକୁ ହୋଇନାହିଁ । ବରଂ, ଅନେକ ସ୍ଥାନରେ ସେମାନଙ୍କୁ ରାଜସମାଦର ମିଳିଛି । ମଠ ସ୍ଥାପନ କରିବାକୁ ଅନୁମତି ମିଳିଯାଇଛି । ମାତ୍ର, ସନ୍ଥମାନଙ୍କ ବେଳକୁ ତାହାର ଓଲଟା କଥାଟା ହିଁ ଘଟିଛି । ଭଗବାନଙ୍କୁ ଦର୍ପଣ କରି ଧରି ଯିଏ ସେହି ଅନୁରୂପ କୌଣସି ପରିବର୍ତ୍ତନ ଆମର ଏହି ପୃଥିବୀରେ ହେଉ ବୋଲି ସାଧାରଣରେ ଯାଇ ଘୋଷଣା କରିଛି, ଆସୀନ କର୍ତ୍ତାମାନେ ତାହାକୁ ଶାସ୍ତି ଦେଇ ମଣ କରି ରଖିବେ ବୋଲି ମନ କରିଛନ୍ତି । ଭଗବାନ ଯଦି ସମଦୃଷ୍ଟି ହୋଇଥିବେ, ତେବେ ତାଙ୍କରି ଗୁଣଗାନ କରୁଥିବା ପୃଥିବୀର ମଣିଷମାନେ କାହିଁକି ଏପରି ଲଜ୍ଜାଜନକ ଭାବରେ ଅସମାନ ହୋଇ ରହିଥିବେ ? ଥୋକେ ମଣିଷ ଆହୁରି ଥୋକେ ମଣିଷଙ୍କୁ ନିର୍ମମ ଭାବରେ ଦଳି ମକଚି, ଆଗକୁ ଯିବାପାଇଁ କିପରି ମନ କରିବେ ? ଯଦି ଭଗବାନ କୃପାମୟ ହୋଇଥିବେ, ତେବେ ପୃଥବୀର ମଣିଷମାନେ ପରସ୍ପର ପ୍ରତି ଆଦୌ ନୃଶଂସ ହୋଇ ପାରିବେ କିପରି ? ସନ୍ଥମାନେ ସେହି ସଂଶୟଟି ସହିତ ଆଦୌ ସାଲିଶ୍ କରିପାରିନାହାନ୍ତି ଏବଂ ତେଣୁ ଧର୍ମର ଦରବାରୀ କଚେରୀମାନଙ୍କରୁ ସତେଅବା ଅପରାଧୀ ପରି ବ୍ୟବହାର ପାଇଛନ୍ତି ।

 

କୋଉଠି କ’ଣ ବିଡ଼ମ୍ବନା ବା ପ୍ରତାରଣା ରହିଛି ବୋଲି ପୃଥିବୀରେ ଜ୍ଞାନ ସମଦୃଷ୍ଟି ହୋଇ ପାରୁନାହିଁ । ପୃଥିବୀର ଧନ ସମାନ ଭାବରେ ସମସ୍ତଙ୍କର ସୁଖର କାରଣ ହୋଇପାରିନାହିଁ । ବରଂ ଅନେକ ଅନେକ ମଣିଷଙ୍କର ବହୁ ଦୁଃଖ ଏବଂ ବହୁ ମାଳିନ୍ୟର କାରଣ ହୋଇ ରହିଛି । ସନ୍ଥମାନେ ଭଗବାନ କହିଲେ ନିଜର ଆଖି ଭିତରେ କେଉଁ ସତ୍ୟଟିର ଦର୍ଶନ କରୁଥିଲେ କେଜାଣି, ସେମାନେ ଏକାବେଳେକେ ଏକ ଅନ୍ୟଭାଷାରେ ଓ ଅନ୍ୟ ବ୍ୟଞ୍ଜନାରେ ନିଜର କଥାଗୁଡ଼ିକୁ କହିଛନ୍ତି । ପୁରୁଣା ଦେବତାମାନଙ୍କର ନାମ ନେଇଥିଲେ ମଧ୍ୟ ସେମାନେ ସତେଅବା ମଣିଷମାନଙ୍କୁ ଏକ ନୂଆ ମୂଲ୍ୟବୋଧ ମଧ୍ୟକୁ ଆମନ୍ତ୍ରିତ କରି ଆଣିବାକୁ ଉଦ୍ୟମ କରିଛନ୍ତି । ସ୍ମରଣ ରଖିବା ଉଚିତ୍, ସେମାନେ ପ୍ରାୟ ସମସ୍ତେ ପାରମ୍ପରିକ ସମାଜମାନଙ୍କରେ ନୀଚ ବୋଲି କୁହାଯାଇ ଆସିଥିବା କୁଳମାନଙ୍କରୁ ଆସିଛନ୍ତି । ନୀଚ କୁଳରୁ ଅର୍ଥାତ୍ ଦରିଦ୍ରମାନଙ୍କର ଶ୍ରେଣୀରୁ କିଏ । ତନ୍ତୀ, କିଏ ମୋଚି,–ଆଗରୁ ଧର୍ମସଭା ମାନଙ୍କରେ ଏହି ଜାତିଗୁଡ଼ିକର ଆଦୌ କୌଣସି ପ୍ରବେଶ ହିଁ ନଥିଲା । ଚାରିଶହ ବର୍ଷ ତଳର କବୀରଙ୍କ ଠାରୁ ଆରମ୍ଭ କରି ଗତ ଶତାବ୍ଦୀରେ ଭୀମ ଭୋଇ ଏବଂ ନାରାୟଣ ଗୁରୁଙ୍କ ପର୍ଯ୍ୟନ୍ତ ଆମେ ସର୍ବତ୍ର ସନ୍ଥମାନଙ୍କର କ୍ଷେତ୍ରରେ ଖାସ୍ ସେହି କଥାଟିକୁ ଦେଖିବାକୁ ପାଇବା । କୋଉ ଭଗବାନ ଜଗତର ଦୁଃଖ ବୁଝି ରୀତିରେ ଏକ ପରିବର୍ତ୍ତନ ଆଣିବାର ଉଦ୍ଦେଶ୍ୟରେ ଉପରୁ ଥାଇ ଏପରି ଭିଆଇଲେ କିମ୍ବା ସମାଜରେ ବହୁତ ତଳେ ରହିଥିବା ମଣିଷମାନେ ନିଜ ଭିତରୁ ହିଁ ଏକ ଅଭିନବ ବଳ ଏବଂ ଅଭିନବ ପ୍ରତିଶ୍ରୁତିର ପ୍ରେରଣା ପାଇଲେ, ନିଜ ନିଜର ଅନ୍ଦାଜ ଅନୁସାରେ ଆମେ ହୁଏତ ତାହାର ଅଲଗା ଅଲଗା ଆଲୋଚନା କରିପାରିବା । ମାତ୍ର ପୁରାତନକୁ ପ୍ରାସଙ୍ଗିକ କରିବାରେ, ପବିତ୍ର ସତ୍ୟ ମୂଲ୍ୟଗୁଡ଼ିକୁ ବାସ୍ତବ ଜୀବନର ନିକଟବର୍ତ୍ତୀ କରାଇଆଣି ଧର୍ମର, ଭଗବାନଙ୍କର ଏବଂ ନୈତିକତାର ଏକ ନୂତନ ସଂଜ୍ଞା ଖୋଜିବା ନିମନ୍ତେ ଏହି ଯେଉଁ ରୀତିଟିକୁ ଆମେ ଏକାଧିକ ଅର୍ଥରେ ଏକ ଆଧୁନିକ ପ୍ରବୃତ୍ତି ବୋଲି କହିବା, ଅନ୍ୟ ସମସ୍ତଙ୍କର ତୁଳନାରେ ଏହି କ୍ଷେତ୍ରରେ ପୃଥିବୀଯାକ ଏହି ସନ୍ଥମାନଙ୍କର ହିଁ ଅଧିକତର ଅବଦାନ ରହିଛି ।

 

ଭଗବାନଙ୍କର ଆଖିରେ ମଣିଷ କଦାପି ଛୋଟ ବଡ଼ ହେଇ ଦିଶୁ ନଥିବ; ତେବେ ମଣିଷର ଏହି ପୃଥିବୀଟାରେ ମଣିଷମାନଙ୍କୁ କାହିଁକି ଛୋଟ ବଡ଼ କରି ରଖାଯିବ ? ଏହି ଅନ୍ୟ ଅବ୍ୟବସ୍ଥାଟା ନିଶ୍ଚୟ କେତେକ ମଣିଷ ଅବଶ୍ୟ କରିଥିବେ ଏବଂ ଏକ ସୁବିଧାନଜନକ ସ୍ଥିତିରେ ରହିଥିବାରୁ ଭଗବାନଙ୍କ ନାମରେ ସେଇଟାକୁ ଚଳାଇ ନେଇଥିବେ । ଆଜ୍ଞାପ୍ରମାଣେ ଅନୁରୂପ ଶାସ୍ତ୍ର ଲେଖି ଥୋଇଦେବାଲାଗି ପଣ୍ଡିତମାନେ ବି ମହଜୁଦ ରହିଥିବେ, ଯେଉଁମାନେ କି ଏକାନ୍ତ ଅଭିସନ୍ଧିମୂଳକ ଭାବରେ ସ୍ୱୟଂ ଭଗବାନଙ୍କର ମୁହଁରୁ ହିଁ ଏହି ଅକଥା ଓ ଅବିଧିଗୁଡ଼ିକୁ କୁହାଇ ଅସତଟାକୁ ସତରେ ପରିଣତ କରିଦେଲେ ବୋଲି କିଞ୍ଚିତ୍ ଆତ୍ମପ୍ରସାଦ ବି ଲାଭ କରିଥିବେ । ଭଗବାନଙ୍କୁ ଅନୁଭବ କରିବାର, ଦେଖିବାର ଏବଂ ଅଙ୍ଗେ ନିଭାଇବାର ଏମିତି କେଉଁ ମାର୍ଗ ରହିଛି ଯେଉଁ ମାର୍ଗରେ ଆସି ପ୍ରବେଶ କରିବାମାତ୍ରକେ ହିଁ ଭଗବାନ ଏହି ପୃଥିବୀ ଭିତରକୁ ଓହ୍ଲାଇ ଆସନ୍ତି-? ଶାସ୍ତ୍ର ପଛରେ ରହେ । ମଣିଷ ସବା ଆଗ ଦେଖାଯାଏ ? ନୈତିକତାର ଅଭ୍ୟସ୍ତ ଭୂଆଁଗୁଡ଼ିକ ଅପେକ୍ଷା ବିବେକ ହିଁ ଅଧିକ ନିର୍ଭରଯୋଗ୍ୟ ବୋଲି ପ୍ରମାଣିତ ହେଉଥାଏ ? ସେହି ମାର୍ଗଟି ଯାହା ହୋଇଥାଉ ପଛକେ, ସେଇଟି ହେଉଛି ସନ୍ଥମାନଙ୍କର ମାର୍ଗ, ଅସଲ ଐଶ୍ଵରିକତାର ମାର୍ଗ, ମାନବିକତାର ମାର୍ଗ । ଏହି ମାର୍ଗଟିକୁ ମନ କରିବା ମାତ୍ରକେ ଭଗବାନଙ୍କୁ ସ୍ଵର୍ଗନର୍କର ଓ ପାପପୁଣ୍ୟର ବିଚାର କରୁଥିବା କେଉଁ କ୍ରୋଧୀ ପୋଲିସ୍ ସର୍ବାଧିକାରୀ ପରି ଆଦୌ ମନେ ହୁଏ ନାହିଁ, ଭଗବାନ ସତେଅବା ଏହି ପୃଥିବୀରେ ଆମ ସାଥିରେ ବାଟ ଚାଲୁଥିବା ପରି ହିଁ ଅନୁଭବ ହୋଇଥାଏ । ଏବଂ ଭଗବାନ ଆମର ଅତି ପାଖର ଜଣେ ସହପଥିକ ବୋଲି ଅନୁଭବ ହେବା ସଙ୍ଗେ ସଙ୍ଗେ ମଣିଷମାନେ ବି ପାଖର ବୋଲି ଲାଗନ୍ତି । ମଣିଷମାନେ ଭଲ ଲାଗନ୍ତି, ଏହି ପୃଥିବୀ ମଧ୍ୟ ଭଲ ଲାଗିବାକୁ ଆରମ୍ଭ କରେ । ସନ୍ଥମାନେ ପୃଥିବୀକୁ ମୋଟେ ଘୃଣା କରିନାହାନ୍ତି । ରାମଚନ୍ଦ୍ରଙ୍କର ଜଣେ ଭକ୍ତକୁ ଜଗତ ଭଲ ଅବଶ୍ୟ ଲାଗେ ବୋଲି ସନ୍ଥ ତୁଳସୀଦାସ କେଡ଼େ ଖୁସୀ ହୋଇ କହିଛନ୍ତି । ଏବଂ, ଏହି ସଂସାର ଭଲ ଲାଗେ, କାରଣ ଭଗବାନ ଭଲ ଲାଗନ୍ତି । ପଥପ୍ରଦର୍ଶକ ବନ୍ଧୁ ପରି ଲାଗନ୍ତି । ମଣିଷମାନଙ୍କର ନିୟତିରୂପେ, ଏହି ଜଗତର ଭବିଷ୍ୟ ସମ୍ଭାବନା ରୂପେ ସିଏ ଆମର ସ୍ଵପ୍ନ ଏବଂ ଉଦ୍ୟମଗୁଡ଼ିକର ମାଧ୍ୟମରେ ଫଳି ଫଳି ଯାଉଥିବା ପରି ମନେ ହୋଇଥାଏ । ତା'ପରେ, ତାଙ୍କର ଏହି ପୃଥିବୀରେ ବଡ଼ ସାନ ଦେଖିବାକୁ ଆଉ ମୋଟେ ମନ ଯାଏ ନାହିଁ । ମଣିଷ ଯେ କାହିଁକି ଏଠି ବଡ଼ ସାନର ଭିଆଣ କଲା, ସେକଥା ବୁଝିହୁଏ ନାହିଁ । ସେଗୁଡ଼ିକୁ ଭାଙ୍ଗି ପକାଇବାକୁ ମନ ହୁଏ । ପ୍ରତିବାଦ କରିବା ପାଇଁ ସାହସ ଆସିଯାଏ ।

 

ଭାରତବର୍ଷର ଶାସ୍ତ୍ରମାନଙ୍କରେ ଆଧ୍ୟାତ୍ମ ବିଷୟରେ ବହୁ ତୁଙ୍ଗ ଓ ଉତୁଙ୍ଗ କଥାମାନ ବ୍ୟକ୍ତ କରାଯାଇଛି । ଶାସ୍ତ୍ରରେ ସତ୍ୟକୁ ବିଶ୍ୱବ୍ରହ୍ମାଣ୍ଡର ଆଦିମୂଳ ଓ ପରମବିଧାନକାରୀ ବୋଲି କୁହାଯାଇଛି, ପରମସତ୍ୟ ମନୁଷ୍ୟ ସମେତ ପ୍ରତ୍ୟେକ ବସ୍ତୁରେ ବିଦ୍ୟମାନ ରହିଛନ୍ତି ବୋଲି ଘୋଷଣା କରାଯାଇଛି । ସତ୍ୟ ଓ ପରାତ୍ପରଙ୍କ କ୍ଷେତ୍ରରେ ବଡ଼ ସାନ, ଆଗ ପଛ ଓ ଉଚ୍ଚ ନୀଚ ଆଦୌ କିଛି ନାହିଁ ବୋଲି କେତେ ଉଲ୍ଲାସର ସହିତ କୁହାଯାଇଛି । ମାତ୍ର, ଯେଉଁ ସଂସାର ଭିତରେ ମନୁଷ୍ୟମାନେ ସମାଜ ଗଠନ କରି ସମ୍ବନ୍ଧ ଯୋଡ଼ି ବସ୍ତୁଗୁଡ଼ିକ ମଧ୍ୟରେ ବାସ କରୁଛନ୍ତି, ସେହି ସଂସାରରେ ରହିଥିବା ବଡ଼ ସାନ ଓ ଉଚ୍ଚ ନୀଚ ବିଷୟରେ ସେପରି କିଛି କୁହାଯାଇ ନାହିଁ । ଭଗବାନ ଓ ସଂସାର ଭିତରେ ଏପରି ବିରୋଧ କାହିଁକି ରହିଛି, ସେ ବିଷୟରେ ସତ୍ୟ ପ୍ରବକ୍ତା ଋଷିମାନେ କେଜାଣି କାହିଁକି ଅତ୍ୟନ୍ତ ମୌନ ରହିଯାଇଛନ୍ତି । ମୁନି ଓ ଋଷିମାନେ ଅରଣ୍ୟରେ ବାସ କରୁଥିଲେ । ସଂସାର ପ୍ରତି ଉଦାସୀନ ହୋଇ ସଂସାରକୁ ତ୍ୟାଗ କରିଥିଲେ । ସଂସାରକୁ ଡରି ଅଥବା ସଂସାରର ଆହ୍ୱାନଗୁଡ଼ିକର ସମ୍ମୁଖୀନ ହୋଇ ନପରି ଯେ କେତେକ ସତ୍ୟାନ୍ୱେଷୀ କ’ଣ ଭାବି ଏଠା ଛାଡ଼ି ଅରଣ୍ୟକୁ ଚାଲି ଯାଇଥିବେ, ସେ କଥାକୁ ମଧ୍ୟ ମୋଟେ ସଂପୂର୍ଣ୍ଣ ଭାବରେ ଅସ୍ଵୀକାର କରିହେବ ନାହିଁ । ସଂସାରକୁ ଡରୁଥିବା ଅର୍ଥାତ୍ ସହି ପାରୁନଥିବା ମଣିଷ ଆଉ ଅନ୍ୟ ପ୍ରକାର କ'ଣ କରିପାରୁଥାନ୍ତା ? ସେମାନଙ୍କ ଭଳି ସଂସାରରୁ ପଳାଇଗଲେ ଯାଇ ସଂସାରସ୍ଥ ସକଳ କଷଣରୁ ମୁକ୍ତି ମିଳିବ ବୋଲି କେତେକ କ୍ଷେତ୍ରରେ ସେମାନେ କହିବାକୁ ଇଚ୍ଛା କରୁଥିବାର ସୂଚନା ମଧ୍ୟ ମିଳିଯାଉଛି । ତେଣୁ, ଋଷିମାନେ ଆମ ସମସ୍ତଙ୍କର ନମସ୍ୟ ହୋଇ ରହିଛନ୍ତି ସିନା, ମାତ୍ର ଏହି ସଂସାରରେ ସତ୍ୟକୁ ସାଙ୍ଗରେ ନେଇ ଅର୍ଥାତ୍ ଭଗବାନଙ୍କୁ ବହନ କରି ସଂକଳ୍ପୋଜ୍ଜ୍ଵଳ ଭବରେ ଆଧ୍ୟାତ୍ମଜୀବନଟିଏ ବଞ୍ଚିବା ବିଷୟରେ ଅରଣ୍ୟବିହାରୀ ମହାନ୍ ଆତ୍ମାମାନେ ଆମକୁ ପ୍ରାୟ କୌଣସି ପରାମର୍ଶ ଦେଇନାହାନ୍ତି । ଆମ ପୃଥିବୀର ଆକାଶରେ ତାରା ହୋଇ ପୂଜା ପାଉଛନ୍ତି । ମାତ୍ର ଏହି ସଂସାରରେ ତଥାପି ସତ୍ୟକୁ ଧରି ବାଟ ଚାଲିବା ନିମନ୍ତେ ଆମକୁ ବିଶେଷ ବୁଦ୍ଧି ଦେଇପାରିନାହାନ୍ତି ।

 

ସେ କଥା ଆମ ସନ୍ଥମାନେ କରିଛନ୍ତି । ସେମାନେ ପୃଥିବୀକୁ ତା’ ଅନ୍ଧାର ଭିତରେ ଜର୍ଜର ହୋଇ ରହିବାକୁ ଛାଡ଼ିଦେଇ ଅରଣ୍ୟକୁ ଆଦୌ ପ୍ରୟାଶ କରିନାହାନ୍ତି । ବରଂ ଆମରି ଭିତରେ ଏହିଠାରେ ରହି ଆମକୁ ନାନାଭାବେ ବଳ ଦେଇଛନ୍ତି, ବିଶ୍ୱାସ ମଧ୍ୟ ଦେଇଛନ୍ତି । ମାଟି ଏବଂ ଆକାଶ ଭିତରେ, ସଂସାର ଓ ଆଧ୍ୟତ୍ମ ମଧ୍ୟରେ ସେତୁଭଳି କାର୍ଯ୍ୟ କରିଛନ୍ତି । ସେମାନେ ସତ୍ୟକୁ, ଭଗବାନଙ୍କୁ ଏହି ପୃଥିବୀପୃଷ୍ଠକୁ ଅବତରଣ କରାଇ ଆଣିବାର କଥା କହିଛନ୍ତି । ଆମ ସାଧାରଣ ମଣିଷମାନଙ୍କୁ ଆମରି ଭିତରେ ରହିଥିବା ସତ୍ୟସମ୍ଭାବନା ବିଷୟରେ ସକାରାତ୍ମକ, ବିଶ୍ଵାସାତ୍ମକ ବହୁ କଥା କହିଛନ୍ତି । ଭଗବାନଙ୍କୁ ଏଇଠି ଅନୁଭବ କରିପାରିଲେ ଆମ ପୃଥିବୀ ଆଧ୍ୟାତ୍ମର ଅନ୍ୟ ଗଢ଼ଣଟି ଅନୁସାରେ ତିଆରିହୋଇ ପାରିବ ବୋଲି ଆମକୁ ଅନେକ ପ୍ରତ୍ୟୟ ଦେଇଯାଇଛନ୍ତି । ମନୁଷ୍ୟସମାଜର ହୃଦୟ-ପରିବର୍ତ୍ତନରେ ସନ୍ଥମାନଙ୍କରେ ଏକ ସ୍ପଷ୍ଟ ଭୂମିକା ରହିଆସିଛି । ସେମାନେ ସଚରାଚର ଲୋକମାନଙ୍କର ନିତ୍ୟବ୍ୟବହୃତ ସରଳ ଭାଷାରେ ହିଁ କଥା କହିଛନ୍ତି । ପୃଥିବୀଯାକର ସାହିତ୍ୟକୁ କ୍ରମଶଃ ଜୀବନବାଦ କରିଆଣିବାରେ ଯନ୍ତ୍ରପରି କାର୍ଯ୍ୟ କରିଛନ୍ତି । କହିବା ବାହୁଲ୍ୟ ଯେ, ପଣ୍ଡିତମାନଙ୍କର ଶାସ୍ତ୍ରତତ୍ତ୍ଵ ଅପେକ୍ଷା ସନ୍ଥମାନଙ୍କର ସହଜ କଥା ହଁ ଅଧିକ ମଣିଷଙ୍କୁ ପ୍ରକୃତରେ ସ୍ପର୍ଶ କରିଛି ଏବଂ ସମାଜକୁ ବହୁ ପ୍ରାଚୀର ଡିଆଇଁ ଆଣିଛି । ପଣ୍ଡିତମାନେ ଶାସ୍ତ୍ରଜଗତର ସାମନ୍ତମାନେ ସତେଅବା ଭାରି ନାକ ଟେକିଛନ୍ତି, ସତେଅବା ଜାଣିଶୁଣି ଦୂରରେ ରହିଛନ୍ତି ଏବଂ ସତ୍ୟଗୁଡ଼ାକ ଅସ୍ପୃଶ୍ୟ ହୋଇ ରହିବାରେ ଅଧିକ ସହାୟତା କରିଛନ୍ତି । ଧର୍ମର ଇତିହାସ ପରି ପୃଥିବୀରେ ଯେଉଁଦିନ ସତ୍ୟର ଏବଂ ଆଧ୍ୟାତ୍ମର ଇତିହାସ ଲେଖାହେବ, ସେତେବେଳେ ଯାଇ ଆମେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସେହି କଥାଟିର ପ୍ରମାଣ ପାଇବା । ସେପର୍ଯ୍ୟନ୍ତ ଧର୍ମଘରର ଅଧୀଶମାନେ ପୃଥିବୀର ଆଧ୍ୟାତ୍ମ ବାଣୀଗୁଡ଼ିକୁ ମଧ୍ୟ ଆତ୍ମସାତ୍ କରି ନେବାକୁ ଚେଷ୍ଟା କରୁଥିବେ ଓ ସେଗୁଡ଼ିକ ସେହିମାନଙ୍କର ସମ୍ପତ୍ତି ବୋଲି ଦର୍ଶାଇବାକୁ ଭାରି ଉତ୍ସାହ ଦେଖାଉଥିବେ ।

 

ସତ୍ୟକୁ ଓ ଭଗବାନଙ୍କୁ ସଚଳ ଭାବରେ ଅନୁଭବ କଲେ ସମାଜରେ କିପରି ସାନ ବଡ଼ ମୋଟେ କିଛି ଦେଖାଯାଏ ନାହିଁ ଏବଂ ନିଜର ଉଚ୍ଚ ଜାତିଟାଙ୍କୁ ନେଇ ଅହଙ୍କାର କରିବାକୁ ଆଦୌ ମନ ହୁଏନାହିଁ, ଓଡ଼ିଶାର ସନ୍ଥସାହିତ୍ୟରୁ ଆମେ ଗୋଟିଏ ଉଦାହରଣ ସାହାଯ୍ୟରେ ତାହାକୁ ବୁଝିବା ଲାଗି ଚେଷ୍ଟା କରିବା । ଷୋଡ଼ଶ ଶତାବ୍ଦୀରେ ଯେଉଁ ସନ୍ଥମାନେ ପଞ୍ଚସଖା ନାମରେ ବିଖ୍ୟାତ ହୋଇ ରହିଛନ୍ତି, ଏହା ହେଉଛି ସେହିମାନଙ୍କର କଥା । ଜଗନ୍ନାଥ ଦାସ, ବାଳରାମ ଦାସ, ଅଚ୍ୟୁତାନନ୍ଦ ଦାସ ସେମାନଙ୍କର ରଚିତ ପୋଥିଗୁଡ଼ିକ ସକାଶେ ଆମର ଅତ୍ୟନ୍ତ ନିଜର ହୋଇ ରହିଛନ୍ତି । ସେମାନଙ୍କ ସାଙ୍ଗକୁ ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ । ଏମାନଙ୍କ ମଧ୍ୟରୁ ଜଣେ କେହିହେଲେ ମଧ୍ୟ ସାମାଜିକ ହିସାବ ଅନୁସାରେ ତଥାକଥିତ ନୀଚ କୁଳରେ ଜନ୍ମ ହୋଇ ନଥିଲେ । ସେମାନେ ସମସ୍ତେ ବ୍ରାହ୍ମଣ, କାୟସ୍ଥ ଏବଂ ଖଣ୍ଡାୟତ ଥିଲେ । ତଥାପି, ଭଗବାନଙ୍କର ବିଶ୍ଵପରିବ୍ୟାପ୍ତ ମହିମାର ମାଧ୍ୟମରେ ଚତୁର୍ଦ୍ଦିଗରେ ବାସ କରୁଥିବା ମନୁଷ୍ୟମାନଙ୍କୁ ଦେଖି ସେମାନେ ସମାଜର ସଂସ୍କାରକୁ ମାନି ସେମାନଙ୍କୁ ମୋଟେ ଉଚ୍ଚ ନୀଚ କରି ଗ୍ରହଣ କରିପାରିଲେ ନାହିଁ । ଆପଣାର ଏକ ଅଭିନବ ରୀତିରେ ସେମାନେ ତାହାର ପ୍ରତିବାଦ କରିଥିଲେ । ଗୋଟିଏ ପୋଥିରେ ଆମକୁ ତାହାରି ବିବରଣୀ ମିଳିଯାଉଛି । ସେହି ପୋଥିଟିକୁ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । ଅଚ୍ୟୁତାନନ୍ଦ ନିଜର ବିକଳ୍ପ ଯୁକ୍ତିଟିକୁ ବାଢ଼ି କହିଛନ୍ତି ଯେ, ସମାଜରେ କର୍ମ ଅନୁସାରେ ହିଁ ପୂର୍ବକାଳରୁ ଜାତିର ନିରୂପଣ ହୋଇ ଆସିଛି । ତୁମେ ବ୍ରହ୍ମଣ କର୍ମ କରିବ, ତେଣୁ ସମସ୍ତେ ତୁମକୁ ବ୍ରାହ୍ମଣ ବୋଲି କହିବେ । କ୍ଷତ୍ରିୟର କର୍ମ କରିବ, କ୍ଷତ୍ରିୟ ବୋଲାଇବ । ଅଚ୍ୟୁତାନନ୍ଦ କହିଛନ୍ତି, ତାଙ୍କର ବାପାଙ୍କ ବାପା ଅମୁକ କାମ କରୁଥିଲେ, ବାପା ଆଉଗୋଟିଏ ଜୀବିକା କଲେ ଏବଂ ସେମାନଙ୍କର ବଂଶଧର ଭାବରେ ସିଏ ସେହି ଉଭୟେ ରହିଥିବା ଆଦୌ ଗୋଟିଏ ହେଲେ ଜୀବିକାରେ ମଧ୍ୟ ରହିନାହାନ୍ତି । ତେଣୁ, ସିଏ ତାଙ୍କ ବାପାଙ୍କ ବାପା ଏବଂ ବାପାଙ୍କର ସମଜାତିର ବୋଲି ଆଦୌ ସଂଗତି ସହିତ କୁହାଯାଇପାରିବ ନାହିଁ । ସିଏ ନିଜେ ଯେଉଁ କାର୍ଯ୍ୟ କରୁଛନ୍ତି ସେହି କାର୍ଯ୍ୟଟି ଅନୁସାରେ ହିଁ ତାଙ୍କ ଜାତିର ନିରୂପଣ ହେବା ଇଏ ଏକାବେଳେକେ ଏକ ଅନ୍ୟ କଥା । କେବଳ ସେହି ଷୋଡ଼ଶ ଶତାବ୍ଦୀରେ ନୁହେଁ, ଆମର ଏକାଳରେ ମଧ୍ୟ କେହି ସେପରି କହିବାକୁ ବାହାରିଲେ ଆମ ସମାଜରେ ଚଳିଆସିଥିବା ଜାତିଭେଦରେ ବିଶ୍ଵାସ କରୁଥିବା ମଣିଷମାନଙ୍କୁ ସେକଥା ପ୍ରକୃତରେ ଭାରି ଅଡ଼ୁଆ ଲାଗିବ ।

 

ସନ୍ଥ ଅଚ୍ୟୁତାନନ୍ଦଙ୍କର କି ଜୀବିକା ଥିଲା ? ସମଗ୍ର ଭାବରେ କହିଲେ ତତ୍କାଳୀନ ସମାଜରେ ପାଞ୍ଚଜଣଯାକ ସଖା ପ୍ରକୃତରେ କେଉଁ କାର୍ଯ୍ୟ କରୁଥିଲେ ? ସେମାନଙ୍କର କହିବା ଅନୁସାରେ ସେମାନେ ଭକ୍ତ ଥିଲେ, ଭଗବାନଙ୍କର ଦାସ ଥିଲେ । ସେମାନଙ୍କର ଘୋଷଣା ଅନୁସାରେ ସେମାନେ ଜନ୍ମ ଜନ୍ମ ଧରି ଭଗବାନଙ୍କର ଦାସ ହୋଇ ହିଁ ରହି ଆସିଥିଲେ । ଭକ୍ତିର ପୁଣି କି ଜାତି ବୋଲି କୁହାଯିବ ? ଜଣେ ଭୃତ୍ୟକୁ, ଭଗବାନଙ୍କର ଜଣେ ଭୃତ୍ୟ ସମେତ, ଆମେ ସତକୁ ସତ କେଉଁ ଜାତିରେ ଆଣି ସାମିଲ୍‌ କରିପାରିବା ? ଅଚ୍ୟୁତାନନ୍ଦ ଚାରିଭଳି ଭକ୍ତିର ଆଲୋଚନା କରିଛନ୍ତି : ବ୍ରାହ୍ମଣ ଭକ୍ତି, କ୍ଷତ୍ରିୟ ଭକ୍ତି, ବୈଶ୍ୟ ଭକ୍ତି ଓ ଶୁଦ୍ରଭକ୍ତି । ବ୍ରାହ୍ମଣ ଭକ୍ତି କର୍ମକାଣ୍ଡର ଗହନ ଭିତରେ ନିଜକୁ ହରାଇ ଦେଇଥାଏ, କ୍ଷତ୍ରିୟ ଭକ୍ତି ନିଜ ଭିତରେ ରିପୁ ଓ ରାକ୍ଷସମାନଙ୍କ ସହିତ ଯୁଦ୍ଧରେ ବ୍ୟସ୍ତ ହୋଇ ରହିଥାଏ । ବୈଶ୍ୟ ନିଜ ଭକ୍ତି ବଦଳରେ କିଛି ପାଇବ ବୋଲି ଭଗବାନଙ୍କ ସହିତ ମୂଲଚାଲ କରୁଥାଏ । ଶୂଦ୍ର ସେବାକରେ, ସେବାରୁ ପୂର୍ଣ୍ଣ ସୁଖ ପାଏ, ସେବା ବଦଳରେ କିଛି ଇଚ୍ଛା କରୁନଥାଏ । ଅଚ୍ୟୁତାନନ୍ଦ ଶୂଦ୍ରଭକ୍ତିକୁ ସର୍ବଶ୍ରେଷ୍ଠ ଭକ୍ତି ବୋଲି କହିଛନ୍ତି । ସେଥିରେ କୌଣସି ଅହଙ୍କାର ନଥାଏ, ଆଡ଼ମ୍ବର ନଥାଏ, କୌଣସି ମିଛ ମାନସିକତା ନଥାଏ । ତେଣୁ କୁତ୍ରିମତା ବି ନଥାଏ । “ଶୂଦ୍ର ହେଲେ ମନ ସରୁଆ ହୋଇ,”–ଏହା ହେଉଛି ଅଚ୍ୟୁତାନନ୍ଦଙ୍କର ପଦ । ତା'ପରେ ସିଏ ଅମିତ କେତେ ସାହସର ସହିତ ଘୋଷଣା କରି କହିଛନ୍ତି ଯେ, ଜନ୍ମ ଅନୁସାରେ ସେମାନେ ଯେଉଁ କୁଳର ଅଥବା ଯେଉଁ ଜାତିର ହୋଇଥାଆନ୍ତୁ ପଛକେ, ସେମାନଙ୍କର ବାପା ବା ବାପାଙ୍କ ବାପାମାନେ ଯୋଉ ଜାତିର ବୋଲାଇ ଥାଆନ୍ତୁ ପଛକେ, ସେମାନେ ବ୍ରାହ୍ମଣ, କ୍ଷତ୍ରିୟ କି ବୈଶ୍ୟ ଆଦୌ କିଛି ନୁହନ୍ତି । ସେମାନେ ସମସ୍ତେ ଶୂଦ୍ର । ସମଗ୍ର ପୃଥିବୀରେ ଆଧ୍ୟାତ୍ମଭକ୍ତିର ଇତିହାସରେ ଏହା ହେଉଛି ଗୋଟିଏ ଅଭିନବ ଘୋଷଣା । କେବଳ ସାହସୀ ମଣିଷମାନେ ହିଁ ଏକ ଅନ୍ୟଭଳି ସମାଜରେ ସେପରି ଘୋଷଣା କରିପାରନ୍ତି । ‘ଶୂଦ୍ର' କଥାଟିର ଏପରି ଏକ ମହିମାମୟ ବ୍ୟାଖ୍ୟା ମଧ୍ୟ ଭକ୍ତିର ତଥା ଜାତି ବିଶ୍ଳେଷଣର ଇତିହାସରେ ଅତ୍ୟନ୍ତ ବିରଳା କେବଳ ଜଣେ ସତ୍ୟବନ୍ତ ଓ ଉଜ୍ଜ୍ଵଳ ବିବେକ ମଣିଷ ହିଁ ଏପରି ସାହସର ଦୃଷ୍ଟାନ୍ତ ହୋଇପାରେ । ପୃଥିବୀରେ, ଆମ ସମାଜରେ ଯଦି ସବୁ ମଣିଷ ଏହିଭଳି ଭଗବାନଙ୍କର ନିର୍ଦ୍ଦେଶରେ ଜୀବନର ବାଟଟିକୁ ଚାଲୁଥାଆନ୍ତେ, ତେବେ ହୁଏତ ମନୁଷ୍ୟମାତ୍ରକେ ସମସ୍ତେ ଶୂଦ୍ର ହିଁ ହୋଇଥାନ୍ତେ । ତେବେ ଉଚ୍ଚ ନୀଚ କହିବାକୁ କୌଣସି ଅବକାଶ ନଥାନ୍ତା । କେହି କାହାକୁ ଗିଳିପକାଇବାକୁ କୌଣସି ଚେଷ୍ଟା କରୁନଥାନ୍ତେ । ସେହି ପୃଥିବୀରେ ମଣିଷ ହିଁ ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପଦ ହୋଇ ରହିଥାନ୍ତା ।

 

ମାତ୍ର ଶହେବର୍ଷ ତଳେ ଓଡ଼ିଶାରେ ଭଗବାନଙ୍କୁ ଅଖଣ୍ଡ ମହିମାରାଶି ବୋଲି କହି ନିଜ କବିତାର ମାଧ୍ୟମରେ ସନ୍ଥ ଭୀମ ଭୋଇ ଯେଉଁ ଧର୍ମବାଣୀର ବିତରଣ କରି ଯାଇଛନ୍ତି ସେଥିରେ, ମଧ୍ୟ ସିଏ ଏହି ପୃଥିବୀର କଥା ଓ ପୃଥିବୀରେ ବାସ କରୁଥିବା ମଣିଷର କଥା ଅଧିକ କହିଛନ୍ତି । ସିଏ ଭଗବାନଙ୍କ କଥା ଯେତେ କହିନାହାନ୍ତି, ମଣିଷର କଥା ହିଁ ତା'ଠାରୁ ବହୁଗୁଣ ଅଧିକ ପରିମାଣରେ କହିଛନ୍ତି । ଅତ୍ୟନ୍ତ ବ୍ୟାକୁଳ ଭାବରେ ମଣିଷର ଦଇନିକୁ ଭଗବାନଙ୍କ ଯାଏ ବହନକରି ନେଇଛନ୍ତି । ସିଏ ସତକୁ ସତ ଭଗବାନଙ୍କୁ ଅଙ୍ଗେ ନିଭାଇଛନ୍ତି ବୋଲି ଅର୍ଥାତ୍ ଭଗବାନଙ୍କୁ ଦେଖିଛନ୍ତି ବୋଲି ଏତେ ଏତେ ଆତ୍ମୀୟତାର ସହିତ ମଣିଷର କଥା କହିପାରିଛନ୍ତି । ଭୀମ ଭୋଇ ଦରିଦ୍ର ଥିଲେ, କନ୍ଧକୁଳରେ ଜନ୍ମ ହୋଇଥିଲେ । କିମ୍ବଦନ୍ତୀ କହୁଛି ଯେ ସିଏ ଅନ୍ଧ ଥିଲେ । ଅତି ପିଲାଦିନୁ ଅନ୍ଧ ହୋଇ ଯାଇଥିଲେ । ଗାଈ ଚରାଇ ପେଟ ପୋଷୁଥିଲେ । ତାଙ୍କ ଭିତରୁ ଯେତେବେଳେ କବିତ୍ଵର ଶକ୍ତି କଥା କହିବାକୁ ମନକଲା, ସେତେବେଳେ ସିଏ ମଣିଷକୁ ଛାଡ଼ି କଦାପି ଧର୍ମର କଥା କହି ପାରିନଥାନ୍ତେ । ଭଗବାନଙ୍କର କଥା କହିବାକୁ ମନ କରି ମଣିଷ ମାନଙ୍କର କଥା ହିଁ କହିଥାନ୍ତେ । ଅଙ୍ଗେନିଭା ଜୀବନ, ତେଣୁ ଅଙ୍ଗେନିଭା ଭଗବାନ ଓ ଅଙ୍ଗେନିଭା ସାହିତ୍ୟ । ତେଣୁ ତାଙ୍କର ଭଗବାନ୍ ଓ ତାଙ୍କର ସାହିତ୍ୟ ଉଭୟେ ଜୀବନ ପରି ଉଜ୍ଜ୍ୱଳ । ଭଗବାନଙ୍କୁ ଏବଂ ଜୀବନକୁ ଏହି ଭାଷାର ଆଉ କୋଉ କବି ଏଡ଼େ ଜୀବନ୍ତ ଓ ଏଡ଼େ ନିକଟ କରି ଦେଖି ପାରିଛି କି ନାହିଁ, ସେ କଥା ପଣ୍ଡିତମାନେ ଅବଶ୍ୟ ଗବେଷଣା କରିପାରିବେ । ଭଗବାନ୍ ସଂସାରର କବିମାନଙ୍କୁ ମୂର୍ଖଟିଏ କରିଥାନ୍ତୁ ପଛକେ, ହୃଦୟଟିଏ ଅବଶ୍ୟ ଦିଅନ୍ତୁ । ତେବେ ସେମାନେ କବି ଭୀମ ଭୋଇଙ୍କୁ ନିଜ ଅନ୍ତର ଭିତରେ ଅବଶ୍ୟ ସାକ୍ଷାତ କରିପାରିବେ ।

 

ଧର୍ମର ତତ୍ତ୍ୱକାରମାନେ ପରମାତ୍ମା ଆତ୍ମାରୂପେ ସବୁରି ଭିତରେ ରହିଛନ୍ତି ବୋଲି କେତେ କେତେ ଯୁକ୍ତି ଏବଂ ଉପମା ଦେଇ କହିଛନ୍ତି । ମାତ୍ର, ସେମାନେ ନିଜର କୋଉ ବିଶେଷ ମୋହ ଅଥବା ବାଡ଼ ଦେଇ ସେହି ଆତ୍ମାକୁ ଦେଖିଛନ୍ତି କେଜାଣି, ମଣିଷ ଭିତରେ ସତେଅବା ଆଉ କିଛି ହେଲେ ଦେଖିପାରିନାହାନ୍ତି । ବ୍ରହ୍ମ କୁଆଡ଼େ ଖାଲି ସେଇ ଆତ୍ମାରେ ହିଁ ରହିଛି । ସେମାନେ ଆତ୍ମାଟାକୁ ଭୁଲାଇ ମଣିଷ ଭିତରୁ ସତେଅବା ଭଗବାନଙ୍କ ଆଡ଼କୁ ହୁଡ଼ାଇ ନେବାପାଇଁ ମନ କରିଛନ୍ତି । ଆତ୍ମା ବ୍ୟତୀତ ମଣିଷ ପାଖରେ ଆଉ ଯାହାକିଛି ରହିଛି ସେଗୁଡ଼ାକୁ ଆଦୌ କିଛି ନୁହେଁ ବୋଲି କହି ଆମକୁ ଅନ୍ୟମନସ୍କ କରିବାକୁ କେତେ ଚେଷ୍ଟା କରିଛନ୍ତି । ସେମାନେ ସେହି ସବୁକିଛିକୁ ମାୟା ବୋଲି କହି ଯାଇଛନ୍ତି । ଆମକୁ ସଂସାରରେ ଆଉ ସବୁକିଛି ବିଷୟରେ ଉଦାସୀନ ହୋଇ ରହିବାକୁ ଉଚ୍ଚ ପରାମର୍ଶମାନ ପ୍ରଦାନ କରିଛନ୍ତି । ଆତ୍ମାକୁ ଜାଣିଲେ, ଆତ୍ମାକୁ ଦେଖିଲେ ଓ ଆତ୍ମାକୁ ଛୁଇଁପାରିଲେ ମଣିଷର ସବୁକିଛି ଯେ ପବିତ୍ର ଦେଖାଯାଏ, ଠିକ୍ ଆତ୍ମା ପରି ମହିମାମୟ ଦେଖାଯାଏ, କବିମାନେ ସେହି ଅସଲ ସତକଥାଟିର କୌଣସି ଭେଦ ପାଇନାହାନ୍ତି । ଭୀମ ଭୋଇ ପୃଥିବୀର ଆରତ ସହିପାରି ନାହାନ୍ତି । ପୃଥିବୀରେ ବାସ କରୁଥିବା ମଣିଷ ପ୍ରାଣୀମାନଙ୍କର ଆରତକୁ ସେ ମୋଟେ ସହିପାରି ନାହାଁନ୍ତି ଏବଂ ତାହାକୁ ଦୂର କରିନେବା ସକାଶେ ଅଶେଷ ବ୍ରହ୍ମରାଶିଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ଠିକ୍ ପିଲାଏ ନିଜ ମା’ ପାଖରେ ଅଝଟ ଲଗାଇବା ଭଳି ପ୍ରାର୍ଥନା କରିଛନ୍ତି । ମଣିଷମାନଙ୍କର ଦୁଃଖକୁ ସିଏ ନିଜ ଦେହରେ ମଧ୍ୟ ଅନୁଭବ କରିଛନ୍ତି । କାରଣ, ପ୍ରାୟ ତାଙ୍କରି ନିଜ ଭାଷାରେ କହିବାକୁ ଗଲେ, ସିଏ ମଧ୍ୟ ଅନ୍ୟ ସବୁ ମଣିଷଙ୍କ ପରି ଜଣେ ମଣିଷ । ସବୁ ମଣିଷଙ୍କ ଭଳି ତାଙ୍କ ଦେହଟା ଅର୍ଥାତ୍ ଜୀବନଟା ମଧ୍ୟ କେତେଖଣ୍ଡ ହାଡ଼, ପଳେ ମାଉଁସ ଓ ବୁନ୍ଦାଏ ରୁଧିର ଦେଇ ତିଆରି ହୋଇଛି । ତେଣୁ ଅନ୍ୟମାନଙ୍କର ଦୁଃଖକୁ ସିଏ କିଭଳି ସହ୍ୟ କରିପାରିବେ ? ସେହି କାରଣରୁ ହିଁ ସିଏ ପୃଥିବୀରେ ମଣିଷମାନଙ୍କର ଦୁଃଖକୁ ସହ୍ୟ କରିପାରୁନାହାନ୍ତି, ଏବଂ ସଂସାରର ଉଦ୍ଧାର ନିମନ୍ତେ ବିଶ୍ଵଦେବଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ‘ଦେଖୁ ଦେଖୁ କେବା ସହୁ’ ବୋଲି କେଡ଼େ ବ୍ୟାକୁଳ ଭାବରେ ବ୍ୟକ୍ତ କରି ପାରିଛନ୍ତି । ଆଧ୍ୟାତ୍ମ ଏହିପରି ଭାବରେ ଭୂଇଁ ଛୁଇଁଲେ ସମ୍ଭବତଃ ଆତ୍ମୀୟତାରେ ପରିଣତ ହୁଏ, ଆକୁଳ ଓ ଦୁର୍ବଳ କରେ । ନିଦା ଯୋଗୀମାନେ ଅଛନ୍ତି, ଯେଉଁମାନେ କି ପୂର୍ଣ୍ଣ ସଂଯମ ଅବଲମ୍ବନ କରି ଆମକୁ ସବଳ ହୋଇ ରହିବା ନିମନ୍ତେ ଉପଦେଶମାନ ଦେଇଛନ୍ତି । ଦୁଃଖ ଦେଖୁଥିବ, ତଥାପି ସଂଯମ ଅବଲମ୍ବନ କରିଥିବ ଏବଂ ସବଳ ରହିଥିବ । ଏମାନଙ୍କର ପ୍ରକୃତରେ କୋଉ ଭଗବାନ କେଜାଣି ? ତତ୍ତ୍ଵ ଦେଇ ଭଗବାନଙ୍କୁ ଗଢ଼ିଥିବା ଉଦାସୀନମାନେ ସମ୍ଭବତଃ ଅତ୍ୟନ୍ତ କଠୋରତାର ସହିତ ପୃଥିବୀ ଆଡ଼କୁ ଅନାଇବେ ନାହିଁ ବୋଲି ନିଜ ଭିତରର ଲୁବ୍ଧକଟି ପାଖରେ ଶପଥ କରିଥାଆନ୍ତି ବୋଲି ପୃଥିବୀ ଆଡ଼କୁ ଆଖିବୁଜି ଦେଇଥାନ୍ତି । ସବୁଦେଖୁଥାନ୍ତି–ଏଇଠି ନିଃଶ୍ଵାସ ନେଉଥାନ୍ତି, ଏଇଠି ମଣୋହି କରନ୍ତି, ମାତ୍ର ,ଏଣେ ମୋଟେ ଅନାଇବେ ନାହିଁ ବୋଲି ଏକାନ୍ତ ଊର୍ଦ୍ଧ୍ୱଦୃଷ୍ଟି ହୋଇ ରହିଥାନ୍ତି । ଭଗବାନ ଏହି ପୃଥିବୀରେ ନାହାନ୍ତି ବୋଲି ସେମାନେ ଏଣେ ଆଖିବୁଜି ଦେଇଥାନ୍ତି । ଅଥବା ଆଖି ଦ୍ୱାରା ସବୁ ଦେଖୁଥିଲେ ମଧ୍ୟ ତଥାପି ଆଦୌ କିଛି ଦେଖୁ ନଥିବାର ବାହାନା କରୁଥାନ୍ତି । ଭଗବାନଙ୍କ ପାଖରେ ଏକାନ୍ତ ଶୁଦ୍ଧ ହୋଇ ଦିଶିବେ ବୋଲି କିଞ୍ଚିତ୍ ମିଛ ବି କହିବାକୁ କର୍ତ୍ତବ୍ୟ ବୋଲି ଧରି ନେଇଥାନ୍ତି । ଏମାନଙ୍କର ଭଗବାନ ଧର୍ମ ଓ ଦର୍ଶନ ଯେଉଁଭଳି ହୋଇଥାଉ ପଛକେ, ସନ୍ଥ ଭୀମ ଭୋଇଙ୍କର ଭଗବାନ୍ ଯେ ଆଦୌ ଏପରି ନଥିଲେ ସେ କଥା ଅତ୍ୟନ୍ତ ସ୍ପଷ୍ଟ ଭାବରେ କୁହାଯାଇପାରିବ । ଭୀମ ଭୋଇଙ୍କର ହୃଦୟଟିଏ ଥିଲା, ତେଣୁ ସିଏ ନିଜର ଭଗବାନଙ୍କ ଭିତରେ ସମଗ୍ର ବିଶ୍ୱର ହୃଦୟଟିକୁ ମଧ୍ୟ ଦେଖିପାରୁଥିଲେ । ହୃଦୟ ଥିବା ସନ୍ଥ ନିଜ ଭଗବାନଙ୍କୁ ଠିକ୍ ତାହାରି ପରି ଦୁର୍ବଳ ଅର୍ଥାତ୍ ଅନୁରାଗମୟ ବୋଲି ଭାବପକାଏ କି କ’ଣ କେଜାଣି, ଭଗବାନଙ୍କୁ ଅବଶ୍ୟ ଏହି ପୃଥିବୀଯାଏ ଟାଣି ଆଣିପାରିବ ବୋଲି ସିଏ ସତକୁ ସତ କେଡ଼େ ସାହସର ସହିତ ବିଚାର କରୁଥାଏ । ସନ୍ଥ ଏକାବେଳେକେ ମାଟିକୁ, ଭୂଇଁକୁ ଛୁଇଁକରି ରହିଥାଏ, ତେଣୁ ତା’ର ଭଗବାନ, ଧର୍ମ ଏବଂ ଦର୍ଶନ ମଧ୍ୟ କେଡ଼େ ସ୍ଵାଭାବିକ ଭାବରେ କୌଣସି ବୃକ୍ଷର ଡାଳ ପରି ମାଟିରେ ଆସି ଲାଗିଯାଆନ୍ତି ।

 

ଅସଲ ସତ୍ୟ ଠିକ୍ ଏହିପରି ଭାବରେ ଏକାବେଳେକେ ମାଟିରେ ଆସି ଲାଗିଯାଏ । ଜୀବନକୁ ଛୁଏଁ ଏବଂ ଜୀବନକୁ ବଦଳାଏ । ପୁରୁଣା ବ୍ୟବସ୍ଥା ଜାଗାରେ ନୂଆ ବ୍ୟବସ୍ଥାଟିଏ ସୃଷ୍ଟି କରିବା ପାଇଁ ଆହ୍ଵାନ ଦିଏ । ପୁରାତନ ବେଭାରଗୁଡ଼ିକର ସ୍ଥାନରେ ନୂତନ ବେଭାରଗୁଡ଼ିକର ପ୍ରବର୍ତ୍ତନ କରାଇବାକୁ ଇଚ୍ଛା କରୁଥାଏ I ଅସଲ ସତ୍ୟସ୍ଥ ଏବଂ ଧର୍ମସ୍ଥ ମନୁଷ୍ୟ ବଦଳାଇବାର ଏହି ସମଗ୍ର ପ୍ରକ୍ରିୟାଟି ପାଇଁ ନିଜକୁ ସମର୍ପିତ କରେ, ଅଧିକରୁ ଅଧିକ କାମରେ ଲାଗିପାରିବ ବୋଲି ପ୍ରୟାସ କରୁଥାଏ ଓ ଯୋଗ୍ୟ ହେଉଥାଏ । ନିଜକୁ ସିଏ ଭଗବାନଙ୍କର ଏକ ଯନ୍ତ୍ର ରୂପେ ଅନୁଭବ କରେ । ସନ୍ଥମାନେ ଏହିଭଳି ସତ୍ୟର, ଧର୍ମର, ନ୍ୟାୟପ୍ରତିଷ୍ଠାର ଯନ୍ତ୍ର ହୋଇପାରିବା ଲାଗି ସାଧନା କରି ଆସିଛନ୍ତି ଏବଂ ଜଗତ୍‌ବାସୀ ମଣିଷମାନଙ୍କୁ ମଧ୍ୟ ସେହିଭଳି ଉଦ୍‌ବୋଧନ ଦେଇଛନ୍ତି । “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”–ଭୀମ ଭୋଇଙ୍କର ଏହି ପ୍ରସିଦ୍ଧ ଉକ୍ତିଟି ପଶ୍ଚାତରେ ଠିକ୍‌ ସେହିଭଳି ଏକ ଆବେଦନ ରହିଛି । ନର୍କେ ପଡ଼ିଥାଉର ଅର୍ଥ କାମରେ ଲାଗୁ । ଜଗତର ଉଦ୍ଧାରରେ କାମରେ ଲାଗୁ, ଏକ ଯନ୍ତ୍ର ହୋଇ ବ୍ୟବହୃତ ହେଉ । ଉଦାସୀ ମଣିଷ କଦାପି ଯନ୍ତ୍ର ହେବାକୁ ଇଚ୍ଛା କରେ ନାହିଁ । ସିଏ ନିଜର ମୋକ୍ଷ ଇଚ୍ଛା କରୁଥାଏ । ସଂସାର ଓ ଜଗତ ଏଇଠି ଏପରି କଲବଲ ଭିତରେ ପଡ଼ିଥାଉ ପଛକେ ମୋ’ ମୋକ୍ଷଟା ଆଗ ମୋତେ ମିଳିଯାଉ ବୋଲି ସିଏ କେଡ଼େ ଉତ୍ସାହିତ ଭାବରେ କହୁଥାଏ । ହଲଚଲ କିଛି ହୁଏ ନାହିଁ । ସନ୍ଥ ଭୀମ ଭୋଇ ଏଭଳି ଏକ ଭବିଷ୍ୟ ସଂସାର ବ୍ୟବସ୍ଥାର ସ୍ଵପ୍ନ ଦେଖୁଛନ୍ତି, ଯେତେବେଳେ କି ସ୍ଵୟଂ ଅନାଦି ଅର୍ଥାତ୍ ପରମ ସତ୍ୟ ହିଁ ଏହି ପୃଥିବୀରେ ରାଜା ହେବେ । ବର୍ତ୍ତମାନ ପୃଥିବୀରେ ତ ଅମେ ପ୍ରତ୍ୟେକେ ଗୋଟାଏ ଗୋଟାଏ ରାଜା ହେବୁ ବୋଲି ନିୟତ ଶ୍ରମ କରିବାରେ ଲାଗିଛୁ । ପୃଥିବୀର ସିଂହାସନଟି ଆମକୁ ଏଡ଼େ ସାନ ଏବଂ ଅଳପ ହୋଇ ଦେଖାଯାଉଛି ଯେ, ଆମେ ଭାବୁଛୁ, ସେଠାରେ ମାତ୍ର ଜଣେ ମଣିଷପାଇଁ ହିଁ ଥାନ ହେବ, ଆଉ କାହାରିପାଇଁ ଥାନ ହେବ ନାହିଁ । ଏହି ଫିକରରେ ପଡ଼ି ଆମେ ନିଜର ନେତ ନିଜେ ଉଡ଼ାଉଛୁ, ଭଗବାନଙ୍କ ପାଖରେ କେବଳ ନିଜ କଥାଟାକୁ ହିଁ କହିବାକୁ ଦଉଡ଼ିଛୁ । ସନ୍ଥର ଆଚାର ଏକାବେଳେକେ ଅଲଗା । ସନ୍ଥ ଆମପରି ମୋଟେ ଭୀରୁ ନୁହେଁ ।

 

ଭୀମ ଭୋଇଙ୍କର ରଚନାରେଏମୁଣ୍ଡରୁ ସେ ମୁଣ୍ଡଯାଏ କେବଳ ସାହସ ହିଁ ସାହସ । ଭଗବାନଙ୍କୁ ଛୁଇଁ ପାରିଥିବା ମଣିଷ ସାହସୀ ବ୍ୟତୀତ ଆଦୌ ଆଉ କିଛି ହେଲେ ହୋଇପାରିବ ନାହିଁ । ସଂସାରରୁ ଉଞ୍ଚ ଖଣ୍ଡାଗୁଡ଼ାକ ତାହାରି ଆଡ଼କୁ ଅନାଇ ତମ ତମ ହେଉଥିଲେ ମଧ୍ୟ ସିଏ କଦାପି ଭୀରୁ ହେବ ନାହିଁ । ଯଥାର୍ଥ ଭଗବତ୍ ବିଶ୍ୱାସ ହିଁ ଜଣେ ମଣିଷକୁ ସାହସୀ କରାଇଥାଏ । ଏକାବେଳେକେ ନମ୍ର ଓ ସାହସୀ କରି ରଖିଥାଏ । ଅମେ କୋଉ ରଜାର ପ୍ରଜା ନୋହୁଁ କିମ୍ବା କୋଉ ସାହୁର ଖାତକ ନୋହୁଁ ବୋଲି ଭୀମ ଭୋଇ କେଡ଼େ ସାହସର ସହିତ କହିପାରିଛନ୍ତି । ସେକାଳରେ ତାଙ୍କ ରାଜ୍ୟର ରାଜା ତାଙ୍କ ଉପରେ ପରାକ୍ରମ ଦେଖାଇ କେତେ କେତେ ଦୁର୍ବୁଦ୍ଧି କରିଛନ୍ତି । ମାତ୍ର ଭୀମ ଭୋଇ କଦାପି ସେଗୁଡ଼ାକର ବଶ ହୋଇନାହାନ୍ତି, କଦାପି ମୁଣ୍ଡ ନୁଆଁଇ ନାହାନ୍ତି । ଗୁରୁଙ୍କର ଆଦେଶ ବ୍ୟତୀତ ସିଏ ଆଦୌ ଆଉ କାହାରି ଆଦେଶ ମାନ୍ୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସନ୍ଥମାନେ କାଳେ କାଳେ ରାଜାମାନଙ୍କୁ ଓ ସାହୁମାନଙ୍କୁ ଏହିଭଳି କଥାମାନ କହି ଆଚମ୍ବିତ କରି ଦେଇଛନ୍ତି । ଧର୍ମ ବଶ ହୋଇ ରହିଯାଇଛି । ଶାସକମାନଙ୍କର ଚଉକୀଗୋଡ଼ରେ ବନ୍ଧା ହୋଇ କେଡ଼େ ଚକ ଚକ ଓ ସିଆଣିଆ ଦେଖାଯାଇଛି । ସେଇଥିଲାଗି ମଣିଷମାନଙ୍କର ଗୋଡ଼ରେ ପଥର ପରି ବନ୍ଧାହୋଇ ରହିଛି, ମଣିଷ ମାନଙ୍କର ଦ୍ଵାର ଖୋଲିବାରେ ଓ ସୋପାନ ଉଠିବାରେ ଅନ୍ତରାୟ ହୋଇଛି । ଭଗବାନ ଯେପରି ଏହି ସଂସାର ଭିତରୁ ନିର୍ବାସିତ ହୋଇ ରହିବେ, ସେଥିଲାଗି ବହୁ ଚକ୍ରାନ୍ତ ଓ ବହୁ ସାଲିଶ୍ କରିଛି । ଏହିଭଳି ଧର୍ମମାନେ ଯୁଗେ ଯୁଗେ ପୃଥିବୀ ଲାଗି ଅତ୍ୟନ୍ତ ଅପ୍ରାସଙ୍ଗିକ ବୋଲି ପ୍ରମାଣିତ ହୋଇଛନ୍ତି । ତାହାରି ପରିଣାମ ସ୍ଵରୂପ ଅଗ୍ନିତୁଲ୍ୟ ସତ୍ୟସନ୍ଦେଶମାନେ କାଳକ୍ରମେ ଗୋଟାଏ ଗୋଟାଏ ପିତୁଳାରେ ପରିଣତ ହୋଇ ମୁଣ୍ଡା ହୋଇ ଯାଇଛନ୍ତି । ମଣିଷମାନେ ନିଜ ପ୍ରତି, ଜଗତ ପ୍ରତି ଏବଂ ପରସ୍ପର ପ୍ରତି ବିମୁଖ ହୋଇ ରହିବାରେ ଖୁବ୍ ସାହାଯ୍ୟ କରିଛନ୍ତି । ଲକ୍ଷ୍ମୀ ଭର୍ତ୍ତିହୋଇ ରହିଥିବା ଆମର ଏହି ପୃଥିବୀରେ ଏତେ ଅଧିକ ସଂଖ୍ୟାର ମଣିଷମାନେ ଯେ ଲକ୍ଷ୍ମୀଛଡ଼ା ଓ ଅସହାୟ ହୋଇ ରହିଛନ୍ତି, ଅନ୍ୟାନ୍ୟ ଏକାଧିକ କାରଣ ମଧ୍ୟରେ ଆମ ଧର୍ମଗୁଡ଼ିକ ମଧ୍ୟ ତାହାର ଗୋଟିଏ କାରଣ ହୋଇ ରହିଛନ୍ତି । ଏବଂ ସନ୍ଥ ସର୍ବଦା ଏକ ବ୍ୟତିକ୍ରମ ହୋଇ ରହିଛି ।

 

ମହନ୍ତ ଓ ପଣ୍ଡିତମାନଙ୍କର ଧର୍ମ ସବୁବେଳେ ମଣିଷମାନଙ୍କୁ ସ୍ୱର୍ଗର ସୁଖଭୋଗ ଏବଂ ନର୍କଦଣ୍ଡର ପ୍ରଚଣ୍ଡତା ବିଷୟରେ ଯେପରି ଅତିରିକ୍ତ ଭାବରେ ବଖାଣି ବଖାଣି ସେମାନଙ୍କୁ ଏହି ସଂସାର ବିଷୟରେ ଭୀତ ଓ ଅନ୍ୟମନସ୍କ କରି ରଖିଛି, ସନ୍ଥମାନଙ୍କର ଧର୍ମ ସେହିପରି ଅତ୍ୟନ୍ତ ସାହସିକତା ସହିତ ଏହି ପୃଥିବୀକୁ ଅଧିକ ଜୀବନଯୋଗ୍ୟ ଏକ ଥାନରେ ପରିଣତ କରିବାର କଥା କହି ଉଦ୍‌ବୋଧନ ଦେଇଛି । ପ୍ରଥମ କିସମର ଧର୍ମର ଅଧୀଶମାନେ ଗାଦୀରେ ବସିଛନ୍ତି, ସମାଜରେ ନାନା ନ୍ୟସ୍ତସ୍ୱାର୍ଥ ହାତରେ ଏକ ଲଜ୍ଜାଜନକ ହତିଆର ପରି ହୋଇ ରହିଛନ୍ତି । ଅନ୍ୟ ପକ୍ଷରେ ସାରା ପୃଥିବୀର ସନ୍ଥମାନେ ଲୋକମାନଙ୍କ ପକ୍ଷରେ ରହିଛନ୍ତି, ସେମାନଙ୍କର ଉଦୟ ବିଷୟରେ କହିଛନ୍ତି । ଆମ ବର୍ତ୍ତମାନର ପୃଥିବୀ ବଦଳିବ ଏବଂ ଭଗବାନଙ୍କର ରୀତି ଦିନେ ଏହି ପୃଥିବୀର ରୀତିରେ ପରିଣତ ହେବ ବୋଲି ସେମାନେ ଆମ ସମସ୍ତେ ନିତି ବ୍ୟବହାର କରୁଥିବା ସୁବୋଧ୍ୟ ଭାଷାରେ କେତେ ଭରସା ଦେଇଛନ୍ତି । ଭଗବାନ ଯେ ଆଦୌ ଅନ୍ୟାୟକୁ ସହିପାରନ୍ତି ନାହିଁ, ହିନ୍ଦୁଧର୍ମର ଅବତାରବାଦରୁ ମଧ୍ୟ ଆମକୁ ତାହାର ଏକ ସୂଚନା ଅବଶ୍ୟ ମିଳିଯାଉଛି । ଅର୍ଥାତ୍, ସତ୍ୟବିରୋଧୀ ପ୍ରକୋପଗୁଡ଼ାକ କଦାପି ପୃଥିବୀରେ ସବୁଦିନ ଲାଗି ତିଷ୍ଠିବ ନାହିଁ, ଏହାର ପ୍ରତିବାଦ ହେବ, ଭାରା କ୍ରମେ ଅସହ୍ୟ ହେଲେ ବ୍ୟବସ୍ଥାଟି ଯେ ଶେଷକୁ ଅବଶ୍ୟ ଭାଙ୍ଗିଯିବ ବା ବଦଳିଯିବ, ମନୁଷ୍ୟର ଏହି ଅନ୍ତର୍ବିଶ୍ଵାସଟି ସମ୍ଭବତଃ ଅବତାରବାଦର ମାଧ୍ୟମରେ ଆପଣାକୁ ବ୍ୟକ୍ତ କରିବାକୁ ଚେଷ୍ଟା କରିଛି । ସବାଶେଷ କଥା ହେଉଛି ଯେ, ପୃଥିବୀ ଧର୍ମରେ ଚାଲିବ, ନ୍ୟାୟରେ ଚାଲିବ, ପରସ୍ପରିକତାରେ ଚାଲିବ, –ଏଇଟି ହେଉଛି ମୂଳ ବିଶ୍ଵାସ, ପୃଥିବୀରେ ଆମେ ନାନାବିଧ କଳ୍ପନା ତଥା ଉଦ୍ୟମର ମାଧ୍ୟମରେ ସାକାର କରି ଆଣିବାକୁ ଇଚ୍ଛା କରୁଥିବା ସାମୂହିକ ଜୀବନବ୍ୟବସ୍ଥାର ସର୍ବମୂଳ ପ୍ରତିଷ୍ଠା । କଂସ ଓ ରାବଣମାନେ ଆସିବେ, ଯିବେ, ହିରଣାକ୍ଷମାନେ କେତେ ଉପଦ୍ରବ କରିବେ, ତଥାପି ସେମାନଙ୍କର ସକଳ ଉପଦ୍ରବର ଅନ୍ତ ଘଟାଇ ଭଗବାନ ଅବଶ୍ୟ ଅବତୀର୍ଣ୍ଣ ହେବେ ଏବଂ ଧରଣୀର ପ୍ରାର୍ଥନାକୁ ପୂର୍ଣ୍ଣ କରିବେ, ଯୁଗେ ଯୁଗେ ମଣିଷମାନଙ୍କୁ ଏହି ଧର୍ମୀୟ ଭରସାଟି ମଧ୍ୟ କମ୍ ଶକ୍ତି ଦେଇନାହିଁ । ମଣିଷ ଯେ ତଥାପି ବଞ୍ଚି ରହିଛି, ତଥାପି ସାହସ କରୁଛି ଓ ତଥାପି ସ୍ୱପ୍ନ ଦେଖୁଛି – ଉକ୍ତ ମୂଳ ବିଶ୍ୱାସଟିକୁ ହୁଏତ ଆମେ ଏହାର ଏକ ଶକ୍ତିଶାଳୀ କାରଣ ବୋଲି କହିପାରିବା । ଖ୍ରୀଷ୍ଟିଆନ୍ ଧର୍ମର ମୂଳ ପ୍ରାର୍ଥନାଟିରେ ମଧ୍ୟ ସେହିପରି ଏକ ଆଶାଦୀପ୍ତ ଆବେଦନ ଅତ୍ୟନ୍ତ ସ୍ପଷ୍ଟ ହୋଇ ରହିଛି । “ହେ ପରମେଶ୍ଵର ସ୍ଵର୍ଗରାଜ୍ୟରେ ଯେପରି ଆପଣଙ୍କର ରାଜ୍ୟ ପ୍ରତିଷ୍ଠିତ ହୋଇଛି, ତାହା ଏହି ମର୍ତ୍ତ୍ୟଧାମରେ ମଧ୍ୟ ପ୍ରତିଷ୍ଠିତ ହେଉ” ବୋଲି ପ୍ରାର୍ଥନାଟିରେ କୁହାଯାଇଛି । ପୃଥିବୀକୁ ଆସିବା ନିମନ୍ତେ ଭଗବାନଙ୍କର ରାଜ୍ୟକୁ ଆବାହନ କରାଯାଇଛି । ଅବଶ୍ୟ ପରମେଶ୍ଵର ସ୍ଵୟଂ ମର୍ତ୍ତ୍ୟଭୁବନକୁ ଓହ୍ଲାଇ ଆସନ୍ତୁ ବୋଲି କେଉଁଠି ହେଲେ କୁହାଯାଇନାହିଁ । ଖ୍ରୀଷ୍ଟିଆନ୍ ଏବଂ ଇସ୍‌ଲାମ୍ ଧର୍ମରେ ପ୍ରଫେଟ୍ ଓ ନବୀମାନଙ୍କର କଥା କୁହାଯାଇଛି । ଭଗବାନ୍ ଅବଶ୍ୟ ସ୍ଥାୟୀ ଭାବରେ ପୃଥିବୀ ବାହାରେ ସେହି ସ୍ଵର୍ଗରାଜ୍ୟରେ ହିଁ ଅବସ୍ଥାନ କରୁଛନ୍ତି ସତ, ମାତ୍ର ଏହି ପୃଥିବୀର ମଧ୍ୟ ସେ ଶାସକ ଏବଂ ସର୍ବକର୍ତ୍ତା ହୋଇଥିବାରୁ ସେ ଏଠାକାର ଆବଶ୍ୟକତା ଅନୁସାରେ ସର୍ବଦା ନିଜର ପ୍ରତିଭୂମାନଙ୍କୁ ପଠାଇଛନ୍ତି । ଖୀଷ୍ଟଧର୍ମର ସେହି ବିଚାରଟି ଅନୁସାରେ ସିଏ ଆପଣାର ଏକମାତ୍ର ସନ୍ତାନକୁ ମଧ୍ୟ ପୃଥିବୀପୃଷ୍ଠକୁ ପ୍ରେରଣ କରିଛନ୍ତି । ଏହି ପ୍ରସଙ୍ଗରେ ପରମେଶ୍ଵର ପୃଥିବୀକୁ ଅତ୍ୟନ୍ତ ଭଲ ପାଇବା ବିଷୟରେ ମଧ୍ୟ କୁହାଯାଇଛି । ପରମେଶ୍ଵର ପୃଥିବୀକୁ ଏପରି ଭଲ ପାଇଲେ ଯେ ସିଏ ତାଙ୍କର ଏକମାତ୍ର ଜନ୍ମିତ ସନ୍ତାନଙ୍କୁ ପୃଥିବୀକୁ ପଠାଇଥିଲେ ବୋଲି ବର୍ଣ୍ଣନା କରାଯାଇଛି । ଧର୍ମଶାସ୍ତ୍ର ବାଇବେଲ୍‍କୁ ମଧ୍ୟ ମଣିଷ ଲେଖିଛି । ସେଥିରେ ପରମେଶ୍ଵର ପୃଥିବୀକୁ ଭଲ ପାଇବା କଥା କୁହାଯାଇଛି, ସେଇଟି ପୃଥିବୀରେ ମଣିଷମାତ୍ରେ ସମସ୍ତଙ୍କ ପାଇଁ ପ୍ରକୃତରେ କେଡ଼େ ବଡ଼ କଥା । ଭଗବାନ ଯେତେବେଳେ ସ୍ଵୟଂ ବାହାରେ ରହିଥିଲେ ମଧ୍ୟ ଏବଂ ପୃଥିବୀରେ ମଝିରେ ମଝିରେ ଅତ୍ୟନ୍ତ ଅଭାବନୀୟ ଭାବରେ ଦୁଷ୍ଟ ପରିସ୍ଥିତିମାନ ଘଟୁଥିଲେ ମଧ୍ୟ ପରମେଶ୍ଵର ତଥାପି ପୃଥିବୀକୁ ଏତେ ଭଲ ପାଉଛନ୍ତି, ସେତେବେଳେ ଏଠି ମଣିଷମାନେ ବେଳେବେଳେ ପୃଥିବୀ ବିଷୟରେ ଏପରି ହତସ୍ପୃହ ଏବଂ ଉଦାସୀନ ହୋଇପାରୁଛନ୍ତି କିପରି ? ମଣିଷମାନେ ତ ଏହି ପୃଥିବୀରେ ହିଁ ବାସ କରୁଛନ୍ତି । ପୃଥିବୀ ସେମାନଙ୍କୁ ଆପଣାର ଘର ପରି ଲାଗୁଥାନ୍ତା । ଏହି ଘରଟିକୁ ଅଧିକରୁ ଅଧିକ ସୁନ୍ଦର କରି ଗଢ଼ିବାରେ ସେମାନେ ସର୍ବଦା ଚେଷ୍ଟିତ ହୋଇ ରହିଥାନ୍ତେ । ସେମାନଙ୍କର ସର୍ବମୂଳ ମମତା ଏହି ଘରଟି ପ୍ରତି ରହିଥାନ୍ତା । ତଥାପି ତା’ ବଦଳରେ ସେମାନେ ଏହି ପୃଥିବୀକୁ ଏକ ଭଙ୍ଗାଘର ବୋଲି କହି ଏଠାରେ ନିଜକୁ ମାତ୍ର ଦି’ଦିନର କୁଣିଆ ବୋଲି କାହିଁକି ବର୍ଣ୍ଣନା କରିଛନ୍ତି ? ଏହି ପୃଥବୀରୁ ଭଗବାନ ସେମାନଙ୍କୁ ଯଥାସମ୍ଭବ ଅଧିକ ଶୀଘ୍ର ନେଇଯିବାଲାଗି ସେମାନେ ତାଙ୍କୁ କାହିଁକି ପ୍ରାର୍ଥନା କରିଛନ୍ତି ? ଏହା ଭିତରେ କେଉଁଠି କୌଣସି ବିଡ଼ମ୍ବନା ରହି ଯାଇଥିବା ପରି ଲାଗେ । ହୁଏତ ମଣିଷର ଭଗବଦ୍ ଭାବନାରେ କୌଣସି ସ୍ଥାନରେ କୌଣସି ବିକୃତି ରହିଯାଇଛି ବୋଲି ସିଏ ପୃଥିବୀକୁ ଏପରି ଏକ ବିଭ୍ରାନ୍ତିକର ଆଖିରେ ଦେଖୁଛି ଅଥବା ତା’ର ପୃଥ୍ଵୀଭାବନାରେ କୌଣସି ସ୍ଥାନରେ ବିକୃତି ରହିଯାଇଥିବାରୁ ହିଁ ସିଏ ଭଗବାନଙ୍କୁ ଏପରି ଏକ ବିଭ୍ରାନ୍ତି କର ଆଖିରେ ଦେଖୁଛି, ତାହାର ରହସ୍ୟଟିକୁ ଜାଣିବାପାଇଁ ଇଚ୍ଛା ହୁଏ । ବିଚରା ଅନେକ ମଣିଷ ସମ୍ଭବତଃ ଏହି କାରଣରୁ ହିଁ ପୃଥିବୀ ଓ ଭଗବାନ ଉଭୟ ସୋପାନରେ ହିଁ ଅତ୍ୟନ୍ତ ବଞ୍ଚିତ ଓ ପ୍ରତ୍ୟାଖ୍ୟାତ ହୋଇ ରହିଯାଇଥାନ୍ତି । ସେମାନଙ୍କର ପାଣ୍ଡିତ୍ୟ ହୁଏତ କ’ଣ ସବୁ କାରଣ ପାଇଁ ଏହି କ୍ଷେତ୍ରରେ ସେମାନଙ୍କର ଦାରିଦ୍ର୍ୟଗୁଡ଼ିକୁ ବଢ଼ାଇବାରେ ହିଁ ସହାୟକ ହୋଇଥାଏ । ଭଗବାନଙ୍କୁ ଭଲ ପାଇଲେ ସିଏ ଭଲ ପାଉଥିବା ଏହି ପୃଥିବୀଟିକୁ ମଧ୍ୟ ଆମେ ଯେ ଅତ୍ୟନ୍ତ ସହଜରେ ଭଲ ପାଉଥାନ୍ତେ, ସେହି କଥାଟି ଆମ ବିବେକର ଥାନରେ ଆମକୁ ଅଙ୍କୁଶ ମାରିବାରେ ଲାଗିଥାଏ ।

 

ଭଗବାନମାନଙ୍କୁ ଏହି ମଣିଷ ହିଁ ସୃଷ୍ଟି କରିଛି, ସେମାନଙ୍କୁ ନିଜର ସ୍ଵପ୍ନ ତଥା ଆସ୍ପୃହା ନାମକ ଅଟ୍ଟାଳିକାଗୁଡ଼ିକରେ ଉପରେ ଏବଂ ଆହୁରି ଉପରେ ନେଇ ବସାଇବାକୁ ଇଚ୍ଛା କରିଛି । ନିଜର କୌଣସି ପ୍ରୟୋଜନ ଦ୍ଵାରା ପ୍ରେରିତ ହୋଇ ସିଏ ସେମାନେ ସେଇଠି ଅଛନ୍ତି ବୋଲି କହିଛି,–ମାତ୍ର ସେମାନଙ୍କୁ ଏଠାରେ ନାନାବିଧ ଭବ୍ୟ ପ୍ରକାରେ ଥାପନା କରି ରଖିଛି । ଏହିପରି ଥାପନା କରି କରି ସିଏ ହୁଏତ କିଞ୍ଚିତ୍ କ୍ଲାନ୍ତ ବି ହୋଇ ପଡ଼ିଛି ଏବଂ ନାନା ଭିତରେ ଏକଙ୍କୁ ଦେଖିଛି-। ଈଶ୍ଵରମାନଙ୍କ ଭିତରେ ପରମେଶ୍ଵରଙ୍କୁ ସତେଅବା ସ୍ଵତନ୍ତ୍ର ଭାବରେ ଆବିଷ୍କାର କରିଛି । Godhead ମାନଙ୍କ ଭିତରେ Godକୁ ଆବିଷ୍କାର କରିଛି । ଧର୍ମଗୁଡ଼ିକର ଉଦ୍‍ଭବ ହୋଇ ପୃଥିବୀର ବିଭିନ୍ନ ସ୍ଥାନରେ ବିଭିନ୍ନ ଯୁଗରେସେହି ପରମେଶ୍ୱରଙ୍କର ଭିନ୍ନ ଭିନ୍ନ ଭିଆଣ କରିଛି, ବହୁବିଧ ସ୍ଥାନୀୟତାରେ ତାଙ୍କୁ ନାନା ରମ୍ୟତାରେ ସଜାଇ ମଣ୍ଡାଇ ଦେଇଛି । ସେତେବେଳେ ପୃଥିବୀ ଭାରି ଛୋଟ ଓ ସ୍ଥାନୀୟ ହୋଇ ରହିଥିବାରୁ ସିଏ ତାଙ୍କୁ ସବାବଡ଼ ବୋଲି ଘୋଷଣା କରିଛି-। ସିଏ ମୋ'ର ବା ଆମର, ତେଣୁ ସବାବଡ଼ । ଏପରି ଏକ ମୋହଭାବନା ମଧ୍ୟ ତାକୁ ବେଳେ ବେଳେ କମ୍ ଭଲ ଲାଗିନାହିଁ । ସେହି ମୋହଭାବନାରୁ ସମ୍ପ୍ରଦାୟମାନେ ଜନ୍ମଲାଭ କରିଛନ୍ତି । ପ୍ରତ୍ୟେକ ସମ୍ପ୍ରଦାୟକୁ କେତେକ ବିଶେଷ ନାମ ଓ ବିଶେଷ ରୂପର ଆଶ୍ରୟ ନେବାକୁ ପଡ଼ିଛି । ସେହି ବିଶେଷ ନାମ ଓ ରୂପର ପ୍ରଶସ୍ତି କରୁ କରୁ ଧର୍ମପଣ୍ଡିତମାନେ ତତ୍ତ୍ଵ ବାହାରେ କରିଛନ୍ତି, ମୁଗ୍ଧମାନେ ଧର୍ମପୁରାଣ ଲେଖିଛନ୍ତି ଏବଂ ପ୍ରଚାରକମାନେ ଧର୍ମପୁସ୍ତକଟିକୁ ଆପଣାର ମୁଖ୍ୟ ସରଞ୍ଜାମ ରୂପେ ବ୍ୟବହାର କରିଛନ୍ତି । ବୃହତ୍ତର ପୃଥିବୀ ଭିତରକୁ ବାଟ ଫିଟିବା ସଙ୍ଗେ ସଙ୍ଗେ ପ୍ରଚାରକମାନଙ୍କୁ ତାହା ସତେଅବା ନିଜର ଜମିଦାରୀ ପରି ମନେହୋଇଛି । ରାଜ୍ୟ ଜୟ କରି ବାହାରୁଥିବା ରାଜାମାନଙ୍କର ଅର୍ଥାତ୍ କ୍ଷମତାର ଆଶ୍ରୟ ନେଇ ସେମାନେ ଧର୍ମର ପ୍ରସାର କରିବାକୁ ବାହାରି ପଡ଼ିଛନ୍ତି । ଏଥିପାଇଁ ଅବସର ବିଶେଷରେ ଖଣ୍ଡା ଓ ବନ୍ଧୁକର ବ୍ୟବହାର କରାଯାଇଛି । ନିତାନ୍ତ ଯୁଦ୍ଧଗୁଡ଼ାକୁ ପ୍ରେମରେ ଧର୍ମଯୁଦ୍ଧ ବୋଲି କୁହାଯାଇଛି ଏବଂ ସମ୍ଭବତଃ ସବୁଠାରୁ ବଡ଼ କୌତୁକର କଥା ହେଉଛି ଯେ, ଏହି ସମସ୍ତ ପ୍ରଚାରକମାନେ ଅସ୍ତ୍ରଶସ୍ତ୍ରର ଉଢ଼ୁଆଳରେ ନିଜ ଧର୍ମର ପ୍ରଚାର କଲାବେଳେ ପ୍ରକୃତରେ ଭଗବାନଙ୍କର କାର୍ଯ୍ୟ କରୁଛନ୍ତି ବୋଲି ନିଷ୍ଠାର ସହିତ ବିଶ୍ୱାସ ମଧ୍ୟ କରିଛନ୍ତି । ସେହି ବିଶ୍ଵାସ ସେମାନଙ୍କୁ ଆହୁରି ଅଧିକ ଅନମନୀୟ କରିପକାଇଛି ।

 

ସତକୁ ସତ ଜଣେ ଭଗବତ୍ ବିଶ୍ଵାସୀ ଏବଂ ଭଗବତ୍-ପ୍ରେରିତ ମଣିଷ କେବଳ ନମନୀୟ ହିଁ ହୋଇପାରେ । ତା' ଭିତରେ କେବଳ ସ୍ନେହଗୁଣର ହିଁ ବିକାଶ ହୋଇପାରେ । ଧର୍ମ ଓ ଠାକୁରମାନଙ୍କର ନାମରେ ଯୁଗେ ଯୁଗେ ଯେଉଁ ସ୍ଵତନ୍ତ୍ର ମଣିଷମାନେ ଅତିମାତ୍ରାରେ ଅନମନୀୟ ହେବାର ଦୁର୍ଦ୍ଦାନ୍ତ ଦୃଷ୍ଟାନ୍ତମାନ ଦେଖାଇ ଆସିଛନ୍ତି, ସେମାନେ କ'ଣ କୌଣସି ସ୍ଵତନ୍ତ୍ର ଅନ୍ୟଧାତୁରେ ଗଢ଼ା ହୋଇ ଏହି ପୃଥିବୀକୁ ଆସିଥବଲେ କି ? ଅଥବା ଏହି ପୃଥିବୀରେ ହିଁ ସେମାନଙ୍କୁ ଏହିପରି କିଛି ଅନୁକୂଳ ଉପାଦାନମାନ ମିଳିଲା, ଯାହା ଫଳରେ କି ସେମାନେ ଏଡ଼େ ଅସହନୀୟ ଭାବରେ ଦୁର୍ଦ୍ଦାନ୍ତ ହୋଇପାରିଲେ ? ସେହି ସ୍ଵତନ୍ତ୍ର କାଟର ମନୁଷ୍ୟମାନେ ଏବେ ମଧ୍ୟ ପୃଥିବୀରେ ଅଛନ୍ତି । ଖାଲି ତଥାକଥିତ ଧର୍ମର କ୍ଷେତ୍ରରେ ନୁହେଁ, ଏକାଧିକ କ୍ଷେତ୍ରରେ ରହିଛନ୍ତି । ପୃଥିବୀରେ ବହୁ ସଦ୍ୟ ଦାନବୀୟତାର କାରଣ ହେଉଛନ୍ତି । ଭଗବାନ ଯଦି ପ୍ରକୃତରେ କେଉଁଠାରେ ଥିବେ, ତେବେ ଏହି ପୃଥିବୀରେ ତାଙ୍କରି ମହିମାର ଦୁରାଗ୍ରହୀ ପ୍ରତିଷ୍ଠା ନିମନ୍ତେ ଏହି ସ୍ଵତନ୍ତ୍ର ମନୁଷ୍ୟମୂର୍ତ୍ତିମାନଙ୍କର ଆଚରଣ ଦେଖି ତାଙ୍କ ଭିତରେ କିପରି ପ୍ରତିକ୍ରିୟା ହୋଇଥିବ କେଜାଣି ? ଜଣେ ମଣିଷ ତା’ ଭଗବାନଙ୍କୁ ଦୁର୍ଦ୍ଦାନ୍ତ ବୋଲି ଗ୍ରହଣ ନକଲେ କଦାପି ତାଙ୍କ ପାଇଁ ଏପରି ଦୁର୍ଦ୍ଦାନ୍ତ ହୋଇପାରିବ ନାହିଁ । ପୁଣି, ଏବର ପୃଥିବୀରେ ଏପରି ସ୍ଵତନ୍ତ୍ର ମଣିଷମାନେ ମଧ୍ୟ ରହିଛନ୍ତି, ଯେଉଁମାନେ ସ୍ଵୟଂ କୌଣସି ରାଷ୍ଟ୍ରର ମାଲିକ ହୋଇ ବସିଥିବାରୁ ନିଜର ଧର୍ମଟାକୁ ମଧ୍ୟ ରାଷ୍ଟ୍ରର ଧର୍ମ ବୋଲି ଘୋଷଣା କରିପାରୁଛନ୍ତି । ଆପଣାକୁ ରାଷ୍ଟ୍ର ନାମକ ଅରଣ୍ୟରେ ସତେଅବା ପଶୁରାଜ ବୋଲି ମାନିନେଇ ଯେଉଁ ନିର୍ବୋଧ ଅନ୍ୟ ପଶୁମାନେ ଅନ୍ୟ କୌଣସି ଧର୍ମ ଭିତରେ ଥିବାରୁ ଅନ୍ୟ ବିଧି ମାନୁଛନ୍ତି ଅଥବା ଅନ୍ୟପ୍ରକାରେ ଉପାସନା କରୁଛନ୍ତି, ସେମାନଙ୍କୁ ରାଷ୍ଟ୍ରର ଦ୍ଵାହି ଦେଇ ନାନା ଅତ୍ୟାଚାର ଏବଂ ଅବିଚାର ସହ୍ୟ କରିବା ଲାଗି ବାଧ୍ୟ କରୁଛନ୍ତି । ଆମ ଆଧୁନିକ ପୃଥିବୀରେ ଏହିଭଳି ଅନେକ ଅନେକ ଆଦିମତା ବଳବତ୍ତର ରହିଛି । ଧର୍ମ ନାମରେ ଯେପରି ରହିଛି, ରାଷ୍ଟ୍ରର ନାମରେ ମଧ୍ୟ ଠିକ୍‌ ସେହିପରି ରହିଛି । ଉପରେ ବୁଝିବା ଲାଗି କୌଣସି ଠାକୁର ରହିଥିଲେ ମଣିଷମାନଙ୍କୁ କ'ଣ ବାଟକୁ ଆଣିବାକୁ ଇଚ୍ଛା କରୁ ନଥାନ୍ତେ ? ମାତ୍ର, ମଣିଷ ହିଁ ଭଗବାନମାନଙ୍କୁ ତିଆରି କରିଛି ଏବଂ ନିଜର ମତଲବଗୁଡ଼ିକ ଅନୁସାରେ ସେମାନଙ୍କୁ ନିଜ କାମରେ ଲଗାଉଛି ବୋଲି ଯଦି ଆମେ ମୂଳରୁ ହିଁ ସ୍ଵୀକାର କରିନିଅନ୍ତେ ତେବେ ହୁଏତ ଏସବୁ ଅସମାହିତ ପ୍ରଶ୍ନଗୁଡ଼ିକ ମଧ୍ୟରେ ଆଉ ବିଶେଷ ଧନ୍ଦି ହେବାକୁ ପଡ଼ନ୍ତା ନାହିଁ ।

 

ସବୁ ଈଶ୍ଵରଙ୍କ ଉପରେ ଜଣେ ପରମେଶ୍ୱର, ସିଏ ହେଉଛନ୍ତି ଏକ, ଅଦ୍ୱିତୀୟ । ସିଏ ଏହି ଚତୁର୍ଦ୍ଦଶ ଭୁବନଯାକ ପୂର୍ଣ୍ଣ କରି ରହିଛନ୍ତି । ଉପନିଷଦର ଭାଷାରେ କହିଲେ ସିଏ ଏହି ଆକାଶକୁ ପୂର୍ଣ୍ଣକରି ରଖିଛନ୍ତି । ତାଙ୍କୁ କଳ୍ପନା ଭିତରକୁ ଆଣି ତୁମେ ଇଚ୍ଛାକଲେ ତାଙ୍କର ସହସ୍ରରୂପ ଫାନ୍ଦି ଥୋଇ ଦେଇପାର ବା ଆହୁରି କେତେ ସହସ୍ର ନାମ ଦେଇ ତାଙ୍କୁ ଜଟିଳ କରି ରଖିପାର । ତାଙ୍କୁ ତୁମେ ମୋର ବା ଆମର ବୋଲି କହିପାର ଏବଂ ଏହିପରି କହି ଅକାତ ଗର୍ବ ଅନୁଭବ କରିପାର । ସେଥିରେ କିଛି ଅସୁବିଧା ନାହିଁ । ଏହିପରି ତାଙ୍କୁ ସବୁଠାରେ ଅନୁଭବ କରୁ କରୁ ମଣିଷ ଯେତେବେଳେ ବ୍ରହ୍ମାଣ୍ଡ ଯାକ ବୁଲି ଅତ୍ୟନ୍ତ ପୁଲକିତ ଭାବରେ ନିଜ ଘରକୁ ଅର୍ଥାତ୍ ନିଜ ପାଖକୁ ଫେରି ଆସିଥିବ, ସିଏ ନିଜ ଭିତରେ ମଧ୍ୟ ତାଙ୍କୁ ଅନୁଭବ କରିଥିବ । ସିଏ ବିଶ୍ୱ ଭିତରେ ରହିଛନ୍ତି, ତେଣୁ ମୋ’ ଭିତରେ ରହିଛନ୍ତି; ପୁନଶ୍ଚ, ବିଶ୍ୱଯାକ ଭରି ରହିଥିଲେ ମଧ୍ୟ ମୋ’ ଭିତରେ ଅବଶ୍ୟ ଅଛନ୍ତି–ଦୁଇଟି ଯାକ ସେଇ ଗୋଟିଏ କଥା । ନିଜ ଭିତରେ ମୁଁ ତାଙ୍କୁ କେଉଁଠାରେ ଦେଖିବି, କେଉଁ ରୂପରେ ଦେଖିବି ? ଏହି ପ୍ରଶ୍ନଗୁଡ଼ିକ ପଚାରି ପଚାରି ମଣିଷ ସମ୍ଭବତଃ ନିଜ ଭିତରକୁ ଏକାବେଳେକେ କେତେ ପାହାଚ ଉଠି ଚାଲିଯାଇଥିବ । ତାଙ୍କୁ ଆପଣାର ଚେତନା ଭିତରେ ଅନୁଭବ କରୁ କରୁ ଆପଣାର ସଂକଳ୍ପ ଭିତରେ ମଧ୍ୟ ଅନୁଭବ କରିଥିବା ବ୍ୟକ୍ତି ସଂକଳ୍ପର ଭୂମିରୁ ବିଶ୍ଵସଂକଳ୍ପ ଯାଏ ପହଁରି ଯାଇ ପାରିଥିବ । ସେତିକି କ'ଣ କମ୍ ଅନୁଭୂତି, ସେତିକି କ’ଣ କମ୍ ଉଚ୍ଚତା ? ଜଣେ ମଣିଷ ଏହିପରି ଭାବରେ ନିଜର ଯେତେ ଉଚ୍ଚତାରେ ଯାଇ ପହଞ୍ଚି ପାରିବ, ତା’ର ଭଗବାନ୍ ମଧ୍ୟ ତାଙ୍କୁ ସେତିକି ଉଚ୍ଚ ବୋଲି ଦୃଶ୍ୟ ଓ ଅନୁଭୂତ ହେବେ । ନିଜର ଉଚ୍ଚତାଗୁଡ଼ିକୁ ଭେଦୁ ଭେଦୁ ଭଗବାନଙ୍କୁ ସର୍ବୋଚ୍ଚ ବୋଲି ଆବିଷ୍କାର କରିବା ଏବଂ ଭଗବାନଙ୍କୁ ସର୍ବୋଚ୍ଚ ବୋଲି ଜାଣି ନିଜ ଘରଟି ଭିତରକୁ ଫେରିଆସି, ଆପଣାର ଉଚ୍ଚତା ଗୁଡ଼ିକୁ ଆବିଷ୍କାର କରିବା–ଅଧ୍ୟାତ୍ମର ଭୂମିରେ ଏହି ଦୁଇଟିଯାକ ଘଟଣା ପ୍ରକୃତରେ ଗୋଟିଏ ଘଟଣା । ତେଣୁ କୋଉଟି ଆଗ ଓ କୋଉଟି ପଛ, ସେକଥା କିଏ କହିବ ?

 

ଏବଂ, ତୁମେ ଯଦି ନିଜର ଘରଟିକୁ କିଳି ନରଖିବ, ତାଙ୍କରି ଉଚ୍ଚତାଯାଏ ପାହାଚ ଉଠିଯାଇପାରିବ ଏବଂ ତାଙ୍କରି ବ୍ୟାପ୍ତିଯାଏ ଆପଣାକୁ ବ୍ୟାପ୍ତ କରିଦେଇପାରିବ, ତା'ପରେ ତୁମକୁ ଆଉ କୋଉ ଧର୍ମର ବୋଲି କୁହାଯିବ ? ତେଣୁ, ସନ୍ଥମାନଙ୍କର କୌଣସି ଧର୍ମ ନଥିଲା । ଆମ ସମସ୍ତଙ୍କ ପରି ସେମାନେ ଗୋଟିଏ ଘରେ ଅର୍ଥାତ୍ ଗୋଟିଏ ଧର୍ମ ଭିତରେ ଜନ୍ମଗ୍ରହଣ କରୁଥିଲେ ସତ, ମାତ୍ର କାନ୍ଧଗୁଡ଼ାକୁ ଭାଙ୍ଗି ଭାଙ୍ଗି ସେମାନେ ଯେଉଁ ଯାଏ ଯାଇ ପାରୁଥିଲେ, ସେଠାରେ ସେମାନଙ୍କୁ ଆଦୌ କୌଣସି ଭେକ ଭିତରେ, ଧର୍ମ ଭିତରେ ଅଥବା ପିତୁଳାମାନଙ୍କ ଭିତରେ ବାନ୍ଧି ରଖି ହେଉନଥିଲା । ସମ୍ଭବତଃ ସେମାନେ ନିଜକୁ ଆଦୌ କୌଣସି ଜାତିର ବୋଲି କହୁ ନଥିଲେ । ସେମାନେ ସମାଜରେ ପ୍ରଚଳିତ ଠାକୁରମାନଙ୍କର ନାମକୁ ବ୍ୟବହାର କରୁଥିଲେ; ମାତ୍ର ଯାବତୀୟ ଅର୍ଥରେ ସେହି ନାମଗୁଡ଼ିକର ଧର୍ମୀୟ ଅର୍ଥାତ୍ ଲୌକିକ ସୀମାଗୁଡ଼ିକୁ ଡେଇଁ ଚାଲିଯାଉଥିଲେ । ଏକଥା ସତ ଯେ, ଜଣେ ଜଣେ ସନ୍ଥଙ୍କର ତିରୋଧାନ ପରେ ପୃଥିବୀରେ ସେମାନଙ୍କର ନାମରେ ସମ୍ପ୍ରଦାୟ ଓ ମତମାନ ତିଆରି ହୋଇଛି । ମାତ୍ର ସେଗୁଡ଼ିକୁ ଅସନ୍ଥମାନେ କରିଛନ୍ତି । ପାହାଚ ଉଠିବାକୁ ଇଚ୍ଛା କରିନଥିବା ଅନ୍ୟ ଅଳପମାନେ କରିଛନ୍ତି । ସନ୍ଥର ସନ୍ଦେଶକୁ ସତେଅବା ଏକ ଧର୍ମଛାଞ୍ଚରେ ଆଣି ପକାଇ ଦେଇଛନ୍ତି । ଆମ ଦେଶରେ ବହୁତ ଥାନରେ ସେପରି ହୋଇଛି । ସନ୍ଥମାନଙ୍କର ମୂର୍ତ୍ତିଥାପନା କରି ପୂଜା କରାଯାଇଛି । ପ୍ରାୟ ଆଦୌ କୌଣସି ସଂକଳ୍ପ ନଥାଇ ଶିଷ୍ୟବର୍ଗ ବାହାରିଛନ୍ତି । ଆଚାର, ଉପଚାର ଏବଂ ଉପାସନାର ବହୁ ଭିଆଣରେ ସନ୍ଥର ସନ୍ଦେଶଗୁଡ଼ିକ ପୋତି ହୋଇ ଯାଇଛନ୍ତି ।

 

ପୃଥିବୀର ଅଧିକାଂଶ ସନ୍ଥ ଏହିପରି ଭାବରେ ଆଦୌ ପୋତି ହୋଇ ପଡ଼ିବାକୁ ଇଚ୍ଛା କରିନାହାନ୍ତି । ଜଗତର ସକଳ ପ୍ରାଣୀଙ୍କର ମଙ୍ଗଳ ଇଚ୍ଛା କରୁଥିବା ଜଣେ ଚେତନାଦୀପ୍ତ ମଣିଷ କଦାପି ପିତୁଳାଟିଏ ହୋଇ ପୂଜା ପାଇବାକୁ ମନକରିବ ନାହିଁ । ଭିତରଟାକୁ ଅସ୍ଵୀକାର କରି ଧର୍ମ ବାହାରର ଯାବତୀୟ ବିଧି ଏବଂ ରୁଟିନ୍ ଭିତରେ ମନୁଷ୍ୟମାନଙ୍କୁ ଯେତିକି ଯେତିକି ବାନ୍ଧି ପକାଇବାକୁ ମନେ କରିଥାଏ, ଅଧ୍ୟାତ୍ମର ଅସଲ ପଥିକମାନେ ମଣିଷକୁ ବାହାରର ଯାବତୀୟ ଅନ୍ୟମନସ୍କତା ଭିତରୁ ତା’ ନିଜ ଭିତରକୁ ଫେରାଇ ନେବାର ସେତିକି ଉଦ୍ୟମ କରୁଥାଏ । ବାହାରକୁ ଅନାଇଲେ ମଣିଷର ଧର୍ମଟା ପ୍ରଖର ହୋଇ ଦିଶୁଥାଏ, କିନ୍ତୁ ଭିତରକୁ ଅନାଇଲେ ମନୁଷ୍ୟ ଭିତରେ ସତ୍ୟ ହିଁ ଦେଖାଯାଏ । ଏବଂ, ଅସଲ ଅଧ୍ୟାତ୍ମ ସେହି ସତ୍ୟକୁ ବାହାରକୁ ମଧ୍ୟ ପ୍ରକଟ କରାଇ ଆଣିବା ଲାଗି ଶ୍ରଦ୍ଧା ରଖିଥାଏ । ଭାଷା ବଦଳାଇ ଏପରି ମଧ୍ୟ କୁହାଯାଇ ପାରିବ ଯେ, ଅଧ୍ୟାତ୍ମ ମଣିଷ ଭିତରେ ଭଗବାନଙ୍କୁ ଦେଖିପାରେ ଏବଂ ତାଙ୍କୁ କ୍ରମଶଃ ବାହାରକୁ ପ୍ରକଟ କରାଇ ଆଣିବା ଲାଗି ଯାହାକିଛିର ପ୍ରୟୋଜନ ରହିଥାଏ, ସେହିଗୁଡ଼ିକ ଆଣି ଯୋଗାଇ ଦେବାର ଶ୍ରଦ୍ଧା ରଖିଥାଏ । ପ୍ରତ୍ୟେକ ମଣିଷକୁ ଆଣି ଯୋଗାଇ ଦେବାର ସ୍ଵପ୍ନ ଦେଖୁଥାଏ । ତେଣୁ, ଅଧ୍ୟାତ୍ମ ଏପରି ଏକ ସାମୂହିକ ଜୀବନର ବାସନା ରଖିଥାଏ, ଯେଉଁଠାରେ କି ପ୍ରତ୍ୟେକ ମନୁଷ୍ୟ ନିଜ ଭିତରର ସତ୍ୟଟିକୁ ନିଜର ଅସଲ ସଙ୍ଗୀରୂପେ ପାଇ ସତକୁ ସତ ଜୀବନଟିଏ ବଞ୍ଚି ପାରିବେ । ସେଥିପାଇଁ ବର୍ତ୍ତମାନର ସମାଜ ତାକୁ ଭଲ ଲାଗେ ନାହିଁ । ମଣିଷମାନଙ୍କୁ ଭାଗ ଭାଗ ଓ ବଡ଼ ସାନ କରି ରଖିଥିବା ଅନ୍ଧାରଗୁଡ଼ାକ ମଧ୍ୟ ଅଧ୍ୟାତ୍ମକୁ ମୋଟେ ଭଲ ଲାଗେ ନାହିଁ । ବିଶ୍ଵନିୟନ୍ତା ଭଗବାନ ହୁଏତ ପ୍ରତ୍ୟେକ ମନୁଷ୍ୟ ବିଷୟରେ ଯେଉଁ ସ୍ଵପ୍ନଟି ଦେଖୁଥିବେ, ଅଧ୍ୟାତ୍ମ ମୂଳତଃ ସେହି ସ୍ଵପ୍ନଟିକୁ ଦେଖୁଥାଏ, ଏବଂ ସେଇଥିଲାଗି ସଚଳ ହୋଇ ରହିଥାଏ ।

 

ଭଗବାନ ହେଉଛନ୍ତି ଅମିତ ସମ୍ଭାବନା । ଏହି ପୃଥିବୀରେ ହିଁ ସେହି ସମ୍ଭାବନାଗୁଡ଼ିକ ସାକାର ହେବ । ଏବଂ, ମନୁଷ୍ୟ ସେହି ସାକାରୀକରଣରେ ଯନ୍ତ୍ର ବା ନିମିତ୍ତରୂପେ କାର୍ଯ୍ୟ କରିବ । ସତ୍ୟ କହିଲେ ସମ୍ଭବତଃ ଆମେ ତାହାକୁ ସମ୍ଭାବନା ବୋଲି ହିଁ ବୁଝିବା, ଯୁଗେ ଯୁଗେ ଯାହାର ଉଦ୍‌ଘାଟନ ହୋଇ ଆସିଛି । ଏହି ଜଗତରେ ହିଁ ତାହାର ଉଦ୍‌ଘାଟନ ହୋଇଛି ଏବଂ ମନୁଷ୍ୟ ସେଥିରେ ନିମିତ୍ତ ପରି କାର୍ଯ୍ୟ କରିଛି । ପୃଥିବୀର ଇତିହାସରେ ଯେଉଁ ଧର୍ମ ଭଗବାନ୍‍ଙ୍କୁ ସେହି ସମ୍ଭାବନାର ସ୍ତରରୁ ଖସାଇ ଆଣି ତାଙ୍କୁ ଗୋଟାଏ ନିର୍ଦ୍ଦିଷ୍ଟ ନାମ, ରୂପ ଅଥବା ପିତୁଳା ମଧ୍ୟରେ ବାନ୍ଧି ରଖିଛି, ସେହି ଧର୍ମ ତାଙ୍କର ପ୍ରକାଶିତ ଏବଂ ଉଦ୍‍ଘାଟିତ ହେବାରେ ସତେଅବା ବାଧା ଭଳି କାର୍ଯ୍ୟ କରିଛି । ତାହା ମଣିଷମାନଙ୍କୁ କେତେଟା ପାଚେରୀ ଭିତରେ କିଳି ରଖିଛି । ସୂତ୍ରର ପାଚେରୀ, ଶାସ୍ତ୍ରର ପାଚେରୀ, ପ୍ରଲୋଭନର ପାଚେରୀ ଏବଂ ଭୟର ପାଚେରୀ । ତଦ୍ଦ୍ୱାରା ସେହି ସବୁ ଧର୍ମ ଭିତରେ କିଳି ହୋଇ ରହି ମଣିଷମାନେ କାଳକ୍ରମେ ହୁଏତ ଗଧ ହୋଇ ଯାଇଛନ୍ତି । ମେଣ୍ଢା ପରି ବୋଲ ମାନିଛନ୍ତି ଏବଂ ନିଜର ମହିମା ବିଷୟରେ ଏକାନ୍ତ ବିସ୍ମୃତ ହୋଇ ରହିଛନ୍ତି । ଏହି ଜୀବନର ଖେଳଟି ଖତମ ହୋଇ ମରିଯିବା ପରେ ଆମେ ସ୍ୱର୍ଗଲାଭ କରିବା ନା ନର୍କ ମଧ୍ୟକୁ ଶାସ୍ତି ଭୋଗ କରିବାକୁ ଯିବା, ଏହି ଚିନ୍ତାରେ ଅତ୍ୟନ୍ତ ଅତିରଞ୍ଜିତ ଭାବରେ ସନ୍ତାପିତ ହୋଇ ରହି ମଣିଷ ଏହି ଜଗତକୁ ସତେଅବା ଅତ୍ୟନ୍ତ ଗୌଣ ବୋଲି ବିଚାର କରିବାକୁ ଆରମ୍ଭ କରିଛି । ପୃଥିବୀରୁ ଅଧିକାଂଶ ଧର୍ମଶାସ୍ତ୍ର ସତେଅବା ଅତ୍ୟନ୍ତ କୌଶଳପୂର୍ଣ୍ଣ ଭାବରେ ମଣିଷକୁ ତା’ ଜଗତଟିକୁ ସାନ ଓ ତାତ୍ପର୍ଯ୍ୟହୀନ କରି ଦେଖିବାରେ ଭାରି ସାହାଯ୍ୟ କରିଛନ୍ତି ।

 

ନିଜ ଭିତରର ମହିମାଟିକୁ ଯଥାର୍ଥ ବ୍ୟାସ ଦେଇ ଚିହ୍ନିପାରିଲେ ଯାର ମଣିଷ ତା’ ଚାରିପାଖରେ ପ୍ରସାରିତ ହୋଇ ରହିଥିବା ଏହି ପୃଥିବୀକୁ ତାହାର ଯଥାର୍ଥ ତାତ୍ପର୍ଯ୍ୟ ଦେଇ ଦେଖିବା ଲାଗି ହୁଏ । ଭିତରର ସତ୍ୟ ତା’ ମଧ୍ୟରୁ ବାହାରକୁ ପ୍ରକଟ ହୋଇ ଆସିବାଲାଗି ସତେ ଅବା ଭିତରୁ ମୁଣ୍ଡିଆ ମାରିବାରେ ଲାଗିଥାଏ । ତା'ପରେ ତା’ର ଭୂମି ଏହି ଜଗତ ତା' ପାଇଁ ଆଉ ମୋଟେ ମାୟା ବୋଲି ଅନୁଭୂତ ହୁଏ ନାହିଁ । ଭିତରୁ ଭଗବାନ୍ ଆହ୍ଵାନ ଦେଉଥାନ୍ତି ଏବଂ ଆଖି ସମ୍ମୁଖରେ ବିସ୍ତାରିତ ହୋଇ ରହିଥିବା ପୃଥିବୀଟି ସତେଯେପରି ଏକ ଆହ୍ଵାନ ଭୂମି ରୂପେ ପ୍ରତିଭାତ ହେବାରେ ଲାଗିଥାଏ । ଏଭଳି ଜଣେ ମଣିଷ କଦାପି କିଳିହୋଇ ରହିପାରେ ନାହିଁ । ପିତୁଳାମାନେ ତାକୁ ଆଦୌ ବାନ୍ଧି ରଖିପାରନ୍ତି ନାହିଁ । ଏବଂ, ସତେଅବା ପିତୁଳାମାନଙ୍କର କାନ୍ଧ ଉପରେ ପାଦ ଦେଇ ସେ ବାହାରକୁ ବାହାରି ଆସେ । ଯଦି ସତ୍ୟ ମୂଳତଃ ଏକ ସମ୍ଭାବନା ରୂପେ ଆହ୍ଵାନ ଦେଇନଥାନ୍ତା, ତେବେ ପୃଥିବୀରେ କେଉଁ ସଭ୍ୟତା ଆଉ କିପରି ସମ୍ଭବ ହୋଇ ପାରିଥାନ୍ତା ? ଭିତରେ ବାହାରେ ସମ୍ଭାବନାଗୁଡ଼ିକୁ ସତକୁ ସତ ଅନୁଭବ କରିପାରିଲେ ଯାଇ ଜଣେ ମଣିଷ ନିମିତ୍ତଟିଏ ହେବାର ଯୋଗ୍ୟ ହୁଏ, ନିମିତ୍ତଟିଏ ହେବାପାଇଁ ସାହସ କରେ । ପୃଥିବୀ ଉପରେ ପାଦ ଦେଇ ମଣିଷ ଯେ କାଳକୁ କାଳ ପାହାଚ ପାହାଚ ଏହିଭଳି ଉଠିଆସିଛି, ସେଥିରେ ତା’ର ସାହସ ହିଁ ତା’ର ଜନନୀ ପରି କାର୍ଯ୍ୟ କରିଛି ।

 

ଏହି ଯାବତୀୟ ଆଲୋଚନା ଆମକୁ ସତକୁ ସତ ଆମର ଯଥାର୍ଥ ଘରକୁ ଫେରାଇ ଆଣିପାରିବା ଉଚିତ୍ ? ଭାରତୀୟ ଯୋଗମାର୍ଗ ଏକ ଅପୂର୍ବ ବ୍ୟଞ୍ଜନା ଯୋଡ଼ିଦେଇ ଯୋଗକୁ ଯଥାର୍ଥରେ ଏହି ଘରକୁ ଫେରିଆସିବା ବୋଲି ଘୋଷଣା କରିଛି । ଘରକୁ ଫେରି ଆସିବାର ଅର୍ଥ ହେଉଛି ନିଜ ପାଖକୁ ଫେରିଆସିବା, ନିଜର ସମ୍ଭାବନାଗୁଡ଼ିକୁ ସ୍ୱୀକାର କରିବା, ସେଗୁଡ଼ିକୁ ସମୁଚିତ ପ୍ରସ୍ଥଗୁଡ଼ିକୁ ଦେଇ ଘ୍ରାଣ କରିପାରିବା । ନିଜ ଘରକୁ ଫେରି ଆସିବାପରେ ଆଖି ବୁଲାଇବା ମାତ୍ରକେ ଆମେ ସତେଅବା ଏହି ସମଗ୍ର ପୃଥିବୀଟି ପାଖକୁ ହିଁ ଫେରିଆସିବା ପରି ଅନୁଭବ ଭରିବା । ଏହି ପୃଥିବୀ ତା’ପରେ ନିଜର ଘର ବୋଲି ହିଁ ଲାଗିବ । ଅତ୍ୟନ୍ତ ସ୍ଵାଭାବିକ ଭାବରେ ତାହା ହେବ, କୌଣସି ପ୍ରକାର ଗଣିତ କିର ନିଜକୁ ସେହି କଥାଟିକୁ ମୋଟେ ବୁଝାଇବାକୁ ପଡ଼ିବ ନାହିଁ । ଆମେ ବିଜ୍ଞାନକୁ ମଧ୍ୟ ଧନ୍ୟବାଦ ଦେବା ଯେ ତାହା ସାରା ପୃଥିବୀକୁ ହିଁ ଆପଣାର ଘର ବୋଲି ଗ୍ରହଣ କରିନେବା ନିମନ୍ତେ ଆମକୁ କେତେ ନା କେତେ ମାପକ ଆଣି ଯୋଗାଇଦେଇ ପାରୁଛି । ମାପ ଗୁଡ଼ିକୁ ଅନ୍ଦାଜ କରିପାରିବା ସଙ୍ଗେ ସଙ୍ଗେ ଆମର ଆଖିଗୁଡ଼ିକ ମଧ୍ୟ ଅଧିକ ଦେଖିପାରୁଛନ୍ତି ଏବଂ ଅଧିକକୁ ନିଜର ବୋଲି କହିପାରୁଛନ୍ତି । ମନଟା ହୃଦୟ ମଧ୍ୟକୁ କେଡ଼େ ସହଜରେ ଲମ୍ବିଯାଇ ପାରୁଛି ଓ ପୁରାତନ କେତେ ସଂଶୟର ସମାଧାନ କରିଦେଇପାରୁଛି । ମନ ଆଉ ହୃଦୟ ଯେତେବେଳେ କେବଳ ଆପଣା ଭିତରଟାକୁ ଲୋସଡ଼ି ପଡ଼ି ପରସ୍ପର ଠାରୁ ପୃଥକ୍ ହୋଇ ରହିଥାନ୍ତି, ସମ୍ଭବତଃ ସେପର୍ଯ୍ୟନ୍ତ ପିତୁଳାମାନେ ଭାରି ଭଲ ଲାଗୁଥାନ୍ତି, ବୋଲ ମାନିବାକୁ ଏବଂ ଭେକଟାଏ ପିନ୍ଧି ସେଇଥିରୁ ହିଁ ନିଜକୁ ଚିହ୍ନିବାକୁ ଭାରି ଭଲ ଲାଗେ । ଭାବପ୍ରବଣ ହେବାକୁ ତ ଆହୁରି ଦଶଗୁଣ ଅଧିକ ଭଲ ଲାଗେ । ନିଜ ଘରକୁ ଫେରି ଆସିଲେ ଯେତେବେଳେ ଭିତର ଓ ବାହାର ଏକାବେଳେ ଦିଶନ୍ତି, ଯେତେବେଳେ ମନ ଓ ହୃଦୟ ମଧ୍ୟରେ ଆଉ କୌଣସି ବିବାଦ ରହେ ନାହିଁ, ସେତେବେଳେ ଏଇଟାକୁ ଲୋଡ଼ିଲେ ସେଇଟାକୁ ହରାଇବାକୁ ପଡ଼ିବ ଅଥବା ସେଇଟାକୁ ଲୋଡ଼ିଲେ ଏଇଟାକୁ ହରାଇବାକୁ ପଡ଼ିବାର ଆଦୌ କୌଣସି ଭୟ ରହେ ନାହିଁ । ସତେଅବା ଏକ କେନ୍ଦ୍ର ମିଳି ଯାଇଥାଏ–ପରିଧିଗୁଡ଼ିକୁ ଆଉ ମୋଟେ ଡର ମାଡ଼େ ନାହିଁ । କେନ୍ଦ୍ରଟିଏ ସୁନିଶ୍ଚିତ ଭାବରେ ରହିଥିଲେ ଆମ ପରିଧିଟିକୁ କେତେ କୁଆଡ଼େ ପ୍ରସାରି ଦେଇହୁଏ । ନିଜର ଘରଟା ସତେ ଅବା ପୃଥିବୀ ମଧ୍ୟକୁ ପ୍ରସାରିତ ହୋଇଯାଏ ।

 

–୫–

 

କୋଉ ପୁରାତନ କାଳରେ କେତେ ହଜାର ବର୍ଷତଳେ ଗ୍ରୀସ୍ ଦେଶର ଜଣେ ମନୀଷୀ କହିଥିଲେ ଯେ, ମଣିଷ ହେଉଛି ଏହି ପୃଥିବୀର ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପଦ । ତେଣୁ ମନୁଷ୍ୟର ଅଧ୍ୟୟନ ହେଉଛି ସବୁ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଅଧ୍ୟୟନ । ସେହି ମନୀଷୀ ତ ସ୍ଵୟଂ ଜଣେ ମଣିଷ ଥିଲେ, ତେବେ ସିଏ କ’ଣ କୌଣସି ଅହଙ୍କାରର ବଶବର୍ତ୍ତୀ ହୋଇ ସେପରି କଥାଟିଏ କହିଥିଲେ ? ଭାରତର ଏକ ପୁରାତନ ଶାସ୍ତ୍ରରେ ମଧ୍ୟ ମନୁଷ୍ୟଠାରୁ ଅଧିକ ଶ୍ରେଷ୍ଠ ହୋଇ ଜଗତରେ କିଛି ନାହିଁ ବୋଲି କୁହାଯାଇଛି । ମାତ୍ର ଶହେ କି ଦେଢ଼ଶହ ବର୍ଷ ତଳେ ବଙ୍ଗ ରାଜ୍ୟର ଜଣେ ସାଧକ ଓ କବି ସମଗ୍ର ମନୁଷ୍ୟଜାତିକୁ ସମ୍ବୋଧନ କରି କହି ଯାଇଛନ୍ତି ଯେ, ମଣିଷ ହେଉଛି ଏହି ସଂସାରର ସବୁକିଛି ଉପରେ ସବୁଠାରୁ ବଡ଼ ଓ ତା'ଠାରୁ ଆଉ ଅନ୍ୟକିଛି ଅଧିକ ବଡ଼ ରହିଚି ବୋଲି ଆମେ ଆଦୌ ଚିନ୍ତା କରିପାରିବା ନାହିଁ । ଏସବୁ କଥା ଘୋଷଣା କରି ଯାଇଥିବା ମନୁଷ୍ୟମାନେ କେହି ଅହଙ୍କାରୀ ନଥିଲେ । ସେମାନେ ଜଣେ ଜଣେ ଜାଗ୍ରତ ମନୁଷ୍ୟ ଥିଲେ । ଅର୍ଥାତ୍, ସେମାନେ ସାଧାରଣ ମନୁଷ୍ୟମାନଙ୍କ ଅପେକ୍ଷା ଅଧିକ ଦେଖି ପାରୁଥିଲେ, ଅଧିକ ଅନୁଭବ କରିପାରୁଥିଲେ ଓ ତେଣୁ ଅଧିକ ଗଭୀରକୁ ଭେଦି ପାରୁଥିଲେ । ମଣିଷ ପାଇଁ ମଣିଷ ହେଉଛି ସର୍ବମୂଳ; ଏବଂ, ମନୁଷ୍ୟ ଯୁଗେ ଯୁଗେ ଏହି ପୃଥିବୀରେ ଯାହା କିଛି ଉଦ୍ୟମ କରିଆସିଛି, ଯାହାକିଛି ଚିନ୍ତା କରିଛି ବା ଯାହାକିଛି ସ୍ଵପ୍ନ ଦେଖିଛି, ସେସବୁକୁ ସିଏ ମନୁଷ୍ୟକୁ କେନ୍ଦ୍ର କରି ହିଁ କରିଛି । ମଣିଷ ଯାହା ହୋଇ ପାରନ୍ତା, ସେହି ବିଷୟରେ ଆପଣାର ଅନ୍ଦାଜଗୁଡ଼ିକୁ ବଢ଼ାଇ ବଢ଼ାଇ ସିଏ ଭଗବାନଙ୍କ ପର୍ଯ୍ୟନ୍ତ ଯାଇଛି । ସମ୍ଭବତଃ ସେହି ଆନନ୍ଦରେ ହିଁ ତା’ ଭିତରର କବି ଭଗବାନଙ୍କ ବିଷୟରେ କେତେ କ'ଣ ସବୁ କଳ୍ପନା କରିପାରିଛି । ଆମେ ଏହାକୁ ହିଁ ହୁଏତ ବିଶ୍ୱ ଇତିହାସର ସବୁଠାରୁ ବଡ଼ କଥା ବୋଲି କହିପାରିବା ।

 

ଅନ୍ୟ ଜୀବମାନଙ୍କ ବିଷୟରେ ଆମେ ପ୍ରକୃତ କଥା କହିପାରିବା ନାହିଁ ସିନା, ମାତ୍ର ଜଣେ ଜଣେ ମନୁଷ୍ୟ ହିସାବରେ ଏହି କଥାଟିକୁ ଅବଶ୍ୟ କହିପାରିବା ଯେ, ଏହି ମଣିଷ ଭିତରେ ଅନନ୍ତ ସମ୍ଭାବନା ନିହିତ ହୋଇ ରହିଛି । ଗୁପ୍ତ ଓ ପ୍ରଚ୍ଛନ୍ନ ହୋଇ ରହିଛି ବୋଲି ମଧ୍ୟ ସମାନ ଔଚିତ୍ୟର ସହିତ କୁହାଯାଇପାରିବ । ସମ୍ଭାବନା ହେଉଛି ମୂଳଧନ, ତାହାକୁ ଉଚିତ ଭାବରେ ଖଟାଇବାକୁ ପଡ଼େ । ସମ୍ଭାବନା ଆମ ଭିତରେ ଅପେକ୍ଷା କରି ରହିଥାଏ ତାହାକୁ ସତ୍ୟରୂପେ ପ୍ରକଟ କରି ଆସିବାକୁ ହିଁ ପଡ଼ିଥାଏ । ଇତିହାସଯାକ ଏକ ଜୀବଜାତି ହିସାବରେ ମଣିଷ ପ୍ରକୃତରେ ସେହି କଥା କରିଆସିଛି । ଆଦିମ ପ୍ରଥମ କାଳରେ ତ ମଣିଷ ଠିକ୍ ଇତରପ୍ରାଣୀମାନଙ୍କ ପରି ଖାଲି ଆତ୍ମରକ୍ଷାକୁ ହିଁ ନିଜ ଜୀବନର ପରମ ଧର୍ମ ବୋଲି ଜାଣିଥିଲା । ବାହାରର ପୃଥିବୀ ତାକୁ ଖାଲି ତ୍ରାସ ଦେବାରେ ଲାଗିଥିଲା ଓ ସେହି ତ୍ରାସରୁ ନିଜକୁ ବଞ୍ଚାଇ ରଖିବାକୁ ତାକୁ ଗୁମ୍ଫା ଭିତରକୁ ଅଥବା ଗଛ ଉହାଡ଼କୁ ପଳାଇଯିବାକୁ ପଡ଼ୁଥିଲା । ମାତ୍ର, ତା’ଭିତରେ ଆଉ କ'ଣ ସମ୍ପଦଟିଏ ରହିଥିଲା କି କ’ଣ କେଜାଣି, ଯାହାର କି ସିଏ ପରିଚୟ ପାଇଲା ? ତା'ପରେ ତା’ ଭୟ କମିଗଲା । ସେହି ସମ୍ପଦଟିର ସାହାଯ୍ୟରେ ସିଏ ପ୍ରକୃତିକୁ ଚିହ୍ନିଲା, ପ୍ରକୃତିକୁ ଜୟ କଲା, ଅର୍ଥାତ୍ ପ୍ରକୃତିକୁ ସାଙ୍ଗ କରିନେଲା । ତେଣିକି ସିଏ ଆଉ ସୂର୍ଯ୍ୟକୁ ଡରିଲା ନାହିଁ, ଅଗ୍ନି, ମରୁତ୍ କିମ୍ବା ମେଘକୁ ମଧ୍ୟ ଡରିଲା ନାହିଁ । ସେମାନଙ୍କୁ କ୍ରମେ ଗୋଟିଏ ଗୋଟିଏ ଶକ୍ତି ରୂପେ ଜାଣିଲା, ନିଜ ଜୀବନକୁ ସେହି ଶକ୍ତିଗୁଡ଼ିକର ଆବାହକ କରି ସ୍ତୋତ୍ରମାନ ଲେଖିଲା । ଆପଣାକୁ ପ୍ରକୃତି ଭିତରକୁ ପ୍ରସାରିତ କରିଦେଇପାରିଲା । ବାହାରର ପ୍ରକୃତି ଭଳି ତା' ନିଜ ଭିତରେ ମଧ୍ୟ ଏକ ପ୍ରକୃତି ରହିଚି ବୋଲି ଠାବ କରିପାରିଲା ।

 

ସେହି ଅନ୍ୟ ପ୍ରକୃତିଟିକୁ ଭେଦି ଭେଦି ଭଗବାନଙ୍କୁ ଠାବ କଲା ଏବଂ ସେହି ଠାବ କରିଥିବାର ଆନନ୍ଦଟିର ସାହାଯ୍ୟରେ ବାହାରଟି ଉପରେ ଦୃଷ୍ଟିପାତ କରିବାକୁ ଯାଇ ସିଏ ସେଠାରେ ମଧ୍ୟ ଭଗବାନଙ୍କୁ ଆବିଷ୍କାର କଲା, ସେହି ବିଶ୍ଵ ବିଧାନର ସମ୍ମୁଖରେ ଛିଡ଼ା ହୋଇ ବିସ୍ମିତ ହେଲା, ଅଭିଭୂତ ହୋଇଗଲା । ସେହି ବିସ୍ମୟରୁ ଜ୍ଞାନ ଓ ବିଜ୍ଞାନ ବାହାରିଲେ, ବିସ୍ମୟରୁ ଦର୍ଶନର ଉଦ୍‍ଭବ ହୋଇଆସିଲା । ମଣିଷ ଆତ୍ମପରିଚୟର ସୋପାନଟିରୁ ବିଶ୍ଵପରିଚୟର ସୋପାନକୁ ଆସିଛି ଅଥବା ବିଶ୍ଵପରିଚୟର ସୋପାନଟିରୁ ଆତ୍ମପରିଚୟର ସୋପାନରେ ଆସି ପହଞ୍ଚିଛି, ସେ କଥା କେହି ହିସାବ କଷି କଦାପି କହିଦେଇପାରିବେ ନାହିଁ ସତ, ମାତ୍ର କାଳେ କାଳେ ମନୁଷ୍ୟର ବିଶ୍ଵପରିଚୟ ଯେ ତା’ର ଆତ୍ମପରିଚୟ ଲାଗି ପ୍ରେରକ ପରି କାର୍ଯ୍ୟ କରିଆସିଛି ଏବଂ ତା’ ଆତ୍ମପରିଚୟ ଯେ ତା’ର ବିଶ୍ଵପରିଚୟକୁ ଅଧିକରୁ ଅଧିକ ପ୍ରସ୍ଥମାନ ପ୍ରଦାନ କରିପାରିଛି, ପୂର୍ଣ୍ଣ ଦୃଢ଼ତାର ସହିତ ସେହି କଥାଟିକୁ ଅବଶ୍ୟ କୁହାଯାଇପାରିବ ।

 

ମଣିଷ ତା’ର ଅନ୍ତର୍ନିହିତ ସମ୍ଭାବନାଗୁଡ଼ିକର ବିକାଶ କରାଇ ପାରିଲେ ସିଏ ଫୁଲଟିଏ ପରି ଜଗତରେ ବିକଶିତ ହୋଇ ଆସିପାରିବ ଓ ତା’ଭିତରେ ଅପେକ୍ଷା କରି ରହିଥିବା ଭଗବାନ୍ ମଧ୍ୟ ବିକଶିତ ହୋଇ ଆସିପାରିବେ । ମଣିଷ ଭିତରେ ଯେ କେତେ କେତେ ଗୁଣ ଓ ସାମର୍ଥ ନିହିତ ହୋଇ ରହିଛି, ତାହାକୁ ସୁମାରି କରି ଏକ ସଂଖ୍ୟାରେ ଛିଡ଼ାଇ କିଏ କହିପାରିବ ? ଜ୍ଞାନର ଗୁଣ, ପ୍ରେମର ଗୁଣ, ଆଲୋକିତ ହୋଇ ଆଲୋକିତ କରିପାରିବାର ଗୁଣ, ତ୍ୟାଗର ଗୁଣ, ନେତୃତ୍ଵର ଗୁଣ,–ଏହିପରି କେତେ କ'ଣ । ଅନ୍ୟଭାବେ ଠୁଳ କରି କହିବାକୁ ଚେଷ୍ଟା କଲେ, ସେବାର ଗୁଣ, ସାହିତ୍ୟର ଗୁଣ, ସଂଗୀତ ଓ କଳାତ୍ମତାର ଗୁଣ । କାହା ଭିତରେ କେଉଁ ଗୁଣ ବା ଗୁଣଚୟ ଯେ ମୁଖ୍ୟ ସମ୍ଭାବନା କୌଶଳ ଆଣି ଯୋଗାଇଦେଇଛି । ସେହି କ୍ଷେତ୍ରରେ ଆହୁରି ଅଧିକ ଗବେଷଣାମାନ ଅବିଚ୍ଛିନ୍ନ ରହିଛି । ପୃଥିବୀରେ ଭଗବାନଙ୍କୁ ସାକାର କରି ଆଣିବାରେ ସେହିସବୁ ଗବେଷଣା ଆମକୁ ପ୍ରଭୂତ ସାହାଯ୍ୟ କରିପାରିବ । ଆମ ଭିତରେ ପୃଥିବୀର ପ୍ରତ୍ୟେକ ଦେଶରେ ଏବଂ ସମାଜରେ ଯେଉଁମାନେ ସାହିତ୍ୟ, ବିଜ୍ଞାନ, ସଂଗୀତ ଓ କଳା ଭିତରେ ରହିଛନ୍ତି, ସେମାନେ ସମସ୍ତେ ନିଜ ଭିତରର ବିଶେଷ ସମ୍ଭାବନାଗୁଡ଼ିକୁ ବିକଶିତ କରି ଆଣିପାରିଛନ୍ତି ବୋଲି ତାହା ସମ୍ଭବ ହୋଇଛି । ପୃଥିବୀରେ ଆମେ ଯାହାକୁ ସଂସ୍କୃତି ବୋଲି କହୁଛୁ, ସେହି ସଂସ୍କୃତି ତାହାରି ଫଳରେ ହିଁ ଉପଲବ୍‍ଧ ହୋଇପାରିଛି । ପଶୁର ସଂସ୍କୃତି ନାହିଁ, ମନୁଷ୍ୟର ଅଛି । ପଶୁ ବା ଇତର ପ୍ରାଣୀ କେତୋଟି ଅଭ୍ୟାସର ହିଁ ପରିକର ହୋଇ ରହିଥାଏ । ସେହି ଅଭ୍ୟାସଗୁଡ଼ିକର ପୁନରାବୃତ୍ତି କରି ସିଏ ଆପଣାର ଜୀବନକୁ ମୋଟାମୋଟି ଚଳାଇ ନେଇପାରେ । ମାତ୍ର, ମନୁଷ୍ୟର ଜୀବନରେ ତାହା ହୋଇପାରେ ନାହିଁ । ମନୁଷ୍ୟ ଅଭ୍ୟାସର ଭୃତ୍ୟ ହୋଇ ରହିପାରେ ନାହିଁ ଏବଂ କେବଳ ପୁନରାବୃତ୍ତି କରିବାରେ ସିଏ ଆଦୌ ସନ୍ତୋଷ ଲାଭ କରେ ନାହିଁ । ମଣିଷ ଗାର ଡିଏଁ, ପୁରାତନକୁ ଛାଡ଼ି ନୂତନ ଭିତରେ ପ୍ରବେଶ କରେ । ନିଶ୍ଚିତ ବହୁତ କିଛିକୁ ଛାଡ଼ି ଅନିଶ୍ଚିତ ଭିତରକୁ ହାତ ବଢ଼ାଏ-। ମା’ ଭିତରେ ହୃଦୟ ବୋଲି ଗୋଟିଏ ବିଶେଷ ସମ୍ପଦ ରହିଛି, ଯାହାକି ତାକୁ ମନଟାର, ଅଭ୍ୟାସଗୁଡ଼ାକର ଏବଂ ଯାବତୀୟ ପୁନରାବୃତ୍ତିର ବହୁତ ବହୁତ ବାଡ଼କୁ ଡିଆଇଁ ନେଇଯାଏ । ସେହି ଡେଇଁଯିବା ହେଉଛି ସଂସ୍କୃତି । ସେହି ଅନିଶ୍ଚିତ ଭିତରକୁ ଜାଣି ଜାଣି ହାତ ବଢ଼ାଇବା ଏବଂ ସେହି ପ୍ରକ୍ରିୟାରେ ଆପଣାକୁ ନିରନ୍ତର ଅଭିନବ ପ୍ରକାରେ ନିୟୋଜିତ କରିପାରିବା ହିଁ ସୃଜନଶୀଳତା । ଯିଏ ସୃଜନଶୀଳ, କେବଳ ସେଇ ବଦଳିପାରେ । ଏବଂ ଯିଏ ଏହିପରି ସର୍ଜନାତ୍ମକ ଭାବରେ ବଦଳିଯିବାକୁ ହିଁ ଜୀବନର ମୁଖ୍ୟ ଧର୍ମ ବୋଲି ଗ୍ରହଣ କରିଥାଏ, ସେଇ ଆନନ୍ଦ ପାଏ । ସେହି ଆନନ୍ଦ କେବଳ ଜଣେ ମନୁଷ୍ୟର ଜୀବନରେ ହିଁ ଉପଲବ୍ଧ ହୋଇଥାଏ । ଆପଣାର ସମଗ୍ର ବାଟଚଲା-ପ୍ରକ୍ରିୟାରେ, ମଣିଷ ସବା ଶେଷରେ ତା’ର ଏକ ବୃହତ୍ତମ ସମ୍ପଦ ଏବଂ ଅର୍ଜନ ହିସାବରେ ଯାହାର ଅଧିକାରୀ ହେବାପାଇଁ ଅଭିଳାଷ ରଖିଥାଏ, ତାହାରି ନାମ ହେଉଛି ଆନନ୍ଦ । ସେହି ଆନନ୍ଦକୁ କିଣିହୁଏ ନାହିଁ, ବିକି ବି ହୁଏ ନାହିଁ । ହୁଏତ ଏପରି ଏକ ଅନ୍ୟ ସୋପାନ ମଧ୍ୟକୁ ଆପଣାକୁ ଉତ୍ତୋଳିତ କରିନେବାକୁ ହୁଏ , ଯେଉଁଠି ପହଞ୍ଚି ଆମକୁ ଯାହାକିଛି ମିଳେ, ତାହାକୁ କେବଳ ଆନନ୍ଦ ବୋଲି ହିଁ ଚିହ୍ନଟ କରାଯାଇ ପାରିବ । ମନୁଷ୍ୟ-ଜୀବନର ସମୁଦାୟ ଲୀଳାଟି ସମ୍ଭବତଃ ସେହି ଆନନ୍ଦ ନିମନ୍ତେ, ସିଏ କାଳକ୍ରମେ ଭିଆଣ କରି ଆଣିଥିବା ତା’ ଜୀବନର ଯାବତୀୟ ବିପଣି ମୂଳତଃ ସେଇଥି ସକାଶେ ।

 

ଅଧ୍ୟାତ୍ମ ସାଧନାରେ ତତ୍ତ୍ଵନିରୂପଣ କରିବାକୁ ଯାଇ ମଣିଷ ଭଗବାନଙ୍କୁ ସତ୍, ଚିତ୍ ଓ ଆନନ୍ଦ ବୋଲି କହିଛି । ଏହି ତିନୋଟି ମଧ୍ୟରୁ କେହି ଆଗରେ ନୁହେଁ କି କେହି ପଛରେ ନୁହେଁ, କେଉଁଟି ଅଧିକ ନୁହେଁ କି କେଉଁଟି ଅବର ମଧ୍ୟ ନୁହେଁ । ଏଗୁଡ଼ିକ ଆମର ଉପଲବ୍ଧିରେ ସମ୍ଭବତଃ ତିନୋଟି ବୃତ୍ତ । ତିନୋଟିଯାକକୁ ଅଲଗା ଅଲଗା କରି ଦେଖିଲେ ନୁହେଁ, ସେଗୁଡ଼ିକୁ ଏକତ୍ର ଅର୍ଥାତ୍ ଅବିଚ୍ଛେଦ୍ୟ କରି ଦେଖିଲେ ଯାଇ ଆମେ ସେଗୁଡ଼ିକର ପରିଚୟକୁ ନିଜ ଜୀବନରେ ପାଇପାରିବା । ଗୋଟିଏ ବୃତ୍ତ ବଡ଼ ହୋଇପାରେ, ସାନ ବି ହୋଇପାରେ । ଆମେ ଇଚ୍ଛା କଲେ ବଡ଼ ହୋଇପାରେ ଓ ଇଚ୍ଛା କଲେ ସାନ ବି ହୋଇପାରେ । ଆମ ବୃତ୍ତଟିର କେନ୍ଦ୍ରରୂପେ ଆମେ ସ୍ଵୟଂ ତାହାକୁ କେତେ ବଡ଼ ଏବଂ କେତେ ଛୋଟ କରି ଜୀବନକୁ ବଞ୍ଚିବା, ତାହା ପ୍ରକୃତରେ ଆମ ଉପରେ ହିଁ ନିର୍ଭର କରିବ । ବ୍ୟାସାର୍ଦ୍ଧଟିକୁ ବଢ଼ାଇଲେ ବଡ଼, ତାହାକୁ ସାନ କରି ଆଣିଲେ ସାନ । ସେହି ନ୍ୟାୟରେ ଆମର ବୃତ୍ତଗୁଡ଼ିକ ପରସ୍ପରଠାରୁ ଭିନ୍ନ ହୋଇ ରହିଥାଏ, ସତ୍ୟ ବିଷୟରେ ଆମର ବିଚରଣ ଭୂମିଟି ମଧ୍ୟ ଅଲଗା ଅଲଗା ହୋଇ ରହିଥାଏ । ହୁଏତ ସେହି କାରଣରୁ ହିଁ, ସତ୍ୟ ପ୍ରକୃତରେ କ’ଣ, ସେହି ବିଷୟରେ ଆମ ଭିତରେ ନାନା ମତଭେଦ ରହିଥାଏ । ଦୃଷ୍ଟିରେ ଭେଦ ରହିଥାଏ, ତେଣୁ ବୃତ୍ତରେ ବି ଭେଦ ରହିଥାଏ । ମତଗୁଡ଼ିକ ମଧ୍ୟରେ ସେହି ଅନୁସାରେ ଲଢ଼େଇ ଲାଗିଥାଏ । ଅବଶ୍ୟ ଏକଥା ସତ ଯେ, ଆମେ ନିଜ ମତଟିକୁ ଠିକ୍ ବୋଲି କହୁଥାଉ ଏବଂ ଅନ୍ୟର ମତକୁ ଭୁଲ୍‌ବୋଲି କହୁଥାଉ-। ପୃଥିବୀରେ ଯାହାକିଛି ବିଷୟରେ ଏକ ପ୍ରତ୍ୟୟ ଅର୍ଜନ କରିବାକୁ ହେଲେ ଅନ୍ତତଃ ନିଜର ଗୋଡ଼ ତଳେ ଖଣ୍ଡେ ଭୂଇଁ ରହିଥିବା ଏକାନ୍ତ ଆବଶ୍ୟକ । ଆମେ ଅନେକେ ନିଜର ମତଟାକୁ ହିଁ ସେହି ଭୂମିରୂପେ ବ୍ୟବହାର କରିବାକୁ ଚେଷ୍ଟା କରୁଥାଉ ।

 

ସତ୍ୟ ମଧ୍ୟକୁ ପ୍ରବେଶ କରି ଏବଂ ସତ୍ୟରେ ବାଟ ଚାଲି ଜଣେ ମନୁଷ୍ୟ କେତେ ଯାଏ ଯାଇପାରିବ ? ସତ୍ୟ କେଉଁଠାରେ ଅଛି ଏବଂ ମୁଁ ଯାଇ ସେଠାରେ ପହଞ୍ଚିଯିବି, ପ୍ରକୃତ ଜୀବନରେ ମୋଟେ ସେପରି ହୁଏ ନାହିଁ । ହୁଏତ ସେହି କାରଣରୁ ହିଁ ମଣିଷକୁ ସତ୍ୟ ଏପରି ପ୍ରବଳ ଭାବରେ ଆକର୍ଷଣ କରେ । ଏଣେ ଗୋଡ଼ରେ ବଳ ନଥାଏ, ଅଥଚ ଏକାବେଳେକେ ପର୍ବତରୁ ଶିଖରଯାଏ ଯିବାକୁ ମନ ହେଉଥାଏ । ଏବଂ, ଥରେ ଆରୋହଣ କରିବାଟା ଆରମ୍ଭ ହୋଇଗଲେ ସେହି ଶିଖରଟା ବି କେବେ ସରେ ନାହିଁ । ସତେଅବା ମୋ’ର ଅର୍ଥାତ୍‌ ପ୍ରତ୍ୟେକ ମନୁଷ୍ୟର ହୃଦୟରେ ଦୁଃସାହସ ବୋଲି ପଦାର୍ଥଟିଏ ଅଥବା ସମ୍ପଦଟିଏ ରହିଥାଏ, ଯାହାକି ଜଣେ ମଣିଷ ଯେତିକି ବାଟ ଯାଇ ପାରିଲାଣି, ତା’ ପାଇଁ ତା’ ଶିଖରଟି ସେତିକି ଅଧିକ ଘୁଞ୍ଚି ଘୁଞ୍ଚି ଯାଉ ବୋଲି ଇଚ୍ଛା କରୁଥାଏ । ଏହା ଆଦୌ ନୈରାଶ୍ୟର କଥା ନୁହେଁ । ଏହା ହିଁ ଏକମାତ୍ର ଆଶାର କଥା । ଏହା ଜଣେ ମଣିଷକୁ ଆଦୌ କୌଣସିଠାରେ ଅଟକାଇ ଦିଏ ନାହିଁ । ଏବଂ, ଜଣେ ମଣିଷ ଶିଖରରେ ଯାଇ ପହଞ୍ଚିବା ଲାଗି ତା’ର ଯାତ୍ରାରେ ଯେତିକି ଉପରକୁ ଉଠୁଥାଏ, ନିଜ ଚାରିପାଖକୁ ଅନାଇ ସିଏ ସେତିକି ଅଧିକ ଦେଖିବାକୁ ପାଉଥାଏ । ଏବଂ, ସେଇଟିଠାରୁ ପୃଥିବୀରେ ଆଉ ଅଧିକ ବଡ଼ ଆନନ୍ଦ ବୋଧହୁଏ ଆଉ କେଉଁଠି ହେଲେ ନାହିଁ । ସମସ୍ତ ଜ୍ଞାନ, ବିଜ୍ଞାନ, ତତ୍ତ୍ଵ, ନୀତି ଏବଂ ଉବଲବ୍ଧିର ଅସଲ ସାର୍ଥକତା ପ୍ରକୃତରେ ସେଇଥିରୁ ହିଁ ପ୍ରାପ୍ତ ହୁଏ । ଏହିପରି ଅଧିକ ଦେଖୁଥିଲେ ଆଖିଗୁଡ଼ିକ କ୍ରମେ ସତେଅବା କୌଣସି ଅପୂର୍ବ ପ୍ରାପ୍ତିର ପୁଲକରେ ଏକାବେଳେକେ ଅନ୍ୟପ୍ରକାରର ହୋଇଯାଆନ୍ତି । ଅଧିକରୁ ଅଧିକ ଅନୁଭବ ହେଉଥାଏ ଆମ ଭିତରେ ହୃଦୟ ବୋଲି ପ୍ରକୃତରେ ଅଲଗା ହୋଇ କୌଣସି ପଦାର୍ଥ ଆଦୌ ନାହିଁ । ଆମ ଆଖିର ମଧ୍ୟ ହୃଦୟଟିଏ ରହିଛି । ସେହିପରି ଆମେ ମନ କଲେ, ଅର୍ଥାତ୍ ଅଟକି ରହିଯିବାକୁ ଆଦୌ ମନ ନକଲେ, ଆମ କାନର ଆମ ସ୍ପର୍ଶର ଓ ଆମ ଘ୍ରାଣର ମଧ୍ୟ ଯେ ହୃଦୟ ରହିଛି, ଆମେ ସେହି ସତ୍ୟଟିକୁ ମଧ୍ୟ ସତକୁ ସତ ଉପଲବ୍ଧି କରିପାରିବା । ପୃଥିବୀର ମଣିଷ ଯହୁଁ ଯହୁଁ ଅଧିକ ଦେଖୁଛି, ଜାଣୁଛି, ଅନୁଭବ କରୁଛି ଏବଂ ଅଙ୍ଗେ ନିଭାଉଛି, ତା' ଜୀବନରେ ସତେଅବା ତହୁଁ ତହୁଁ ହୃଦୟ ବୋଲି ଗୋଟିଏ ସମଗ୍ର ପ୍ରସ୍ଥ ଆସି ଯୋଡ଼ି ହୋଇ ଯାଉଛି-। ତାହାରିଦ୍ୱାରା ମଣିଷ ଭିତରର ଗଣ୍ଠିଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିବିଡ଼ ଭାବରେ ବନ୍ଧା ହୋଇ ରହିଛି, ସିଏ ଖାଲି ନିଜର ଭାବୁକତା ବା ଭାବପ୍ରବଣତାରେ ନୁହେଁ, ନିଜର ଦେହ ଭିତରେ, ଦେହ ସହିତ ବି ଅନୁଭବ କରି ପାରୁଛି ।

 

ଗ୍ରନ୍ଥିଗୁଡ଼ିକ ଖୋଲିଗଲେ, ଯାବତୀୟ କୃପଣତା ଓ କୁଣ୍ଠାର ମୋହଗୁଡ଼ାକ ଦୂର ହୋଇଗଲେ ମଣିଷ ଯେଉଁ ଥାନରେ ଆସି ପହଞ୍ଚେ, ଭଗବାନ ସେହି ଥାନରେ ମିଳନ୍ତି ବୋଲି ଭଗବାନଙ୍କୁ ଅଙ୍ଗେ ନିଭାଇଥିବା ପୃଥିବୀଯାକର ସମସ୍ତେ ଆମକୁ କହିଦେଇ ପାରିବେ । ଏକାବେଳେକେ ଆମର ନିତ୍ୟସଙ୍ଗୀ ହୋଇ ଅନୁଭୂତ ହେବେ । ସତ୍ୟ ବେଳକୁ ଯୋଉ କଥା, ଚିତ୍ ଏବଂ ଆନନ୍ଦ ବେଳକୁ ମଧ୍ୟ ସେଇ ଏକା କଥା । ଚିତ୍ ଅର୍ଥାତ୍‌ ଚେତନା । ଆତ୍ମ ସାଧାରଣମାନଙ୍କର ଚେତନାଟିର ବିଚରଣଟା ଭାରି ଅଳପ । ସତେଯେପରି ତା'ର ଅଣ୍ଟା ବୋଲି କିଛି ନାହିଁ, ତେଣୁ ସିଏ ସିଧା ହୋଇ ଆଦୌ ବେଶି ଦୂରକୁ ଅନାଇ ପାରୁନାହିଁ । ଏବଂ, ସତେଅବା ସେହି ଲାଜ ବା ଦାରିଦ୍ର୍ୟଟିକୁ ଲୁଚାଇବାକୁ ସିଏ ଯେତିକିଯାଏ ଅନାଇପାରୁଛି, ସେତିକି ହିଁ ସବୁକିଛି ବୋଲି କେଡ଼େ ଦମ୍ଭର ସହିତ କହିବାକୁ ଆରମ୍ଭ କରୁଛି । ସର୍ବବ୍ୟାପୀ ଭଗବାନଙ୍କୁ ଅନେକ ଧର୍ମ ଏବଂ ସେଗୁଡ଼ିକୁ ଆଶ୍ରାକରି ବଞ୍ଚୁଥିବା ଅନେକ ମଣିଷ ଯେପରି ଗୋଟାଏ ପିତୁଳା ବା ଗୋଟାଏ ପୁରାଣକଥା ଭିତରେ ଆଣି ବାନ୍ଧି ଦେଇଥାନ୍ତି, ଇଏ ପ୍ରାୟ ସେହିପରି ଏକ କଥା । ନିଜ ଘରଟାକୁ ଚାରିଆଡ଼ୁ କିଳି ରଖିଥିବା ପର୍ଯ୍ୟନ୍ତ ବାହାରର ପବନ ଏବଂ ଆଲୋକ ବିଷୟରେ ଆମକୁ ଆଉ କିଏ ବାରଣ ମିଳିପାରିବ ? ଝରକା ଖୋଲିଲେ ସିନା ଆମ ଜୀବନରେ ଏକ ବିସ୍ମୟକାରୀ ବିଶ୍ୱ ପରିଚୟ ସମ୍ଭବ ହେବ ଏବଂ ତାହା ସତେଅବା ଆହୁରିଅଧିକ ବିସ୍ମୟକାରୀ ଆତ୍ମପରିଚୟ ଆଡ଼କୁ ଆମକୁ ପରିପ୍ରେରିତ ଏବଂ ପରିଚାଳିତ କରି ନେଇଯିବ । ତେଣୁ ଗୋଟିଏ ଅର୍ଥରେ ଅବଶ୍ୟ କୁହାଯାଇପାରିବ ଯେ, ଆମର ଚେତନା କେତେ ଅଳପ ବା ଅଧିକ ଦୂରଯାଏ ଭେଜି ବା ପହଞ୍ଚି ପାରିବ, ତାହା ସବାଆଗ ଆମ ନିଜ ଉପରେ ନିର୍ଭରଶୀଳ ହୋଇ ରହିଛି । ଚେତନା ବା ଚିତ୍ ପରି ଆନନ୍ଦ ବିଷୟରେ ମଧ୍ୟ ଆମେ ସେହି କଥା କହିପାରିବା । ପୃଥିବୀରେ କିଏ ନିଜର କାନ୍ଥ ଓ ବାଡ଼ଗୁଡ଼ିକୁ ଅଧିକ କିଳି ଆଣି ଆନନ୍ଦ ପାଉଛି । କିଏ ତଥାକଥିତ ନିଜର ସୁଖପାଇଁ ଲାଗିଛି ଓ ସେଥିରେ ଆନନ୍ଦ ପାଉଛି । କେତେ କେତେ ମଣିଷ ନିଜର ଗାରଟିକୁ ଡେଇଁ ଖୁବ୍‍ବେଶି ନିଜର ପରିବାର ଯାଏ ଯାଇପାରୁଛନ୍ତି । ପ୍ରକୃତରେ ସେମାନେ ହୁଏତ ଆଦୌ କୌଣସି ଗାର ଡେଇଁ ନାହାନ୍ତି, ଗାରଟିକୁ ଟିକିଏ ଆଗକୁ ଘୁଞ୍ଚାଇ ନେଇ ସେମାନେ ନିଜର ପରିବାରକୁ ମଧ୍ୟ ନିଜର ବୋଲି କହୁଛନ୍ତି । ସଂସାର ସହିତ ଲଢ଼ି ନିଜ ପରିବାର ନାମକ ଦୁର୍ଗଟିକୁ ନିରାପଦ ଏବଂ ନିଶ୍ଚିନ୍ତ କରି ରଖିବାଲାଗି ସେମାନେ ବିଚରା କେତେ ନା କେତେ ସନ୍ତାପିତ ହୋଇ ରହିଛନ୍ତି । ନିଜର ପ୍ରାୟ ସବୁଯାକ ପାଠ, ବୁଦ୍ଧି, ଫନ୍ଦି ଓ ଫିସାଦିକୁ ସେହି ଗୋଟିଏ କାର୍ଯ୍ୟରେ ଲଗାଇ ଦେଇଛନ୍ତି । ଜୀବନ କହିଲେ ସେମାନେ ପ୍ରାୟ ଯାବତୀୟ ଅର୍ଥରେ ଏତିକି ତପସ୍ୟାକୁ ହିଁ ବୁଝୁଛନ୍ତି ।

 

ଜୀବନରେ ତପସ୍ୟାର ଗାରଟିକୁ ଆମେ ନିଜେ ହିଁ ଠିକ୍ କରି ରଖିଛୁ । ପୁରୁଷ ପୁରୁଷ ଧରି ସେହି ଗାରଟିକୁ ଯେପରି ଅଲଂଘନୀୟ କରି ରଖିହେବ, ପୃଥିବୀଯାକ ସର୍ବତ୍ର ନୈତିକତା, ପିଲାମାନଙ୍କୁ ପଢ଼ା ଯାଉଥିବା ପାଠ ଓ ଏପରିକି ଆଚରିତ ହେଉଥିବା ଧର୍ମକୁ ମଧ୍ୟ ସେଥିଲାଗି ନିର୍ମଳ ବିବେକର ସହିତ କାର୍ଯ୍ୟରେ ଲଗାଯାଇଛି । ପଣ୍ଡିତମାନେ ଅଧିକାଂଶ ସ୍ଥଳରେ ସେଥିପାଇଁ ନିଜର ସମର୍ଥନ ବାଢ଼ି ଦେଇଛନ୍ତି ଓ ସମାଜରେ ଆମର ଚକ୍ଷୁକ୍ଷ୍ମାନ୍ ମାର୍ଗଦର୍ଶକ ରୂପେ ସ୍ଵୀକୃତି ପାଇଛନ୍ତି । ଇତିହାସରେ ମଣିଷମାନେ ସେମାନଙ୍କର ପରିଚିତ ଠାକୁରମାନଙ୍କର ମାଧ୍ୟମରେ ଭଗବାନଙ୍କୁ ନିଜ କାମରେ ଅଧିକ ପରିମାଣରେ ଲଗାଇଛନ୍ତି ଅଥବା ନିଜେ ଅନୁରୂପ ଭାବରେ ଯୋଗ୍ୟ ହୋଇ ପ୍ରକୃତରେ ତାଙ୍କର କାମରେ ଲାଗିଛନ୍ତି, ସେକଥାର ଉତ୍ତର ଖୋଜିଗଲେ ଆମକୁ ଆଦୌ କୌଣସି କଷ୍ଟ କରିବାକୁ ପଡ଼ିବ ନାହିଁ । ମଣିଷମାନେ ସ୍ଵୟଂ ସେମାନେ କେଡ଼େ ଉଚ୍ଚ କରି ଧରିଥିବା ସତ୍ୟ ଗୁଡ଼ିକର ଅଧିକ କାମରେ ଲାଗିଛନ୍ତି ଅଥବା ସେହି ସତ୍ୟଗୁଡ଼ିକୁ ନିଜ କାମରେ ଲଗାଇଛନ୍ତି, ସେ କଥା ମଧ୍ୟ ଆଦୌ କୌଣସି ଜଟିଳ ହିସାବ ନକରି କହିଦେଇ ହେବ । ବିଦ୍ୟାକୁ ଆୟତ୍ତ କରି, ଅଧିକ ଜ୍ଞାନ ହାସଲ କରି ମଣିଷମାନେ ଅଧିକ ବିଦ୍ଵାନ୍ ତଥା ଜ୍ଞାନୀ ହେବା ଅପେକ୍ଷା ସେଗୁଡ଼ିକୁ ଅଧିକତର ପରିମାଣରେ ହୁଏତ ନିଜ କାମରେ ହିଁ ଲଗାଇଛନ୍ତି । ନିଜର ବୁଦ୍ଧିରେ ସେମାନେ ଭଗବାନଙ୍କୁ, ସତ୍ୟକୁ, ବିଦ୍ୟାକୁ ଓ ଜ୍ଞାନକୁ ଯେପରି ଭାବରେ ବୁଝିଛନ୍ତି, ସେଗୁଡ଼ିକୁ ସେହିଭଳି ହିଁ ନିଜ କାମରେ ଲଗାଇଛନ୍ତି । ତଥାପି ଶିଖରଟିଏ ରହିଛି, ତାରାଟିଏ ଆମର ଚକ୍ଷୁ ସମକ୍ଷରେ ନିରନ୍ତର ଜଳୁଛି ଓ ଆହ୍ୱାନ ଦେବାରେ ଲାଗିଛି । ଆମେ ଯେତେ ଅଳପ ଦେଖିବାକୁ ସଂକଳ୍ପ କରିଥିଲେ ମଧ୍ୟ ତଥାପି ସତ୍ୟ ରହିଛି । ଆମର କାମ ଚଳାଇବାକୁ ଆମେ ତିଆରି କରିଥିବା ବିଧାନଗୁଡ଼ିକ ଆମକୁ ଗୁରାଇ ତୁରାଇ ବାନ୍ଧି ରଖିଥିଲେ ମଧ୍ୟ ତଥାପି ଶିଖରସ୍ତରର ମଧ୍ୟ ବିଧାନଟିଏ ରହିଛି । ଶିଖରସ୍ତରର ଏକ ଆନନ୍ଦ ମଧ୍ୟ ରହିଛି ବୋଲି ଆମେ କହିପାରିବା କି ? ପୃଥିବୀରେ ଯେତେ ଯେଉଁଠି ଶିଖରସ୍ତରକୁ ଯିବାର ପ୍ରୟାସ କରିଛନ୍ତି, ସେମାନେ ବିଭିନ୍ନ ଭାଷାରେ ଆମକୁ ତାହାର ବାରଣ କହି ଯାଇଛନ୍ତି ।

Unknown

 

ତେଣୁ, ଆମେ ପ୍ରକୃତରେ କେଉଁଯାଏ ଆରୋହଣ କରିବାକୁ ଆଗ୍ରହ ରଖିଛୁ ଅର୍ଥାତ୍ ସାହସ କରୁଛୁ, ଆମର ଭାଗ୍ୟ ତାହାରି ଦ୍ଵାରା ହିଁ ମୀମାଂସିତ ହେବାରେ ଲାଗିଛି । ଭାବ୍ୟବାଦୀମାନେ ଆଦୌ କୌଣସି ଶିଖରରେ ବିଶ୍ଵାସ କରନ୍ତି ନାହିଁ, ତେଣୁ କୌଣସି ଆରୋହଣରେ ମଧ୍ୟ କାହିଁକି ବିଶ୍ୱାସ କରିବେ ? ପୃଥିବୀର ଅଧିକାଂଶ ଧର୍ମ ବି ଶିଖରଟିଏ ରହିଛି ବୋଲି ମନୁଷ୍ୟମାନଙ୍କୁ ଖୁବ୍‍ବେଶି ପ୍ରତ୍ୟୟ ଦେଇନାହାନ୍ତି ଓ ତେଣୁ ଯାବତୀୟ ଆରୋହଣକୁ ପ୍ରାୟ ବାରଣ କରିଛନ୍ତି । ବେଶି ଉତୁରିଲେ କେବଳ ଚୂଲିରେ ଯାଇ ପଶିବା ହିଁ ସାର ହେବ ବୋଲି ସେମାନେ ଆମକୁ ବହୁତ ଆକଟ କରି କହିଛନ୍ତି । ଭାଗ୍ୟବାଦୀ ଓ ସ୍ଵର୍ଗନର୍କବାଦୀ ଧର୍ମଗୁଡ଼ିକୁ ଅସ୍ଵୀକାର କରି ବିଜ୍ଞାନ ବୋଲି ସେହି ଅନ୍ୟ ଚେତନାଟି ଯେତିକି ଯେତିକି ଆମର ସ୍ଵୀକୃତି ଲାଭ କରୁଛି, ଆମେ ସମ୍ଭବତଃ ସେତିକି ଅନ୍ୟପ୍ରକାରେ କଳନା କରିବାକୁ ଏବଂ ସ୍ଵପ୍ନ ଦେଖିବାକୁ ସମର୍ଥ ହେଉଛୁ । ସମସ୍ତେ କହିଲେଣି ଯେ, ଆଧୁନିକ ବିଜ୍ଞାନ ମଣିଷକୁ ଆରୋହଣ ଓ ଆହୁରି ଅଧିକ ଆରୋହଣ ଲାଗି ଆବଶ୍ୟକ ପ୍ରେରକମାନ ଆଣି ଯୋଗାଇଦେଇଛି ଏବଂ ଶିଖରଗୁଡ଼ିକ ବିଷୟରେ ସ୍ପଷ୍ଟ କଥାମାନ ମଧ୍ୟ କହିବାକୁ ଆରମ୍ଭ କଲାଣି । ବିଜ୍ଞାନ ଆମର ଚେତନାକୁ ଛୁଇଁ ତାହାକୁ କେତେ କେତେ ନୂଆ ନୂଆ ପ୍ରସ୍ଥଦ୍ଵାରା ଧନାଢ଼୍ୟ କରିବାରେ ଲାଗିଛି ଓ ମଣିଷ ଆଉ ଆଗପରି ଦରିଦ୍ର ହୋଇ ରହିବାକୁ ମୋଟେ ମନ କରୁନାହିଁ । ବାହାରର ଅନନ୍ତତାକୁ ମାପିଆସିବା ସଙ୍ଗେ ସଙ୍ଗେ ସିଏ ନିଜ ଭିତରର ଅଗାଧତାଟିକୁ ମଧ୍ୟ କଳିବା ନିମନ୍ତେ ସାହସ କଲାଣି, ଅର୍ଥାତ୍ ଶ୍ରଦ୍ଧାପ୍ରକାଶ କଲାଣି । ବିଶ୍ଵସୁଖ ବ୍ୟତୀତ ଯେପରି ବ୍ୟକ୍ତିଗତ ସୁଖ ବୋଲି ମୋଟେ କିଛି ହେଲେ ନାହିଁ । ଆଧୁନିକ ଚେତନା ପୃଥିବୀରେ କ୍ରମେ ଅଧିକରୁ ଅଧିକ ମଣିଷଙ୍କୁ ସେହି କଥାଟିକୁ କହିବାକୁ ଆରମ୍ଭ କଲାଣି । ଏବଂ, ଅଧିକା°ଶ ମଣିଷ ମଧ୍ୟ ସେହି କଥାଟିକୁ ବୁଝିବା ପାଇଁ ଇଚ୍ଛା କରୁଛନ୍ତି ।

 

ଯେପରି ମନେ ହେଉଛି, ପୃଥିବୀଯାକର ମଣିଷ ଏକାବେଳେକେ ନୂତନ କରି ସେମାନଙ୍କର ଭଗବାନଙ୍କୁ ଆବିଷ୍କାର କରି ବାହାରୁଛନ୍ତି । ଆଗ ପରି ସେମାନେ ପୂର୍ବନିର୍ଦ୍ଧାରିତ ଭାଗ୍ୟଟାକୁ ହିଁ ଏକମାତ୍ର ସତ୍ୟ ବୋଲି ସ୍ଵୀକାର କରିନେବାକୁ ଆଉ ଆଦୌ ରାଜି ହେବେନାହିଁ । ନିଜର ତଥାକଥିତ ଧର୍ମକୁ ମଧ୍ୟ ସେମାନେ କଦାପି ଆପଣାର ସେହି ପୁରୁଣା ଆଖିରେ ଦେଖିବେ ନାହିଁ । ଆଖିଗୁଡ଼ାକୁ ବଦଳାଇବେ । ଏବଂ ନିଜର ଘରଟିକୁ, ନିଜର ଧର୍ମ, ନିଜର ଆଚାର, ନିଜର ନୈତିକତା ଏବଂ ନିଜର ଜୀବନବିଷୟକ ଧାରଣାଗୁଡ଼ାକୁ ସେମାନେ କ୍ରମେ ନୂଆ ତାତ୍ପର୍ଯ୍ୟ ଦେଇ ଦେଖିବେ । ଏପରି ଗୋଟିଏ ବେଳ ପୃଥିବୀର ଇତିହାସରେ ସତେଯେପରି ଆଗରୁ ଆଉ କେବେହେଲେ ଆସିନଥିଲା, ସାହସ କରି ଚାରିଆଡ଼କୁ ଅନାଇଲେ ବର୍ତ୍ତମାନ ସେହି କଥାଟା ହିଁ ସବୁଠାରୁ ଅଧିକ ସ୍ପଷ୍ଟ ଭାବରେ ଧରା ପଡ଼ିଯାଉଛି । ପୁଣି ମନେ ହେଉଛି, ମନୁଷ୍ୟ ସମାଜ ଏବେଯାଇ ସତେଅବା ନିଜର ଅସଲ ଘରଟିକୁ ଫେରି ଆସିବାକୁ ମନ କରୁଛି । ଏ ଯାଏ ଖାଲି ସେଇଟା ଠାରୁ ଏଇଟା ଅଲଗା ଦେଖାଯାଉଥିଲା, ମୋ’ଟା ଠାରୁ ତା’ଟା ଅଲଗା ଦିଶୁଥିଲା, ପୃଥିବୀ ଭାରି ବିଭାଜିତ ହୋଇ ଦିଶୁଥିଲା । ଗଛଗୁଡ଼ିକ କେତେ ନା କେତେ ଦର୍ପରେ ଅଲଗା ଅଲଗା ହୋଇ ଦିଶୁଥିଲେ, ଜଙ୍ଗଲଟି ମୋଟେ ଦିଶୁନଥିଲା । ସବୁ ଦିଶୁଥିଲା, ମାତ୍ର ସବୁଟିକୁ ଏକାଠି ବାନ୍ଧି ରଖିଥିବା ସୂତାଟି ଦିଶୁ ନଥିଲା । ଅଲଗା ହୋଇ ଦିଶିବାକୁ ହଁ ମଣିଷମାନେ ସଂସ୍କୃତି ବୋଲି କହୁଥିଲେ ଓ ତାହାକୁ ନିଠ କରି ତାହାରି ପ୍ରଶସ୍ତିରେ ଗୋଟାଏ ଗୋଟାଏ ମହାଭାରତ ପାରାୟଣ କରିବାରେ ଲାଗିଥିଲେ । ଏବେ ଯେପରି ଏକ ନୂତନ ପୃଥିବୀ ଆମ ଆଗରେ ଆସି ଉପସ୍ଥିତ ହୋଇ ଥିଲା ପରି ଲାଗୁଛି । ପୁରୁଣା ଚିତ୍ରପଟ୍ଟଟି ସତେଯେପରି ଗୋଟାସୁଦ୍ଧା ବଦଳିଯିବ । ଯେଉଁମାନେ ରାଜି ନହେବେ, ସେମାନେ ରହିଯିବେ, ରାଜି ନ ହେଉଥିବା ଡାଇନୋସରକୁ ମଧ୍ୟ କାଳ ମୋଟେ ଛାଡ଼ି ଦେବନାହିଁ । ଗିଳି ପକାଇବ ।

 

ତେଣୁ କୁହାଯାଇପାରିବ, ଅସଲ ଧର୍ମ ଆସୁଛି । ମୋହାନ୍ଧ ଅଳ୍ପବିଶ୍ଵାସଗୁଡ଼ାକ କ୍ରମେ ଚାଲିଯାଉଛି । ମଣିଷକୁ ଯେ ଆଉ କୌଣସି ମିଛ ପ୍ରତିଶ୍ରୁତି ଦେଇ ଅଳପ ଭିତରେ ମୁହଁ ମଡ଼ାଇ ରଖି ହେବନାହିଁ । ସେହି କଥାଟି କ୍ରମେ ପୃଥିବୀର ଅଧିକରୁ ଅଧିକ ଦେଶରେ ଓ ସମାଜରେ ଉଦ୍‍ଘୋଷିତ ହୋଇ ଚାଲିଛି । ମଣିଷ ଭିତରେ ତା’ର ଅସଲ ସତ୍ୟଟି ଆତ୍ମସଚେତନ ହେବାକୁ ଆରମ୍ଭ କଲେ ଅର୍ଥାତ୍ ଆପଣାର ଅସଲ ନିୟତିଟିର ପରିଚୟ ପାଇଲେ ତାକୁ ଆଉ କୌଣସି ଶାସନ ଚୁପ୍ କରି ରଖିପାରିବ ନାହିଁ । ରାଜା ରଖି ପାରିବନାହିଁ । ଧର୍ମମାନେ ରଖିପାରିବେ ନାହିଁ, ଜାତୀୟତା ବା ରାଷ୍ଟ୍ରୀୟତାର କୌଣସି ଆକଟ ବି ରଖିପାରିବ ନାହିଁ । ପୁରୁଣା ଶାସ୍ତ୍ରଗୁଡ଼ାକର ମଧ୍ୟ କେତେ ବଳ ରହିଛି ଯେ ମଣିଷକୁ ସ୍ଥାନୀୟ ଦଉଡ଼ିଗୁଡ଼ାକରେ ବାନ୍ଧି ରଖିବ ? ଏଣିକି ଆଉ ଆଗର ଦମ୍ଭଗୁଡ଼ାକୁ ବାହାର କରି କୌଣସି ଶାସ୍ତ୍ରକୁ, କୌଣସି ତୀର୍ଥକୁ, କୌଣସି ପୁରାଣ କାହାଣୀକୁ ଓ ଏପରିକି ଖାସ୍ କୌଣସି ଉପାସନାମାର୍ଗକୁ ଏକମାତ୍ର ପବିତ୍ର ବୋଲି କହି ତାହାରି ଭିତରେ ମଣିଷମାନଙ୍କୁ ବାଧ୍ୟ ଓ ଶାନ୍ତ କରି ରଖାଯାଇପାରିବ ନାହିଁ । ପୃଥିବୀର ସନ୍ଥମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯେ ସେମାନେ ବହୁକାଳରୁ ସେ କଥା କହିବାକୁ ସାହସ କରିଛନ୍ତି । ସମ୍ପୃକ୍ତ କ୍ଷମତା ଓ ଅନୁଷ୍ଠାନମାନେ ସେଥିଲାଗି ସେମାନଙ୍କୁ କେତେପ୍ରକାରେ ଗଞ୍ଜଣା ଦେଇଛନ୍ତି, ତଥାପି ସେମାନେ ନିଜର କହିବା କଥାଟିକୁ ଅଲବତ କହିବାକୁ ଉଚିତ ମନେ କରିଛନ୍ତି । ଇଉରୋପୀୟ ମଧ୍ୟଯୁଗରେ ଧର୍ମର ପକ୍ଷରୁ ଯେପରି ବୈଜ୍ଞାନିକମାନଙ୍କୁ ଗଞ୍ଜଣାମାନ ଦିଆଯାଇଥିଲା, ସନ୍ଥମାନଙ୍କୁ ମଧ୍ୟ ଠିକ୍ ସେହିପରି ଗଞ୍ଜଣାମାନ ସହ୍ୟ କରିବାକୁ ହୋଇଛି । ଭବିଷ୍ୟଦର୍ଶୀ ଓ ସମସ୍ତ ପୃଥିବୀର ମଙ୍ଗଳକାମୀମାନେ ଏହିପରି ପ୍ରାୟ ସବୁ ଯୁଗରେ ପ୍ରପୀଡ଼ିତ ହୋଇଛନ୍ତି ସିନା, ମାତ୍ର ସେମାନଙ୍କୁ କେହି ଦବାଇ ରଖିପାରିନାହାନ୍ତି । ଅସଲ ଭଗବାନ୍ ସମ୍ଭବତଃ ସେହିମାନଙ୍କ ମୁଖରୁ କଥା କହିଛନ୍ତି, ଅସଲ ସତ୍ୟ ସେହିମାନଙ୍କର ଅତ୍ୟନ୍ତ ସରଳ ଓ ସହଜ ବାକ୍ୟଗୁଡ଼ିକ ଦ୍ୱାରା ଉଚ୍ଚାରିତ ହୋଇଛି । ସ୍ଵୟଂ ସତ୍ୟ ଯାହାକୁ ମାଧ୍ୟମ କରି ଧରାପୃଷ୍ଠରେ ଆପଣାକୁ ପ୍ରକଟ କରିବାକୁ ଇଚ୍ଛା କରିବ, ତାକୁ ପୁଣି କିଏ ଦବାଇ ରଖିପାରିବ ?

 

ଅସଲ ପବିତ୍ରତା ମଣିଷର ଭିତରେ ହିଁ ରହିଛି । ବହୁ ଅମିତ ଓ ଅନ୍ତର୍ନିହିତ ସମ୍ଭାବନା ରୂପେ ପରମପବିତ୍ର ଭଗବାନ ମଣିଷ ଭିତରେ ଅପେକ୍ଷା କରି ରହିଛନ୍ତି । ପୃଥିବୀ ଏତେ ଏତେ ଶତାବ୍ଦୀ ଧରି ସେହି ଭଗବାନଙ୍କୁ ଓ ସେହି ସତ୍ୟକୁ କାହିଁକି ଉପେକ୍ଷା କରିଆସିଛି କେଜାଣି ? ବହୁ ଅନ୍ଧବିଶ୍ୱାସ ପାଇଁ ମଣିଷକୁ ଅବହେଳା କରାଯାଇଛି, ବହୁ କ୍ରୂରତା ଦେଖାଇ ଯୁଗେ ଯୁଗେ ମଣିଷକୁ ପ୍ରସ୍ଫୁଟିତ ହୋଇ ଉଠିବାକୁ ବାଟ ଛାଡ଼ି ଦିଆଯାଇ ନାହିଁ । ମଣିଷମାନଙ୍କୁ ପଛରେ ପକାଇ ଶାସ୍ତ୍ରମାନେ ପରାକ୍ରମ ଦେଖାଇଛନ୍ତି, ରୀତିଗୁଡ଼ାକ ମଣିଷ ଉପରେ ଘୋଡ଼ା ଚଢ଼ିଛନ୍ତି, ନିତାନ୍ତ ମତିହୀନ ନିୟମଗୁଡ଼ାକ ହାତରେ ଛାଟ ଧରାଇ ଦେଇ ମଣିଷମାନଙ୍କୁ ଅଜ୍ଞାନ ଓ ଅନ୍ଧାର ଭିତରକୁ ଅଡ଼ାଇ ନିଆଯାଇଛି । ଏହି କ୍ରୂର କାର୍ଯ୍ୟଟିରେ ଧର୍ମଗୁରୁମାନେ ବି ଭାରି ସହଯୋଗ କରିଛନ୍ତି । କେଉଁ ପ୍ରଲୋଭନରେ ପଡ଼ି ଧର୍ମମାନେ ରାଜାମାନଙ୍କ ପାଖରେ ବଶ ହୋଇ ରହିଯାଇଛନ୍ତି କେଜାଣି-? ଆପଣାର ଅସଲ ସନ୍ଦେଶଗୁଡ଼ିକୁ ପେଡ଼ି ଭିତରେ ଲୁଚାଇ ରଖି ମଣିଷମାନଙ୍କୁ ମେଷ ଓ ଛାଗଳ କରି ରଖିବା ପାଇଁ ଶାସକମାନଙ୍କର ଯାବତୀୟ କାର୍ଯ୍ୟକ୍ରମରେ ସହଯୋଗ କରୁ କରୁ କେତେବେଳେ ଯେ ସେମାନେ ସ୍ୱୟଂ ମେଷ ଓ ଛାଗଳରେ ହିଁ ପରିଣତ ହୋଇ ଯାଇଛନ୍ତି, ସେ ବିଷୟରେ ସେମାନଙ୍କର ନିଜର ବି ହୋସ୍ ରହିନାହିଁ । ଭବିଷ୍ୟ ରୂପେ ପୃଥିବୀକୁ ଯାହାକିଛି ଆସୁଛି, ତାହାହିଁ ସମ୍ଭାବନା ରୂପେ ବର୍ତ୍ତମାନର ମନୁଷ୍ୟମାନଙ୍କ ଭିତରେ ଅନ୍ତର୍ନିହିତ ହୋଇ ରହିଛି । ସେହି ବୃହତ୍ ସମ୍ଭାବନାଗୁଡ଼ିକୁ ବିକଶିତ ହେବାଲାଗି ବାଟ ଛାଡ଼ିଦେବା- ଏହାହିଁ ଆଗାମୀ ଶତାବ୍ଦୀମାନଙ୍କରେ ପୃଥିବୀରେ ମନୁଷ୍ୟ ଜୀବନର ସବୁଠାରୁ ଅଧିକ ପ୍ରାଥମିକ ଶୈଳୀ ରୂପେ ଆଚରିତ ହେବାକୁ ଯାଉଛି । ଭଗବାନଙ୍କର ରାଜ୍ୟ ଯେ ଦିନେ ଏହି ପୃଥିବୀରେ ପ୍ରତିଷ୍ଠିତ ହେବ, ସ୍ୱର୍ଗ ଯେ ଏହି ଧରଣୀ ଉପରକୁ ଅବତରଣ କରିଆସିବ, ବିଶ୍ୱର ବିବେକ କ୍ରମେ ସେହି ବିଷୟରେ ହିଁ ସବା ଆଗ ଚିନ୍ତା କରିବାକୁ ଆରମ୍ଭ କଲାଣି, ସେହି ଦିଗରେ ଅଭୂତପୂର୍ବ ଭାବରେ ସଫଳ ହେବାକୁ ବି ଆରମ୍ଭ କଲାଣି ।

 

ମନେ ହେଉଛି, ଏପରି ଏକ ଯୁଗ ପୃଥିବୀର ଇତିହାସରେ ଆଗରୁ ସତେଅବା କେବେହେଲେ ଆସି ନଥିଲା । ଆଗରୁ ତ ରଜାମାନେ ଯୁଦ୍ଧ କରି ଅନ୍ୟ ରାଜ୍ୟମାନଙ୍କୁ ଜୟ କରି ବାହାରି ଯାଉଥିଲେ ଏବଂ ବିଚରା ପ୍ରଜାମାନେ ନିଜର ଏଡ଼େବଡ଼ ପ୍ରତାପୀ ରାଜାଙ୍କର ଜୟ ଜୟକାର କରି ପୃଥିବୀ କମ୍ପାଇ ଦେଉଥିଲେ । ରାଜାଙ୍କର ମହିମା ପ୍ରାୟ ଏପରି ଏକ ଜାବୁଗରୀ ପରି ପ୍ରଜାମାନଙ୍କୁ ଆଚ୍ଛନ୍ନ କରି ରଖିଥିଲା ଯେ, ରାଜ୍ୟର ଠାକୁରମାନେ ମଧ୍ୟ ରାଜାଙ୍କ ପକ୍ଷରେ ଯୁଦ୍ଧ କରିବାକୁ ଓ ତାଙ୍କ ବିଜୟକୁ ସୁନିଶ୍ଚିତ କରିବାକୁ ଦେଉଳ ଭିତରୁ ରଣଭୂମିକୁ ପ୍ରସ୍ଥାନ କରୁଥିଲେ ବୋଲି ପ୍ରଚାରିତ ଗୁଜବଗୁଡ଼ାକୁ ସେମାନେ କେଡ଼େ ନିଷ୍ଠାପର ଭାବରେ ସତ୍ୟ ବୋଲି ବିଶ୍ୱାସ କରୁଥିଲେ । ରାଜା ଅନ୍ୟ ରାଜ୍ୟମାନ ଜୟ କରି ଯେଉଁସବୁ ଧନ ଲୁଟି କରି ଘରକୁ ବୋହି ଆଣୁଥିଲେ, ପ୍ରଜାରଞ୍ଜନର ପ୍ରମାଣ ପରି ସେହି ଧନରେ ମନ୍ଦିରମାନ ତିଆରି କରୁଥିଲେ । ପ୍ରଜାମାନେ ସେଇଥିରେ ହିଁ କୃତକୃତ୍ୟ ହୋଇ ରହୁଥିଲେ । ପ୍ରଜାମାନଙ୍କର ଅନୁଗତ୍ୟରୁ ଭରସା ପାଇ ରାଜାମାନେ କେଡ଼େ ପୁଲକରେ ନିଜକୁ ଭଗବାନଙ୍କର ଆଦ୍ୟସେବକ ବୋଲି ଘୋଷଣା କରୁଥିଲେ । ନାରାୟଣ ସ୍ୱୟଂ ରାଜା ହୋଇ ମର୍ତ୍ତ୍ୟରେ ମଣିଷମାନଙ୍କର ମଉଡ଼ମଣି ରୂପେ ଶାସନ କରିବାକୁ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ସେସବୁ ଯୁଗରେ ଭାରତବର୍ଷ ସମେତ ପୃଥିବୀର କେତେ କେତେ ରାଜ୍ୟ ଏବଂ ସାମ୍ରାଜ୍ୟରେ କେଡ଼େ ସହଜରେ ସ୍ୱୀକାର କରିନିଆଯାଉଥିଲା । ଏବଂ, ମଣିଷ ଭିତରେ ଭଗବାନ ରହିଛନ୍ତି ବୋଲି ଘ୍ରାଣ କରିପାରିବା ନିମନ୍ତେ ସେତେବେଳେ ଆଉ କାହାର ବେଳ ଥିଲା ? ସ୍ୱୟଂ ମଣିଷମାନେ ବି ସେ କଥାଟିକୁ ଅନୁଭବ କରିପାରିବା ପାଇଁ ଅନୁରୂପ ପରିବେଶଟିଏ ଆଦୌ କେଉଁଠି ହେଲେ ନଥିଲା । ଏବଂ, ମଣିଷମାନଙ୍କ ଭିତରେ ଅନନ୍ତ ସମ୍ଭାବନା ରୂପେ ସ୍ୱୟଂ ଭଗବାନ ବିରାଜମାନ ରହିଛନ୍ତି ବୋଲି ଭାବିବାକୁ ସେତେବେଳେ ପଣ୍ଡିତମାନଙ୍କର ମଧ୍ୟ ତର ନଥିଲା । ଅଥବା, ତର ଥିଲେ ମଧ୍ୟ ବାହାରେ ଫିଟାଇ କହିବା ପାଇଁ ଭିତରେ ସାହସ ନଥିଲା । ଭଗବାନ ବାହାରେ ଅଛନ୍ତି, ପିତୁଳା ଭିତରେ ରହିଛନ୍ତି ଓ ସ୍ୱର୍ଗରେ ରହିଛନ୍ତି କହି କୋଟି କୋଟି ମନୁଷ୍ୟଙ୍କୁ ଆପଣା ସଦନଟିର ଅତୁଳନୀୟ ମହିମା ବିଷୟରେ ଭୁଲାଇ ରଖାଯାଇଥିଲା । ଭଲ ହେଲା, ସେହି ଯୁଗଟାର ଶେଷ ହୋଇଗଲା । ଏକଥା ଏକାନ୍ତ ସତ୍ୟ ଯେ ପୃଥିବୀର ଅଧିକ ମଣିଷ ଏବେ ମଧ୍ୟ ବାହାରେ ବାଉଳା ହୋଇ ରହିଛନ୍ତି । ମାତ୍ର, ପୃଥିବୀର ପରିବେଶ ଯହୁଁ ଯହୁଁ ବଦଳି ଯାଉଛି, ମୂଲ୍ୟବୋଧ ବଦଳୁଛି ଓ ତେଣୁ ମନୁଷ୍ୟମାନେ ନିଜର ଘରକୁ ବାହୁଡ଼ି ଆସୁଛନ୍ତି, ସେମାନେ କ୍ରମେ ଅଧିକରୁ ଅଧିକ ସଂଖ୍ୟାରେ ସବା ଆଗ ନିଜ ଭିତରେ ଯେ ସତ୍ୟକୁ ଏବଂ ଭଗବାନଙ୍କୁ ଅନୁଭବ କରିବାକୁ ଆରମ୍ଭ କରିବେ ଓ ସେଇଥିରୁ ନୂଆ ଆଖି ଏବଂ ନୂତନ ପ୍ରେରଣା ନେଇ ପରସ୍ପରକୁ ମଧ୍ୟ ନୂଆ ତାତ୍ପର୍ଯ୍ୟରେ ଦେଖିବେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ ।

 

ମଣିଷ କହିଲେ ସତକୁ ସତ ଆମେ କ’ଣ ବା କ’ଣସବୁକୁ ବୁଝିବା ? ବ୍ରହ୍ମ ହିଁ ସତ୍ୟ ଓ ଜଗତଟା ମିଥ୍ୟା ବୋଲି ମାୟାବାଦୀମାନଙ୍କର ସେହି ତତ୍ତ୍ୱଟି ମଣିଷମାନଙ୍କ ବିଷୟରେ ସମ୍ଭବତଃ ଆଦୌ କୌଣସି ମନ୍ଦ ଅଭିସନ୍ଧି ରଖି ଏଭଳି କହିନଥିବ ସତ, ମାତ୍ର, ତାହା ଫଳରେ ଆମର ସାଂପ୍ରତିକ କାଳଟି ଯାଏ, ସେହି ତତ୍ତ୍ୱଟିକୁ ସଂପୃକ୍ତ ପ୍ରାୟ ସମସ୍ତେ ଯେପରି ଭାବରେ ଗ୍ରହଣ କଲେ, ତଦ୍ଦ୍ୱାରା ମଣିଷ ଗୌଣ ହୋଇ ରହିଗଲା । ଅଳପ ମଣିଷ ଦର୍ଶନରେ ମଜ୍ଜି ରହିଲେ, କିନ୍ତୁ ମଣିଷ ନରଖର ହୋଇ ରହିଲା । ମଣିଷକୁ ବି ପ୍ରାୟ ଏକ ଖଳ ପ୍ରୟୋଜନ ବୁଦ୍ଧିରେ ପଡ଼ି ମାୟା ବୋଲି କୁହାଗଲା । ମନୁଷ୍ୟ ଯେଉଁ ସଂସାରରେ ବାସ କରୁଛି, ଯେଉଁଠାରେ ସିଏ ଜୀବନଟିଏ ବଞ୍ଚୁଛି ଅର୍ଥାତ୍ ନିର୍ଦ୍ଦିଷ୍ଟ ଜୀବନର ଶୈଳୀଟିଏ ବାଛିନେଇ ସେହି ଅନୁସାରେ ପାହାଚ ପରେ ପାହାଚ ଉଠିଯିବ ବୋଲି ଅଭିଳାଷ ରଖୁଛି, ସିଏ ଯେଉଁଠାରେ ଏତେ ଏତେ ସ୍ୱପ୍ନ ଦେଖୁଛି, ଆକାଙ୍କ୍ଷା କରୁଛି ଏବଂ ସେହିଗୁଡ଼ିକର ମାଧ୍ୟମରେ ଆପଣାକୁ ଉତ୍ତରୋତ୍ତର ନିବିଡ଼ ଓ ଅନ୍ତରଙ୍ଗ ଭାବରେ ଆବିଷ୍କାର କରିପାରୁଛି, ଖୁସୀ ହେଉଛି ଓ ଖୁସୀ ପାଉଛି, ସଙ୍ଗୀ ହେଉଛି ଓ ସଙ୍ଗ ଦେଉଛି ଏବଂ ତାହାରି ମାଧ୍ୟମରେ ନିତ୍ୟ ପ୍ରସାରିତ ହୋଇ ଅନ୍ୟମାନଙ୍କୁ ମଧ୍ୟ ଆପଣାର ସମଧର୍ମୀ ବୋଲି ଆବିଷ୍କାର କରିପାରୁଛି । ସେହି ସଂସାରକୁ ଅସାର ବୋଲି କହିବାଦ୍ୱାରା ମନୁଷ୍ୟକୁ ପ୍ରକୃତରେ ଏକାଧିକ ପ୍ରକାରେ ବର୍ଜନ ହିଁ କରାଯାଇଛି । ନିଜକୁ ଅସାର ବୋଲି ଅନୁଭବ କରିବାକୁ ଶିକ୍ଷା କରି ମଣିଷମାନେ ଅନ୍ୟ ମଣିଷମାନଙ୍କୁ ମଧ୍ୟ ଅସାର ଲୋଷ୍ଟ୍ରବତ୍ ମନେ କରୁଛନ୍ତି, ପରସ୍ପରକୁ ଅବଜ୍ଞା କରୁଛନ୍ତି ଏବଂ ଜଗତଟାକୁ ଅତ୍ୟନ୍ତ ଦୂଷିତ କରି ପକାଇଛନ୍ତି । ବିଶେଷତଃ ଏହି ଭାରତବର୍ଷରେ ମାୟାବାଦ ମନୁଷ୍ୟମାନଙ୍କର ପ୍ରଭୂତ କ୍ଷତି କରିଛି, ମହିମା ଭୁଲାଇ ରଖିଛି, ହତବଳ କରି ପକାଇଛି-

 

ଆଦୌ କୌଣସି ନକରାତ୍ମକ ପ୍ରତ୍ୟାଖ୍ୟାନ ବୁଦ୍ଧି ଦ୍ୱାରା ପ୍ରେରିତ ହୋଇ ନୁହେଁ, ଏକ ସକାରାତ୍ମକ ଶ୍ରଦ୍ଧାଦୃଷ୍ଟିରେ ସଂଜୀବିତ ହୋଇ ବ୍ରହ୍ମଙ୍କୁ ହିଁ ଏକମାତ୍ର ସତ୍ୟ ବୋଲି ମାନିଥିଲେ ଭାରତବର୍ଷରେ ମଣିଷମାନେ ମଧ୍ୟ ବ୍ରହ୍ମଙ୍କୁ ଧାରଣ କରିଥିବା ଗୋଟିଏ ସଚଳ ସତ୍ୟରୂପେ ଦୃଷ୍ଟିଗୋଚର ହୋଇଥାନ୍ତେ । ତେବେ ଭାରତବର୍ଷ ଅନ୍ୟପ୍ରକାରେ ଗଢ଼ା ହୋଇ ଆସିଥାନ୍ତା । ଭାରତୀୟ ସମାଜ ବ୍ରହ୍ମଭ୍ରଷ୍ଟ ହୋଇ ଏଠି ବଡ଼ ସାନ, ଉଚ୍ଚ ନୀଚର ଭିଆଣ ମୋଟେ କରି ନଥାନ୍ତା; ଏବଂ, ଯିଏ ବ୍ରହ୍ମଙ୍କୁ ହିଁ ଜଗତର ନିର୍ଦ୍ଧାରଣକାରୀ ସତ୍ୟରୂପେ ଗ୍ରହଣ କରି ନେଇଥାନ୍ତି ସିଏ ଭାରତୀୟ ସମାଜକୁ ନାନାମନ୍ତେ ଅତ୍ୟନ୍ତ ମଳିନ କରି ରଖିଥିବା ଦୂରତାଗୁଡ଼ିକୁ କିପରି ସହ୍ୟ କରିପାରିଥାନ୍ତା ? ଭାରି ଭଲ ହେଲା, ଊନ୍ନବିଂଶ ଶତାବ୍ଦୀରୁ ଭାରତବର୍ଷ ବୃହତ୍ତର ପୃଥିବୀର ସଂସ୍ପର୍ଶରେ ଆସିପାରିଲା, ଆଧୁନିକ ବିଜ୍ଞାନର ଆଘାତ ଆସି ତା’ ଦେହରେ ବାଜିପାରିଲା । ଭାରତବର୍ଷ ଆପଣାର ପୁନରାବିଷ୍କାର କଲା, ନିଜକୁ ନୂତନ ନାନା ଅନ୍ୟ ଆଲୋକପ୍ରସ୍ଥ ଦେଇ ସମୀକ୍ଷା କରି ଦେଖିଲା ଏବଂ ଯୁଗ ଯୁଗ ଧରି ତାର ଚକ୍ଷୁଗୁଡ଼ିକୁ ଆଚ୍ଛନ୍ନ କରି ରଖିଥିବା ମାୟାଗୁଡ଼ାକୁ ଚିହ୍ନଟ କରିପାରିଲା । ନୂଆ ଗବାକ୍ଷଗୁଡ଼ିକ ଦେଇ ତା’ ଘରେ ପ୍ରବେଶ କରୁଥିବା ପବନମାନେ ଭାରତବର୍ଷକୁ ତାର ନିଜ ଉଜ୍ଜ୍ୱଳତାଗୁଡ଼ିକ ସହିତ ପରିଚିତ ହେବାରେ ମଧ୍ୟ ସାହାଯ୍ୟ କଲେ, ଅସାରରୁ ସାରକୁ ବାଛି ପାରିବାର ସାମର୍ଥ୍ୟ ଦେଲେ । ଭାରତବର୍ଷ ଆଦୌ ଭୁଶୁଡ଼ି ପଡ଼ିଲାନାହିଁ, ମାତ୍ର ଏକ ନୂତନ ସମୀକ୍ଷା ଲାଗି ଆଖି ପାଇଗଲା । ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ମନୀଷୀମାନେ ଭାରତବର୍ଷକୁ ଅର୍ଥାତ୍ ଭାରତବାସୀଙ୍କୁ ଏକ ନୂତନ ସମଗ୍ରତା ଏବଂ ଜାଗରୂକତାରେ ନିଜର ଘର ଭିତରକୁ ଚାହିଁ ଦେଖିପାରିବା ଲାଗି ଉଦ୍‌ବୋଧନ ଦେଲେ । ଏକ ବିପୁଳ ପରିବର୍ତ୍ତନ ପର୍ଯ୍ୟାୟକୁ ଆମନ୍ତ୍ରିତ କରି ଆଣିଲେ । ମଣିଷକୁ କେନ୍ଦ୍ର କରି ଯେ ଗୋଟିଏ ଦେଶ ବା ଗୋଟିଏ ସଂସ୍କୃତି ଆପଣାକୁ ସମୀକ୍ଷାତ୍ମକ ଭାବରେ ଦେଖିପାରିବ ଏବଂ ସକାରାତ୍ମକ ଭାବରେ ଗଠନ କରିପାରିବ, ସେହିମାନଙ୍କ ପାଖରୁ ହିଁ ସେହି ନୂତନ ପ୍ରତ୍ୟୟଟି ଭାରତବର୍ଷରେ ସଚଳ ହେବାକୁ ଆରମ୍ଭ କଲା । ଭାରତବର୍ଷର ଆଧୁନିକ ଯୁଗ ସେହିଠାରୁ ଦାନା ବାନ୍ଧିଲା । ଯାହା ଜୀର୍ଣ୍ଣ, ତାହାକୁ ଭାଙ୍ଗିଦେବାର ସାହସ ଆଣିଦେଲା । ଉକ୍ତ ପ୍ରକ୍ରିୟାଟି ଏବେ ମଧ୍ୟ ଭାରତବର୍ଷରେ ଚାଲିଛି । ସେହି ପ୍ରକ୍ରିୟାର ଏକ ପ୍ରାରମ୍ଭିକ ସୋପାନ ରୂପେ ଭାରତବର୍ଷ ରାଜନୀତିକ ସ୍ୱାଧୀନତା ହାସଲ କରିଛି । ସ୍ୱରାଜ୍ୟ ବା ସାମାଜିକ ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟଟି ଲାଗି ସଜ ହେଉଛି ।

 

ଯେ କୌଣସି ସମାଜ କହିଲେ ସବାଆଗ ସେହି ସମାଜରେ ବାସ କରୁଥିବା ମଣିଷମାନଙ୍କୁ ହିଁ ବୁଝାଇବ । ଗୋଟିଏ ଦେଶ ହିସାବରେ ଭାରତବର୍ଷରେ ଉଚ୍ଚ ଓ ସୁନ୍ଦର ପର୍ବତମାନ ରହିଛି, ସ୍ୱଚ୍ଛସ୍ରୋତା ବଡ଼ ଓ ସାନ ନଦୀମାନେ ରହିଛନ୍ତି, ହ୍ରଦ ଓ ଅରଣ୍ୟମାନେ ରହିଚନ୍ତି, ତିନୋଟିଯାକ ପାର୍ଶ୍ୱରେ ସାଗର ବେଢ଼ିରହିଛି । ବେଳେବେଳେ ଦେଶ କହିଲେ କବିମାନେ କେତେ ଖୁସୀ ହୋଇ ଏହିସବୁ କଥାର ବର୍ଣ୍ଣନା କରିଛନ୍ତି । ହିମାଳୟକୁ କେଡ଼େ ଖୁସୀରେ ଦେବତାତ୍ମା ବୋଲି କୁହାଯାଇଛି । ଏହି ଯାବତୀୟ ସୌନ୍ଦର୍ଯ୍ୟର ବସ୍ତୁତଃ ଆଦୌ କୌଣସି ପଟାନ୍ତର ହିଁ ନାହିଁ । ଆମର ନିଜ ଘରଟା ଆମକୁ ପୃଥିବୀଯାକରେ ଅଧିକ ସୁନ୍ଦର ଦିଶିବ ହିଁ ଦିଶିବ । ମାତ୍ର, ତା’ଠାରୁ ଅଧିକ ବଡ଼ କଥା ହେଉଛି ଯେ, ଆମେ ମଣିଷମାନେ ଏହି ଦେଶରେ ରହିଛୁ ବୋଲି ଏହି ଦେଶ ପ୍ରକୃତରେ ଏଡ଼େ ସୁନ୍ଦର । ଯେକୌଣସି ଦେଶରେ ସେଠାରେ ବାସ କରୁଥିବା ମଣିଷମାନେ ହିଁ ସେହି ଦେଶର ସବୁଠାରୁ ବଡ଼ ସମ୍ପଦ । ସେଇମାନଙ୍କ ସକାଶେ ସେମାନଙ୍କ ଦେଶରେ ସବୁକିଛି ଧନରତ୍ନ । ସେହିମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାଚୟର ଯେପରି ପରିପୂର୍ଣ୍ଣ ବିକାଶ ହୋଇପାରିବ, ଏବଂ ସେହି ଲକ୍ଷ୍ୟକୁ ସମ୍ମୁଖରେ ରଖି ସେଠାରେ ଅନୁରୂପ ଓ ଉପଯୁକ୍ତ ପରିବେଶଟିଏ ଯେପରି ତିଆରି ହୋଇପାରିବ, ଆମର ଆଖି ସବାଆଗ ସେହି କଥାଟି ଉପରେ ଯାଇ ପଡ଼ି ପାରୁଥିବା ଉଚିତ । ଜାତୀୟତାବାଦର ମୂଳ ଦର୍ଶନଟି ସେହିପରି ଏକ ଅବଧାରଣାକୁ ନେଇ ଆରମ୍ଭ ହୋଇଥିଲା । ମାତ୍ର ତା’ପରେ କେଉଁଠି କ’ଣ ପ୍ରମାଦ ଆସି ପଶିଗଲା କେଜାଣି, ମଣିଷମାନେ ପଛରେ ରହିଗଲେ, ଦେଶ ନାମରେ ନାନାବିଧ ଭାବପ୍ରବଣତା ଓ ଅହମିକା ଚକ୍ରବର୍ତ୍ତୀ ହୋଇ ବସିବାକୁ ମନ କଲେ । ନିଜର ଦେଶକୁ ମାତା ବା ପିତା କହି ପୂଜା କରାଗଲା, ମାତ୍ର ଦେଶର ଅଧିକାଂଶ ମଣିଷ ବହୁ ଅବିବେକ ଏବଂ ଅନ୍ୟାୟର ଶିକାର ହୋଇ ରହିଲେ ।

 

ଏଇଠି ଅତ୍ୟନ୍ତ ସ୍ପଷ୍ଟ କରି କହି ପାରିବାକୁ ହେବ ଯେ, ଗୋଟିଏ ଦେଶ ବା ସମାଜ କହିଲେ ଯାବତୀୟ ଅର୍ଥରେ ସେଥିରେ ବାସ କରୁଥିବା ସବୁ ମଣିଷଙ୍କୁ ବୁଝାଇବ । କାହାକୁ ଆଦୌ ବାଦ୍ ଦିଆ ଯିବନାହିଁ । ଭାରତବର୍ଷର ଋଷିମାନେ ଆତ୍ମାକୁ ମାନିଲେ । ପ୍ରତ୍ୟେକ ମନୁଷ୍ୟର ଆତ୍ମା ତା’ ଭିତରେ ଭଗବାନଙ୍କର ପ୍ରତିଭୂ ହୋଇ ତାକୁ ପରିଚାଳିତ କରୁଛି ବୋଲି ଘୋଷଣା କଲେ । ଭାରତବର୍ଷ ସେହି ଋଷିମାନଙ୍କୁ ଗୁରୁ ବୋଲି ମାନିଲା, ସେମାନଙ୍କୁ କେଡ଼େ ବଡ଼ ଏବଂ ଉଚ୍ଚ ଆସନରେ ନେଇ ବସାଇଦେଲା । ମାତ୍ର, ଏଠି ସମାଜଟିଏ ଚଳିବ ବୋଲି ଯେଉଁ ଅସୁନ୍ଦର ବଣିଜଗୁଡ଼ାକୁ ସିଏ ଆରମ୍ଭ କରିଦେଲା, ସେଥିରେ ଉଚ୍ଚ ଓ ନୀଚ ଦୋରସ୍ତ ହୋଇ ରହିଲେ, ଜାତିଭେଦ ରହିଲା, ବହୁ ଦୂରତାକୁ ପ୍ରାୟ ଧର୍ମ ବୋଲି ମାନି ନିଆଯାଇ ଶୁଦ୍ଧ ନୃଶଂସତାଗୁଡ଼ାକୁ ହିଁ ନିରଙ୍କୁଶ ଭାବରେ ପ୍ରଶ୍ରୟ ଦିଆଗଲା । ଋଷିମାନେ କାହିଁକି ସେଥିରେ କୌଣସି ଆପତ୍ତି କଲେ ନାହିଁ କେଜାଣି ? ମଣିଷ ପାଇଁ ତିଆରି ହୋଇଥିଲେ ମଧ୍ୟ ଭାରତବର୍ଷ ସତେଅବା ଥୋକେ ମଣିଷଙ୍କ ପାଇଁ ଚାଲିଲା, କିଛି ମଣିଷ ବାକି ସମସ୍ତଙ୍କ ଉପରେ ଘୋଡ଼ା ଚଢ଼ି ରହିବାକୁ ନୀତି ବୋଲି କୁହାଗଲା, ଏବଂ ସେହି ଅନୁସାରେ ଅତ୍ୟନ୍ତ ସାମାଜିକ ବେଭାରରେ ସମାଜ ଚଳିବା ନିମନ୍ତେ ତଥାକଥିତ ଶାସ୍ତ୍ରମାନ ଲେଖାଗଲା । ସେହିଭଳି ସମାଜଟିଏ ଚଳୁ ଚଳୁ କୋଟି କୋଟି ମନୁଷ୍ୟ ଘୁଷୁରି ହୋଇ, ଭାଗ୍ୟକୁ ଆଦରି ରହିଲେ । ସେମାନଙ୍କ ମଧ୍ୟରେ ଯଦି ସତକୁ ସତ କେଉଁଠାରେ ଆତ୍ମାଟିଏ ଥିଲା, ତେବେ ସିଏ ତା’ ବିରୁଦ୍ଧରେ ବିଦ୍ରୋହ କଲାନାହିଁ କାହିଁକି କେଜାଣି ? ଭାରତୀୟ ପୁରାଣଗୁଡ଼ିକ ଅନୁସାରେ ଦୈତ୍ୟମାନେ ପ୍ରବଳ ହେଲେ ସ୍ୱୟଂ ଭଗବାନ ପୃଥିବୀକୁ ସେମାନଙ୍କର ଦାଉରୁ ରକ୍ଷା କରିବା ଲାଗି, ଅବତାର ଗ୍ରହଣ କରନ୍ତି । ତେବେ ସମାଜଟାକୁ ଦୈତ୍ୟ ପରି ଭଣ୍ଡୁର କରି ରଖିଥିବା ଅବ୍ୟବସ୍ଥାଗୁଡ଼ିକୁ ଭାଙ୍ଗି ଦେବା ନିମନେ୍ ପୀଡ଼ିତ ମଣିଷମାନଙ୍କ ଭିତରେ ମୁଣ୍ଡ ହୋଇ ରହିଥିବା ଆତ୍ମା କାହିଁକି ଜାଗୃତ ହୋଇ ଉଠିଲା ନାହିଁ ? ସମ୍ଭବତଃ, ରାତିଗୁଡ଼ାକ ଏପରି ବହଳ ଭାବରେ ଏଠି ଘାରି ରହିଥିଲା ଏବଂ ଅନ୍ଧାରଗୁଡ଼ାକ ମିଛ ଧର୍ମଗୁଡ଼ାକର ଛଦ୍ମବେଶ ପିନ୍ଧି ମଣିଷମାନଙ୍କୁ ଭୁଲାଇ ରଖିଥିଲା ଯେ, ମଣିଷ ଭିତରେ ଯେତେ ତଳେ ତା’ର ଆତ୍ମାଟି ରହିଛି, ପ୍ରକୃତ ଖବରଗୁଡ଼ିକ ସେ ଯାଏ ଯାଇ ପହଞ୍ଚି ପାରିନଥିଲା ।

 

ଭାରତବର୍ଷ ଇତିହାସରେ କେବେହେଲେ ସମାଜର ସବୁ ମଣିଷଙ୍କୁ ସମାଜ ଭିତରେ ଗଣାକରିନାହିଁ । ଭାରତର ଶାସ୍ତ୍ରମାନେ ସେ ଆଡ଼କୁ ମନ କରି ବିଶେଷ କୌଣସି ପ୍ରଶ୍ନ ମଧ୍ୟ କରିନାହାନ୍ତି । ଭାରତୀୟ ଦର୍ଶନ ଭିତରେ ସତେଅବା କିଞ୍ଚିତ୍ ଆଶ୍ୱାସନା ଦେବାପାଇଁ ଅଥବା ଭୁଲାଇ ରଖିବାପାଇଁ ପରମେଶ୍ୱର ଆତ୍ମାରୂପେ ସବୁ ମଣିଷ ଭିତରେ ଅବସ୍ଥିତ ରହିଛନ୍ତି ବୋଲି ଅବଶ୍ୟ କୁହାଯାଇଛି ମାତ୍ର କୌଣସି ତତ୍କାଳିକ କାରଣରୁ ସେହି ଉଚ୍ଚ ତତ୍ତ୍ୱଟିକୁ ଗୋଟାଏ କଡ଼କୁ ବା ଅନ୍ତରାଳକୁ ଆଡ଼େଇ ଦିଆଯାଇଛି । ବୋଝେ କର୍ମକାଣ୍ଡର ଅଲରା ଭିତରେ ହୁଏତ ସୂତାଏ ବା ଖିଏ ଜ୍ଞାନକାଣ୍ଡକୁ ପ୍ରାୟ ଗୁପ୍ତକରି ରଖି ଦିଆଯାଇଛି ଏବଂ ପୃଥିବୀରେ ଜୀବନ ଚଳିବାର ଯାବତୀୟ ପ୍ରସଙ୍ଗରେ ଏବଂ ଅବସରରେ ତାହାକୁ ସତେ ଅବା ଜାଣିଶୁଣି ବାଦ୍ ଦିଆଯାଇଛି । ବୋଝେ ତୁଚ୍ଛା ପାଉଁଶ ଭିତରେ ଏତେ ଟିକିଏ ସ୍ଫୂଲିଙ୍ଗ କୋଉଠି ଆତ୍ମଗୋପନ କରି ପ୍ରଧାନତଃ ତତ୍ତ୍ୱାଲୋଚନାର ଆନନ୍ଦ ଲାଗି ରହିଯାଇଛି । ସତ୍ୟଗୁଡ଼ିକୁ ଏପରି ଗୋଟିଏ ବିଶେଷ ଭାଷାର ବ୍ୟୂହ ଭିତରେ ଲୋକଜୀବନରୁ ଏକାବେଳେକେ ଅଲଗା କରି ରଖିଦିଆଯାଇଛି ଯେ, ପ୍ରୟୋଜନବେଳେ ସେଗୁଡ଼ିକ ଆଦୌ କାହାରି କାମରେ ଲାଗେନାହିଁ । ଅପବିତ୍ର ଓ ଅସାର ମାୟାସଂସାର ଭିତରେ ଯେଉଁମାନେ ଅଲଗା ହୋଇ ରହି ସାର ଓ ପବିତ୍ର ହୋଇ ରହିଲେ ବୋଲି ଏକ ଭ୍ରମକୁ ଆଶ୍ରା କରି ରହିବା ନିମନ୍ତେ ମନ କରିଛନ୍ତି, ସତେଅବା ସେହି ମୁଷ୍ଟିମେୟଙ୍କର ଚିଜ୍‌ବିଳାସ ଲାଗି ସେସବୁ ଅବଶ୍ୟ କିଛି ରସଦ ଯୋଗାଇ ଆସିଛନ୍ତି ଭାରତୀୟ ଦର୍ଶନରେ ହୁଏତ ଏହି କଥାଟାହିଁ କାଳେ କାଳେ ଏକ ବୃହତ୍ ବିଡ଼ମ୍ବନା ପ୍ରାୟ ହୋଇ ରହିଛି । ଯାବତୀୟ ପରମାର୍ଥଭାବନାର ହାତଗୋଡ଼ କାଟିଦେଇ ଭାରତୀୟ ଆଧ୍ୟାତ୍ମର ପୂର୍ଣ୍ଣ ପ୍ରତିଷ୍ଠାର କ୍ଷେତ୍ରରେ ସତେଅବା ଏକ ବୃହତ୍ ଲଜ୍ଜା ହୋଇ ରହିଛି । ବୁଦ୍ଧିଆମାନେ ଏହି ସମସ୍ୟାଟିକୁ ଭୁରୁଡ଼ାଇ ଦେବାକୁ କେତେ କ’ଣ ମିହନ୍ତ କରୁଛନ୍ତି ସିନା, ମାତ୍ର ସମ୍ପୂର୍ଣ୍ଣ ସମାଧାନଟିଏ ଦେଖାଇ ପାରୁନାହାନ୍ତି ।

 

ଭାରତବର୍ଷରେ ଏବେ ମଧ୍ୟ ସମାଜ କହିଲେ ସମାଜରେ ବାସ କରୁଥିବା ସବୁ ମଣିଷଙ୍କୁ ବୁଝାଉନାହିଁ । ଏକ ଆଧୁନିକ ଗଣତନ୍ତ୍ରର ବେଢ଼ ଭିତରେ ଜଣମାନଙ୍କର ତାମସା ଲାଗିଛି । ଏବେ ମଧ୍ୟ ଏଠାରେ ମହାନ୍ ସନ୍ନ୍ୟାସୀମାନେ ରହିଛନ୍ତି, ସେମାନେ ନିଜକୁ ସତେଅବା ଅନ୍ୟ ପଂକ୍ତିର ବୋଲି ଦେଖାଇବା ସକାଶେ ବେଦ ଓ ଉପନିଷଦର ମହାନ୍ ମନ୍ତ୍ରଗୁଡ଼ିକର ପାରାୟଣ କରୁଛନ୍ତି, ମାତ୍ର ତେବେ ବାସ୍ତବ ଜୀବନରେ ଭେରେସା ବହୁ କର୍ମକାଣ୍ଡ ଭିତରେ ବୁଡ଼ି ରହିଛନ୍ତି । ସେମାନଙ୍କର ଆତ୍ମା ଅସାଧାରଣ ମଣିଷମାନଙ୍କ ମଧ୍ୟରେ ତତ୍ତ୍ୱତଃ ରହିଥିବା ଆତ୍ମାଠାରୁ ଯାବତୀୟ ପ୍ରକାରେ ଏକ ଶାସ୍ତ୍ରୀୟ ଦୂରତା ରକ୍ଷା କରି ଚଳପ୍ରଚଳ ହେଉଛି । ବେଦାନ୍ତୀମାନେ ମଠାଧୀଶ ବୋଲାଇଲେଣି । ଗାଦୀପ୍ରତି ନିଜର ଆଦ୍ୟତମ ଅନୁରାଗ ରଖିଥିବାରୁ ସଂସାରର ମଣିଷମାନଙ୍କର ପ୍ରତି ଏକ ଶାସ୍ତ୍ରସିଦ୍ଧ ବୈରାଗ୍ୟ ଭାବନାର ଆଚରଣ କରୁଛନ୍ତି । ଭାଗ୍ୟବାଦ ଯାବତୀୟ ଅର୍ଥରେ ପ୍ରଚଣ୍ଡ ହୋଇ ବସିଛି । ଅଳପ ଶିକ୍ଷିତ ସୁଖରେ ଊର୍ଦ୍ଧ୍ୱରେ ରହିବେ ବୋଲି କୋଟି କୋଟିଙ୍କୁ ଅଶିକ୍ଷାର ନାନାବିଧ ଉପେକ୍ଷା ମଧ୍ୟରେ ପ୍ରାୟ ଅଚଳ କରି ରଖି ଦିଆଯାଇଛି । ଧନବାନ୍ ଅଳପ ଅଛନ୍ତି, ଦରିଦ୍ରମାନେ ସତେଅବା ସେହିମାନେ ପୂର୍ଣ୍ଣ ପରିପାଟୀଗୁଡ଼ିକ ମଧ୍ୟରେ ବାସ କରିପାରିବେ ବୋଲି ସେମାନଙ୍କର ଗୋତି ଖଟୁଛନ୍ତି । ବାହାରକୁ ଦେଖିବାକୁ ସମସ୍ତଙ୍କୁ ଏକାଠି ଆକଳନ ଭିତରେ ରଖି ଯୋଜନା ହେଉଛି, ମାତ୍ର କେଉଁଠି କ’ଣ ବିଭ୍ରାଟ ପଶିଯାଉଛି ଯେ, ଯୋଜନାର ରାଜଭାଗସବୁ ସେହି ଉପରେ ଅଳପଙ୍କ ପାଖରେ ଅଟକି ରହିଯାଉଛି । ଦୟା ଓ କିଞ୍ଚିତ୍ ଲୋକହିତୈଷିତା ରୂପରେ ଯେତିକି ତଳଯାଏ ଆସୁଛି, ତାହା ମଣିଷମାନଙ୍କର ଏପଟକୁ ପାଇଲେ ସେପଟକୁ ପାଉନାହିଁ ଓ ସେପଟକୁ ପାଇଲେ ଏପଟକୁ ପାଉନାହିଁ । ଅନ୍ଧାରଗୁଡ଼ାକୁ ଅଧିକ ଦମକାଣିଆ କରି ରଖିବାରେ ଏଇଟା ହୁଏତ ଭାରି ସାହାଯ୍ୟ କରୁଛି,–ଅସହାୟ ମଣିଷମାନେ ଆଁ କରି ଅନାଇଛନ୍ତି । ସେମାନଙ୍କ ଭିତରେ ଯେ ଗୋଟିଏ ମଣିଷ ରହିଛି ସେହି ମଣିଷର ଯେ ଏକ ସମ୍ମାନ ରହିଛି ଏବଂ ସେହି ସମ୍ମାନବୋଧ ସହିତ ନିଜ ଆଡ଼କୁ ଦୃଷ୍ଟିପାତ କରିପାରିବା ମାତ୍ରକେ ଯେ ସିଏ ଆପଣା ଭିତରେ ଅମିତ ଶକ୍ତିର ପରିଚୟ ପାଇବ, ସେକଥା ସିଏ ଯୁଗ ଯୁଗ ଯାବତ୍ କର୍ମବାଦୀ ହୋଇ କୋଉଦିନୁଁ ଭୁଲି ସାରିଲେଣି । ଯେଉଁ ଭଗବାନ୍ ଶୁଆଇ ପକାନ୍ତି, କର୍ମ ଆଦରି ରହିବାକୁ ହିଁ ମଣିଷ ଆଗରେ ମୁକ୍ତ ରହିଥିବା ଏକମାତ୍ର ପନ୍ଥା ବୋଲି ମଣିଷକୁ ଫୁସଲାଇବାରେ ଲାଗିଥାନ୍ତି, ତାଙ୍କୁଇ ମାନି ମାନି ମଣିଷ ଏଠି ଏପରି ଜଡ଼ବତ୍ ହୋଇଗଲାଣି ଯେ, ମଣିଷ ଜାଗୃତ ହେଲେ ଭିତରୁ ଆଉଗୋଟାଏ ପ୍ରକାରର ଭଗବାନ୍ ଯେ ପ୍ରତିବାଦ କରିପାରନ୍ତି, ବିଦ୍ରୋହ କରନ୍ତି ଓ ସହିବାକୁ ମନା କରିଦିଅନ୍ତି, ମଣିଷ ତାହା ପାସୋରି ପକାଇଛି ।

 

ମଣିଷ ଜୀବନର ଆବଶ୍ୟକତା ଏବଂ ତେଣୁ ତା’ର ଅଭିଳାଷଗୁଡ଼ିକ ଏହି ଭୂଇଁଉପରୁ ଏକାବେଳେକେ ଶିଖରଯାଏ ଲମ୍ବିକରି ରହିଛି । ଏଥି ମଧ୍ୟରୁ କେଉଁଟି ଅଧିକ ଜରୁରୀ ଓ କେଉଁଟି କମ୍ ? ଭାରତବର୍ଷର ସାଧୁ ଓ ସଜ୍ଜନମାନେ ପ୍ରାୟ ଏକ ତାମସିକ ଅଜ୍ଞାନର ବଶବର୍ତ୍ତୀ ହୋଇ ବଡ଼ସ୍ତରର ଆବଶ୍ୟକତା ଓ ଅଭିଳାଷଗୁଡ଼ିକୁ ଇହଜୀବନରେ ବହୁ ବନ୍ଧନର କାରଣ ବୋଲି ଦର୍ଶାଇବାକୁ ଖୁବ୍ ଉତ୍ସାହ ଦେଖାଇଛନ୍ତି । ବଡ଼ସ୍ତରଟା ଯେତେବେଳେ ମନୁଷ୍ୟ ଜୀବନର ଏକମାତ୍ର ଉପାସ୍ୟ ସ୍ତରରେ ପରିଣତ ହୁଏ । ସେତେବେଳେ ତାହା ଅତ୍ୟନ୍ତ ସୁନିଶ୍ଚିତ ଭାବରେ ମଣିଷର ବହୁ ବନ୍ଧନର କାରଣ ହୁଏ ଏବଂ ଠିକ୍ ସେହିପରି ସମାନ ଦୃଢ଼ତାର ସହିତ କୁହାଯାଇ ପାରିବ ଯେ, ତଥାକଥିତ ଅନ୍ୟ ଉଚ୍ଚତର ସ୍ତରଗୁଡ଼ିକ ମଧ୍ୟ ଯଦି କେତେ ମନୁଷ୍ୟଙ୍କର ପ୍ରାୟ ଏକମାତ୍ର ଆରାଧ୍ୟ ସ୍ତର ହୋଇ ରହିବାକୁ ମନ କରିଥାଏ, ତେବେ ତାହା ଜୀବନକୁ ବହୁପ୍ରକାରେ ବ୍ୟାଧିଗ୍ରସ୍ତ କରି ରଖେ । ଅସଲ ଅଧ୍ୟାତ୍ମିକ ଜଡ଼ଠାରୁ ଅଧ୍ୟାତ୍ମସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ସୋପାନକୁ ଉଚିତ ସ୍ୱୀକୃତି ଦିଏ ଓ ଏହିପରି ଏକ ସମନ୍ୱିତ ଜୀବନକୁ ହିଁ ଯଥାର୍ଥ ସୁସ୍ଥତା ବୋଲି ଗ୍ରହଣ କରିଥାଏ । ଏବଂ, ଏପାଖରୁ ଏହି ତଳେ ଥାଇ ଏପରି ବି କହିହେବ ଯେ, ଜଡ଼ର ସ୍ତରଟି ଗୋଟିଏ ଦୃଷ୍ଟିରୁ ଦେଖିଲେ ପ୍ରକୃତରେ ଅଧିକ ମହତ୍ତ୍ୱପୂର୍ଣ୍ଣ-କାରଣ ଏଇଟି ସର୍ବପ୍ରଥମ ସ୍ତର ଓ ପରବର୍ତ୍ତୀ ଆଉ ଯାବତୀୟ ସ୍ତର ପାଇଁ ତାହା ମୂଳଦୁଆ ପରି କାର୍ଯ୍ୟ କରିଥାଏ । ମୂଳଦୂଆଟି ମଜବୁତ ଏବଂ ନିର୍ଭରଯୋଗ୍ୟ ହୋଇ ତିଆରି ନହେଲେ ଏକାଧିକ ମହଲା ରହିଥିବା ସମଗ୍ର ଅଟ୍ଟାଳିକାଟି ମଧ୍ୟ ଅତ୍ୟନ୍ତ ଦୁର୍ବଳ ହୋଇ ରହିବାକୁ ବାଧ୍ୟ ହେବ । ଭାରତବର୍ଷରେ ଏହି ମୂଳଟି ଦୁର୍ବଳ ଏବଂ ଉପେକ୍ଷିତ ହୋଇ ରହିଛି ଏବଂ ତାହାହିଁ ଆମର ଏଠାରେ ସାମୂହିକ ଜୀବନର ସମଗ୍ର ଅଟ୍ଟାଳିକାଟି ଦୁର୍ବଳ ଓ ବ୍ୟାଧିତ ହୋଇ ରହିବାରେ କାରଣ ପରି କାର୍ଯ୍ୟ କରୁଛି । ଆମ ସମାଜରେ ପ୍ରାୟ ଅଧେ ମଣିଷଙ୍କ ପାଖରେ ନିତାନ୍ତ ଜଡ଼ସ୍ତରର ଅତ୍ୟାବଶ୍ୟକତାଗୁଡ଼ିକୁ ମେଣ୍ଟାଇବା ସକାଶେ ବଳ ନାହିଁ କି ସମ୍ବଳ ନାହିଁ । ଅଧେ ଭଗବାନଙ୍କୁ ଅସହାୟ ଓ ନିତାନ୍ତ ଅସମର୍ଥ କରି ବାକି ଅଧଟା ସଂସ୍କୃତି ଭିତରେ ଅଛନ୍ତି, ସାହିତ୍ୟ, କଳା ଓ ସୂକ୍ଷ୍ମ ଆହୁରି କେତେ କ’ଣର ଅନୁଶୀଳନ କରୁଛନ୍ତି । ଭାରତବର୍ଷଟା ଭାରି ଅସୁନ୍ଦର ହୋଇ ରହିଛି ।

 

ଭଗବାନ ସବୁ ମଣିଷ ଭିତରେ ଅନନ୍ତ ସମ୍ଭାବନା ଓ ଗୁଣବିକାଶର ପ୍ରତୀକ ରୂପେ ଅବସ୍ଥିତ ରହିଛନ୍ତି ବୋଲି ଅଧ୍ୟାତ୍ମରେ ପ୍ରାୟ ଆବହମାନ କାଳରୁ ଘୋଷିତ ହୋଇ ଆସିଥିବା ସତ୍ୟଟିକୁ ଯଦି ସତକୁ ସତ ପୃଥିବୀରେ ପ୍ରତିଷ୍ଠିତ କରିବାକୁ ହୁଏ, ତେବେ ସବାଆଗ ସବୁ ମଣିଷଙ୍କୁ ସେଥିପାଇଁ ଅତ୍ୟାବଶ୍ୟକ ସର୍ବପ୍ରଥମ ମୂଳଦୁଆଟିକୁ ଯୋଗାଇ ଦେବାକୁ ହେବ । ସେଇଟି ହେଉଛି ଜଡ଼ର ମୂଳଦୁଆ । ଜଡ଼କୁ ନିନ୍ଦା କରୁଥିବା ଚତୁରମାନଙ୍କ କଥାଗୁଡ଼ିକୁ କାନ ଦେଉଥିବା ପର୍ଯ୍ୟନ୍ତ ତାହା ହୁଏତ ମୋଟେ ସମ୍ଭବ ହେବନାହିଁ । ପ୍ରତ୍ୟେକ ମନୁଷ୍ୟ କ୍ଷୁଧାର ଉତ୍ପୀଡ଼ନରୁ ମୁକ୍ତି ପାଇବ, ସେଥିଲାଗି ତା’ହାତରେ ଉପାର୍ଜନକ୍ଷମ କିଛି କାମ ରହିଥିବ, ନିଜ ସଂସାରଟିକୁ ନେଇ ରହିବାପାଇଁ ତା’ ପାଖରେ ନିଜ ଡିହ ଉପରେ ଘରଟିଏ ରହିଥିବ ଓ ତା’ର ପିଲାମାନେ ପାଠ ପଢ଼ି ସ୍ୱପ୍ରତିଭାର ବିକାଶ ନିମନ୍ତେ ପୂର୍ଣ୍ଣ ସୁଯୋଗ ପାଇପାରୁଥିବେ । ଏତକ ହେଉଛି ପୃଥିବୀକୁ ଭଗବାନ ଏବଂ ସତ୍ୟର ନିକଟବର୍ତ୍ତୀ କରାଇ ଆଣିବା ସକାଶେ ଆମର ସର୍ବପ୍ରଥମ ମୂଳଦୁଆ । ସବୁ ମଣିଷଙ୍କ ଭିତରେ ଭଗବାନ ରହିଛନ୍ତି ବୋଲି ଅନୁଭବ କରିପାରିଲେ ଯାଇ ଆମେ ଏ ଦିଗରେ ସାକାରାତ୍ମକ ଭାବରେ ପୃଥିବୀରେ ଆବଶ୍ୟକ ଅନୁକୂଳତାଗୁଡ଼ିକୁ ସମ୍ଭବ କରି ଆଣିବାରେ ପ୍ରକୃତରେ କିଛି କରିପାରିବା । ଉପରେ ଥିବା ଅର୍ଥାତ୍ ସକଳ କ୍ଷମତା ଏବଂ ସମର୍ଥତାକୁ ନିଜ ସୁଖର ଆୟୁଧରୂପେ ବ୍ୟବହାର କରୁଥିବା ଓ କାଳକାଳରୁ ଆମ ସାମୂହିକ ଜୀବନର ଯାବତୀୟ ମୀମାଂସା କରି ଆସିଥିବା ସ୍ଥୂଳ ଚିକଣ ଚଲାଖମାନେ ହୁଏତ ଗରଜରେ ପଡ଼ି କିଞ୍ଚିତ୍ ବଳକା ଅଥବା ଅଇଣ୍ଠାକୁ ସବୁ ମଣିଷଙ୍କ ପାଇଁ ଖର୍ଚ୍ଚ ହେଉ ବୋଲି କାଢ଼ି ଦେଉଥିବେ । ମାତ୍ର ତାହା ପ୍ରକୃତରେ ଯଥାର୍ଥ ମୂଳଦୁଆଟିକୁ ତିଆରି କରିପାରିବ ନାହିଁ । ବରଂ କପଟ ଓ ଛଦ୍ରମଗୁଡ଼ାକୁ ସ୍ଥାୟୀ କରି ରଖିବାରେ ହିଁ ଅଧିକ ସାହାଯ୍ୟ କରିବ । ଏବଂ, ପୃଥିବୀଟା କପଟରେ, କୋପନରେ ଏବଂ ନାନା ଅସୁସ୍ଥ ଅଥଚ ଚତୁର ଲାଳସାଦ୍ୱାରା ପରିଚାଳିତ ହେଉଥିବା ପର୍ଯ୍ୟନ୍ତ ଭଗବାନ ପୃଥିବୀକୁ ଓହ୍ଲାଇ ଆସିବା ନିମନ୍ତେ ଆଦୌ କୌଣସି ବାଟ ବା ଭରସା ମୋଟେ ପାଇପାରିବେ ନାହିଁ ।

 

ଏବଂ ସେପର୍ଯ୍ୟନ୍ତ ଧର୍ମର ମାମଲତକାରମାନେ ପୃଥିବୀକୁ ଭଣ୍ଡିବାରେ ଲାଗିଥିବେ । ବାବାଜୀମାନେ ନାନା ବର୍ଣ୍ଣାଢ଼୍ୟ ଭେକ ପିନ୍ଧି ବୁଲୁଥିବେ ଏବଂ ମନୁଷ୍ୟ ଭିତରର ଅସଲ ଭୋକଗୁଡ଼ିକୁ ପ୍ରଶମିତ କରି ରଖିବାକୁ ବର୍ଣ୍ଣାଢ଼୍ୟ କଥାମାନ କହି ପୃଥିବୀର ଅସ୍ପୃହାଗୁଡ଼ିକ ଭାରି ଅସୁସ୍ଥ ଏବଂ ଅଳସୁଆ କରି ରଖିଥିବେ । ମନ୍ଦିର ମାଳମାଳ ହୋଇ ବଢ଼ୁଥିବ ଏବଂ ମୂର୍ତ୍ତିଗୁଡ଼ାକୁ ହିଁ ଭଗବାନ ବୋଲି ମାନିନେବା ପାଇଁ ଚକ୍ରାନ୍ତ କରୁଥିବ । ଅସଲ ଭଗବାନ ଅର୍ଥାତ୍ ସବାଆଗ ଆମର ଜୀବନକୁ ସଚଳ ଏବଂ ବିମୋଚନକାମୀ କରାଇପାରିବା ନିମନ୍ତେ ଆମ ଭିତରେ ଅପେକ୍ଷା କରି ରହିଥିବା ଭଗବାନଙ୍କର ଆହ୍ୱାନଗୁଡ଼ିକୁ ମଣିଷମାନେ ଯେପରି ମୋଟେ ଶୁଣି ନପାରିବେ, ଧର୍ମ ଯାବତୀୟ ଆୟୋଜନ ଏବଂ ଆକ୍ରମଣ ଦ୍ୱାରା ସେଥିପାଇଁ ଜାଲ ବିଛାଇ ରଖିଥିବ ଏବଂ ନିଜ ଘରଟି ସହିତ ଅଗ୍ନି ସାକ୍ଷାତ ନ ଘଟିଥିଲା ପର୍ଯ୍ୟନ୍ତ କୋଉ ଯୁଗରେ ମଣିଷମାନଙ୍କ ଅସ୍ପୃହାର ଅସଲ ଦ୍ୱାରଗୁଡ଼ାକ କେବେ ଖୋଲିଛି ଯେ ଏଯୁଗରେ ମଧ୍ୟ ଖୋଲିବ ? ଅର୍ଥାତ୍, ଯାବତୀୟ ଯଥାର୍ଥ ଉଦ୍‌ବୋଧନ ତା’ ନିଜ ଭିତରର ସାକ୍ଷାତ୍‌କାରଟି ପାଇଁ ହିଁ ଉଦ୍ଦିଷ୍ଟ ହୋଇ ରହିପାରୁଥିବା ଉଚିତ । ଅଥବା, ହୁଏତ ଏପରି ମଧ୍ୟ ଘଟିବ ଯେ, ସମାଜରେ ସବୁ ମଣିଷଙ୍କ ନିମନ୍ତେ ସର୍ବପ୍ରଥମ ମୂଳଦୁଆଟି ତିଆରି ହୋଇ ଆସିବା ସଙ୍ଗେ ସଙ୍ଗେ ମଣିଷ ସତକୁ ସତ ଅନ୍ତର୍ମୁଖୀ ହେବେ, ଆପଣା ଆଡ଼କୁ ଯଥାର୍ଥ ସମ୍ମାନ ସହିତ ଅନାଇ ଦେଖିପାରିବ, ଆପଣା ଭିତରର ସତ୍ୟଟିକୁ ଅନୁଭବ କରିପାରିବ ଏବଂ ତାହାରି ଫଳରେ ବାହାରଟାକୁ ମଧ୍ୟ ଶ୍ରଦ୍ଧାର ସହିତ ଦେଖିପାରିବାର ହିମ୍ମତଟିଏ ତାକୁ ଅବଶ୍ୟ ପ୍ରାପ୍ତ ହୋଇଯିବ । ଅନ୍ନଚିନ୍ତା ଯେ ଜୀବନର ଏକମାତ୍ର ଚିନ୍ତା ନୁହେଁ,ପେଟ ଯେ ଜୀବନରେ ପୂର୍ଣ୍ଣତାବୋଧ ଲାଭ କରିବାର ଏକମାତ୍ର ଆଧାର ନୁହେଁ, ସବୁ ମଣିଷଙ୍କର ପେଟ ପୂରିଲେ ଏବଂ ଅନ୍ନଚିନ୍ତା ଗଲେ ପ୍ରକୃତରେ ଅଧିକରୁ ଅଧିକ ମଣିଷ ସେହି ଦ୍ୱିତୀୟ ଉପଲବ୍ଧଟି ମଧ୍ୟରେ ଯାଇ ପ୍ରବେଶ କରିପାରିବେ । ତାହାକୁ ମନୁଷ୍ୟ ବିବର୍ତ୍ତନର ଦ୍ୱିତୀୟ ଜନ୍ମ ବୋଲି କୁହାଯିବ-

 

ଏବେ ପୃଥିବୀରେ ଅନ୍ନଲୋଭ ଏବଂ ବସ୍ତୁଲୋଭ ହିଁ ସତେଯେପରି ସର୍ବପ୍ରଥମ ଧର୍ମପରି ହୋଇ ରହିଥିବା ପରି ଯେ ପ୍ରତୀତ ହେଉଛି ଏବଂ ମନରେ ଆତଙ୍କ ସୃଷ୍ଟି କରୁଛି, ତାହାର ସମ୍ଭବତଃ ସବାମୂଳ କାରଣ ହେଉଛି ଯେ ଅନ୍ନ ଓ ବସ୍ତୁର ସ୍ତରରେ ସବୁ ମଣିଷଙ୍କ ପାଇଁ ଆମର ସାମୂହିକ ଜୀବନରେ ସୁସ୍ଥ ସମାଧାନଟିଏ ହୋଇପାରି ନାହିଁ । ଯେଉଁମାନଙ୍କ ପାଖରେ ଯଥେଷ୍ଟ ନାହିଁ ସେମାନେ ଜୀବନଟା ଯାକ ସେତିକିର ସଂସ୍ଥାନରେ ଏପରି ଘାରି ହୋଇ ରହିଛନ୍ତି ଯେ, ଜୀବନରେ ସତକୁ ସତ ଆଉକିଛି ଅନ୍ୟପ୍ରକାରର ଲୋଡ଼ିବା ତଥା ହେବାର ଅବସର ରହିଛି ବୋଲି ସେମାନଙ୍କର ପ୍ରତ୍ୟୟ ହୋଇପାରୁ ନାହିଁ । ପୁନଶ୍ଚ, ଯେଉଁମାନେ ଯଥେଷ୍ଟରୁ ଅଧିକ ଅନ୍ନ ଓ ବସ୍ତୁର ଅଧିକାରୀ ହୋଇ ରହିଛନ୍ତି କାଳେ ବଞ୍ଚିତମାନେ ନିମ୍ନରୁ ଆସି ସେମାନଙ୍କର ଏହି ସୁଖଘରଟିକୁ ଭାଙ୍ଗି ପକାଇବେ ସେମାନେ ସେହି ଭୟରେ ଏକାବେଳେକେ ଆତୁର, ସତର୍କ ଏବଂ ହିଂସ୍ର ହୋଇ ରହିଛନ୍ତି । ଦୁଇଟିଯାକ ପଟେ ହିଁ ଜୀବନ ଅତ୍ୟନ୍ତ ମଳିନ ଏବଂ ଅଧମ ହୋଇ ରହିଛି । ପାହାଚ ଉଠିବା ସତେଅବା ଉଭୟଙ୍କ ନିମନ୍ତେ ନିଷିଦ୍ଧ ହୋଇ ରହିଛି । ପ୍ରାୟ ଯାବତୀୟ ପ୍ରତିଯୋଗିତା ପ୍ରଧାନତଃ ଛଡ଼ାଇନେବା ପାଇଁ ଚାଲିଛି । ଏହି ଅବସ୍ଥାରେ ଜାତୀୟତାବାଦ ପ୍ରକୃତରେ କେତେଦୂର କ’ଣ କରିପାରିବ ? ମଣିଷମାନେ ପରସ୍ପର ପାଖରେ ଆଗ୍ରାହ୍ୟ ହୋଇ ରହିଥିବା ସମୟରେ ଏବଂ ଚଳନ୍ତି ନୈତିକତାମାନେ ମଣିଷମାନେ ଅଲବତ ଅସମାନ ହୋଇ ରହିବେ ବୋଲି ଆଳ ଦେଖାଇ ସମାନ ସୁଯୋଗ ଲାଭର ସର୍ବମୂଳ ନ୍ୟାୟଟିରୁ ସଂପୃକ୍ତ ଅନେକଙ୍କୁ ବଞ୍ଚିତ କରି ରଖିଥିବା ପର୍ଯ୍ୟନ୍ତ ବୋଲିଗୁଡ଼ାକୁ ଯେଡ଼େ ଭାବପ୍ରବଣ କରି ରଖିବାକୁ ଉଦ୍ୟମ କରୁଥିଲେ ମଧ୍ୟ ତୁମେ ତଥାପି ପୃଥିବୀର ଏହି ରୀତିଟାକୁ କିପରି ବଦଳାଇପାରିବ ?

 

ପୃଥିବୀର ଆଧୁନିକ ଇତିହାସ ବରଂ ପ୍ରାୟ ସାକ୍ଷ୍ୟ ଦେଲାପରି କହୁଛି ଯେ, ଯୋଉସବୁ ଦେଶରେ ସବୁ ମଣିଷଙ୍କ ପାଇଁ ସର୍ବନିମ୍ନ ସଂସ୍ଥାନଗୁଡ଼ିକୁ ସମ୍ଭବ କରି ଦିଆଯାଇ ପାରୁଛି, ମଣିଷ ସେଠାରେ ବସ୍ତୁଗୁଡ଼ାକ ପ୍ରତି କ୍ରମେ କମ୍ ଲୋଲୁପ ହେବାକୁ ଆରମ୍ଭ କରୁଛି । ବସ୍ତୁପ୍ରତି ମଣିଷମାନଙ୍କର ଆକର୍ଷଣ କମ୍ ହୋଇଯାଉଛି । ସେହିସବୁ ଦେଶରେ ବା ସମାଜରେ ମଣିଷମାନେ ଅଧିକ କିଛି ଖୋଜୁଛନ୍ତି । ସେଠାରେ ସହନଶୀଳତା ବଢ଼ୁଛି, ଉଦାରତା ବୃଦ୍ଧିପାଉଛି । ନିଜର ସମାଜ ବା ଦେଶଟି ବାହାରେ ଯେ ପୃଥିବୀ ରହିଛି, ସେହି ବିଶ୍ୱାସଟି ଅଧିକ ସାର୍ବଜନୀନ ହୋଇପାରୁଛି । ପୁରାତନ ସମାଜରେ ସଂବଳ ଅଳପ ଥିଲା ଓ ତେଣୁ ସଂବଳଗୁଡ଼ିକୁ ଭୋଗ କରୁଥିବା ମନୁଷ୍ୟ ଅଥବା ବର୍ଗମାନେ ଅଧିକ ପ୍ରବଳ ଥିଲେ, ଭୟ ଓ ଅନ୍ଧବିଶ୍ୱାସ ହିଁ ମଣିଷମାନଙ୍କୁ ଶାସନ କରିବାରେ ଲାଗିଥିଲା । ଭଗବାନଙ୍କର ପୂଜା ଓ ଉପାସନା ହେଉଥିଲା ନିଜର ବିତ୍ତ ଏବଂ ଭାଗ୍ୟଟାକୁ ଅଧିକ ବଳଶାଳୀ କରିବାପାଇଁ । ପେଟପୂରିଲା ବ୍ୟକ୍ତିର ଅତ୍ୟାବଶ୍ୟକତା ଗୁଡ଼ିକ ଯେପରି ଯଥାସମ୍ଭବ ଅଧିକ ପରିମାଣରେ ପୂରଣ ହୋଇପାରିବ, ସେଥିଲାଗି ସମୂହ ଅଧିକରୁ ଅଧିକ ଉତ୍ତରଦାୟୀ ହୋଇ ରହିଲା । ଅର୍ଥାତ୍ ସବୁ ମଣିଷ ସବୁ ମଣିଷଙ୍କ ପାଇଁ ଦାୟୀ ହୋଇ ରହିଲେ । ଦେଶର ଅର୍ଥନୀତି ଓ ରାଜନୀତିକୁ ସେହି ମୁତାବକ ସଜାଡ଼ି ରଖାଗଲା । ସେହି ସମାଜରେ ମଣିଷମାନେ ଆଉ ପରସ୍ପରକୁ ଭୟ କରିବେ କାହିଁକି ? ପରସ୍ପରକୁ ଗିଳି ପକାଇବା ଲାଗି କାହିଁକି ବା ବିଚାର କରିବେ ? ସେହିସବୁ ସମାଜରେ ହିଁ ଶ୍ରଦ୍ଧା ଓ ସଂହତି ଅଧିକ ଚାକ୍ଷୁଷ ହେଲା । କାହାରି ଆଖିରେ କେହି ଆଦୌ ହୀନ ଦିଶିଲେ ନାହିଁ ଅଥବା ଅତ୍ୟୁଚ୍ଚ ହୋଇଥିବାରୁ ତ୍ରାସ ସଞ୍ଚାର କଲେ ନାହିଁ । ସାରାଂଶ ହେଉଛି ଯେ, ସେହି ସର୍ବପ୍ରଥମ ସଂସ୍ଥାନ ଭୂମିଟିର ନିର୍ଭର ସବୁ ମଣିଷଙ୍କ ପାଇଁ ଉପଲବ୍ଧ ହେବାପରେ ମଣିଷମାନେ ଆହୁରି ଆଗକୁ ସାହସ କଲେ । କେତୋଟି ଦେଶରେ ସେହି ନିର୍ଭରଟି ସୁନିଶ୍ଚିତ ହୋଇଯିବା ପରେ ପ୍ରଧାନତଃ ସେହି ଦେଶରୁ ନୂଆ ଚିନ୍ତାଟିଏ ବାହାରି ସମଗ୍ର ପୃଥିବୀଟାକୁ ମଧ୍ୟ ସେହି ସର୍ବନିମ୍ନ ଆଧାରଶିଳାଟି ଯୋଗାଇ ଦେବାର ଚର୍ଚ୍ଚା ଆରମ୍ଭ ହେଲା । ସେହି ଅନୁସାରେ ନୂଆ ଅନୁରୂପ ବିଶ୍ୱ-ଅନୁଷ୍ଠାନଗୁଡ଼ିକର ଉଦ୍‌ଭବ ହୋଇ ଆସିଲା । ଭଗବାନ ପୃଥିବୀର ନିକଟତର ହୋଇ ଆସିଲେ ।

 

ସମସ୍ତଙ୍କ ପାଇଁ ଖାଦ୍ୟ, ସମସ୍ତଙ୍କ ପାଇଁ କାମ, ସମସ୍ତଙ୍କର ନିଜ ଘର ଓ ସବୁ ପିଲାଙ୍କ ନିମନ୍ତେ ଶିକ୍ଷା,–ଏକ ନୂତନ ଅଧ୍ୟାତ୍ମର ସ୍ୱପ୍ନ ଦେଖୁଥିବା ଏବଂ ଉପଲବ୍ଧ ଜ୍ଞାନ ଓ ଧନର ସମ୍ବଳକୁ କାମରେ ଲଗାଇ ତାହାକୁ ସାକାର କରିବାର ପ୍ରଚେଷ୍ଟା, ଆଧୁନିକ ପୃଥିବୀରେ ସମ୍ଭବତଃ ତାହାହିଁ ଭଗବାନଙ୍କର ସାମ୍ରାଜ୍ୟକୁ ଧରାତଳକୁ ଅବତୀର୍ଣ୍ଣ କରାଇ ଆଣିବାର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ମାର୍ଗ ରୂପେ ଖୋଲି ଖୋଲି ଯିବାରେ ଲାଗିଛି । ସେହି ସ୍ୱପ୍ନ ଏବଂ ସେହି ପ୍ରଚେଷ୍ଟା ପୃଥିବୀରେ ଧର୍ମରୁ ଉତ୍ତେଜନାମାନ ସୃଷ୍ଟି କରି ଲାଗି ରହିଥିବା ଝଗଡ଼ାଗୁଡ଼ାକୁ ଅନାବଶ୍ୟକ ବୋଲି ସାବ୍ୟସ୍ତ କରି ଆଣିବ, - ଅନେକ ତଥାକଥିତ ଆଦର୍ଶବାଦୀ ପ୍ରାୟ ଅକାମୀ ହୋଇ ରହିଯିବେ, ଆଦର୍ଶମାନେ ବାସ୍ତବର ମୂଳଦୁଆ ଉପରେ ଉପରକୁ ଉପରକୁ ପଡ଼ିକରି ରହିଥିବା ଏକ ସୋପାନଶ୍ରେଣୀ ପରି ଦେଖାଯିବାକୁ ଆରମ୍ଭ କରିବେ । ପୃଥିବୀଯାକର ମଣିଷଙ୍କ ପାଇଁ ପ୍ରକୃତରେ ଜାଗା ହେଲା ଭଳି ଏବଂ ପ୍ରକୃତ ସ୍ୱୀକୃତି ମିଳିବା ଭଳି ମୂଳଦୁଆଟିଏ ତିଆରି କରିବା ଲାଗି ପୃଥିବୀର ଯାବତୀୟ ବିଚାର ଓ ଯୋଜନା ଅଧିକ ମନୋନିବେଶ କଲେ, ପୃଥିବୀ ପ୍ରାୟ ସବୁ ମଣିଷଙ୍କର ଆଖିପାଆନ୍ତାକୁ ଚାଲି ଆସିଥିବା ପରି ବି ଲାଗିବ । ପୃଥିବୀର ମଣିଷମାନଙ୍କୁ କେତେ ମିଛ ଲାଜ ଛାଡ଼ି ପଳାଇବ,–ଏକ ନୂତନ ପାରସ୍ପରିକତା କ୍ରମେ ସେମାନଙ୍କୁ ସେମାନଙ୍କର ନାନା ଅଭ୍ୟସ୍ତ ମୋହଭିତରୁ ମୁକ୍ତ କରି ଆଣିବ । ଅତ୍ୟନ୍ତ ସ୍ପଷ୍ଟ କଥା ଯେ ଏହାକୁ କେବଳ ଅର୍ଥନୀତି ଅଥବା କେବଳ ରାଜନୀତିର ଏକ କାର୍ଯ୍ୟ ବୋଲି କଦାପି କୁହାଯାଇପାରିବ ନାହିଁ । ବରଂ, ଏପରି କୁହାଯାଇପାରିବ ଯେ, ଏଭଳି ଗୋଟିଏ ଲକ୍ଷ୍ୟସାଧନ ଏବଂ ନବବିଧାନ ପାଇଁ କାମରେ ଲାଗିବାକୁ ଆରମ୍ଭ କଲେ ବର୍ତ୍ତମାନର ଅର୍ଥନୀତି ଓ ବର୍ତ୍ତମାନର ରାଜନୀତି ଉପରୁ ଅନେକ ମଇଳା ଚୋପା ଆପେ ଆପେ ତଳକୁ ଖସିଯିବ ଏବଂ ସେଗୁଡ଼ିକ ଏକ ବିଶ୍ୱମୟ ଅଧ୍ୟାତ୍ମକାର୍ଯ୍ୟର ଗୋଟିଏ ଗୋଟିଏ ଅଂଶ ବୋଲି ଅନୁଭୂତ ହେବେ ।

 

ମଣିଷକୁ ମୂଳ କରି ଗ୍ରହଣ କଲେ, ମଣିଷ କହିଲେ ସବୁ ମଣିଷଙ୍କୁ ବୁଝାଇଲେ ଭାରତବର୍ଷର ସମାଜରେ ଜାତିଗତ ଭେଦ ଅନାବଶ୍ୟକ ହୋଇ ପଳାଇବ । ଏବଂ ଭେଦ ଗଲେ ଦ୍ୱେଷ ବି କାହିଁକି ରହିବ ? କେହି କାହାରିଠାରୁ ଅଲଗା ହୋଇ ଦିଶିବାର ମୋଟେ ମନ୍ଦଚେଷ୍ଟା କରିବେ ନାହିଁ । ବର୍ତ୍ତମାନ ତ ସତେଅବା ଅନ୍ୟ କେତେକଙ୍କ ତୁଳନାରେ ଆପଣାକୁ ଅଧିକ ଉଚ୍ଚ ବୋଲି ଦେଖିଲେ ଯାଇ ନିଜର ପ୍ରକୃତରେ କିଛି ସମ୍ମାନ ଅଛି ବୋଲି ପରତେ ଲାଗୁଛି । ସେତେବେଳେ ଏସବୁ ମିଛ ସମ୍ମାନର ବୋଧ ନିତାନ୍ତ ଅନାବଶ୍ୟକ ହୋଇପଡ଼ିବ । ମଣିଷର ଅସଲ ପରିଚୟ ହେଉଛି ତାର ବ୍ୟକ୍ତିତ୍ୱ, ମଣିଷର ଅସଲ ପରିଚୟ ହେଉଛି ଜଣେ ବ୍ୟକ୍ତି ହିସାବରେ ତାର ପରିଚୟ, ତା’ର ପ୍ରତିଭା, ତା’ ଭିତରେ ରହିଥିବା ଅନ୍ୟମାନଙ୍କ ନିମନ୍ତେ ତା’ର ସଂବେଦନଶୀଳତା । ବର୍ତ୍ତମାନ ପାହାଚ ପାହାଚ ହୋଇ ରହିଥିବା ଭାରତୀୟ ସମାଜରେ ଏଗୁଡ଼ିକ ସ୍ୱୀକୃତ ହେବାଲାଗି ପ୍ରାୟ କୌଣସି ଅବକାଶ ନାହିଁ । ସମସ୍ତଙ୍କ ନିମନ୍ତେ ସର୍ବନିମ୍ନ ମୂଳଦୂଆଟି ତିଆରି ହୋଇଯିବା ପରେ ଯାଇ ସେହି ଅନ୍ୟ ଆଖିଟି ଖୋଲିଯାଇ ପାରିବ, ଯାହାଦ୍ୱାରା କି ଜଣେ ମଣିଷ ଆଉଜଣେ ମଣିଷକୁ ପୂର୍ଣ୍ଣ ସମ୍ମାନର ସହିତ ଜଣେ ମଣିଷ ରୂପେ ଦେଖିବାକୁ ସମର୍ଥ ହେବ । ସେପରି ଏକ ସ୍ଥିତିରେ ମଣିଷ ଭିତରେ ରହିଥିବା ଭଗବାନ କ’ଣ ସତରେ କୌଣସି ଦୁଃଖ କରିବେ ? ନା–ମଣିଷକୁ ଏହି ନୂତନ ସମ୍ବନ୍ଧର ଡୋର ଭିତରେ ପରସ୍ପର ସହିତ ବାନ୍ଧିହୋଇ ରହିଥିବାର ଦେଖିଲେ ତାଙ୍କୁ ମଧ୍ୟ ନବଜନ୍ମ ଲାଭ କରିବାପରି ଲାଗିବ, ତାଙ୍କର ମହୀର୍ଜନ୍ମ ସାର୍ଥକ ହେବାପରି ଅନୁଭୂତ ହେବ ।

 

ଭାରତବର୍ଷରେ ଖାଲି ସମାଜରେ ଜାତିଭେଦ ନାହିଁ, ଦେଶର ପିଲାମାନଙ୍କୁ ମଧ୍ୟ ଥାକ ଥାକ କରି ଓ ଭିନ୍ନ ଭିନ୍ନ କରି ରଖି ସେମାନେ ଯେପରି ଆଦୌ ଗୋଟିଏ ଗୋଟିଏ ନିର୍ମଳ ଏବଂ ପ୍ରୀତିପରାୟଣ ମଣିଷ ହୋଇ ମୋଟେ ବଢ଼ି ନପାରିବ, ସେଥିପାଇଁ ଏକ ଅସଭ୍ୟପ୍ରାୟ ପରିମଳ ସୃଷ୍ଟି କରି ରଖିଯାଇଛି ଓ ଏହି ଦେଶ ତଥା ଏହି ସମାଜ ଯେପରି କେବେହେଲେ ନବଦଳିବ, ସେଥିଲାଗି ସତେଅବା ଏକ ଷଡ଼ଯନ୍ତ୍ର କରି ରଖାଯାଇଛି । ମନେହେଉଛି, ଏହି ଅସଭ୍ୟତାଟା ଭାରତରେ ଆବହମାନ କାଳରୁ ଏପରି ଦୋରସ୍ତ ହୋଇ ଆମର ମଜ୍ଜାଗତ ହୋଇ ଯାଇଛି ଯେ, ଆମେ ସ୍ୱାଧୀନ ହେବାର ଏତେଗୁଡ଼ାଏ ବର୍ଷ ଚାଲିଯିବା ପରେ ମଧ୍ୟ ଆମକୁ ସେହି ପାଜି ବ୍ୟବସ୍ଥାଟା ମୋଟେ ଛାଡ଼ି ପାରୁନାହିଁ । ଭାରତବର୍ଷରେ ସବୁପିଲା ଯେ ସ୍କୁଲକୁ ଯିବେ, ସେହି କଥାଟି ବିଷୟରେ ପ୍ରାଚୀନ କାଳରେ ସମ୍ଭବତଃ କେହି ଚିନ୍ତା ହିଁ କରିନାହାନ୍ତି । ଯେଉଁ କାଳରେ ଏକ ଆଶ୍ରମଶିକ୍ଷାର ଚଳଣି ରହିଥିଲା ବୋଲି ଆମେ କେଡ଼େ ଖୁସୀ ହୋଇ କହିବାକୁ ଇଚ୍ଛାକରୁ, ସେତେବେଳେ ମଧ୍ୟ ସବୁ ପିଲାଙ୍କ କଥା ଆଦୌ ବିଚାରକୁ ଆସି ନଥିଲା । ସେତେବେଳେ ମଧ୍ୟ ଆମର ଏହି ଭୂଖଣ୍ଡଟାରେ ପାଠ ପଢ଼ିବା ବୟସର ଯେତେ ପିଲା ରହିଥିଲେ, ସେମାନେ ବିଦ୍ୟାଶିକ୍ଷା କରି ପାରିବା ନିମନ୍ତେ ଏଠି ଏତେ ଋଷିଆଶ୍ରମ ରହିଥିଲା କି ନାହିଁ, ସେ କଥା ଆମେ ଆମ ପ୍ରତ୍ୟେକଙ୍କର ଅନୁମାନ ଲାଗି ଛାଡ଼ି ଦେଇ ପାରିବା । ଏବେ ବି ଆମ ଭିତରେ ଏପରି ଉତ୍ସାହୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ଗୁରୁକୁଳ ସମୟର ଶିକ୍ଷାବ୍ୟବସ୍ଥା ବର୍ତ୍ତମାନ ଦେଶରେ ପ୍ରଚଳିତ ହେଲେ ଶିକ୍ଷାର ସବୁଯାକ ସମସ୍ୟାରେ ଆମକୁ ଠୋ’ କିନା ସମାଧାନମାନ ମିଳିଯିବ ବୋଲି ବିଶ୍ୱାସ କରୁଛନ୍ତି । ବିଶ୍ୱାସ କରୁଛନ୍ତି କି ନାହିଁ କେଜାଣି, ମଝିରେ ମଝିରେ ଭାରି ଖୁସୀ ହୋଇ କହି ପକାଉଛନ୍ତି । ଗୋଟାଏ ନିତାନ୍ତ ଅନ୍ୟାୟକୁ ଘଣ୍ଟ ଘୋଡ଼ାଇ ରଖିବାକୁ ଏବଂ ଆମ ସମ୍ମୁଖରେ ଶିକ୍ଷା କ୍ଷେତ୍ରରେ ଆସି ଦଣ୍ଡାୟମାନ ହୋଇଥିବା ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାର ଦାୟିତ୍ୱଟିକୁ ଅତ୍ୟନ୍ତ ଭାବପ୍ରବଣ ଭାବରେ କେବଳ ଟାଳି ଦେବାକୁ ସେମାନେ ଯେ କେଡ଼େ ଭୋଳାନାଥିଆ ଭାବରେ ପ୍ରୟାସ କରୁଛନ୍ତି, ସେ କଥା ପୂରା ଧରା ପଡ଼ିଯାଏ ।

 

ପ୍ରତ୍ୟେକ ପିଲାଙ୍କ ଭିତରେ ଯେ ଏକା ଭଗବାନ ଅବଶ୍ୟ ରହିଛନ୍ତି, ଦେବାନ୍ତ ପ୍ରଚାରିତ ହୋଇଥିବା ଏହି ପୁରୁଣା ଦେଶଟାରେ ସେ କଥାକୁ କେହି ଅସ୍ୱୀକାର କରି ପାରିବ ନାହିଁ । ତଥାପି ବ୍ୟବସ୍ଥାର ରଜ୍ଜୁଗୁଡ଼ିକୁ ହାତରେ ଧରିଥିବା ଏ ଦେଶର ବାବୁମାନେ ପିଲାମାନଙ୍କର ଶିକ୍ଷା ନିମନ୍ତେ ପ୍ରାୟ ଜାତି ଓ ସ୍ତର ଅନୁସାରେ ଭିନ୍ନ ଭିନ୍ନ ବରାଦ କରି ରଖିଛନ୍ତି । ଭାରତୀୟ ସାମାଜିକ ଇତିହାସର କୋଉ କାଳରେ ବ୍ରାହ୍ମଣ ତା’ ସନ୍ତାନକୁ ବ୍ରାହ୍ମଣ ବନାଇବାର ଫିସାଦ କରିବାକୁ ଆରମ୍ଭ କଲା ଏବଂ ତା’ର ସେହି ଫିସାଦର ସାମାଜ କଳ୍ପନାକୁ ବଜାୟ ରତ୍କବାର ମତଲବରେ ଶୂଦ୍ର ଘରର ସନ୍ତାନକୁ ଶୂଦ୍ର ହେବାର ତାଲିମ ଦେବାକୁ ବାଧ୍ୟ କଲା, ସେ କଥା ନିଶ୍ଚିତ କରି କହି ହେବନାହିଁ । ମାତ୍ର ତାହାରି ଫଳରେ ଭାରତୀୟ ସାମାଜିକ ଭାଗ୍ୟ ଭିତରୁ ଭଗବାନଙ୍କୁ ପ୍ରାୟ ସୁଚିନ୍ତିତ ଭାବରେ ନିକାଲି ଦିଆଗଲା ଏବଂ ଅଧମମାନଙ୍କୁ ସବୁକାଳ ପାଇଁ ସେବାକାରୀ କରି ରଖିବା ଲାଗି ଉତ୍ତମମାନଙ୍କର ଚକ୍ରାନ୍ତ ଆରମ୍ଭ ହୋଇଗଲା । ଏବେ ଭାରତବର୍ଷରେ ସବୁ ପିଲା ପ୍ରାଥମିକ ସ୍ତରରେ ଗୋଟିଏ ପ୍ରକାରର ପାଠ ପଢ଼ୁନାହାନ୍ତି । ସବୁକାଳ ପରି ଆମର ଏକାଳରେ ମଧ୍ୟ ନୀଚ ବର୍ଗର ଅଧିକାଂଶ ମଣିଷ ଦରିଦ୍ର ହୋଇ ରହିଛନ୍ତି ଏବଂ ଉଚ୍ଚ ବର୍ଗଗୁଡ଼ିକର ଅଧିକାଂଶ ଧନାଢ଼୍ୟ ହୋଇ ରହିଛନ୍ତି । ଏବଂ, ଏକ ଦୁଷ୍ଟ ଯୁକ୍ତି ଦର୍ଶାଯାଇ ତାହାକୁ ମଣିଷର ଭାଗ୍ୟ ବୋଲି କୁହାଯାଉଛି । ପ୍ରତିଭାନାମକ ଏକ ଦ୍ରବ୍ୟ ଯେ କୋଉ ଈଶ୍ୱରଙ୍କର ବରାଦ ଅନୁସାରେ ତାଙ୍କରି ଆଡ଼ୁ ଜାତି ଅନୁସାରେ, ଧନୀଦରିଦ୍ରର ବାଛ ଅନୁସାରେ ବରାଦ ହୋଇ ଆସିଥାଏ, ଆମକୁ ସେହିପରି ଏକ ଯୁକ୍ତିକୁ ମାନିନେବାକୁ ପଡ଼ୁଛି । ଏତେ କାଗଜପତ୍ରମାନେ କେଡ଼େ ଚମତ୍କାର ଭାବରେ ଲେଖା ହୋଇ ରହିଛନ୍ତି । ଆଗେ ଶାସ୍ତ୍ରଗୁଡ଼ିକରେ ଯେପରି ବୃହତ୍ ସତ୍ୟଗୁଡ଼ିକୁ ଗଦା ମାରି ରଖିଦିଆଯାଇଥିଲା ଏବଂ ସମାଜଟା ଅର୍ଥାତ୍ ମଣିଷମାନେ ବଞ୍ଚୁଥିବା ଯାବତୀୟ ସମ୍ବନ୍ଧର ସଂସାରଟା ଅସତ୍ୟ ଭିତରେ ରହିଥିଲା । ଏବେ ମଧ୍ୟ ଆମ ବାବୁମାନେ ବହିମାନଙ୍କରେ ସବୁଯାକ ଭଲ ଅଭିଳାଷ ଓ ଉଚ୍ଚ ସ୍ୱପ୍ନଗୁଡ଼ିକୁ ଖୁନ୍ଦିକରି ରଖିଦେଇଛନ୍ତି ଏବଂ ସତ ପ୍ରକୃତ ସମାଜରେ ବର୍ବର ପରି କୋଟି କୋଟି ମଣିଷଙ୍କୁ ବଞ୍ଚିତ କରି ରଖିଛନ୍ତି । ସେମାନେ ନିଜ ପିଲାଙ୍କୁ ଏଠି ଇନ୍ଦ୍ର କରି ବସାଇବେ ବୋଲି ଅନ୍ୟ କୋଟି କୋଟି ପିଲାଙ୍କର ଆଙ୍ଗୁଠି କାଟିନେବାର ବରାଦ କରିଛନ୍ତି । ତାହାକୁ ହିଁ ଆମ ଦେଶର ଶିକ୍ଷାବ୍ୟବସ୍ଥା ବୋଲି କୁହାଯାଉଛି । ଅଧେ ପିଲା ଆଦୌ କୌଣସି ସ୍କୁଲକୁ ଆସୁନାହାନ୍ତି । ଏମାନଙ୍କ ଭିତରେ ନିମ୍ନ ବର୍ଗର ପିଲା ହିଁ ସର୍ବାଧିକ ଏବଂ ନିମ୍ନ ବର୍ଗର ଅଧିକାଂଶ ମଣିଷ ହିଁ ଦରିଦ୍ର । ଏହି ଦେଶର ସବୁପିଲା ଯଦି ସ୍ୱାଧୀନତା ପରେ ଲେଖା ହୋଇଥିବା ସମ୍ବିଧାନ ଅନୁସାରେ ନ୍ୟଯ୍ୟ ସୁଯୋଗଗୁଡ଼ିକୁ ପାଇପାରି ଥାନ୍ତେ, ତେବେ ଗତ ତିରିଶ ବର୍ଷ ହେଲା ଆମ ଦେଶର କୌଣସି ପିଲା ସ୍କୁଲ୍ ବାହାରେ ଆଦୌ ବୁଲୁନଥାନ୍ତେ । ଏହି ଦେଶରେ ଏବେ ମଧ୍ୟ ଏଡ଼େ ଏଡ଼େ ସାଧୁ, ସନ୍ନ୍ୟାସୀ, ଆଚାର୍ଯ୍ୟ ଓ ଆନନ୍ଦମାନେ ଅଛନ୍ତି, ଅଥଚ ଏହି କଥାଟି ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ପ୍ରାୟ କେହିହେଲେ କହିନାହାନ୍ତି । ସେମାନେ ଦେଶଯାକ ବୁଲି ବେଦାନ୍ତ, ଗୀତଜ୍ଞାନ ଓ ଆହୁରି କେତେ କ’ଣର ପ୍ରଚାର କରିବାରେ ଲାଗିଛନ୍ତି ଓ ପ୍ରଧାନତଃ ଉଚ୍ଚତର ବର୍ଗଗୁଡ଼ିକର ଶ୍ରୋତାମାନଙ୍କୁ ଆପ୍ୟାୟିତ କରୁଛନ୍ତି । ବେଦାନ୍ତର ଯେଉଁସବୁ କଥା ସମାଜରେ ସୁବିଧାଭୋଗୀ ସ୍ତରରେ ରହିଥିବା ମଣିଷମାନଙ୍କ କାନକୁ ଅପ୍ରୀତିକର ଶୁଭିବ, ସେମାନେ ଅର୍ଥାତ୍ ମାନନୀୟ ବକ୍ତାମାନେ ସେଥିପାଇଁ ବେଦାନ୍ତ ଆଲୋଚନାର କେତୋଟି ନିର୍ଦ୍ଦିଷ୍ଟ ଦିଗକୁ ଲୋକସମ୍ମୁଖକୁ ଆଣିବେ ନାହିଁ ବୋଲି ନିଷ୍ପତ୍ତି କରିଛନ୍ତି କି ?

 

ଆମ ଦେଶର ଯେତିକି ପିଲା ସତେଅବା ଭାଗ୍ୟବଳ ହେତୁ ସ୍କୁଲକୁ ଆସୁଛନ୍ତି, ସେମାନଙ୍କୁ ବି ଏକା ପାଠ ପଢ଼ାଯାଉନାହିଁ । କୋଉସ୍ତରର ପିଲା କ’ଣ ପଢ଼ିବ, ସେଥିଲାଗି ଅତ୍ୟନ୍ତ ପାତରଅନ୍ତର ରହିଛି । ଯାହାର ରୁଚି ଯେଉଁପରି, ଯାହା ଭିତରେ ଯେତିକି ପ୍ରତିଭା ରହିଛି, ତାକୁ ସେହି ଅନୁସାରେ ଶିକ୍ଷା ଲାଭ କରିବାର ସୁଯୋଗ ଅବଶ୍ୟ ମିଳିବା ଉଚିତ ବୋଲି ଶିକ୍ଷାର ଯାବତୀୟ ବିଚାର ଓ ବିଜ୍ଞାନ ଅତ୍ୟନ୍ତ ସ୍ପଷ୍ଟ ଭାବରେ କହି ଆସିଥିଲେ ମଧ୍ୟ ଭାରତବର୍ଷରେ ସତେଅବା ଜାଣିଶୁଣି ଆମ ବ୍ୟବସ୍ଥାର ମ୍ୟାନେଜରମାନେ ତାହାର ଖିଲାପ କରୁଛନ୍ତି । ଏକାବେଳେକେ ପ୍ରାଥମିକ ସ୍ତରରେ ଯେଉଁଠାରେ କି ଗୋଟିଏ ପିଲା ଏକ ଦେଶ, ତା’ର ସଂସ୍କୃତି ଏବଂ ତାହାର ନିୟତି ସହିତ ମୂଳଭୂତ ଏକାତ୍ମତାଗୁଡ଼ିକୁ ଅର୍ଜନ କରି ଏହି ଦେଶକୁ ନିଜର ବୋଲି ଗ୍ରହଣ କରି ନେଉଥାନ୍ତା ଓ ସେହି ଦେଶପାଇଁ ନିଜକୁ ଗଢ଼ି ଆଣିପାରୁଥାନ୍ତା ସେଠାରେ ଅତ୍ୟନ୍ତ ନିର୍ବୋଧ ଭାବରେ ପିଲାମାନଙ୍କୁ ନାନା ଥାକରେ ଓ ନାନା ବର୍ଗରେ ବିଭକ୍ତ କରି ଦିଆଯାଉଛି । ସୁଯୋଗ ଗୁଡ଼ିକର ପାତରଅନ୍ତର ବ୍ୟବସ୍ଥା ସେହି ସ୍ତରରୁ ହୋଇଯାଉଛି ଓ ଦେଶର ପିଲାମାନେ ସାତ ଥାକ କିମ୍ବା ସତର ଫାଙ୍କ ହୋଇ ବଢ଼ୁଛନ୍ତି । କିଏ ନିର୍ଧୂମ ଗେହ୍ଲା ହୋଇ ସବୁ ମାରିନେବାପାଇଁ ପାଠ ପଢ଼ୁଛି ତ ଆଉ କିଏ ବଳନ୍ଦଙ୍କ ପରି କୋଉ ସୀମନ୍ତ ବା ମାଲିକର ଯୁଆଳିରେ ଯୋଚା ହୋଇ ଜୀବନଯାକ ଘୋଷାରି ହେବାପାଇଁ ମଣ ହେଉଛି । ଏସବୁ ମତିହୀନ ଆୟୋଜନ ଭିତରେ ଅଧ୍ୟାତ୍ମ ସମ୍ପୂର୍ଣ୍ଣ ଭାବରେ ମାଡ଼ ଖାଇ ଯାଉଛି । ଶ୍ରଦ୍ଧାରେ, ସହାନୁଭବ ଏବଂ ସହାନୁରାଗରେ ସମସ୍ତେ ପରସ୍ପର ଆଡ଼କୁ ଟାଣି ହୋଇ ଆସିବା ପରିବର୍ତ୍ତେ ମଣିଷମାନେ ସତେଅବା ମୋଟେ ସଂସାରଟାକୁ ନଦେଖି ଗୋଟାସୁଦ୍ଧା ନିଜକୁ ଦେଖିବାପାଇଁ ହିଁ ଅସଭ୍ୟ ତାଲିମ ନେଉଛନ୍ତି । ପ୍ରାୟ ଆଗର ବାବାଜୀମାନଙ୍କ ପରି ଉଦାସୀନ ଓ ଉପେକ୍ଷାଜର୍ଜର ହୋଇ ରହୁଛନ୍ତି । ପାରମ୍ପରିକ ଭାରତବର୍ଷ ପରି ଏହି ଆଧୁନିକ ଭାରତବର୍ଷରେ ମଧ୍ୟ ସତେଅବା ସମସ୍ତେ ନିଜ ସୁଖ ଏବଂ ତାହାରି ପ୍ରାପ୍ତିଦ୍ୱାରା ନିଜ ମୋକ୍ଷର ଅନ୍ୱେଷଣ କରୁଛନ୍ତି । ପ୍ରାଚୀନ ମାୟାବାଦର ସତେଯେପରି ଏକ ଆଧୁନିକ ସଂସ୍କରଣ ଭାରି ଗରିମା ଦେଖାଇବାରେ ଲାଗିଛି । ମାୟାବାଦୀମାନଙ୍କର ଭିତରଟା ପ୍ରକୃତରେ କେଡ଼େ ବଧିରା ଯେ ହୋଇପାରେ, ଆଧୁନିକ ଭାରତରେ ତାହାର ନିର୍ଘାତ ନାନା ପ୍ରମାଣ ମିଳିଯାଉଛି ।

 

ଭଗବାନ ଦିଶିଲେ ସବୁ ମଣିଷ ଯଦି ଅବଶ୍ୟ ଦିଶନ୍ତେ, ତେବେ ଦେଶର ପିଲାମାନେ, ସବୁଯାକ ପିଲା, ହୁଏତ ଆମକୁ ସବାଆଗ ଦିଶିବାକୁ ଆରମ୍ଭ କରନ୍ତେ । ମାତ୍ର ଭଗବାନମାନେ ଯେଉଁଠାରେ ନାନାବିଧ ଠାକୁରରେ ପରିଣତ ହୋଇ ରହିଲେ ଏବଂ ଗୋଟାସୁଦ୍ଧା ନିଜର ସୌଭାଗ୍ୟ କାମନା କରୁଥିବା ମଣିଷମାନଙ୍କର ଲାଳସା କ୍ଷେତ୍ରରେ କ୍ରୀଡ଼ନକ ଓ କଣ୍ଢେଇ ହୋଇବସିଲେ, ସେଠି ମଣିଷମାନଙ୍କର ଚରମ ଅବହେଳା ହେବ ହିଁ ହେବ । ମଣିଷପିଲାମାନେ ଅନ୍ୟ କାହାର ପିଲା ହୋଇଥିବାରୁ ଆଦୌ ନିଜର ପିଲା ପରି ଦେଖାଯିବେ ନାହିଁ । ଏକ ସମୂହ ଭାବରେ ଆମ ସମସ୍ତଙ୍କର ସବୁ ପିଲାଙ୍କ ପ୍ରତି ଦାୟିତ୍ୱ ରହିଛି ଏବଂ ଏହି ଦେଶରେ ଭଗବାନଙ୍କର ଅସ୍ତିତ୍ୱ ପ୍ରମାଣ କରିବାକୁ ଅନ୍ତତଃ ସେମାନଙ୍କୁ ଆମ ସଭିଙ୍କର ସମ୍ପଦ ବୋଲି ଗ୍ରହଣ କରିନେବାକୁ ହେବ ବୋଲି ଭାବିବାଲାଗି ଏହି ଦେଶରେ ଖାଲି ବଡ଼ଲୋକମାନଙ୍କର ନୁହେଁ, ଯୋଗୀ ସନ୍ନ୍ୟାସୀମାନଙ୍କର ମଧ୍ୟ ସତେ ଅବା ଆଦୌ କୌଣସି ବେଳ ନାହିଁ । ମଣିଷ ଭିତରେ ହିଁ ଭଗବାନଙ୍କୁ ସତ୍ୟକୁ ଏବଂ ପୃଥିବୀକୁ ଠାବ କରି ନପାରିଲେ ମଣିଷ ହେବାର ଯାବତୀୟ ସମ୍ଭାବନାରେ ପୂର୍ଣ୍ଣ ହୋଇ ରହିଥିଲେ ମଧ୍ୟ କେତେକ ମଣିଷ କିପରି ତଥାପି ପାଷଣ୍ଡ ଏବଂ ମତିଭ୍ରଷ୍ଟ ହୁଅନ୍ତି, ଆମ ଚତୁର୍ଦ୍ଦିଗରେ ଏହି ଦେଶରେ ପଶୁବତ୍‌ ଭୋଗ ଭିତରେ ରହିଥିବା ମଣିଷମାନଙ୍କ ଆଡ଼କୁ ବୃଷ୍ଟିପାତ କଲେ ସବାଆଗ ସେହି କଥାଟା ହିଁ ଆସି ଆଘାତ କରିବାକୁ ଆରମ୍ଭ କରେ । ନିଜ ଭିତରର ସତ୍ୟକୁ ଓ ଭଗବାନଙ୍କୁ କେଡ଼େ ପ୍ରଚଣ୍ଡ ଭାବରେ ଦାବି କରି ରଖିଲେ ମଣିଷମାନେ ଯେ ଏପରି ଉଗ୍ର ଭାବରେ ଆତ୍ମକାମୀ ହୁଅନ୍ତି, ସେହି କଥାଟିକୁ କଳି ଦେଖିବାପାଇଁ ଇଚ୍ଛା ହୁଏ ।

 

ପୃଥିବୀରେ ଏପରି ଏକାଧିକ ଦେଶ ରହିଛି, ଯେଉଁଠାରେ କି ବାପା ଓ ମାଆ ଅର୍ଥଅର୍ଜନର ଯେଉଁ ପାହ୍ୟାରେ ରହିଥିଲେ ମଧ୍ୟ ଦେଶର ସବୁ ପିଲାଙ୍କୁ ଏକା ପାଠ ପଢ଼ାଯାଏ, ପ୍ରତ୍ୟେକ ପିଲାର ପ୍ରତିଭା ଏବଂ ସାମର୍ଥ୍ୟକୁ ବିକଶିତ ହୋଇ ଆସିବା ନିମନ୍ତେ ବାଟ ଛାଡ଼ିଦିଆଯାଏ ଏବଂ ସେଥିରେ ସମଗ୍ର ସମାଜ ହିଁ ପ୍ରସନ୍ନ ଅନୁଭବ କରିଥାଏ । କର୍ମବାଦର ଯାବତୀୟ କ୍ରୂରତାକୁ ସମ୍ଭବତଃ ଏହିପରି ଭାବରେ ଅସ୍ୱୀକାର କରାଯାଏ ଓ ଭାଙ୍ଗି ଦିଆଯାଏ । ଅସଲ ଅଧ୍ୟାତ୍ମ ଯାବତୀୟ ଅର୍ଥରେ ସେହିସବୁ ଦେଶର ବିବେକ ଭିତରେ ଯାଇ ରହିଛି ବୋଲି କହିବାକୁ ଇଚ୍ଛା ହୁଏ । ଭାରତବର୍ଷର ପିଲାମାନେ ସତେଅବା ସେମାନଙ୍କ ଭିତରେ ଯେତେ ଯାହା ସମ୍ଭାବନା ରହିଥିଲେ ମଧ୍ୟ ନିଜ ବାପାମାଆଙ୍କର ଭାଗ୍ୟ ସହିତ ବାନ୍ଧି ହୋଇ ରହିଥାନ୍ତି । କେଡ଼େ ଅଭ୍ୟସ୍ତ ଭାବରେ ସେତିକି ଭିତରେ ବାଧ୍ୟ ହୋଇ ରହିଯାନ୍ତି । ଭାରତବର୍ଷ କେଉଁ ଦୁର୍ବୁଦ୍ଧିରେ ପଡ଼ି ଭଗବାନଙ୍କୁ ମଧ୍ୟ ଜାତିର ଦଉଡ଼ିଟାରେ ବାନ୍ଧି ରଖିଲା କାହିଁକି କେଜାଣି ? ଅର୍ଥାତ୍, ଆମ ଭିତରେ ରହିଥିବା ମନୁଷ୍ୟସୁଲଭ ଯାବତୀୟ ସହଭାବନା ଏବଂ ସଂବେଦନାକୁ ଅତ୍ୟନ୍ତ ନିର୍ମମ ଭାବରେ ବହୁ କ୍ଷୁଦ୍ରତା ଭିତରେ ବାନ୍ଧି କରି ରଖିଦେଲା । ଭାରତବର୍ଷରେ କୋଉଠି ଏପରି ଗୋଟିଏ ଗାଆଁ ରହିଛି, ଯେଉଁଠାରେ କି ଗାଆଁର ସବୁଯାକ ପିଲା କିଏ କୋଉ ଘରର ପିଲା ବୋଲି ପୂରାପୂରି ପାସୋରି ଦେଇ ଏକାଠି ଗୋଟିଏ ଜାଗାରେ ଖେଳି ବି ପାରୁଛନ୍ତି ? ସେମାନଙ୍କର ଆନନ୍ଦଟା ମଧ୍ୟ ଗାଆଁର ସାହି ସାହି ଓ ଜାତି ଜାତି ଅନୁସାରେ ଭାଗ ଭାଗ ହୋଇ ରହିଛି । ଏବଂ, ସେମାନେ ସମସ୍ତେ ଗୋଟିଏ ସ୍କୁଲରେ ଆସି ପାଠ ପଢ଼ିବେ, ଏକା ପାଠ ପଢ଼ିବେ ଓ ଆମ ସମସ୍ତଙ୍କର ସମ୍ପଦ ରୂପେ ସମାଜ ସେମାନଙ୍କର ସମାନ ଯତ୍ନ ନେବ, ଏଇଟା ତ ଆହୁରି ବହୁତ ଦୂରର କଥା । ଉପରବାଲା ହୁଏତ ଚତୁର ବୋଲି ସିନା ନିଜ ଭିତରର ଭଗବାନଙ୍କ ବେକରେ ଢିଙ୍କିଆ ବାନ୍ଧି ରଖିଦେଇ ପାରିଲେ, ମାତ୍ର ବଞ୍ଚିତ ଓ ବହିଷ୍କୃତ ମଣିଷମାନଙ୍କ ମଧ୍ୟରେ ରହିଥିବା ଭଗବାନ ମଧ୍ୟ ଏହି ଅପକଥା ଗୁଡ଼ାକୁ କିପରି ସହ୍ୟକରି ପାରୁଛନ୍ତି ? ଖୋଳଗୁଡ଼ାକୁ ଭାଙ୍ଗିଦେଇ ସିଏ ବାହାରି ଆସୁନାହାନ୍ତି କାହିଁକି ଏବଂ ସିଏ ଯେ ସତକୁ ସତ ସମସ୍ତଙ୍କର ଓ ସାରା ସଂସାରର, ଅଜ୍ଞାନ ଏବଂ ଅବୋଧମାନଙ୍କୁ ସେ କଥା ବୁଝାଇ ଦେଇ ପାରୁନାହାନ୍ତି କାହିଁକି ?

 

ଭଗବାନଙ୍କୁ ସବା ଆଗ ମଣିଷ ଭିତରେ ଠାବ ନ କରି ଯେଉଁ ସମାଜରେ ଓ ଯେଉଁ ଧର୍ମରେ ବାହାରେ ବିଶାଶହେ ବସୁ ବା ପ୍ରତିମା ଭିତରେ ତାଙ୍କୁ ଥାପି ଉପାସନା କରାଯାଉଥାଏ, ସେଠାରେ ଠିକ୍ ଏହିପରି ହୁଏ । ସେଠାରେ ଭଗବାନଙ୍କୁ ଠିକ୍ ଏହିପରି ଦୁର୍ଦ୍ଦଶା ଭୋଗ କରିବାକୁ ହୋଇଥାଏ । ଭଗବାନଙ୍କର ପ୍ରତିମାମାନ ଫାନ୍ଦିବାରେ ଓ ସେହି ଅନୁସାରେ ସମ୍ପ୍ରଦାୟମାନ ଗଠନ କରି ପୁରାଣମାନ ଲେଖିବାରେ ସମ୍ଭବତଃ ଭାରତବର୍ଷ ପରି ଅନ୍ୟ କେଉଁଠି ହେଲେ ଏତେ ଉତ୍ସାହର ପ୍ରଦର୍ଶନ ହୋଇନାହିଁ । ଏବଂ, ସେହି କାରଣରୁ ଭାରତବର୍ଷକୁ ଅନେକ ଅବସରରେ ଏକ ଧର୍ମର ଦେଶ ବୋଲି କୁହାଯାଇଛି, ମଣିଷମାନେ ଯେଉଁଠି ପାରିଛନ୍ତି, ସେଠାରେ ମନ୍ଦିରଟାଏ ଗଢ଼ି ଥୋଇ ଦେଇଛନ୍ତି, ଠାକୁରଟାଏ ଥାପି ପକାଇଛନ୍ତି । ମାତ୍ର, ମଣିଷ ବିଷୟରେ ଉଦାସୀନ ହୋଇ ରହିଛନ୍ତି । ନାନାବିଧ ବାହ୍ୟାଚାର ଭିତରେ ବଣା ହୋଇ ରହିଯାଇଛନ୍ତି । ଏହି ବାହ୍ୟ ଆଚାରଗୁଡ଼ିକୁ ନେଇ ହାସ୍ୟାସ୍ପଦ କଳହମାନଙ୍କର ସର୍ଜନା କରିଛନ୍ତି । ଗୁରୁମାନେ ଏହିସବୁ କଳହ ଜାରି କରି ରଖିବାରେ ଖୁବ୍ ପ୍ରେରଣା ଦେଇଛନ୍ତି । ଭାରତବର୍ଷର ଅଧିକାଂଶ ଧର୍ମପାଣ୍ଡିତ୍ୟ ସତେଅବା ଏହି ଅଳ୍ପତା ଏବଂ ହାସ୍ୟାସ୍ପଦତା ନିମନ୍ତେ ଅଧିକତର ପରିମାଣରେ କାମରେ ଲାଗିଛି । ମଣିଷର ମହିମା ଅତ୍ୟନ୍ତ କ୍ଷୁଣ୍ଣ ହୋଇ ରହିଛି, ମନୁଷ୍ୟ ମନୁଷ୍ୟ ଭିତରେ ରହିଥିବା ସମ୍ବନ୍ଧଗୁଡ଼ିକ ଅତ୍ୟନ୍ତ ଅବଜ୍ଞାପୂର୍ଣ୍ଣ ହୋଇ ରହିଛି । ଏକ ଆଧୁନିକ ପୃଥିବୀର ସାମନା ସାମନି ହୋଇ ଛିଡ଼ା ହେବା ପରେ ମଧ୍ୟ ଭାରତବର୍ଷ ବାହ୍ୟତାଗୁଡ଼ିକୁ ଛାଡ଼ି ସବାଆଗ ମଣିଷମାନଙ୍କୁ ଖୋଜିବା ନିମନ୍ତେ ଖୁବ୍ ବେଶି ମନ କରିନାହିଁ । ନିଜ ଭିତରେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରିପାରିଲେ ଯେ, ମଣିଷ ଗୋଟିଏ ନୂଆ ମହିମାରେ ଏହି ପୃଥିବୀକୁ ଦେଖିବାକୁ ଆରମ୍ଭକରେ, ଏକଥା ଭାରତବର୍ଷର ବହିମାନଙ୍କରେ କେତେ ଅଳଙ୍କାର ଲଗାଇ ଲେଖା ହୋଇଛି ସିନା, ମାତ୍ର ସାମୂହିକ ଜୀବନରେ ଖୁବ୍ ବେଶି ଉକୁଟି ପାରିନାହିଁ ।

 

ସମ୍ଭବତଃ ତାହାରି ଫଳରେ ଅଧିକାଂଶ ମଣିଷ ଅନ୍ଧାର ଭିତରେ ରହି ଯାଇଛନ୍ତି । ତେଣେ ପଣ୍ଡିତମାନେ ଭାରତବର୍ଷ ହିଁ ଯାବତୀୟ ଅଧ୍ୟାତ୍ମକୁ ଜନ୍ମ ଦେଇଛି କହି କେତେ ଆସ୍ଫାଳନ କରିଛନ୍ତି ଏବଂ ତଥାପି ଘରଟାଯାକ ଅନ୍ଧାର ହୋଇ ରହିଛି । ଅହମିକା ବୃଦ୍ଧି ପାଇଛି । ସ୍ପର୍ଶକାତରତାକୁ ହିଁ ଅନେକ ସମୟରେ ଶୁଦ୍ଧତା ବୋଲି କୁହାଯାଇଛି । ଏବଂ, ମଣିଷ ଯେପରି ନିଜ ଭିତରେ ପରିଚୟ ପାଇ ସୋପାନ ପରେ ସୋପାନ ଉଠିଯାଇ ପାରିବ ଏବଂ ସମଗ୍ର ପୃଥିବୀକୁ ନିଜର ଘର ବୋଲି ଗ୍ରହଣ କରିନେବ, ସେଥିଲାଗି ଆବଶ୍ୟକ ମୂଳଦୁଆଟିଏ ମୋଟେ ପଡ଼ିପାରିନାହିଁ । ମଝିରେ ମଝିରେ ପ୍ରତିବାଦ ବ୍ୟକ୍ତ କରି ଅସଲ ସତ୍ୟଗୁଡ଼ିକ ପାଖକୁ ଫେରି ଆସିବାର ଆହ୍ୱାନ ଦେଇ ଦ୍ରଷ୍ଟାମାନେ ନୂତନ ସନ୍ଦେଶର ପ୍ରଚାର କରିଛନ୍ତି । ମାତ୍ର, ସେମାନଙ୍କୁ ଦୁରାଗ୍ରହୀମାନେ ଗୋଟିଏ ଗୋଟିଏ ଠାକୁରରେ ପରିଣତ କରିପକାଇଛନ୍ତି । ଗୌତମ ବୁଦ୍ଧ ଠାକୁର ହୋଇଛନ୍ତି । ଆମେ ଅନେକେ ଆଖିରେ ଦେଖିଥିବା ମହାତ୍ମା ଗାନ୍ଧିଙ୍କୁ ମଧ୍ୟ ଦେଉଳ ଭିତରେ ମୂର୍ତ୍ତି କରି ନେଇ ବସାଇ ଦିଆଯାଇଛି । ତଥାକଥିତ ଜ୍ଞାନୀମାନଙ୍କର ଆଖିକୁ ବହୁବିଧ ଭାବପ୍ରବଣତା ଅତ୍ୟନ୍ତ ଅନମନୀୟ ଭାବରେ ଗ୍ରାସ କରି ରହିଛି । ଅଧିକାଂଶ ମଣିଷଙ୍କର ଦେଖିପାରିବାକୁ ଆଖି ନାହିଁ, ପ୍ରତିବାଦ କରିବାପାଇଁ ସ୍ୱରଟିଏ ନାହିଁ, ସତ୍ୟକୁ ସତ୍ୟ ଏବଂ ଅସତ୍ୟକୁ ଅସତ୍ୟ ବୋଲି ବାଛିନେଇ ପାରିବାକୁ ନିଜ ଭିତରେ କେନ୍ଦ୍ରଟିଏ ନାହିଁ ।

 

ନିଜ ଭିତରେ ମଣିଷ ଯେତେବେଳେ ସେହି କେନ୍ଦ୍ରଟିକୁ ଆବିଷ୍କାର କରେ, ସେତିକିବେଳେ ହିଁ ସିଏ ଭଗବାନଙ୍କୁ ପାଏ । ମାଳିକୁ ତା’ର ବଗିଚାଟିଏ ମିଳିଯାଏ, ବାଟୋଇକୁ ବାଟଟିଏ ମିଳିଯାଏ । ଜୀବନର ନିର୍ଦ୍ଦେଶନା ଦେବାପାଇଁ ଭିତରେ ସଂକଳ୍ପଟିଏ ଜନ୍ମ ଲାଭ କରେ । ଯେଉଁ ସମାଜରେ ଅଧିକାଂଶ ମଣିଷ କେନ୍ଦ୍ରଟିଏ ପାଇଛନ୍ତି, ବାଟଟିଏ ପାଇଛନ୍ତି ଏବଂ ନିଜର ଜୀବନରେ ଏକ ସଂକଳ୍ପ ଦ୍ୱାରା ପରିଚାଳିତ ହେଉଛନ୍ତି, ସେହି ସମାଜରେ ଭଗବାନଙ୍କର ପାଦ ରଖିବାପାଇଁ ଭୂମିଟିଏ ପ୍ରସ୍ତୁତ ହୋଇପାରିଛି ବୋଲି କୁହାଯାଇପାରିବ । ଯେଉଁ ନେତୃତ୍ୱ ଏହି ନାନା ବାହ୍ୟତାର ଅସନାଗୁଡ଼ାକୁ ଡେଇଁଯିବ ଓ ସେହି ଭୂମିଟିଏ ଗଠିତ ହୋଇ ଆସିବା ନିମନ୍ତେ ମଣିଷମାନଙ୍କୁ ଜାଗୃତ କରି ଆଣିବ, ଭାରତବର୍ଷ ସମେତ ସମଗ୍ର ପୃଥିବୀ ଲାଗି ବର୍ତ୍ତମାନ ସେହିପରି ଏକ ନେତୃତ୍ୱର ଅପେକ୍ଷା ରହିଛି । ପୃଥିବୀଯାକର ବସ୍ତୁସ୍ଥିତି କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ସଙ୍କେତ ଦେବାକୁ ଆରମ୍ଭ କଲାଣି ଯେ, ସେହି ନେତୃତ୍ୱ ଏଥର ଏକ ନୂତନ ଚେତନା ରୂପେ ଆବିର୍ଭୂବ ହେବ । ଜଗଦ୍‌ବାସୀଙ୍କୁ ଏହି ଯାବତୀୟ ବାହ୍ୟତା ମଧ୍ୟରୁ ଊର୍ଦ୍ଧ୍ୱକୁ ଉଠିଯିବାର ଏକ ଆବେଦନ ଜଣାଇ ସେହି ଚେତନା ମନୁଷ୍ୟମାନଙ୍କର ଦ୍ୱାରଦେଶରେ ଆସି ଆଘାତ କରିବ । ଯେଉଁମାନେ ସେହି ଆବେଦନକୁ ଶୁଣିବେ, ବୁଝିବେ ଏବଂ ତାହାରିଦ୍ୱାରା ପରିଚାଳିତ ହେବାକୁ ନିଷ୍ପତ୍ତି ନେବେ, ସେମାନଙ୍କୁ ବର୍ତ୍ତମାନର ପ୍ରତିମା ଓ କଣ୍ଢେଇମାନେ ମୋଟେ ଲୋଭ ଦେଖାଇ ଅଟକାଇ ରଖିପାରିବେ ନାହିଁ, ସେମାନେ ନର୍କ ଏବଂ ସ୍ୱର୍ଗର ଛକି ପକାଇ ଆଦୌ କୌଣସି ତୁଳନାତ୍ମକ ଭୀରୁ ଗଣିତର ଜାଲ ଭିତରେ ପଡ଼ିଯିବେ ନାହିଁ । ସେମାନେ କେନ୍ଦ୍ରଟି ଉପରେ ହିଁ ସର୍ବାଧିକ ଆଗ୍ରହ ରଖିବେ ଏବଂ ଭୂମିଟି ନିମନ୍ତେ ହିଁ ସର୍ବାଧିକ ପରିମାଣରେ ତତ୍ପର ହୋଇରହିବେ-। ସେମାନେ ପୂର୍ଣ୍ଣ ଗ୍ରହଣଶୀଳ ହେବେ, ନିଜ ପରି ସମସ୍ତ ପୃଥିବୀଟିକୁ ସ୍ୱୀକାର କରିନେବେ । ସେମାନେ କଦାପି ମାୟାବାଦୀ ହେବେ ନାହିଁ । ମିଛ କହିବେ ନାହିଁ । ଯିଏ ସବା ଆଗ ନିଜ ଭିତରେ ତାଙ୍କର ଅବସ୍ଥିତିକୁ ଅନୁଭବ କରୁଛି, ସିଏ କାହିଁକି ନିଜ ପାଖରେ ମିଛୁଆ ହେବ ? ପୃଥିବୀର ଯୋଉ ଗୁରୁମାନେ ଧର୍ମକୁ ଆଣି ସମ୍ପ୍ରଦାୟ ଭିତରେ କଚାଡ଼ି ଦେଇଛନ୍ତି ସମ୍ଭବତଃ ସେହିମାନେ ହିଁ ମଣିଷମାନଙ୍କର ସବୁଠାରୁ ଅଧିକ କ୍ଷତି କରିଛନ୍ତି । ଏବଂ, ମଣିଷମାନଙ୍କର କ୍ଷତି କରିଥିବାରୁ ହିଁ ଧର୍ମର ମଧ୍ୟ ପ୍ରଭୂତ କ୍ଷତି କରିଛନ୍ତି । ପୃଥିବୀଯାକ ଧର୍ମର କାନି ଓ କେଶଗୁଡ଼ାକୁ ଧରି ଏହି ସମ୍ପ୍ରଦାୟମାନେ ହିଁ ସବୁଠାରୁ ଅଧିକ ଶାସ୍ତ୍ର ଲେଖିଛନ୍ତି ଏବଂ କେତେ ଚାତୁର୍ଯ୍ୟରେ ଭଗବାନଙ୍କର ମୁହଁରେ ମୁଖ୍ୟତଃ ନିଜ ସମ୍ପ୍ରଦାୟଗୁଡ଼ିକର କଥା ହିଁ ଅଧିକ ପରିମାଣରେ କହିଛନ୍ତି । ଭଗବାନ ଯେ ଯାବତୀୟ ସମ୍ପ୍ରଦାୟର ସେପାଖରେ, ସେହି ଅସଲ ସତ୍ୟଟିକୁ ସେମାନେ ସେହି ଭଗବାନଙ୍କର ନାମ ନେଇ ଭୁରୁଡ଼ାଇ ରଖିବାକୁ ଚେଷ୍ଟା କରିଛନ୍ତି କି ? ପୃଥିବୀରେ ପଥଗୁଡ଼ିକୁ ଲକ୍ଷ୍ୟ ସହିତ ସମତୁଲ ଓ ସମବାଚୀ କରି ଦେଖିବାର ଚକ୍ରାନ୍ତ କରିଛନ୍ତି ଏହି ସମ୍ପ୍ରଦାୟମାନେ । ସବୁଯାକ ପଥ ସେହି ଗୋଟିଏ ଲକ୍ଷ୍ୟରେ ନେଇ ପହଞ୍ଚାଇ ଦିଅନ୍ତି ବୋଲି ସିଦ୍ଧ ବାକ୍ୟମାନ ରହିଥିଲେ ମଧ୍ୟ ଗୁରୁମାନେ ଲକ୍ଷ୍ୟଟିର କଥାକୁ ପ୍ରାୟ ଗୌଣ କରିଦେଇ ନିଜର ପ୍ରଦର୍ଶିତ ଏବଂ ପଚାରିତ ପଥଟା ବିଷୟରେ କାହିଁକି ଅଧିକ ଉତ୍ସାହର ସହିତ କହିବାରେ ଲାଗିଥାନ୍ତି, ସେହି କଥାଟିର ମଧ୍ୟ ଏକ ସମୀକ୍ଷା କରାଯିବା ଉଚିତ । ଏହି ଗୋଟିଏ ପ୍ରଦର୍ଶିତ ପଥରେ ଗଲେ ହିଁ ଯେ ଭଗବାନ ମିଳିବେ, ଏପରି ମିଛ କଥାମାନ ପୃଥିବୀର ଗୁରୁମାନେ ଯେ କାହିଁକି କହିଛନ୍ତି, ସେହି କଥାଟିର ପ୍ରକୃତ ଗୁମର ଗୁଡ଼ିକୁ ବାହାର କରିବା ଉଚିତ । ସେମାନଙ୍କର ଉପସ୍ଥିତ ଉପଦ୍ରବଗୁଡ଼ିକୁ ଦେଖି ଅନେକ ସମୟରେ ଏପରି କହିବାକୁ ମଧ୍ୟ ସାହସ ହୁଏ ଯେ, ଯଦି ଗୁରୁମାନେ ନିଜ ସମ୍ପ୍ରଦାୟ ବା ବାଟର କଥା ଅଧିକ ନକହି ଭଗବାନଙ୍କ କଥା ହିଁ କହିଥାନ୍ତେ, ତେବେ ପୃଥିବୀଯାକର ମଣିଷଙ୍କର ବହୁତ ଉପକାର କରିଥାଆନ୍ତେ । ଜଣେ ମଣିଷ ଯେଉଁ ପଥରେ ଯାଉ ପଛକେ, ନିଷ୍ଠାର ସହିତ ବାଟ ଚାଲିଲେ ସିଏ ଯେ ଅବଶ୍ୟ ଭଗବାନଙ୍କର ନିକଟବର୍ତ୍ତୀ ହୋଇପାରିବ, ପୃଥିବୀର ଅଧିକାଂଶ ଗୁରୁ ସେ କଥା କାହିଁକି କହିପାରିଲେ ନାହିଁ କେଜାଣି ?

 

ହୁଏତ ସେହି ଗୁରୁମାନେ ପୃଥିବୀରେ ଭଗବାନଙ୍କର ପ୍ରକାଶ ଇଚ୍ଛା ନକରି ନିଜର ପ୍ରକାଶଟାକୁ ଅଧିକ ଇଚ୍ଛା କରୁଥିଲେ । ଭଗବାନକୁ ଘୋଡ଼ା ପରି ବ୍ୟବହାର କରି ହୁଏତ ନିଜ ନିମନ୍ତେ କୌଣସି ଦୁର୍ଗ ଜୟ କରିବାକୁ ବାହରିଥିଲେ । ବ୍ରହ୍ମ ବା ଈଶ୍ୱରଙ୍କ ନାମରେ ଦିଗ୍‌ବିଜୟ କରି ବାହାରିଥିବା ଓ ନିଜର ମତଟାକୁ ସର୍ବଶ୍ରେଷ୍ଠ ବୋଲି ପ୍ରମାଣ କରିବା ସକାଶେ କେଡ଼େ ଉତ୍ସାହ ଦେଖାଇ ଥିବା ଆଚାର୍ଯ୍ୟ ଏବଂ ମତାଧୀଶମାନଙ୍କର ନଜିର କେବଳ ଭାରତରେ ନୁହେଁ, ସମଗ୍ର ପୃଥିବୀଯାକ ରହିଛି । ନିଜକୁ ପଛରେ ରଖି ଭଗବାନଙ୍କୁ ଲୋଡ଼ିଥିଲେ, ଭଗବାନଙ୍କୁ ନିଜର ନିମିତ୍ତ ରୂପେ ବ୍ୟବହାର କରିବାରେ ପରମ ଆତ୍ମପ୍ରସାଦ ଲାଭ ନକରି ନିଜକୁ ହିଁ ଭଗବାନଙ୍କର ନିମିତ୍ତ କରି ଗଢ଼ିବାରେ ମନ କରିଥିଲେ ଏବଂ ସେହି ଦିଗରେ ପାହାଚ ପାହାଚ ଅଗ୍ରସର ହୋଇଥିଲେ ଗୁରୁମାନେ ସର୍ବପ୍ରଥମେ ମଣିଷକୁ ଦେଖିଥାନ୍ତେ । ମଣିଷମାନଙ୍କ ସହିତ ଏକାତ୍ମତାର ବହୁ ଡୋରରେ ବାନ୍ଧି ହୋଇଯାଇ ପରିଥାନ୍ତେ ଏବଂ ସାରା ସଂସାରର ଉଦୟ-ପ୍ରକ୍ରିୟାରେ ପ୍ରକୃତରେ କେତେ କାମରେ ଲାଗି ପାରିଥାନ୍ତେ । ମାତ୍ର, ମଣିଷଙ୍କୁ ଭଗବାନଙ୍କ ପର୍ଯ୍ୟନ୍ତ ନ ନେଇ ସେମାନେ ତାକୁ ଗୁରୁବାଦର ଭେଳିକି ଭିତରେ ପକାଇ ଦେଇ ଯେ ନିଜର ଏତେ ଗରିମା କରାଇଲେ, ବର୍ତ୍ତମାନ ପୃଥିବୀଯାକର ମଣିଷ ହୁଏତ ତାହାରି ପରିଣାମକୁ ଭୋଗ କରୁଛନ୍ତି । ପୃଥିବୀରେ ମନୁଷ୍ୟମାନଙ୍କର ଜୀବନ ଅତ୍ୟନ୍ତ ପ୍ରଭାହୀନ ହୋଇ ରହିଛି ଏବଂ ତେଣେ ପିଲାମାନଙ୍କୁ କଣ୍ଢେଇ ଦେଇ ଭୁଲାଇ ରଖିବା ପରି ସେମାନଙ୍କୁ ବହୁ ବାହ୍ୟ ଅତିରିକ୍ତତା ଓ ପୌତ୍ତଳିକତା ଭିତରେ କିଳି କରି ରଖି ଦିଆଯାଇଛି । ଈଶ୍ୱର ଚିନ୍ତା ବା ଈଶ୍ୱର ପ୍ରେରଣା ଜଣେ ମନୁଷ୍ୟକୁ ଅଧିକ ସାହସୀ ହିଁ କରନ୍ତା, ମାତ୍ର ସମ୍ଭବତଃ ଅଧିକତର ପରିମାଣରେ ଗୁରୁମାନଙ୍କ ହେତୁ ମନୁଷ୍ୟମାନେ ଅଧିକ ସଂସାରଭୀରୁ ହୋଇ ରହିଛନ୍ତି, ଗେହ୍ଲା ହୋଇ ରହିଛନ୍ତି ବଡ଼ ନିର୍ଭରଶୀଳ ହୋଇ ରହିଛନ୍ତି ।

 

ଲକ୍ଷ୍ୟଠାରୁ ମତଟାକୁ ଅଧିକ ବଡ଼ କରି ଧରିଲେ ମଣିଷ ଉତ୍ତେଜିତ ହୋଇ ରହିବାକୁ ଅଧିକ ଭଲପାଏ । ଏବର ପୃଥିବୀଙ୍କର ଧର୍ମକୁ ଧ୍ୱଜା କରି ଯେଉଁସବୁ ଉତ୍ତେଜନାର ସୃଷ୍ଟି କରାଯାଉଛି, ଏଗୁଡ଼ାକୁ ଆମେ ସିଧା ମତାନ୍ଧତା ବୋଲି କହିପାରିବା ନିଜ ଧର୍ମମତର ପ୍ରସାର ନିମନ୍ତେ ବିଗତ ଯୁଗମାନଙ୍କରେ ରାଜାମାନଙ୍କର ନେତୃତ୍ୱରେ କେତେ ଯୁଦ୍ଧ ହୋଇଛି, କେତେ ରକ୍ତପାତ ଓ ଭଙ୍ଗାରୁଜା ମଧ୍ୟ ହୋଇଛି । ରାଜାମାନେ ନିଜ ରାଜ୍ୟଜୟର ଯୋଜନାରେ ଭଗବାନଙ୍କୁ ଆଣି ବାନ୍ଧି ଦେଇ ମନୁଷ୍ୟମାନଙ୍କୁ କେଡ଼େ ଚତୁରତାର ସହିତ ବାଉଳା କରିପାରିଛନ୍ତି । ଅନେକ ଧର୍ମାନ୍ଧ ଏବଂ ଉତ୍ତେଜିତ ମଣିଷ ଏବେ ମଧ୍ୟ ପୃଥିବୀରେ ରହିଛନ୍ତି, ଯେଉଁମାନେ କି ସେହିସବୁ ଅକାଣ୍ଡଗୁଡ଼ାକୁ ନେଇ ଗର୍ବ ଅନୁଭବ କରୁଛନ୍ତି । ଅନ୍ୟ ଭଗବାନଙ୍କ ଉପରେ ସେମାନଙ୍କର ନିଜ ଭଗବାନଙ୍କର ଜୟ ଏତଦ୍ଦ୍ୱାରା ପ୍ରତିପାଦିତ ହୋଇଛି ବୋଲି ସେମାନେ ଏକ ପ୍ରଚଣ୍ଡ ମୂର୍ଖତାର ସହିତ ଏବେ ମଧ୍ୟ ବିଶ୍ୱାସ କରୁଛନ୍ତି । ଧର୍ମ ଅନୁସାରେ ଅଲଗା ଅଲଗା ଭଗବାନ ପ୍ରକୃତରେ ଅଛନ୍ତି ଅଥବା ମଣିଷମାନେ ହିଁ ମଥା ଗରମ କରି ଭଗବାନଙ୍କୁ ନିଜ ନିଜ ସାହି ଭିତରେ ନେଇ ବାନ୍ଧି ରଖିଛନ୍ତି, ମଣିଷ ସତକୁ ସତ ଭଗବାନଙ୍କୁ ଏବଂ ସତ୍ୟକୁ ଲୋଡ଼ିବାକୁ ମନ କଲେ ସେହି କଥାଟିକୁ ଭାରି ସହଜରେ ହୃଦୟଙ୍ଗମ କରିପାରନ୍ତା । ପୃଥିବୀରେ ଧର୍ମ ନାମରେ ଯେତେ ଯେତେ ଯୁଦ୍ଧ ବିଗ୍ରହ ଲାଗିଛି, ସେଥିରେ ତଥାକଥିତ ଧର୍ମଗୁରୁ ଓ ପ୍ରକୃତରେ କହିଲେ ସାମ୍ପ୍ରଦାୟିକ ଗୁରୁମାନଙ୍କର ଲମ୍ବା ହାତଗୁଡ଼ାକ ଅତ୍ୟନ୍ତ ପରିମାଣରେ ଲିପ୍ତ ହୋଇ ରହିଛନ୍ତି । ସେହି ହାତଗୁଡ଼ିକର ପ୍ରକୋପତା ଆମ ଏଯୁଗରେ ମଧ୍ୟ କମ୍ ମଣିଷଙ୍କୁ ଅଫିମ ଖୁଆଇ ଉତ୍ତେଜିତ କରି ରଖିନାହିଁ । ମଣିଷମାନେ ବାହ୍ୟ ଅର୍ଥରେ ଆଧୁନିକ ହେଲେ ଯେ ସେମାନଙ୍କର ବୁଝିବାଶକ୍ତି ଅଧିକ ପୋଖତ ହୁଏ ସେ କଥାକୁ କଦାପି ସବୁକ୍ଷେତ୍ରରେ ଦାବି କରାଯାଇପାରିବ ନାହିଁ । ଏହି ଆଧୁନିକ ପୃଥିବୀରେ ତଥାପି କମ୍ ଘୃଣା ରହିଛି ? ଅନ୍ୟ ପକ୍ଷରେ, ଆମ ଆଧୁନିକ ପୃଥିବୀର ମଣିଷ ଲାଗି ଯେଉଁସବୁ ଯଥାର୍ଥ ଆହ୍ୱାନ ରହିଛି, ସେହି ଆହ୍ୱାନଗୁଡ଼ିକ ବିଷୟରେ ସଚେତନ ହେଲେ ଯାଇ ସମ୍ଭବତଃ ସିଏ ପୁରାତନ ବିନାଶବୁଦ୍ଧିଗୁଡ଼ାକୁ ପରିହାର କରିବାକୁ ନିଷ୍ପତ୍ତି କରନ୍ତା । ସିଏ ତା’ ଭଗବାନଙ୍କୁ ଏକ ନୂତନ ସମ୍ବନ୍ଧ ଦେଇ ଆବିଷ୍କାର କରିପାରନ୍ତା ।

 

ଧର୍ମନେତାମାନେ ଭଗବାନଙ୍କ ଅପେକ୍ଷା ନିଜକୁ ଅଧିକ ମହତ୍ତ୍ୱ ଦେଇ ଦେଖିଛନ୍ତି ବୋଲି ସମ୍ଭବତଃ ସମ୍ପ୍ରଦାୟଗୁଡ଼ିକୁ ଗଢ଼ିବାରେ ଅଧିକ ମନ ଦେଇଛନ୍ତି । ଭଗବାନ ପଛରେ ରହି ଯାଇଛନ୍ତି, ସଂପ୍ରଦାୟମାନେ ଆଗକୁ ମାଡ଼ି ଯାଇଛନ୍ତି । ମିଛ ଉତ୍ସାହର ମେଘଗୁଡ଼ାକୁ ସୃଷ୍ଟି କରି ପୃଥିବୀରେ ସାମୂହିକ ଜୀବନର ଆକାଶକୁ ଭାରି ଉପଦ୍ର ପୂର୍ଣ୍ଣ ଭାବରେ ଆଚ୍ଛନ୍ନ କରି ରଖିଛନ୍ତି । ଭଗବାନଙ୍କର ନାଆଁରେ ଦୂରତାମାନେ ବୃଦ୍ଧି ପାଇଛନ୍ତି । ଆଉ ଏକ ସମ୍ପ୍ରଦାୟ ତଥା ଧର୍ମଠାରୁ ଗୋଟିଏ ସମ୍ପ୍ରଦାୟ ଓ ଧର୍ମ କିପରି ପୃଥକ୍, ସେହି ବିଷୟରେ ପୃଥିବୀରେ ବେଶି ଆଲୋଚନା କରିଛନ୍ତି । ପାର୍ଥକ୍ୟ ଅର୍ଥାତ୍ ବାହ୍ୟ ବିଧିଗୁଡ଼ାକରେ ପାର୍ଥକ୍ୟ, ଶାସ୍ତ୍ରର ବଖାଣକ୍ଷେତ୍ରରେ ପାର୍ଥକ୍ୟ, ଭେକରେ ପାର୍ଥକ୍ୟ, ଦେଉଳରେ ପାର୍ଥକ୍ୟ । ଯେତେବେଳେ ମଣିଷମାନେ ଭଗବାନଙ୍କୁ ନିଜର ଫରମାଶ ଅନୁସାରେ ଗଢ଼ିବାକୁ ଇଚ୍ଛା କରନ୍ତି, ଫରକଗୁଡ଼ାକ ସେତିକିବେଳେ ସତେଅବା ଅଲଂଘ୍ୟ କୌଣସି ପର୍ବତ ପରି ଦେଖା ଯାଉଥାନ୍ତି । ମାତ୍ର, ଅପର ପକ୍ଷରେ, ଜଣେ ମଣିଷ ସ୍ୱୟଂ ଭଗବାନଙ୍କର ପ୍ରତ୍ୟାଶା ଅନୁସାରେ ତିଆରି ହେବାକୁ ସମ୍ମତ ହୋଇଗଲେ ତାକୁ ଫରକମାନେ କମ୍ ଦିଶନ୍ତି । ଅନ୍ୟ ସମ୍ପ୍ରଦାୟର ମଣିଷମାନେ ମଧ୍ୟ ସାଥୀ ବାଟୋଇ ପରି ଦେଖାଯାଉଥାନ୍ତି । ତେଣୁ, ଝଗଡ଼ା ହେବାର, ଘୃଣା ବଢ଼ିବାର ଆଦୌ କୌଣସି ଅବକାଶ ନଥାଏ । ଭଗବାନଙ୍କ ନାମରେ ରଚିତ ହୋଇଥିବା ଯାବତୀୟ ଶାସ୍ତ୍ରପୁରାଣକୁ ମଣିଷ ତା ନିଜ ସରାଗଗୁଡ଼ାକର ଫରମାଶ ଅନୁସାରେ ଲେଖିଛି । ଏବଂ, ସେହି ଅନୁସାରେ ଭଗବାନଙ୍କର କଥାକୁ ମୋଡ଼ି ଭାଙ୍ଗି ତାଙ୍କ ଆପଣାର ସମ୍ପତ୍ତି ପରି ଦେଖାଇଛି । ସଂସାରତ୍ୟାଗୀ ସମ୍ପ୍ରଦାୟୀମାନେ ହୁଏତ ଭଗବାନଙ୍କୁ ପଛରେ ରଖି ଏହି ସମ୍ପତ୍ତିଗୁଡ଼ାକୁ ହିଁ ଅଧିକ କରି ଦେଖିବାର ଯାବତୀୟ ଉଗ୍ରତା ଦେଖାଇ ଆସିଛନ୍ତି ।

 

ଭଗବାନଙ୍କ ଆଡ଼କୁ ସତକୁ ସତ ଗୋଡ଼ କାଢ଼ି ବାଟ ଚାଲିବାର ଅର୍ଥ ହେଉଛି ନିଜର ଅନ୍ଦାଜ ଏବଂ ଅସ୍ପୃହାଗୁଡ଼ିକର କ୍ଷେତ୍ରରେ ସୋପାନ ପରେ ସେପାନ ଆରୋହଣ କରିବାରେ ଲାଗିଥିବା । ପ୍ରତ୍ୟେକ ମନୁଷ୍ୟ ଗୋଟିଏ ପରିବାରରେ ବା ଗୋଟିଏ ଗୋଷ୍ଠୀରେ ଜନ୍ମଗ୍ରହଣ କରିଥାଏ । ବାହ୍ୟ ପ୍ରକାରେ ଦେଖିଲେ ସେହି ପରିବାରର ଏବଂ ସେହି ଗୋଷ୍ଠୀର ଏକ ଧର୍ମ ରହିଥାଏ । ଅର୍ଥାତ୍‍ ମଣିଷମାତ୍ରକେ ସମସ୍ତେ ଏହି ଅର୍ଥରେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମରେ ହିଁ ଜନ୍ମଗ୍ରହଣ କରି ଥାଆନ୍ତି । ବୟସ ଅନୁସାରେ ମଣିଷ ବୁଦ୍ଧିରେ ବଢ଼େ, ଅନୁଭବରେ ବଢ଼େ ଓ ଅନ୍ଦାଜରେ ବଢ଼େ-। ଉପରକୁ ଉପରକୁ ଉଠିଯାଉଥିବା ସଙ୍ଗେ ସଙ୍ଗେ ସିଏ ଅଧିକ ଦେଖିବାକୁ ପାଉଥାଏ, ଅର୍ଥାତ୍ ତା’ ପରିଚୟର ବୃତ୍ତମାନେ ଅଧିକରୁ ଅଧିକ ପ୍ରସାରିତ ହୋଇ ଯାଉଥାନ୍ତି । ତାହା ହୃଦୟକୁ ମଧ୍ୟ ପ୍ରସାରଣ ଆଣିଦିଏ । ତେବେ ସ୍ୱାଭାବିକ ଭାବରେ ଜଣେ ମଣିଷ କେତେ କେତେ ପୁରୁଣା ପଇତାକୁ ଛିଡ଼ାଇ ଓ ପୁରୁଣା ପିତୁଳାମାନେ ଏଣିକି ମୋତେ ଯଥେଷ୍ଟ ହେବେ ନାହିଁ ବୋଲି ଉପଲବ୍ଧି କରି ନୂଆ ନୂଆ ଉଚ୍ଚତାକୁ ଉଠିଯାଇ ପାରୁଥିବା ଉଚିତ । ଆଧୁନିକ ପୃଥିବୀରେ ଯେତେବେଳେ ସମଗ୍ର ବିଶ୍ୱର ଉପଲବ୍ଧି ଏବଂ ଉତ୍ତରାଧିକାର ସବୁ ମଣିଷଙ୍କର ପହଞ୍ଚ ଭିତରକୁ ଆସିବାରେ ଲାଗିଲାଣି, ପୃଥିବୀର ମଣିଷମାନଙ୍କୁ ତାହା ସଂପୂର୍ଣ୍ଣ ଅପୂତପୂର୍ବ ଏକ ନୂତନ ଚେତନାବୃତ୍ତ ଅର୍ଥାତ୍ ଶ୍ରଦ୍ଧାମଣ୍ଡଳ ଭିତରକୁ ନେଇ ଆସିବାରେ ପ୍ରେରକ ପରି କାର୍ଯ୍ୟ କରୁଥାନ୍ତା । ତାହା ଫଳରେ ମଣିଷ ମଣିଷର ପାଖକୁ ଆସନ୍ତା, ବାହ୍ୟ ଖୋଳଗୁଡ଼ାକ ଖସି ପଡ଼ନ୍ତେ, ମସ୍ତିଷ୍କର ଭେଦରୀତି ଏବଂ କୃତ୍ରିମତାମାନେ ପଛକୁ ରହିଯାଆନ୍ତେ । ଫଳରେ ଆଗାମୀ ମେଦିନୀଟି ପାଇଁ ଏକ ନୂଆ ପ୍ରକାରର ମୂଳଦୁଆ ତିଆରି ହୋଇ ଯାଆନ୍ତା । ମତମାନେ ପରସ୍ପରର ପରିପୂରକ ବୋଲି ଆବିଷ୍କୃତ ହୋଇପାରନ୍ତେ । ଧର୍ମର ଭୂମିକାଟିକୁ ବିଜ୍ଞାନ ଏପରି ଏକାଧିକ ପ୍ରକାରେ ସାହାଯ୍ୟ କରିପାରନ୍ତା ଯେ, ବାହାରେ ଯେଉଁ ଛାଞ୍ଚ ଭିତରେ ରହିଥିଲେ ମଧ୍ୟ ପୃଥିବୀର ମନୁଷ୍ୟମାନେ ନିଜ ଭିତରୁ ଏକ ଯଥାର୍ଥ ଅଧ୍ୟାତ୍ମର ସଙ୍କେତ ପାଇପାରନ୍ତେ । ତାହାରି ସଂକ୍ରମଣରେ ବାହାରଟା ମଧ୍ୟ କେଡ଼େ ଶୁଭଙ୍କର ଭାବରେ ବଦଳିଯାଇ ପାରନ୍ତା ।

 

ମାତ୍ର, କଠୋର ସଂପ୍ରଦାୟ ଦୃଷ୍ଟି ମଣିଷର ଯାବତୀୟ ବିବେକକୁ କାମୁଡ଼ି ଧରିଛି ବୋଲି ସେପରି ହୋଇପାରୁନାହିଁ । ତେଣୁ ଉପରେ ଘୋଷଣାଗୁଡ଼ାକ ଫୁଲି ଫୁଲି କେତେ କ’ଣ କହି ଯାଉଥିବାବେଳେ ପୃଥିବୀରେ ମଣିଷମାନେ ହିଁ ହୁଏତ ସବୁଠାରୁ ଅଧିକ ଅବହେଳିତ ହୋଇ ରହିଛନ୍ତି । ମଣିଷ ମଣିଷ ଭିତରେ ଅତ୍ୟନ୍ତ ଅନିବାର୍ଯ୍ୟ ଭାବରେ ରହି ସେମାନଙ୍କୁ ଯୋଡ଼ି ରଖିଥିବା ସୂତ୍ରଗୁଡ଼ିକ ଭାରି ହାତଛଡ଼ା ହୋଇଯାଇଛି କି କ’ଣ କେଜାଣି, ସମସ୍ତେ କେବଳ ନିଜ ନିଜର ଗୁଳାଟି ଭିତରେ ବାନ୍ଧି ହୋଇ ରହିଛନ୍ତି । ବନ୍ଦୀ ହୋଇ ରହିଛନ୍ତି । ଗୁଳା ଭିତରୁ ବାହାରି ଆସିଲେ ଯେ ଅସଲ ମୁକ୍ତି ସମ୍ଭବ ହୁଏ, ଅଧ୍ୟାତ୍ମର ସେହି ସର୍ବମୂଳ ବିଶ୍ୱାସଟି ପାସୋର ହୋଇ ରହିଲାଣି । ପୃଥିବୀର ଶିକ୍ଷାବ୍ୟବସ୍ଥା ମୂଳତଃ ମଣିଷମାନଙ୍କୁ ଗୁଳା ଭିତରେ ହିଁ ବନ୍ଦୀ ହୋଇ ରହିବାର କୁଶିକ୍ଷା ଦେଉଛି । ଗୁଳାକୁ ଭଗବାନ ବୋଲି ମାନୁଥିବା ମଣିଷମାନେ ବାହାରକୁ ଯେଡ଼େ ପରାକ୍ରମୀ ହୋଇ ଦେଖା ଯାଉଥାନ୍ତୁ ପଛକେ, ସେମାନେ ଭିତରେ ସତେଅବା ଭାରି ଅରକ୍ଷ ହୋଇ ରହିଛନ୍ତି । ବିଫଳତାବୋଧ ବଢ଼ୁଛି ଏବଂ ସେଥିରୁ ଉଗ୍ର ଓ ଏକସିଙ୍ଗିଆ ହେବାପାଇଁ କେତେ ପ୍ରଶ୍ରୟ ମିଳିଯାଉଛି । କେତେ କେତେ ପରାକ୍ରମବୁଦ୍ଧିରେ ପୃଥିବୀର ରାଜନୀତି ଚାଲିଛି, ବିତ୍ତମାନେ ଅଧିକରୁ ଅଧିକ ଆରାମ ଆଣି ଖଞ୍ଜି ଦେଉଛନ୍ତି, ତଥାପି ମଣିଷ ଘରକୁ ଫେରିଆସି ପାରୁନାହିଁ । ନିଜ କେନ୍ଦ୍ରଟି ଆଦୌ କେଉଁଠି ରହିଛି ବୋଲି ପ୍ରତ୍ୟୟ ପାଇପାରୁନାହିଁ । ନିଜ ନିଜ ଗୁଳାରେ ଅଟଳ ରହିବାକୁ ଗୁଳାମାନେ ପରାମର୍ଶ ଦେଉଥିଲେ ମଧ୍ୟ ଭିତରେ ରୋଗୀଟାର ମନରେ ବିଶ୍ୱାସ ଦେଇ ହେଉନାହିଁ । ଏହି ପୃଥିବୀ ଆଉ ମୋଟେ ବେଶୀଦିନ ରହିବ ନାହିଁ ବୋଲି ବିପଦବାଦୀମାନେ ମାଳିକା ବି ଶୁଣାଇଲେଣି । ପୃଥିବୀଯାକ ନାନା ବିକ୍ଷୋଭରେ ଭର୍ତ୍ତି ହୋଇ ରହିଛି । ଅନେକେ ତ ଏଗୁଡ଼ାକ କିଛି ଅଙ୍ଗେ ନିଭାଇବେ ନାହିଁ ବୋଲି ଟେଳାଏ ଟେଳାଏ ଅଫିମ ଖାଇ ଶୋଇ ପଡ଼ୁଛନ୍ତି ।

 

ମଣିଷ ମଣିଷ ପାଖକୁ ଫେରିଆସିଲେ ଯାଇ ପୃଥିବୀ ବଦଳିବ । ମଣିଷମାନେ ପରସ୍ପର ପାଖକୁ ଫେରି ଆସିଲେ ଅର୍ଥାତ୍ ସବାଆଗ ପରସ୍ପରକୁ ଲୋଡ଼ିଲେ ଯାଇ ପୃଥିବୀ ବଦଳିବ-। ବର୍ତ୍ତମାନ ପୃଥିବୀରେ ମଣିଷମାନେ ସତେଅବା ମଣିଷମାନଙ୍କୁ ବାଦ୍ ଦେଇ ଆଉ ସବୁ କିଛିକୁ ଲୋଡ଼ୁଛନ୍ତି । ଧନ ଲୋଡ଼ୁଛନ୍ତି, ଯଶ ଓ ପଦ ଲୋଡ଼ୁଛନ୍ତି, କ୍ଷମତା ଲୋଡ଼ୁଛନ୍ତି । ପରସ୍ପରଠାରୁ ଅଧିକ ସମର୍ଥ ଏବଂ ଅଧିକ ସମ୍ପନ୍ନ ବୋଲି ନିଜକୁ ଦେଖାଇବେ ବୋଲି ପରସ୍ପର ସହିତ ପ୍ରତିଯୋଗିତା ଲଗାଇଛନ୍ତି । ହୃଦୟର ଭୂମିରେ ସେମାନେ ଖୁବ୍‌ବେଶି ନିଜ ନିଜର ପରିବାର, ଦେଶ, ଜାତି ଅଥବା ଧର୍ମଯାଏ ଆସି ପାରିଛନ୍ତି ସିନା, ସତେଅବା ସେହିଠାରୁ ହିଁ ଅଟକି ରହିଯାଇଛନ୍ତି । ନିଜ ନିଜ ପିତୁଳାମାନଙ୍କୁ ଆଳ କରି କଳହ ଲଗାଇଛନ୍ତି । ଏସବୁ ଯିବାକୁ ଆରମ୍ଭ କରିବ, ଯଦି ମଣିଷମାନେ ପରସ୍ପର ପାଖକୁ ଫେରି ଆସିବେ । ମଣିଷ ନିଜ ପାଖକୁ ଫେରି ଆସିବ, ନିଜ ଭିତରେ ହିଁ ସେ ସତ୍ୟ ଏବଂ ଭଗବାନଙ୍କ ନିମନ୍ତେ ଆସ୍ଥାନଟିଏ ତିଆରି କରିବାକୁ ଅଧିକ ମନ ଦେବ । ଗୁଳାମାନେ ମଣିଷମାନଙ୍କୁ ନିଜ ନିଜ ଅକ୍ତିଆରରେ ରଖିବାର ଆଉ କୌଣସି ଚେଷ୍ଟା କରିବେ ନାହିଁ । ଗୁରୁମାନେ ସଚେତନ ହେବେ, ଆପଣାକୁ ଗୌଣ କରି ଆଗ ଭଗବାନଙ୍କୁ ଦେଖିବେ ଓ ସେହି ଭଗବାନଙ୍କୁ ସବାଆଗ ମଣିଷମାନଙ୍କ ଭିତରେ ଦେଖିବେ । ମଣିଷମାନଙ୍କ ଲାଗି ଟାଣ ମୂଳଦୁଆଟିଏ ଗଢ଼ିଦେବା ହିଁ ଧର୍ମ ସମେତ ଯାବତୀୟ ଜ୍ଞାନ ଓ ବିଜ୍ଞାନର ସବାମୂଳ ଧ୍ୟେୟ ହୋଇ ରହିବ । ମଣିଷ ମଣିଷ ଭିତରେ ବାହାରେ ଓ ଭିତରେ କେତେ କେତେ ଫରକ ରହିଆସିଛି । ମଣିଷମାନଙ୍କର ସ୍ୱଭାବରେ ଫରକ ରହିଆସିଛି । ତଥାପି ସବାମୂଳରେ ଯେଉଁସବୁ ସାମଞ୍ଜସ୍ୟ ରହିଛି, ତାହାରି ପରିପ୍ରେକ୍ଷୀରେ ଫରକଗୁଡ଼ିକର ବିଚାର କରାଯିବ । ମାତ୍ର, ମଣିଷମାନେ, ଗୁରୁମାନେ, ନେତାମାନେ ମଣିଷମାନଙ୍କ ଉପରେ, ଭଗବାନଙ୍କ ଉପରେ ଏବପରି ଆଉ ବାହାଦୁରୀ ଦେଖାଇବାକୁ ଇଚ୍ଛା ନ କଲେ ସିନା ସେ କଥା ହେବ !

 

ସବାମୂଳରେ ମଣିଷ ରହିଲେ ଗୁଣ ଥିବା, ଜ୍ଞାନ ଥିବା ଏବଂ ସାମର୍ଥ୍ୟ ରହିଥିବା ମଣିଷମାନେ ସବାଆଗ ଆମର ଏହି ପୃଥିବୀକୁ ବଦଳାଇବାକୁ ହିଁ ଚେଷ୍ଟା କରିବେ । ସବୁ ମଣିଷଙ୍କ ପାଇଁ ଏକାବେଳେକେ ଚିନ୍ତା କଲେ ସେମାନଙ୍କର ମୁଣ୍ଡରୁ ବର୍ତ୍ତମାନ ବାହାରୁଥିବା ରାଜନୀତି, ଅର୍ଥନୀତି ଏବଂ ଅନ୍ୟ ଯାବତୀୟ ନୀତି ଅନ୍ୟପ୍ରକାରେ ହେବ । ତାହାରି ଫଳରେ ଏହି ପୃଥିବୀଯାକ ଏକାବେଳେକେ ଏକ ଅନ୍ୟପ୍ରକାର ପ୍ରତ୍ୟୟର ସୃଷ୍ଟି ହେବ, ଯାହାଫଳରେ କି ମନୁଷ୍ୟମାନେ ମନୁଷ୍ୟମାନଙ୍କର ନିକଟବର୍ତ୍ତୀ ହୋଇ ଆସିବେ ସେମାନଙ୍କ ଠାରୁ ହୁରୁଡ଼ି ପଳାଇ ଯିବାଲାଗି ଆଦୌ ଆବଶ୍ୟକ ମନେ କରିବେ ନାହିଁ । ଏବର ଗୁରୁମାନଙ୍କର ଆଣ୍ଟ ବାହାରିଯିବ । ସେମାନେ ମଧ୍ୟ ସର୍ବ ପ୍ରଥମେ ଆପଣାକୁ ଜଣେ ଜଣେ ମଣିଷ ବୋଲି ଦେଖିବେ ଏବଂ ମଣିଷ ସହିତ ଏକାଠି ଠିଆ ହେବେ । ମଣିଷର ଏହି ପୃଥିବୀକୁ ସତେଅବା ଏକ ହିଂସ୍ର ଅରଣ୍ୟ ବୋଲି ଭାବି ଡରି ଉଗ୍ର ହୋଇ ମୋଟେ ଆଉ କେଉଁ ଏକାନ୍ତକୁ ପଳାଇଯିବେ ନାହିଁ । ସଂସାରକୁ ଅଶୁଦ୍ଧ ବୋଲି କହି ନିଜର ଅଲଗା କେଉଁ ଗାତ ଭିତରେ ଶୁଦ୍ଧ ହୋଇ ରହିବାର ଉତ୍ସାହ ଦେଖାଇବେ ନାହିଁ । ସେମାନେ ଏହି ସଂସାରରେ ରହିବେ । ନିଜର ସାଧନା ବଳରେ ସେମାନେ ଯେ ଅଧିକ କିଛି ଅର୍ଜନ କରିଛନ୍ତି, ତାହାର ପ୍ରକୃତ ପ୍ରମାଣ ସେମାନେ ଏହି ପୃଥିବୀରେ ହିଁ ଦେବେ । ମଣିଷଜଣେ ଅଧିକ ଯୋଗ୍ୟ ହୋଇପାରିଲା ବୋଲି ସିଏ ଅଲଗା ହୋଇ ପଳାଇବ କାହିଁକି, ଅଧିକ ଆଲୋକର ଭାଜନ ହୋଇପାରିଲା ବୋଲି ଅନ୍ଧାର ଭିତରୁ ଚମ୍ପଟ ଦେବ କାହିଁକି ? ଆଲୋକର ଅସଲ ପରୀକ୍ଷା ଏହି ଅନ୍ଧାରକୁ ଦୂର କରିବାର ଯାବତୀୟ କ୍ଷେତ୍ରରେ ହିଁ ହେବ । ନହେଲେ ତଥାକଥିତ ଅଲଗା ଭେକସବୁ ପିନ୍ଧିଥିବା ସେହି ବିଶେଷମାନେ ନିଜ ଭିତରେ ହୁଏତ ବହୁତ ବହୁତ ଅନ୍ଧାରକୁ ଆଶ୍ରୟ କରି ରହିଛନ୍ତି ବୋଲି ପ୍ରମାଣିତ ହୋଇଯିବ ।

 

ଆଧ୍ୟାତ୍ମର ଅସଲ ପରୀକ୍ଷା ଏହି ପୃଥିବୀରେ, ଅସଲ ସାହସର ପରୀକ୍ଷା ଏହି ପୃଥିବୀକୁ ହିଁ ଭଗବାନଙ୍କର ଯୋଗ୍ୟ କରି ଗଢ଼ିଆଣିବାରେ । ପ୍ରଧାନତଃ ନିଜର କୌଣସି ଦୁର୍ମତି ଏବଂ ଦୁର୍ଗତି ହେତୁ ଯେଉଁ ମଣିଷମାନେ ସଂସାରତ୍ୟାଗୀ ହୋଇଛନ୍ତି ଓ ବାହାରୁ ଥାଇ ପୃଥିବୀକୁ ବାଟରେ ରଖିବାକୁ ଉପଦେଶ ଦେଉଛନ୍ତି, ସେମାନେ ଏହିଭଳି ଏକାନ୍ତବାସୀ ହେବାର ଜୀବନଟିଏ ଆବୋରି ନେବାଦ୍ୱାରା ହିଁ ପରୋକ୍ଷ ଭାବରେ ନିଜ ଭିତରେ ପ୍ରକୃତରେ ସେହି ସାହସ ନାହିଁ ବୋଲି ପ୍ରମାଣିତ କରି ଦେଇଛନ୍ତି । ସାହସ ନାହିଁ, ତେଣୁ ବିଶ୍ୱାସ ମଧ୍ୟ ନାହିଁ । କାରଣ ଜଣେ ଯଥାର୍ଥ ଭଗବତ୍ ବିଶ୍ୱାସୀ ସାହସୀ ବ୍ୟକ୍ତି ପୃଥିବୀକୁ ଛାଡ଼ି ପଳାଇ ଯିବାଲାଗି ହୁଏତ ଆଦୌ କୌଣସି ଆବଶ୍ୟକତା ହିଁ ଅନୁଭବ କରିବନାହିଁ । ଏବଂ ସଂସାରତ୍ୟାଗୀମାନେ ସବାଆଗ ଏହି ମଣିଷ ଭିତରେ ଭଗବାନ ରହିଛନ୍ତି ବୋଲି କହିବାକୁ କଦାପି ନିରାପଦ ମନେକରିବେ ନାହିଁ । ସେହିମାନେ ହିଁ ଯାବତୀୟ କାମୁକତାର ଇନ୍ଦ୍ରଜାଲ ସୃଷ୍ଟି କରି ମଣିଷମାନଙ୍କୁ ମନ୍ଦିର ଭିତରକୁ ଓ ମୂର୍ତ୍ତିଗୁଡ଼ାକ ଭିତରକୁ ଅନ୍ୟମନସ୍କ କରିନେବାର ପ୍ରୟାସ କରିବାରେ ଲାଗିଥିବେ । ପ୍ରତ୍ୟେକ ମନୁଷ୍ୟ ନିଜ ମଧ୍ୟରେ ସତ୍ୟ ଓ ଭଗବାନଙ୍କୁ ଆବିଷ୍କାର କରବାପାଇଁ ଆଗ୍ରହୀ ହେଲେ ଏବଂ ଆପଣାର ତପଃଶକ୍ତିକୁ ସେଇଥିରେ ଲଗାଇବାକୁ ମନକଲେ ଗୁରୁବାଦ ଉପରେ ସିଏ ଆଉ ମୋଟେ ନିର୍ଭରଶୀଳ ହୋଇ ରହିବାକୁ ଇଚ୍ଛା କରିବନାହିଁ । ତା’ର ଅସ୍ପୃହା ଏକାବେଳେକେ ଅନ୍ୟ ପ୍ରକାରର ହୋଇଯିବ । ବିଭିନ୍ନ ମତ ଓ ସଂପ୍ରଦାୟକୁ ଅବଲମ୍ବନ କରି ରହିଥିବା ଗୁରୁମାନେ ତାହାକୁ ହୁଏତ ଏକ ବିପଦ ବୋଲି ଅନୁଭବ କରୁଛନ୍ତି ଓ ସେହି କାରଣରୁ ହିଁ ମଣିଷର ବାଟ ଓଗାଳି ରଖିଛନ୍ତି । ଯେଉଁ ଅସଲ ଗୁରୁ ଆଗ ନିଜ ସମ୍ପ୍ରଦାୟକୁ ଏବଂ ତଦନୁରୂପ ଗୁଳାଗୁଡ଼ାକୁ ନଦେଖି ମଣିଷକୁ ଦେଖିବ ଓ ତାକୁ ସବାଆଗ ତା’ର ଭଗବାନଙ୍କୁ ଭେଟିବା ଲାଗି ବାଟ ଛାଡ଼ିଦେବ, ଭବିଷ୍ୟତ ନିମନ୍ତେ ସେଇ ବିହନ ହୋଇ ରହିବ । ସେଇ କାମରେ ଲାଗିବ । ଆମ ସମସ୍ତଙ୍କ କାମରେ ଲାଗିବ । ଆଉ ସମସ୍ତେ ଥକିଯିବେ, ଧରା ପଡ଼ିଯିବେ ଏବଂ ପୁରୁଣା ଗୁଳାଗୁଡ଼ାକର ସଂଗ୍ରହାଳୟରେ ଆମୋଦଦାୟକ ଗୋଟିଏ ଗୋଟିଏ ବସ୍ତୁ ହୋଇ ରହିଯିବେ ।

 

ନିଜର ଅସହାୟତାକୁ ଭାଗ୍ୟ ବୋଲି ନିନ୍ଦି ନିନ୍ଦି ସମାଜରେ କୋଟି କୋଟି ମନୁଷ୍ୟ ବିଳାପ କରିବାରେ ଲାଗିଥିବେ, ଭଜନ ଓ ଜଣାଣମାନ ଗାଉଥିବେ ଏବଂ ନଶ୍ୱର ସଂସାର ଭିତରୁ ଉଦ୍ଧାର କରି ସେମାନଙ୍କୁ ଯଥାତିଶୀଘ୍ର ଚରଣତଳକୁ ନେଇଯିବା ନିମନ୍ତେ ଭଗବାନଙ୍କୁ ଆକୁଳ ଭାବରେ ପ୍ରାର୍ଥନା କରୁଥିବେ, ଏବଂ ଆଉ କେତେ ଅନ୍ୟ ପକ୍ଷରେ ଭଗବାନଙ୍କୁ ଭୋଗ ଖଞ୍ଜିଦେଇ, ପାଟ ଯଥା ପିନ୍ଧାଇ, ତାଙ୍କ ପାଇଁ ମନ୍ଦିର ତୋଳିଦେଇ ତାଙ୍କ ଦ୍ୱାରା ଅନୁଗୃହୀତ ହୋଇ ରହିଥିବେ, ସେହି ଦର୍ପରେ ଏଠି ମଣିଷଙ୍କ ଉପରେ ଘୋଡ଼ା ଚଢ଼ୁଥିବେ ଏବଂ ଭଗବାନ ସେମାନଙ୍କୁ ସୁଖରେ ରଖିଛନ୍ତି ବୋଲି କହି ଭାଗ୍ୟବାନ୍ ବୋଲାଉଥିବେ,–ଏଇଟା ପୁଣି କି ସଂସାର, ଏହି ଭଗବାନ ମଧ୍ୟ କି ଭଗବାନ । ପୃଥିବୀଟା ଯେ ସତକୁ ସତ ଏହିପରି ହୋଇ ରହିଛି, ଏଇଟା ଭଗବାନଙ୍କର ଆଦୌ କର୍ଯ୍ୟ ନୁହେଁ, ଏଇଟା ହେଉଛି ଗୋଟିଏ ନିତାନ୍ତ ଅବ୍ୟବସ୍ଥା ଭିତରେ ଅକଲ ହରାଇ ବସିଥିବା ମଣିଷମାନଙ୍କର କାଣ୍ଡ । ଏହି ଅବ୍ୟବସ୍ଥାକୁ ବଦଳାଇ ଦେବାପାଇଁ ମଣିଷ, ଆଲୋକମୁଖୀ ମଣିଷ ଯୁଗେ ଯୁଗେ ପ୍ରୟାସ କରି ଆସିଛି । ଭଗବାନ ସବାଆଗ ମଣିଷ ଭିତରେ ଦୃଶ୍ୟ ହେବେ, ନିଜ ଭିତରେ ତଥା ପରସ୍ପର ଭିତରେ ଅନୁଭୂତ ହେବେ, ଏହି ମନୁଷ୍ୟକୁ ହିଁ ମାଧ୍ୟମ କରି ଭଗବାନ ଯାହା କିଛି କରନ୍ତି ବୋଲି ପୃଥିବୀରେ ମନୁଷ୍ୟମାନଙ୍କର ବିଶ୍ୱାସ ଦୃଢ଼ୀଭୂତ ହେବ । ତେବେଯାଇ ପୃଥିବୀରେ ଏବଂ ନୂଆ ମୂଳଦୁଆ ଗଢ଼ା ହେବାଲାଗି ବାଟ ଫିଟିଯିବ । ଅନ୍ୟ ମଣିଷମାନଙ୍କୁ ଗିଳି ପକାଇ, ପ୍ରତ୍ୟାଖ୍ୟାନ କରି ଅଥବା ପଛରେ ପକାଇ ଦେଇ ନିଜେ ଆଗକୁ ଚାଲିଯିବ ବୋଲି ମଣିଷ କେତେ ନିର୍ବୋଧ ଭାବରେ ଅପପ୍ରୟାସମାନ କରିଛି ଓ ପୃଥିବୀଟାକୁ ଅଲକ୍ଷଣା କରି ରଖିଛି । ଏହି ବ୍ୟବସ୍ଥା ବଦଳିବ । ମଣିଷମାନେ ନିଜର ଅସଲ ଘରକୁ ଫେରିଆସିବେ ।

 

ମଣିଷକୁ ମଣିଷ ହିସାବରେ ସ୍ୱୀକୃତି ଦେବା, ସମ୍ମାନ ଦେବା, ସୁଯୋଗ ଦେବା, ସବୁ ମଣିଷଙ୍କର ଏହା ସ୍ୱାଭାବିକ ଭାବରେ ପ୍ରାପ୍ୟ ବୋଲି ମାନିନେବା ଏବଂ ସେହି ଅନୁସାରେ ସାମୂହିକ ଜୀବନକୁ ଅନୁକୂଳ କରି ରଖିବା, -ଭାରତବର୍ଷରେ ଏହି କଥାଟିକୁ କେବେହେଲେ ସବାଆଗ ବୋଲି ସ୍ୱୀକାର କରାଯାଇ ନାହିଁ । ଋଷିମାନେ ଅରଣ୍ୟରେ ଥାଇ ଏହିପରି ଏକ ପୃଥିବୀ ନିମନ୍ତେ ଶ୍ୱସ୍ତିମନ୍ତ୍ରମାନ ଉଚ୍ଚାରଣ କରିଛନ୍ତି ଏବଂ ସନ୍ଥମାନେ ନିଜ କାଳଗୁଡ଼ିକର ବାଡ଼ ଭିତରେ ରହି ତଥାପି ଏକ ପ୍ରତିବାଦର ସ୍ୱର ଉତ୍ତୋଳନ କରିଛନ୍ତି ସତ, କିନ୍ତୁ ତଥାପି ପ୍ରଧାନତଃ ରାତିଟା ହିଁ ଯୁଗେ ଯୁଗେ ରାଜତ୍ୱ କରି ଆସିଛି । ସମାଜ, ଜାତି, ଧର୍ମ, ଉଚ୍ଚ, ନୀଚ, ସ୍ପୃଶ୍ୟ, ଅସ୍ପୃଶ୍ୟ ଏହିପରି ନନା ହୀନ ବିଭାଜନରେ ଶ୍ରୀହୀନ ଓ କ୍ରୂର ହୋଇ ରହିଛି । ମନୁଷ୍ୟକୁ ତା’ ନିଜ ଭିତରକୁ ଅନାଇ ସେହିଠାରୁ ହିଁ ଶକ୍ତିଲାଭ କରିବାକୁ ଖୁବ୍‌ବେଶି ଅବସର ଦିଆ ଯାଇନାହିଁ । ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ସ୍ୱାମୀ ବିବେକାନନ୍ଦ ମଣିଷ ବିଷୟରେ କେତେ କେତେ ଅଗ୍ନିମୟୀ ବାଣୀ ଉଚ୍ଚାରଣ କରିଛନ୍ତି ସତ, ମାତ୍ର ସତେଅବା ଦରିଦ୍ର ନାରାୟଣର ବିଚାର ପାଖକୁ ଯାଇ ସେଇଠି ଅଟକି ଯାଇଛନ୍ତି । ତାଙ୍କର ପ୍ରେରଣା ଦ୍ୱାରା ଅନୁପ୍ରାଣିତ ହୋଇ କେତେ ମନୁଷ୍ୟ ଦରିଦ୍ର ମାନଙ୍କର ନାରାୟଣଜ୍ଞାନରେ ସେବାର୍ଚ୍ଚନା କରିଛନ୍ତି ସତ, ମାତ୍ର ସମାଜରେ କୌଣସି ମନୁଷ୍ୟ ଯେପରି ଆଦୌ ଦରିଦ୍ର ହୋଇ ରହିବାକୁ ବାଧ୍ୟ ନହେବ ସେଥିଲାଗି ତାଙ୍କର ଅନୁଗାମୀମାନେ ଯଥେଷ୍ଟ ଗମ୍ଭୀରତା ସହିତ ଚିନ୍ତା କରି ପାରିନାହାନ୍ତି । ଭାରତବର୍ଷର ସ୍ୱାଧୀନତା ସଂଗ୍ରାମ ମଣିଷ ବିଷୟରେ ବହୁ ପ୍ରେରଣାଦାୟକ ପ୍ରତିଶ୍ରୁତି ଦେଇଥିଲା ସତ, ମାତ୍ର ଦେଶ ସ୍ୱାଧୀନ ହେବାପରେ ଅସହାୟ ମନୁଷ୍ୟମାନେ ସତେଯେପରି ଅଧିକ ଅସହାୟ ହେବାରେ ଲାଗିଛନ୍ତି ଓ ଚଣ୍ଡମାନେ ଅଧିକ ଚଣ୍ଡ ହେଉଛନ୍ତି । ସଂସାରରେ ସଫଳ ହେବା କହିଲେ ଯାବତୀୟ ଅର୍ଥରେ କ୍ରମେ ଚଣ୍ଡ ଓ ଅଧିକ ଚଣ୍ଡ ହେବାକୁ ବୁଝାଉଥିବା ପରି ମନେହେଉଛି । ତେଣେ ଧର୍ମପ୍ରବଚନରେ ଦେହୁଡ଼ି କମ୍ପୁଛି, ମନ୍ଦିରମାନଙ୍କର ସଂଖ୍ୟା ବଢ଼ୁଛି, ଏହି ଠାକୁରଗୁଡ଼ାଙ୍କୁ ସନ୍ତୁଷ୍ଟ କରି ପାରିଲେ ତୁମେ ପୃଥିବୀରେ ଯାହା ଯାହା ଇଚ୍ଛା ତାହା କରିପାରିବ ବୋଲି କେତେ ମଣିଷଙ୍କ ଭିତରେ ରହିଥିବା ଦୈତ୍ୟଟା ଅଧିକ ଆଣ୍ଟ ସହିତ ଭାବିବାରେ ଲାଗିଲାଣି ।

 

ତେଣୁ, ଏଗୁଡ଼ାକୁ ଡେଇଁଯିବାକୁ ପଡ଼ିବ । ବଦଳାଇ ଦେଇ କହିଲେ, ମଣିଷ ପାଖକୁ ଫେରି ଆସିବାକୁ ପଡ଼ିବ । ମଣିଷ କହିଲେ ସବୁ ମଣିଷଙ୍କୁ ବୁଝିବାକୁ ହେବ ଏବଂ ସେହିମାନଙ୍କ ପାଖରୁ ହିଁ ମୂଳଦୁଆଟିକୁ ପକାଇବାକୁ ପଡ଼ିବ । ପୁରୁଣା ଗୁରୁମାନେ ଆଉ କାମ ଦେବେ ନାହିଁ । ଯିଏ ସଂସାର ଛାଡ଼ି ତା’ର ଏକ ଅଲଗା ଗୁମ୍ଫା ଭିତରେ ଭଗବାନଙ୍କୁ ସ୍ମରଣ କରୁଛି, ଭଗବାନ ତା’ର ମଙ୍ଗଳ କରନ୍ତୁ ପଛକେ, ମାତ୍ର ତା’ ଦ୍ୱାରା ପୃଥିବୀଟା ଆଦୌ ବଦଳିବ ନାହିଁ । ଏହି ପୃଥିବୀରେ ହିଁ ଯିଏ ରହିଥିବ, ଏଇଠି ଭଗବାନଙ୍କୁ ସାଙ୍ଗରେ ଧରି ରହିଥିବ, ନିଜପାଇଁ ଆଦୌ କିଛି ମାଗୁ ନଥିବ, ଏପରିକି ନିଜ ପାଇଁ ସ୍ୱର୍ଗ ବା ବୈକୁଣ୍ଠ ବି ମାଗୁ ନଥିବ, ଯିଏ ଖୁସୀ ହୋଇ ପୃଥିବୀ ପାଇଁ ହିଁ କାର୍ଯ୍ୟ କରିବ, ପୁରୁଣା ପୃଥିବୀଟା ସହିତ ଲଢ଼ି ମନୁଷ୍ୟମାନଙ୍କୁ ଏକ ନୂତନ ପୃଥିବୀ ମଧ୍ୟକୁ ଜଗୃତ କରାଇ ଆଣିବ, ସେଇ ପାରିବ । ସେଇ ଯନ୍ତ୍ର ହେବ, ବିହନ ପରି କାମ ଦେବ । ଯିଏ ପ୍ରତ୍ୟେକ ମନୁଷ୍ୟକୁ ସେମାନଙ୍କ ଭିତରେ ପ୍ରଚ୍ଛନ୍ନ ହୋଇ ରହିଥିବା ସତ୍ୟଟି ବିଷୟରେ ଉଦ୍‌ବୋଧନ ଦେବ ତା’ ଭିତରେ ରହିଥିବା ଶକ୍ତି ସହିତ ତା’ର ପରିଚୟ ଘଟାଇବ, ତା’ ଅନ୍ତର୍ନିହିତ ସକଳ ସମ୍ଭାବନା ଆଗରେ ତାକୁ ମୁହାଁମୁହିଁ ନେଇ ଛିଡ଼ା କରାଇଦେବ, ସେଇ ପାରିବ । ଏପରି ଜଣେ ବ୍ୟକ୍ତିକୁ ଆଦୌ କୌଣସି ମନ୍ଦିର ବା ମସ୍‌ଜିଦ୍ ଭାଙ୍ଗିବାକୁ ପଡ଼ିବ ନାହିଁ ବା କୌଣସି ରାଜନୀତିକ କ୍ଷମତା ପାଇଁ ବି ଦଉଡ଼ିବାକୁ ପଡ଼ିବ ନାହିଁ । ମାତ୍ର, ଏହିପରି ମନୁଷ୍ୟମାନେ ଏକାଠି ହେଲେ ସାଲିଶ୍‌ବିହୀନ ଭାବରେ ଏକ ନୂତନ ପାରସ୍ପରିକତାକୁ ବଞ୍ଚିପାରିଲେ ଏବଂ ଦୁଷ୍ଟମାନଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇପାରିଲେ ତାହାହିଁ ଏକ ବିପୁଳ ଉଦ୍‌ବେଳନର କାରଣ ହେବ । ସେହି ମଣିଷମାନେ ନେତୃତ୍ୱ ଦେବେ, ସେମାନେ ଏକାବେଳେକେ ଗୁରୁ ଓ ଶିଷ୍ୟ ଉଭୟ ହେବେ । ସେମାନେ ଆଦୌ କୌଣସି ସଂପ୍ରଦାୟ ଗଢ଼ିବେ ନାହିଁ । ଚତୁର୍ଦ୍ଦିଗରେ ଏକ ନୂଆ ପ୍ରତ୍ୟୟର କାରଣ ହେବ । ତାହାହିଁ ସେମାନଙ୍କୁ ସବୁଠାରୁ ଅଧିକ ଖୁସୀ ଆଣି ଦେଇଯିବ । ଏତିକି କ’ଣ କମ୍ କଥା !

Image